କରଞ୍ଜିଆ ,୯/୩ ଶିମିଳିପାଳର ନିଆଁ ପ୍ରଭାବରେ ଜଙ୍ଗଲ ଜନ୍ତୁ କୋର ଅଞ୍ଚଳରୁ ବାହାରକୁ ଆସିଲେ ଶିକାର ପାଇଁ ଶିକାରୀ ଫାଶ ବସାଇ ରହୁଛି ।କରଞ୍ଜିଆ ବନଖଣ୍ଡ ଦୁଧିଆଣି ବନାଞ୍ଚଳର ତାଟୋ ସେକ୍ସନ ପୁରୁଣାପାଣି ବିଟ ଅନ୍ତର୍ଗତ ଗୁଡିଡ଼ିହା ରିଜର୍ଭ ଜଙ୍ଗଲର ସୁରକ୍ଷା ଦାୟିତ୍ୱ ନେଇଥିବା ବନସୁରକ୍ଷା ସମିତି ଦ୍ୱାରା ଗତକାଲି ସନ୍ଧ୍ୟା ପ୍ରାୟ ୭.୩୦ ମିନିଟ ସମୟରେ ଜଣେ ଶିକାରୀକୁ ଗିରଫ କରିବାରେ ବନବିଭାଗ ସଫଳ ହୋଇଛି ।ଖଡ଼ିକୁଦର ଗ୍ରାମର ସାଲୁ ତିଉ (୨୨)ଉକ୍ତ ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ୪୪୦ ଫୁଟ ଲମ୍ବର ୨୨ ଗୋଟି ଫାଶ ବସାଇ ଜଙ୍ଗଲର ଅପରପଟରୁ ନିଆଁ ଲଗାଇଥିଲା ।ପୂର୍ବରୁ ସେହି ଜଙ୍ଗଲରେ ଲାଗିଥିବା ନିଆଁକୁ ବନସୁରକ୍ଷା ସମିତି ଲିଭାଇଥିବା ସମୟରେ ପୁନଃ ନିଆଁ ଲାଗିବା ଦେଖି ସମିତିର କର୍ମକର୍ତ୍ତାମାନେ ଜଙ୍ଗଲ ନିଆଁକୁ ଆୟତ୍ତ କରିବାକୁ ଯାଇ ଯୁବକକୁ ଦେଖି ଦୁଧିଆଣି କାର୍ଯ୍ୟାଳୟକୁ ଖବର ଦେଇଥିଲେ ।ଫରେଷ୍ଟର ,ଫରେଷ୍ଟଗାର୍ଡ ,ସବୁଜବାହିନୀ ଓ ଭିଏସଏସ ମିଳିତଭାବେ ଉକ୍ତ ଯୁବକକୁ କାବୁ କରିବାପରେ ଜଙ୍ଗଲ ମଧ୍ୟରେ ବସାଇଥିବା ଫାଶଗୁଡିକୁ , ସାଇକେଲ ଓ ଦିଆସିଲକୁ ଜବତ କରିଥିଲେ ।ଗିରଫ ସାଲୁକୁ ଆଜି ଓଡିଶା ଜଙ୍ଗଲ ଆଇନର ଧାରା ୨୭(୩)(ଏ) ,୫୬ ଓ ବନ୍ୟଜନ୍ତୁ ସଂରକ୍ଷଣ ଆଇନର ଦଫା ୯ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି ।ସୂଚନାଯୋଗ୍ୟ ଯେ ଗତ ଫେବୃଆରୀ ୯ ତାରିଖରୁ କରଞ୍ଜିଆ ବନଖଣ୍ଡର ସାତକୋଶିଆ ,ଠାକୁରମୁଣ୍ଡା ,କରଞ୍ଜିଆ ଓ ଦୁଧିଆଣି ବନାଞ୍ଚଳରେ ନିଆଁ ଲାଗିଥିବା ଏବଂ ଏଥିରେ ସମ୍ପୃକ୍ତ କୌଣସି ଅଭିଯୁକ୍ତଙ୍କୁ ଅଦ୍ୟାବଧି ଗିରଫ କରାଯାଇପାରିନଥିବା ବେଳେ ଦୁଧିଆଣି ବନାଞ୍ଚଳରେ ଆଜିକୁ ମିଶାଇ ଦୁଇଜଣଙ୍କୁ ଗିରଫ କରାଯାଇଥିବା ଦେଖାଯାଇଛି ।ଏଥିରୁ ପ୍ରମାଣିତ ଯେ ଶିମିଳିପାଳରେ ନିଆଁ ଲାଗିବା ଘଟଣାରେ ଶିକାରୀମାନଙ୍କ ପ୍ରଚ୍ଛନ୍ନ ହାତ ଥିବା ନେଇ ସନ୍ଦେହ ଦୃଢ଼ୀଭୂତ ହୋଇଛି ।