ବ୍ରହ୍ମପୁର ,୩୦/୪- ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପାଳଝାଡି ଗ୍ରାମର ହୋଇଥିବା ହତ୍ୟା ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଶତାଧିକ ଗ୍ରାମବାସୀ ଆଜି ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ହତ୍ୟାକାଣ୍ଡ ଘଟଣାକୁ ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିନାହିଁ । ମୃତକଙ୍କ ପରିବାର ବର୍ଗଙ୍କ ସହ ଚଷା ନିମଖଣ୍ଡି ପଞ୍ଚାୟତର ବହୁ ଗ୍ରାମବାସୀ ଏକତ୍ରିତ ହୋଇ ଏହାର ପ୍ରତିବାଦ କରିବା ସହ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଥିଲେ । ଆଗାମୀ ୪୮ ଘଣ୍ଟାରେ ଯଦି ଅଭିଯୁକ୍ତଙ୍କୁ ଗିରଫ କରାନଯାଏ । ତେବେ ରାଜରାସ୍ତାକୁ ଓହ୍ଲାଇ ଏହାର ପ୍ରତି ବାଦ କରାଯିବ ବୋଲି ମୃତକଙ୍କ ସମ୍ପର୍କୀୟ ଉତ୍ତମ ପାଣିଗ୍ରାହୀ କହିଛନ୍ତି । ଏହା ସହ ଏ ନେଇ ବ୍ରହ୍ମପୁର ଏସପିଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ତେବେ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରାଯାଇଛି । ଅଭିଯୁକ୍ତମାନଙ୍କ ଚିହ୍ନଟ ସରିଛି ଓ ଖୁବ୍ ଶିଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ବ୍ରହ୍ମପୁର ଏସପି ପିନାକ ମିଶ୍ର କହିଛନ୍ତି l ସୂଚନା ମୁତାବକ ପାଳଝାଡି ଗ୍ରାମର ସୁଧୀର ପାତ୍ର ଓ ସୁଦର୍ଶନ ସୁଆର ଗତ ୨୩ ତାରିଖ ରାତିରେ ଏକ ମୋଟରସାଇକଲ ଯୋଗେ ନିକଟସ୍ଥ ପନାଡ ଗ୍ରାମକୁ ଯାଇଥିଲେ। ସେଠାରେ ଜଣକର ଭୋଜିରେ ଯୋଗ ଦେବା ପୂର୍ବରୁ ଆଉଜଣକ ଘରକୁ ଦୁହେଁ ଯାଇ ସେଠାରେ କିଛି ଆଲୋଚନା କରିଥିଲେ। ପରେ ଦୁହେଁ ଭୋଜି ଖାଇ ନିଜ ଗାଁକୁ ଫେରୁଥିଲେ । ପୂର୍ବରୁ ସେମାନଙ୍କୁ ଅନୁସରଣ କରୁଥିବା ଚାରି ପାଞ୍ଚ ଜଣ ନିଛାଟିଆ ସଉରା ପାହାଡ ରାସ୍ତାରେ ଅଚାନକ ସେମାନଙ୍କ ଗାଡିକୁ ଅଟକାଇଥିଲେ। ଅତର୍କିତ ଆକ୍ରମଣ କରିବା ସହ ପଥରରେ ଛେଚି ହତ୍ୟା କରି ଫେରାର ହୋଇଯାଇଥିଲେ । ରାତିରେ ସେହି ରାସ୍ତା ଦେଇ ଯାଉଥିବା ଜଣେ ଟ୍ରାକ୍ଟର ଚାଳକ ଦୁଇଜଣ ଯୁବକଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖୁ ଗାଁରେ ଖବର କରିଥିଲେ। ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ସୁଦର୍ଶନ ସୁଆରଙ୍କୁ ମୃତ ଘୋଷଣା କରିଥିଲେ । ସୁଧୀରଙ୍କ ଅବସ୍ଥା ଗୁରୁତର ରହିବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ସୁଧୀରଙ୍କୁ ମଧ୍ୟ ମୃତ ଘୋଷଣା କରାଯାଇଥିଲା। ଖବର ପାଇ ସେହି ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ପୁଲିସ ପହଞ୍ଚି ଘଟଣାସ୍ଥଳରୁ ଗୋଟିଏ ରକ୍ତଭିଜା ପଥର ଖଣ୍ଡ ସହ ଦୁଇ ହଳ ଚିପିଲ ଜବତ ହୋଇଥିଲେ । ପୁଲିସ ଦୁଇଟି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି । ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ହତ୍ୟାକାରୀଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିଛି । ୨୪ ତାରିଖ ସକାଳେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଛନ୍ତି। ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ଘଟଣାସ୍ଥଳ ଏବଂ ପରେ ପାଳଝାଡି ଗାଁକୁ ଯାଇ ଘଟଣା ସମ୍ପର୍କରେ ଗାଁବାସୀ ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ହତ୍ୟାକାରୀଙ୍କୁ ଧରିବାକୁ ସ୍ଵତନ୍ତ୍ର ଦଳ ଗଠନ କରାଯାଇଛି।