ଅଧ୍ୟାପକ ଶରତ କୁମାର ଦାସ : କରୋନାର କରାଳ ଛାୟା ଆମ ରାଜ୍ୟ ଓଡିଶା ସମେତ ଆମ ଦେଶ ଭାରତ ତଥା ସମଗ୍ର ବିଶ୍ବକୁ ଆଚ୍ଛାଦିତ କରିଥିବା ବେଳେ,ସାମଗ୍ରିକ ଜନଜୀବନ ବିପର୍ଯ୍ୟସ୍ତ ହେବା ସହିତ ମଣିଷ ସମାଜ ନାହିଁନଥିବା କ୍ଷୟକ୍ଷତିର ସମ୍ମୁଖୀନ ହେଉଛି, ଯାହାକି ସାର୍ବଜନୀନ ସତ୍ୟ । ମହାମାରୀର ପ୍ରଭାବରେ ସାରା ବିଶ୍ବରେ ସାମାଜିକ,ଅର୍ଥନୈତିକ ତଥା ଶିକ୍ଷାକ୍ଷେତ୍ରରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ସାମାଜିକ ବିଧିବ୍ୟବସ୍ଥା ତଥା ସମ୍ପର୍କରେ ଭଟ୍ଟା ସୃଷ୍ଟି ହେବା ସହିତ ସମଗ୍ର ବିଶ୍ବର ଅର୍ଥନୈତିକ ମେରୁଦଣ୍ଡ ଭୁଷୁଡିପଡିଛି । ଶୈକ୍ଷିକ ପରିବେଶ ଧୂଳିସାତ୍ ହୋଇଛି । ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କର ଯେଉଁ ବିରାଟ କ୍ଷତି ଘଟିଛି ତାହା ଗଭୀର ଚିନ୍ତା ତଥା ଉଦବେଗର ବିଷୟ ।ୟୁନେସ୍କୋର ଏକ ଆକଳନ ଅନୁଯାୟୀ, କେବଳ ଭାରତର ଅର୍ଥନୀତିରେ ୪୨୦ ବିଲିୟନ ଡଲାର କ୍ଷତି ଘଟିବ । ହୁଏତ କରୋନା ପରବର୍ତ୍ତୀ ସମୟରେ ସାମାଜିକ ବିଧିବ୍ୟବସ୍ଥା ସୁଧୁରିଯିବା ସହିତ ଅର୍ଥନୈତିକ ଭିତ୍ତିଭୂମି ସୁଦୃଢ଼ ହୋଇପାରେ, ମାତ୍ର କୋମଳମତି ଛାତ୍ରଛାତ୍ରୀଙ୍କର ଯେଉଁ କ୍ଷତି ଘଟିବ ତାହା କେବେବି ପୂରଣ ହୋଇପାରିବ ନାହିଁ । ଏହା ଅପୂରଣୀୟ ହୋଇ ରହିଯିବ ସବୁଦିନପାଇଁ। ଏହା ମଧ୍ୟ ନିଃସନ୍ଦେହ ।
ଓଡିଶା ସମେତ ସମଗ୍ର ଭାରତବର୍ଷରେ କରୋନାର ସଂକ୍ରମଣ କାରଣରୁ ସମସ୍ତ ସ୍କୁଲ୍ କଲେଜ ଦୀର୍ଘ ଦିନ ଧରି ବନ୍ଦ ହେବା ପରେ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ସରକାରୀ ନିର୍ଦ୍ଦେଶ ତଥା କରୋନା ନୀତିନିୟମକୁ ଆଧାର କରି ଶିକ୍ଷାଅନୁଷ୍ଠାନଗୁଡିକରେ ଶ୍ରେଣୀଗୃହ ପାଠପଢା କିଛି କମ୍ ତଥା ଉଚ୍ଚଶ୍ରେଣୀକୁ ନେଇ ଆରମ୍ଭ ହୋଇଥିଲା । ମାତ୍ର କରୋନା ଦ୍ବିତୀୟ ଲହରର ଉଚ୍ଚ ସଂକ୍ରମଣ କାରଣରୁ ତାହା ପୂର୍ଣ୍ଣ ମାତ୍ରାରେ ସମ୍ଭବ ହୋଇପାରିଲା ନାହିଁ । ପୁନଶ୍ଚ ଶିକ୍ଷାଅନୁଷ୍ଠାନଗୁଡିକୁ ସରକାର ବନ୍ଦ କରିଦେଲେ। ପରିସ୍ଥିତିରେ ଜଟିଳତାକୁ ଦୃଷ୍ଟିରେ ରଖି ବନ୍ଦ କରିବାଟା ସ୍ବାଭାବିକ ମଧ୍ୟ । ତା’ପରେ ଆସିଲା ପରୀକ୍ଷା ଋତୁ । ଛାତଛାତ୍ରୀମାନଙ୍କର ମେଧା ନିର୍ଦ୍ଧାରଣ କରିବାର ସମୟ ।ପରୀକ୍ଷା ଫଳକୁ ଆଧାର କରି ଜଣେ ଛାତ୍ର ନିଜ ଭବିଷ୍ୟତ ପନ୍ଥା ନିର୍ଣ୍ଣୟ କରିଥାଏ। ଅପରପକ୍ଷରେ ଛାତ୍ରଛାତ୍ରୀଙ୍କର ଶୈକ୍ଷିକ ଦକ୍ଷତା ସମ୍ବନ୍ଧରେ ଜାଣିବାକୁ ପରୀକ୍ଷା ଫଳ ମାନଦଣ୍ତ ରୂପେ କାର୍ଯ୍ୟ କରିଥାଏ ।
ମାତ୍ର ବିଧିର ବିଧାନ ଥିଲା ଅନ୍ୟ ପ୍ରକାର । ବେଡି ଉପରେ କୋରଡା ମାଡ ପରି ତାହା ବି ସମ୍ଭବ ହୋଇପାରିଲା ନାହିଁ ।
ପରିସ୍ଥିତି ଏଭଳି ହେଲା ଯେ ସରକାର ପରୀକ୍ଷା ବାତିଲ୍ କରିବା ଭଳି ଏକ କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ। ସାମ୍ପ୍ରତିକ ପରିସ୍ଥିତିରେ ଏହାର ଅନ୍ୟ କୌଣସି ସୁବିକଳ୍ପ ମଧ୍ୟ ନଥିଲା । ଫଳରେ ଅନ୍ଧକାରର ଯଉଘରକୁ ଠେଲି ହୋଇଗଲା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କର ଉଜ୍ଜଳ ଭବିଷ୍ୟତ ।
“ଜୀବନ ଆଗ,ପରୀକ୍ଷା ପଛ” ନ୍ୟାୟରେ କିଛିଦିନ ପୂର୍ବେ କେନ୍ଦ୍ର ସରକାର ସିବିଏସ୍ଇ ଓ ଆଇସିଏସ୍ଇ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍ କରିଦେବା ପରେ ଆମ ରାଜ୍ୟ ସରକାର ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାକୁ ମଧ୍ୟ ବିନା ଦ୍ବିଧାରେ ବାତିଲ୍ କରିଦେଲେ। ହୁଏତ ମାଟ୍ରିକ ପରୀକ୍ଷା ଦୁଇ-ଚାରି ମାସ ଘୁଞ୍ଚି ଯାଇଥିଲେ ବିଶେଷ କୌଣସି ଅସୁବିଧା ହୋଇ ନ ଥାନ୍ତା ।କାରଣ ମାଟ୍ରିକ ପରୀକ୍ଷା ଛାତ୍ରଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା । ଏଇଠୁ ହିଁ ସେ ଆଗକୁ ଯିବାର ମାର୍ଗ ସ୍ଥିରକରିବା ସହିତ ତଦନୁଯାୟୀ ନିଜକୁ ପ୍ରସ୍ତୁତ କରିଥାଏ । ଯାହା ହେଉନା କାହିଁକି ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ସିବିଏସ୍ଇ ପରିଚାଳିତ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ବାତିଲ କଲାପରେ ଓଡିଶା ସରକାର ମଧ୍ୟ ଅନୁରୂପ ପଥ ଅବଲମ୍ବନ କରିବା ପୂର୍ବକ ଯୁକ୍ତଦୁଇ କଳା,ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାକୁ ବାତିଲ କରିଛନ୍ତି ।
ସାମ୍ପ୍ରତିକ ପରିସ୍ଥିତିରେ ପରୀକ୍ଷା ବାତିଲ୍ ଏକ ସ୍ବାଗତଯୋଗ୍ଯ ପଦକ୍ଷେପ ନିଶ୍ଚୟ । କାରଣ ପ୍ରତିଟି ଛାତ୍ରଛାତ୍ରୀ ପାଇଁ ଜୀବନ ଆଗ,ପରୀକ୍ଷା ପଛ। ଜୀବନ ବଂଚିଲେ ଭବିଷ୍ୟତରେ ଅନେକ ପରୀକ୍ଷା ଜଣେ ଛାତ୍ର ଜୀବନରେ ଆସିବା ସହିତ ସାମାଜିକ ପ୍ରଗତି ସମ୍ଭବ ହୋଇପାରିବ।ଜୀବନ ଚାଲିଗଲେ ସବୁ ଅନ୍ଧାର । ସମାଜ ରସାତଳଗାମୀ ହେବା ହିଁ ଶ୍ରେୟ । ତେଣୁ ଛାତ୍ରଛାତ୍ରୀମାନଙ୍କ ଜୀବନର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସରକାରଙ୍କ ଏଭଳି ନିଷ୍ପତ୍ତି ଏକ ସଠିକ୍ ତଥା ସମୟୋପଯୋଗୀ ନିଷ୍ପତ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ସରକାରଙ୍କର ଏତାଦୃଶ ନିଷ୍ପତ୍ତିକୁ ସାଧାରଣ ଜନତା, ଛାତ୍ରଛାତ୍ରୀ,ଅଭିଭାବକ, ବିଶିଷ୍ଟ ଶିକ୍ଷାବିତ,ଅନେକ ବୁଦ୍ଧିଜୀବୀ ପ୍ରଭୃତି ସବୁମହଲରୁ ସ୍ବାଗତ କରାଯାଇଛି । ମାତ୍ର ପରୀକ୍ଷା ବାତିଲ୍ ର ପରବର୍ତ୍ତୀ ପର୍ଯ୍ୟାୟ ଯଥା ଫଳ ପ୍ରକାଶନକୁ ନେଇ ଅନେକ ତର୍କ, ବିତର୍କ, ଆଲୋଚନା ଓ ପର୍ଯ୍ୟାଲୋଚନା ଦାନାବାନ୍ଧୁଛି।କେଉଁ ମାନଦଣ୍ତ ଆଧାରରେ ଯୁକ୍ତଦୁଇ ଛାତ୍ରଛାତ୍ରୀମାନଙ୍କର ଫଳ ପ୍ରକାଶ କରାଯିବ ତାହା ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର ବିଷୟ ପାଲଟିଛି । ଏଥିପାଇଁ ଉଭୟ ସରକାର ଓ ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ଚିନ୍ତା ଓ ଚାପରେ ରହିବା ସ୍ବାଭାବିକ ।
ଉଚ୍ଚତର ଅଧ୍ୟୟନ ତଥା ବୈଷୟିକ ଶିକ୍ଷା ଗ୍ରହଣ ନିମିତ୍ତ ଯୁକ୍ତଦୁଇର ଫଳାଫଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯୁକ୍ତଦୁଇ ପରେ କିଏ କେଉଁ ବୈଷୟିକ ମାର୍ଗ ଗ୍ରହଣ କରିବ ତାହା ଏଠାରେ ନିଶ୍ଚିତ ହୋଇଥାଏ ।କଳା,ବିଜ୍ଞାନ, ବାଣିଜ୍ୟ ଭଳି ପାଠ୍ୟକ୍ରମ ବ୍ୟତୀତ ଅନ୍ୟଗୁଡିକରେ ଅଧ୍ୟୟନ ନିମିନ୍ତେ ସାଧାରଣ ପ୍ରବେଶକା ପରୀକ୍ଷା ଦେବାକୁ ହୋଇଥାଏ । ଏଥିପାଇଁ ପରୀକ୍ଷାରେ ରଖିଥିବା ନମ୍ବର ଅପେକ୍ଷା ଛାତ୍ରର ଜ୍ଞାନ ଓ ଦକ୍ଷତା ଖୁବ୍ ବେଶୀ ଆବଶ୍ୟକ ପଡେ।ତେଣୁ ଏ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ ତଥା ମାନସିକ କସରତ କରିବାକୁ ପଡିଥାଏ ।
ଇତିମଧ୍ୟରେ ସିବିଏସ୍ଇ ଦଶମ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ଓ ଦ୍ବାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ନିମନ୍ତେ ଅନୁରୂପ ବ୍ୟବସ୍ଥା ମଧ୍ୟ ଗ୍ରହଣ କରିବେ । ଅବଶ୍ୟ ଦଶମ ହେଉ ବା ଦ୍ବାଦଶ ହେଉ ପରୀକ୍ଷା ଫଳ ପ୍ରକାଶ ନିମନ୍ତେ ସେମାନଙ୍କ ନିକଟରେ କୌଣସି ନା କୌଣସି ମାନଦଣ୍ତର ବିକଳ୍ପ ରହିଛି । ନବମ ଶ୍ରେଣୀ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ହୋଇଥିବା ବିଭିନ୍ନ ଅନଲାଇନ୍ ପରୀକ୍ଷା ତଥା ଇଣ୍ଟରନାଲ୍ ଆସେସମେଣ୍ଟକୁ ଆଧାର କରି ଦଶମ ଶ୍ରେଣୀର ଫଳ ପ୍ରକାଶ ସମ୍ଭବ ହୋଇପାରେ ।ଠିକ୍ ସେହି ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇପରେ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଫଳ ପ୍ରକାଶନ କ୍ଷେତ୍ରରେ । ଅବଶ୍ୟ ଏହା ଅନେକ କ୍ଷେତ୍ରରେ ସ୍ବଚ୍ଛ ନ ହୋଇପାରେ । ଛାତଛାତ୍ରୀମାନେ ନିଜ ଘରେ ବସି ଅନଲାଇନ୍ ମାଧ୍ୟମରେ ପରୀକ୍ଷା ଦେବା ଓ ସେମାନଙ୍କୁ ତଦାରଖ କରିବାପାଇଁ କୋଣସି ବ୍ୟବସ୍ଥା ନଥିବାରୁ ଏ ପରୀକ୍ଷା ଯେ ସମ୍ପୂର୍ଣ୍ଣ ଦୁର୍ନୀତି ମୁକ୍ତ, ଏହା କହିବା ମଧ୍ୟ ସମ୍ଭବପର ନୁହେଁ । ପୁନଶ୍ଚ ଶିକ୍ଷକଙ୍କ ଦ୍ବାରା ଇଣ୍ଟରନାଲ ଆସେସମେଣ୍ଟ ଯେ ପକ୍ଷପାତିତାରୁ ଉର୍ଦ୍ଧ୍ବରେ ତାହା କହିବା ମଧ୍ୟ ଅସମ୍ଭବ ।
ଓଡିଶା ସରକାର ମଧ୍ୟ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ନିମନ୍ତେ ନବମ ଓ ଦଶମ ଶ୍ରେଣୀର କ୍ଲାସ ପରୀକ୍ଷା ଫଳାଫଳକୁ ମାନଦଣ୍ତ ରୂପେ ନେବେ ବୋଲି ଘୋଷଣା କରିଛନ୍ତି । ଯଦି ପ୍ରକୃତରେ ଦେଖା ଯାଏ ତେବେ ସ୍କୁଲ୍ ସ୍ତରରେ ହୋଇଥିବା ଯେକୌଣସିଟି ପରୀକ୍ଷା କ’ଣ ସୁବ୍ୟବସ୍ଥିତ ଢଙ୍ଗରେ ହୋଇଛି କି ? କାଁ ଭାଁ କେତୋଟି ସ୍କୁଲ୍ କୁ ଛାଡିଦେଲେ ସ୍ବଚ୍ଛ , ନିର୍ମଳ ତଥା ନିରପେକ୍ଷ ପରୀକ୍ଷା ପରିଚାଳନା କଥା ଚିନ୍ତା କରିବା ବୋଧହୁଏ ଆକାଶ କଇଁଆ ଚିଲିକା ମାଛ ସଦୃଶ ହୋଇପାରେ । ଅନେକ ସ୍କୁଲରେ ମଧ୍ୟ ପରୀକ୍ଷା ହୋଇପାରିନାହିଁ । ଏ ସଂକ୍ରାନ୍ତରେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି, ଯାହାକି ଅତୀତରେ ଅନେକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିଛି । ଏ ସମସ୍ତ ବିଷୟ କେବଳ ସମାଲୋଚନା ନୁହେଁ, ବାସ୍ତବତା ମଧ୍ୟ । ଯାହାହେଉ ପଛକେ ବର୍ତ୍ତମାନର ପରିସ୍ଥିତି ପାଇଁ ଏହାର ଅନ୍ୟ କୌଣସି ବିକଳ୍ପ ନାହିଁ କହିଲେ ଭୁଲ ହେବନାହିଁ-ଏକଥା ଆମ ସମସ୍ତଙ୍କୁ ମାନିବାକୁ ପଡିବ ।
କିନ୍ତୁ ଏ ସମସ୍ତ ମାନଦଣ୍ତ ଓଡିଶାର ଉଚ୍ଚ ମାଧ୍ୟମିକ ଶିକ୍ଷା ଯଥା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ କ୍ଷେତ୍ରରେ ସମ୍ଭବ ନୁହେଁ । କାରଣ ସିବିଏସ୍ଇ ଭଳି ଆମ ପରୀକ୍ଷା ବ୍ୟବସ୍ଥା ସେଭଳି ସୁବ୍ୟବସ୍ଥିତ ନୁହେଁ । ଯୁକ୍ତ ଦୁଇ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଫଳ ପ୍ରକାଶନ ପାଇଁ ସେଭଳି କିଛି ଅନୁରୂପ ବିକଳ୍ପ ବ୍ୟବସ୍ଥା ମଧ୍ୟ ଆମ ପାଖରେ ନାହିଁ । ସରକାର ମଧ୍ୟ ଏ କ୍ଷେତ୍ରରେ କିଂକର୍ତ୍ତବ୍ୟମୂଢ । ଅନ୍ୟୁନ ନବେ ପ୍ରତିଶତ କଲେଜରେ ଯୁକ୍ତ ଦୁଇର ପ୍ରଥମ ବର୍ଷ ବା ଏକାଦଶ ଶ୍ରେଣୀର ପରୀକ୍ଷା କିମ୍ବା ଦ୍ବିତୀୟ ବର୍ଷର ବା ଦ୍ବାଦଶ ଶ୍ରେଣୀର ଟେଷ୍ଟ ପରୀକ୍ଷା ହୋଇପାରିନାହିଁ । ଏଭଳି ପରିସ୍ଥିତିରେ କେଉଁ ମାନଦଣ୍ତ ଆଧାରରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କର ଶୈକ୍ଷିକ ଭାଗ୍ୟ ନିର୍ଦ୍ଧାରଣ କରାଯିବ ତାହା ଅତ୍ୟନ୍ତ ସେମ୍ବଦନଶୀଳ ପ୍ରଶ୍ନ । ଯଦି ସିବିଏସ୍ଇ ପରୀକ୍ଷା ଭଳି ଆମ ପରୀକ୍ଷା ସୁବ୍ୟବସ୍ଥିତ ହୋଇଥାଆନ୍ତା, ତେବେ ଆଜି ଭଳି ଏକ ବିଶେଷ ପରିସ୍ଥିତିରେ ଆମକୁ ଅନ୍ଧାରରେ ବାଡି ବୁଲେଇବାକୁ ପଡିନଥାନ୍ତା ।
ଅବଶ୍ୟ ଆମ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଯଦି କୋଣସି ଛାତ୍ରଛାତ୍ରୀ ସରକାରଙ୍କ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଘୋଷିତ ପରୀକ୍ଷା ଫଳରେ ଅସନ୍ତୋଷ ପ୍ରକାଶ କରନ୍ତି, ତେବେ ସଂପୃକ୍ତ ଛାତ୍ରଛାତ୍ରୀ ପରିସ୍ଥିତିରେ ସୁଧାର ଆସିଲେ ଅଫଲାଇନ ବା ଅନଲାଇନରେ ପୁନଶ୍ଚ ପରୀକ୍ଷା ଦେଇ ପାରିବେ । ଏହା ମଧ୍ୟ ଏକ ସମୟସାପେକ୍ଷ ତଥା ବିଳମ୍ବିତ ପ୍ରକ୍ରିୟା । ଏହି ପରୀକ୍ଷା କେବେ ହେବ ଓ ସେତେବେଳକୁ ସଂପୃକ୍ତ ଛାତ୍ରଛାତ୍ରୀମାନଙ୍କର ମାନସିକ ଅବସ୍ଥା କ’ଣ ଯେ ଥିବ ତାହା ମଧ୍ୟ ସଠିକ କୁହାଯାଇ ନପାରେ ।
ଅନେକ ମେଧାବୀ ଛାତ୍ରଛାତ୍ରୀ ଚାପର ବଶବର୍ତ୍ତୀ ହୋଇ ମାନସିକ ଭାରସାମ୍ୟ ହରାଇ ବସିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଉପଯୁକ୍ତ ନ୍ୟାୟ ନ ପାଇଲେ ଛାତ୍ରଛାତ୍ରୀମାନେ ନ୍ୟାୟଳୟର ଦ୍ବାରସ୍ଥ ମଧ୍ୟ ହୋଇପାରନ୍ତି ।ପୁନଶ୍ଚ ଶିକ୍ଷା କ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି ହୋଇପାରେ। ଯଥା ପୂର୍ବଂ ତଥା ପରଂ। ମହରଗରୁ ଯାଇ କାନ୍ତାରରେ ପଡିବା ସହିତ ସମାନ ହେବ।
ତେବେ କଥା ଉଠୁଛି ସରକାରଙ୍କ ଦ୍ବାରା ସ୍ଥିରୀକୃତ ହୋଇଥିବା ବା ହେବାକୁ ଥିବା ମୂଲ୍ୟ ନିର୍ଦ୍ଧାରଣ କରିବାର ମାନଦଣ୍ତ ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଭିଶାପ ହେବନାହିଁ ତ ? ଏହା ଦ୍ବାରା ସମସ୍ତେ ଠିକ୍ ନ୍ୟାୟ ପାଇବେ ତ ? ତେଣୁ ଏ ଅଡୁଆ ପରିସ୍ଥିତି ଖୁବ୍ ଶୀଘ୍ର ସମାଧାନ ହେବା ଉଚିତ୍ ।ଏ ଦିଗରେ ସରକାର ନିଜର ସ୍ପଷ୍ଟ ମତାମତ ରଖିବା ଅତ୍ୟନ୍ତ ଜରୁରୀ । ଆବଶ୍ୟକ ହେଲେ ସରକାର ବରିଷ୍ଠ ଶିକ୍ଷାବିତ, ଶିକ୍ଷା ବିଶେଷଜ୍ଞ,ବିଭିନ୍ନ ଶିକ୍ଷକ ସଂଗଠନ,ବୁଦ୍ଧିଜୀବୀ,ଅଭିଭାବକ, ବର୍ତ୍ତମାନ ତଥା ପ୍ରାକ୍ତନ ଛାତ୍ରଛାତ୍ରୀ ଓ ସ୍ଥଳ ବିଶେଷରେ ଅନ୍ୟ ଯେକୌଣସି ବ୍ୟକ୍ତିବିଶେଷଙ୍କ ସହିତ ଏ ବିଷୟରେ ଖୋଲା ହୃଦୟର ତଥା ଖୋଲା ମଂଚରେ ଆଲୋଚନା କରିବା ଉଚିତ । ସେମାନଙ୍କର ସୁଚିନ୍ତିତ ମତାମତକୁ ସମ୍ମାନ ଦେବା ପୂର୍ବକ ନିରପେକ୍ଷ ଭାବରେ ବିଚାର କରାଯାଇ ଉଚିତ୍ ନିଷ୍ପତ୍ତି ଗ୍ରହଣ କରିବା ବର୍ତ୍ତମାନ ସମୟର ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ବାନ । ଅନ୍ୟପକ୍ଷରେ ସମ୍ପ୍ରତିକ ପରିସ୍ଥିତିର ଜଟିଳତା ଦୃଷ୍ଟିରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯାଇ ପ୍ରମାଣପତ୍ର ପ୍ରଦାନ କରଯାଉ ଓ କୋଭିଡର ପ୍ରକୋପ ପ୍ରଶମିତ ହେଲାପରେ ଅଫଲାଇନ ମାଧ୍ୟମରେ ଏକ ସାଧାରଣ ପ୍ରବେଶିକା ପରୀକ୍ଷା କରାଯାଇ ଉଚ୍ଚଶିକ୍ଷା ପାଇଁ ସଂପୃକ୍ତ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ପଥ ପ୍ରସ୍ତୁତ କରାଯିବା ଏକାନ୍ତ ବିଧେୟ। ଜଣେ ଦୋଷୀ ପଛକେ ଖସିଯାଉ କିନ୍ତୁ ଜଣେ ନିର୍ଦ୍ଦୋଷ ଦଣ୍ଡ ନପାଉ ନ୍ୟାୟରେ ଜଣେ ମେଧାହୀନ ଛାତ୍ର/ଛାତ୍ରୀ ପଛେ ପରିସ୍ଥିତିର ଫାଇଦା ନେଉ କିନ୍ତୁ ଜଣେ ମେଧାବୀ ଛାତ୍ର/ଛାତ୍ରୀ ଦଣ୍ଡ ନପାଉ। ସାଧାରଣ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ମେଧା ଚୟନ ହୁଏତ ଏକ ବିଳମ୍ବିତ ପ୍ରକ୍ରିୟା ହୋଇପାରେ ମାତ୍ର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ତଥା ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ବୋଧହୁଏ ଏହା ଏକ ଯଥାର୍ଥ ମାର୍ଗ ଛଡା ଅନ୍ୟ କିଛି ହୋଇ ନ ପାରେ। ସରକାରଙ୍କ ଯଥାର୍ଥ ତଥା ନ୍ୟାୟୋଚିତ ପଦକ୍ଷେପ ଅସଂଖ୍ୟ ଛାତ୍ରଛାତ୍ରୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବାରେ ସାହାଯ୍ୟ କରିପାରିବ ନିଶ୍ଚିତ।
Comments are closed.