Odisha news

ଝାଡଖଣ୍ଡୀ ଦନ୍ତା ଯୋଗୁଁ ବଡ କ୍ଷୀରପଦା ଅଞ୍ଚଳର ଲୋକେ ଭୟବିତ, ଚିନ୍ତାରେ ଚାଷୀ

ବୈଶିଙ୍ଗା–୧୧/୭–ଗତ କିଛିଦିନ ହେବ ଝାଡଖଣ୍ଡୀ ଦନ୍ତା ବୈଶିଙ୍ଗା ବନପାଳ କ୍ଷେତ୍ର ଅଧୀନ ବିଭିନ୍ନ ଗ୍ରାମାଞ୍ଚଳରେ ବ୍ୟାପକ କ୍ଷତି ଘଟାଉଥିବା ପରିଲକ୍ଷିତ ହେଉଛି। ଉକ୍ତ ଦନ୍ତା ହାତୀଟିଏ ବର୍ତ୍ତମାନ ବଡ କ୍ଷୀରପଦା ଜଙ୍ଗଲରେ ଥିବାବେଳେ ଆଖ ପାଖ ଗ୍ରାମରେ ଥିବା ଲୋକେ ସମ୍ପୂର୍ଣ୍ଣ ଭୟବିତ ଅବସ୍ଥାରେ ଅଛନ୍ତି। ଆଜି ସନ୍ଧ୍ୟା ସମୟରେ ହାତୀଟି ପଞ୍ଚପଲ୍ଲୀ ହାଇସ୍କୁଲ ନିକଟସ୍ଥ ଉଦଳା-ବୈଶିଙ୍ଗା ରାସ୍ତାରେ ଅନେକ ସମୟ ଧରି ଅଟକି ରହିଥିଲା। ଯାହାଫଳରେ ଗାଡି ମଟର ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଦନ୍ତାଟି ସାଧାରଣତଃ ସ୍ଥାନୀୟ ଅଞ୍ଚଳରେ ଥିବା ଚାଳ ଛପର ଘରଗୁଡିକୁ ଭାଙ୍ଗିବା ସହ ବାଡିରେ କରାଯାଇଥିବା  ପନିପରିବା ଚାଷକୁ ସମ୍ପୂର୍ଣ୍ଣ ଦଳି ନଷ୍ଟ କରିଦେଉଥିବା ଦେଖାଯାଉଛି। ବର୍ତ୍ତମାନ ବର୍ଷା ଋତୁର ଆଗମନରେ ଚାଷୀ କୂଳ ତତ୍ପର ହୋଇ ଧାନଚାଷ ପାଇଁ ତଳିପକାଇଥିବାବେଳେ ହାତୀଟି ତାହାକୁ ଦଳି ସମ୍ପୂର୍ଣ୍ଣ ନଷ୍ଟ କରିଦେବା ଚାଷୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବନ ବିଭାଗ ତରଫରୁ  ସ୍ଵତନ୍ତ୍ର ପଦକ୍ଷେପ ନେଇ ହାତୀଟିକୁ ଘୋଉଡେଇବା ଦିଗରେ ତ୍ଵରିତ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ହେଉଛି।

Comments are closed.