ବାରିପଦା : ଆଜି ରାଜ୍ୟରେ ତୃତୀୟ ପର୍ଯର୍୍ୟାୟ ମତଦାନ ଚାଲିଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ବଡସାହି ବ୍ଲକ ଟଙ୍ଗାଶୋଳ ଗ୍ରାମପଞ୍ଚାୟତର ଜଣେ ସରପଞ୍ଚ ପ୍ରାର୍ଥୀ ଟଙ୍କା ବାଣ୍ଟୁ ଥିବାବେଳେ ବେଶ୍ ହଟହଟା ହେବାକୁ ପଡିଛି । ଲୋକେ ତାଙ୍କୁ ରାତି ସାରା ବାନ୍ଧି ନିର୍ଦ୍ଧୁମ ଛେଚିଲା ପରେ ପୋଲିସକୁ ହସ୍ତାନ୍ତର କରିଥିଲେ । ଏହି ସରପଞ୍ଚ ପ୍ରାର୍ଥୀଙ୍କ ନାଁ ଦଶରଥ ମୁର୍ମୁ । ଗତକାଲି ରାତିରେ ଟଙ୍ଗାଶୋଳ ପଞ୍ଚାୟତର ୭ ନମ୍ବର ୱାର୍ଡକୁ ଟଙ୍କା ବାଣ୍ଟିବାକୁ ନେଇ ପ୍ରଚାର ହୋଇଥିଲା ।
ଏହାପରେ ଲୋକେ ତାଙ୍କୁ ଧରି ଥିଲେ ଓ ଦଉଡିରେ ବାନ୍ଧି ଦେଇଥିଲେ । ଏହି ଖବର ପ୍ରଚାର ହୋଇଯିବା ପରେ ଦଶରଥଙ୍କ ସମର୍ଥକମାନେ ଅନ୍ୟ ଏକ ଗାଁରେ ବିପକ୍ଷ ଦଳର ଲୋକଙ୍କୁ ଅଟକ ରଖିଥିଲେ । ଉଭୟ ଗୋଷ୍ଠୀ ମଧ୍ୟରେ ତୁ ତୁ ମେ ଲାଗି ରହିବାରୁ ରାତିସାରା ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଭୋର ସମୟରେ ବଡସାହି ପୋଲିସ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରିବା ସହିତ ସରପଞ୍ଚ ପ୍ରାର୍ଥି ଦଶରଥ ମୁର୍ମୁଙ୍କ ଉଦ୍ଧାର କରିଥିଲା । ଏହାପରେ ସ୍ଥିତି ଶାନ୍ତ ପଡିଥିଲା ଏବଂ ଭୋଟ୍ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାର ସହିତ ସମ୍ପର୍ଣ୍ଣ ହୋଇଛି ।