ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଦୃଢ଼ ସ୍ଥିତିରେ ଡେମୋକ୍ରାଟିକ୍ ଦଳର ପ୍ରାର୍ଥୀ ଜୋ ବାଇଡେନ୍ ; ମିସିଗନ୍, ଜର୍ଜିଆରେ ଟ୍ରମ୍ପ୍ ଙ୍କୁ ନିରାଶ
ୱାସିଂଟନ : ଆମେରିକାରେ ଭୋଟ୍ ଗ୍ରହଣର ୩ ଦିନ ପରେ ବି ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ନେଇ ସ୍ଥିତି ସ୍ପଷ୍ଟ ହୋଇପାରୁନାହିଁ। ଡେମୋକ୍ରାଟିକ୍ ଦଳର ପ୍ରାର୍ଥୀ ଜୋ ବାଇଡେନ୍ ୨୬୪ ନିର୍ବାଚକ ମଣ୍ଡଳ (ଇଲେକ୍ଟୋରାଲ) ଭୋଟ୍ ସହିତ ଅତ୍ୟନ୍ତ ସୁଦୃଢ଼ ସ୍ଥିତିରେ ଅଛନ୍ତି ଏବଂ ତାଙ୍କ ବିଜୟ ନିଶ୍ଚିତ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ରାଷ୍ଟ୍ରପତି ତଥା ରିପବ୍ଲିକାନ ଦଳ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ୨୧୪ ଇଲେକ୍ଟୋରାଲା ଭୋଟ୍ ହାସଲ କରି ଦୌଡ଼ରେ ବହୁତ ପଛରେ ପଡ଼ିଯାଇଛନ୍ତି। ତେବେ ଟ୍ରମ୍ପ୍ ଏହି ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ଆଣିଛନ୍ତି । ଭୋଟ୍ ଗଣତି ପ୍ରକ୍ରିୟା ଏବଂ ଇ-ବ୍ୟାଲଟ୍ର ଦୁରୁପଯୋଗ ହୋଇଥିବା ଦର୍ଶାଇ ସେ ଅଦାଲତର ଦ୍ବାରସ୍ଥ ହୋଇଥିବାରୁ ଏବେ ଏହି ନିର୍ବାଚନ ଆଇନଗତ ଲଢ଼େଇରେ ଫସିଯାଇଛି। ବିଭିନ୍ନ ଭୋଟ୍ ଗ୍ରହଣ କେନ୍ଦ୍ରରେ ଗଣତି ବନ୍ଦ କରିବାକୁ ଟ୍ରମ୍ପ୍ ସମର୍ଥକମାନେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ବନ୍ଧୁକଧାରୀ ଟ୍ରମ୍ପ୍ ସମର୍ଥକଙ୍କ ବିକ୍ଷୋଭ ବିଭିନ୍ନ ସହରରେ ଉତ୍ତେଜନା ବଢ଼ାଉଛି। ଟ୍ରମ୍ପ୍ ଉତ୍ତର କେରୋଲିନାରେ ଆଗୁଆ ଥିବା ବେଳେ ନେଭାଦା ଏବଂ ଏରିଜୋନାରେ ବାଇଡେନ୍ ଅଗ୍ରଣୀ ଅଛନ୍ତି। ପେନ୍ସିଲଭାନିଆ ଉପରେ ସମସ୍ତଙ୍କ ନଜର ରହିଛି ଏବଂ ସେଠାରେ ୨୦ଟି ଇଲେକ୍ଟୋରାଲ୍ ଭୋଟ୍ ରହିଛି। ବାଇଡେନ ଆଜି ୱିସ୍କନ୍ସିନ ଏବଂ ମିସିଗନ୍ରେ ବିଜୟ ହାସଲ କରିଥିବା ବେଳେ ଏବେ ଜର୍ଜିଆରେ ମଧ୍ୟ ଅଗ୍ରଣୀ ଅଛନ୍ତି। ଜର୍ଜିଆ ଏବଂ ମିସିଗନ୍ ରିପବ୍ଲିକାନ ଦଳର ଗଡ଼ ହୋଇଥିବା ବେଳେ ଏଠାରେ ଟ୍ରମ୍ପ୍ ପଛୁଆ ରହିବା ବଡ଼ ଝଟ୍କା ହୋଇଛି।
ଆମେରିକାରେ ନଭେମ୍ବର ୩ରେ ନିର୍ବାଚନ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପରିଣାମ ସ୍ପଷ୍ଟ ନହେବା ଏହାର ଗଣତାନ୍ତ୍ରିକ ପ୍ରକ୍ରିୟାର ଦୁର୍ବଳତାକୁ ପଦାରେ ପକାଇ ଦେଇଛି। ପ୍ରାୟ ୧୦ କୋଟି ପୋଷ୍ଟାଲ ଇ-ବ୍ୟାଲଟ୍ର ଗଣତି ପ୍ରକ୍ରିୟାକୁ ନେଇ ବିଭିନ୍ନ ରାଜ୍ୟରେ ବିବାଦ ଲାଗି ରହିଛି ଏବଂ ଟ୍ରମ୍ପ୍ ସମର୍ଥକମାନେ ଏହି ଗଣତିକୁ ବିରୋଧ କରିଛନ୍ତି। ୧୦ରୁ ଅଧିକ ରାଜ୍ୟରେ ଏବେ ଗଣତିକୁ ଚ୍ୟାଲେଂଜ କରି ଏକାଧିକ ମାମଲା ରୁଜୁ ହୋଇଥିବା ବେଳେ ସୁପ୍ରିମ୍ କୋର୍ଟରେ ମଧ୍ୟ ଅନେକ ମାମଲା ରୁଜୁ ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପରାଜୟ ସ୍ବୀକାର କରିବାକୁ ପ୍ରସ୍ତୁତ ନାହାନ୍ତି ଏବଂ ନ୍ୟାୟିକ ଯୁଦ୍ଧରେ ତାଙ୍କର ବିଜୟ ହେବ ବୋଲି ସେ କହିଛନ୍ତି। ସର୍ବଶେଷ ରିପୋର୍ଟ ମୁତାବକ ବାଇଡେନ୍ଙ୍କୁ ୫୦.୫ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ଟ୍ରମ୍ପ୍ ୪୭.୯ ପ୍ରତିଶତ ଭୋଟ୍ ହାସଲ କରିଛନ୍ତି। ଆଜି ଟ୍ରମ୍ପ୍ କହିଛନ୍ତି ଯେ ବାଇଡେନ୍ ନିର୍ବାଚନ ହଡ଼ପ କରିବାକୁ ଚାହୁଛନ୍ତି ଏବଂ ଏହା ହେବାକୁ ଆମେ ଦେବୁନାହିଁ। ‘ବୈଧ ବ୍ୟାଲଟ୍ ଗଣତି ହେଲେ ମୋର ବିଜୟ ସୁନିଶ୍ଚିତ’ ବୋଲି ସେ କହିଛନ୍ତି। ଆମେରିକା ସୁପ୍ରିମ୍ କୋର୍ଟ ବେଆଇନ ମତଦାନକୁ ଗ୍ରହଣ ନକରି କେବଳ ୩ ତାରିଖରେ ହୋଇଥିବା ଆନୁଷ୍ଠାନିକ ବ୍ୟାଲ୍ଟ ଭୋଟ୍କୁ ହିଁ ଗ୍ରହଣ କରିବା ଉଚିତ ବୋଲି ଟ୍ରମ୍ପ୍ କହିଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପ୍ଙ୍କ ଏହି ଦାବିକୁ ନେଇ ରିପବ୍ଲିକାନ ଦଳରେ ମତଭେଦ ଦେଖାଦେଇଛି। ଦଳର ଅନେକ ବରିଷ୍ଠ ନେତା ଏହି ମାମଲାରେ ଟ୍ରମ୍ପ୍ଙ୍କୁ ସମର୍ଥନ କରୁନାହାନ୍ତି। ବିବାଦ ନେଇ ବାଇଡେନ ଆଜି କହିଛନ୍ତି ଯେ ଗଣତନ୍ତ୍ରରେ ଏଭଳି ଜଟିଳତା ଅନେକ ମୟରେ ଆସିଥାଏ ଏବଂ ସମସ୍ତ ଭୋଟ୍ ଗଣତି ସରିବା ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ହେବ।