ହିମାଂଶୁ ଶେଖର ଆଚାର୍ଯ୍ୟ : ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ଶିକ୍ଷାର ଗତି ଓ ପ୍ରଗତି ଉପରେ ଦେଶର ବିକାଶ ନିର୍ଭରଶୀଳ । ଏଥିପାଇଁ ୧୯୫୦ ମସିହାରେ ଭାରତର ସମ୍ବିଧାନ ପ୍ରଣୟନ ହେବା ସମୟରେ ଦେଶର ସମସ୍ତ ଶିଶୁଙ୍କୁ ନ୍ୟାୟସଙ୍ଗତ ଓ ସମାନ ଧରଣର ଶିକ୍ଷା ଯୋଗାଇ ଦେବା ରାଷ୍ଟ୍ରର ଦାୟିତ୍ୱ ବୋଲି ଉଲ୍ଲେଖ କରାଯାଇଥିଲା । ସ୍ୱଧୀନତାର ୭୪ ବର୍ଷ ପରେ ବି ଏହି ଲକ୍ଷ୍ୟ ପୂରଣ ହୋଇପାରିନି । ଏଣିକି ଦେଶର କୌଣସି ଶିଶୁ ନିରକ୍ଷର ରହିବେ ନାହିଁ ବୋଲି ଗତ ୨୦୧୦ ଏପ୍ରିଲ ପହିଲାରୁ ଶିକ୍ଷା ଅଧିକାର ଆଇନ୍ କାର୍ଯ୍ୟକାରୀ ହେଉଛି ।
ଏଇ ଆଇନ୍ ଲାଗୁ ହେବା ଇତି ମଧ୍ୟରେ ୧୦ବର୍ଷ ବିତି ଯାଇଥିଲେ ସୁଦ୍ଧା ଏବେବି ଅନ୍ଧାର ଗଳିରେ ବହୁତ ଶିଶୁଙ୍କ ଭବିଷ୍ୟତ ନିଶ୍ଚିହ୍ନ ହୋଇଯାଉଛି । ସମ୍ପ୍ରତ୍ତି ମହାମାରୀ କରୋନା ଯୋଗୁଁ ଦେଶର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୀର୍ଘ ୩୪ ବର୍ଷପରେ ନୂତନ ଶିକ୍ଷା ନୀତି -୨୦୨୦ ପ୍ରଣୟନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗତ ଜୁଲାଇ ୨୯ ତାରିଖ ବୁଧବାର ଦିନ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନୂତନ ଶିକ୍ଷା ନୀତି -୨୦୨୦କୁ ମଞ୍ଜୁରୀ ମିଳିଛି ।
ଆମ ଶିକ୍ଷା ବ୍ୟବସ୍ଥା କଥା ଆଲୋଚନା କଲେ ଲକ୍ଷ୍ୟ କରାଯାଏ ଯେ, ସ୍ୱାଧୀନତା ପରେ ଅନେକ କମିଶନ ଶିକ୍ଷାକ୍ଷେତ୍ରରେ ବସିଛି । ମାତ୍ର, ଶିକ୍ଷା ବ୍ୟବସ୍ଥାରେ ସେପରି ଆଖିଦୃଶିଆ ପରିବର୍ତ୍ତନ ଘଟିନାହିଁ । ଶିକ୍ଷାର ବିକାଶ ପାଇଁ ଆବଶ୍ୟକ ହେଉଥିବା ଅର୍ଥର ଅଭାବ ହିଁ ଏହାର ପ୍ରମୁଖ କାରଣ ।ଏଠାରେ ସୂଚନାଯୋଗ୍ୟ ଯେ, କୋଠାରୀ କମିଶନ (୧୯୬୪-୬୬) ମସିହା ଜୁନ୍ ୨୯ ତାରିଖରେ ତାଙ୍କର ସୁପାରିଶ ପ୍ରଦାନ କରିଥିଲେ । ଏଥିରେ ଏକ ପ୍ରମୁଖ ପ୍ରସଙ୍ଗ ଥିଲା କେନ୍ଦ୍ର ବଜେଟ୍ର ଶତକଡା ୧୦ ଭାଗ ଓ ରାଜ୍ୟ ବଜେଟ୍ର ଶତକଡା ୩୦ ଭାଗ ଅର୍ଥ ଶିକ୍ଷାକ୍ଷେତ୍ରରେ ବ୍ୟୟ କରାଯିବା ଉଚିତ୍ ।
କିନ୍ତୁ ଏପର୍ଯ୍ୟନ୍ତ ଏହି ସୁପାରିଶ ଲାଗୁ କରାଯାଇ ପାରିଲାନାହିଁ । ସେହିପରି ଅନ୍ୟାନ୍ୟ ସୁପାରିଶ ଗୁଡିକ ମଧ୍ୟ କାଗଜ କଲମରେ ରହିଗଲା । ପରେ ୧୯୮୬ ମସିହାରେ ଦ୍ୱିତୀୟ ଜାତୀୟ ଶିକ୍ଷାନୀତି ପ୍ରଣୟନ କରାଗଲା । ଏଥିରେ ୟୁଜିସି, ଏନ୍ସିଇଆରଟି, ଏନ୍ଆଇ ଇପିଏ, ଏଆଇସିଟିଇ ଭଳି ବ୍ୟବସ୍ଥାମାନ ଶିକ୍ଷାର ଢାଞ୍ଚାକୁ ବଦଳାଇବାର ଲକ୍ଷ୍ୟ ନେଇ ସୁପାରିଶ କରାଗଲା । ମାତ୍ର ଅଦ୍ୟାବଧି ସବୁ ଶିଶୁଙ୍କୁ ସାର୍ବଜନୀନ ଶିକ୍ଷା ଉପଲବ୍ଧ ହୋଇପାରିଲା ନାହିଁ । ଆଉ ଗୁଣାତ୍ମକ ଶିକ୍ଷା କଥା ନକହିବା ଭଲ ।ଏବେ ପୁଣି ନୂତନ ଶିକ୍ଷା ନୀତି ଫଳରେ ଶିକ୍ଷା କ୍ଷେତ୍ରରେ ବଡଧରଣର ସଂସ୍କାର ଅଣାଯାଇପାରିବ ବୋଲି ଉଚ୍ଚ ଶିକ୍ଷା ସଚିବ ଅମିତ ଖାରେ କହିଛନ୍ତି । ନୂଆ ଶିକ୍ଷା ନୀତି ଦ୍ୱରା ୨୦୩୫ ମସିହା ସୁଦ୍ଧା ମୋଟ ନାମ ଲେଖା ଅନୁପାତ ୫୦ପ୍ରତିଶତ ହାସଲ ହୋଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି ।
ଏହି ନୂତନ ଶିକ୍ଷାନୀତିରେ ଅନେକ ଗୁଡିଏ ପ୍ରସ୍ତାବ ରହିଛି । ସେଥିମଧ୍ୟରୁ ପ୍ରମୁଖ ପ୍ରସ୍ତାବ ଗୁଡିକ ହେଲା – (୧) ମାନବ ସମ୍ବଳ ମନ୍ତ୍ରଣାଳୟ ହେଲା ଶିକ୍ଷା ମନ୍ତ୍ରଣାଳୟ (୨) ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷା, (୩) ଶିକ୍ଷା ବ୍ୟବସ୍ଥାରେ ଖର୍ଚ୍ଚ ହେବ ଜିଡିପିର ଛଅ ପ୍ରତିଶତ (୪) ୧୦+୨ ବଦଳରେ ଏଣିକି ୫+୩+୩+୪ ବ୍ୟବସ୍ଥା, (୫) ଉଚ୍ଛେଦ ହେଲା ଏମ୍ ଫିଲ୍ ପାଠ୍ୟକ୍ରମ (୬) ସଂସ୍କୃତ ଭାଷାକୁ ଗୁରୁତ୍ୱ ପ୍ରଦାନ ।ଏଣିକି ଛଅ ବର୍ଷ ବୟସରୁ ସ୍କୁଲ ଶିକ୍ଷା ଆରମ୍ଭ ହେବ ନାହିଁ । ତିନି ବର୍ଷରୁ ହିଁ ପିଲାମନେ ବିଧିବଦ୍ଧ ସ୍କୁଲ ଶିକ୍ଷା ଆରମ୍ଭ କରିବେ । କାରଣ ତିନିରୁ ଛଅ ବର୍ଷ ପିଲାଙ୍କ ମାନସିକ ବିକାଶ ପାଇଁ ପ୍ରକୃଷ୍ଟ ସମୟ ହୋଇଥିବାରୁ ଜାତୀୟ ଶିକ୍ଷା ନୀତି -୨୦୨୦ରେ ଏହାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏଥିସହିତ ମାତୃଭାଷା ବା ଅଞ୍ଚଳିକ ଭାଷାରେ ଅତିକମ୍ରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢାଯିବାକୁ ଶିକ୍ଷାନୀତି ଗୁରୁତ୍ୱ ଦେଇଛି ।
ଆଉ୧୦+୨ ଢାଞ୍ଚାରେ ସ୍କୁଲ ଶିକ୍ଷା ରହିବ ନାହିଁ ।୧୨ବର୍ଷର ସ୍କୁଲ ଶିକ୍ଷା ଏବଂ ତିନି ବର୍ଷର ଅଙ୍ଗନବାଡି ବା ପ୍ରାକ୍ ବିଦ୍ୟାଳୟ ଶିକ୍ଷା ସହିତ ୫+୩+୩+୪ ଢାଞ୍ଚାରେ ସ୍କୁଲ ପାଠ୍ୟଖସଡା ପ୍ରସ୍ତୁତ କରାଯିବ । ବୟସ ଅନୁଯାୟୀ ୩-୮, ୮-୧୧, ୧୧-୧୪ ଏବଂ ୧୪-୧୮ ଏମିତି ଚାରି ଭାଗରେ ପିଲାଙ୍କୁ ଶିକ୍ଷା ଦିଆଯିବ । ୩ରୁ ୮ ମୈାଳିକ ପର୍ଯ୍ୟାୟ,୮ରୁ ୧୧ ପ୍ରାଥମିକ ଶିକ୍ଷା, ୧୧ରୁ ୧୪ ପ୍ରସ୍ତୁତି ପର୍ଯ୍ୟାୟ, ୧୪ରୁ ୧୮ ମାଧ୍ୟମିକ ପର୍ଯ୍ୟାୟ । ନୂତନ ଶିକ୍ଷା ନୀତିରେ ଉଚ୍ଚତର ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ପାଇଁ ବ୍ୟବସ୍ଥା କରାଯାଇଛି । ଏଣିକି ଛାତ୍ରଛାତ୍ରୀ ମାନେ ନୂଆ ଏମ୍ ଫିଲ୍ ପାଠ ପଢିପାରିବେ ନାହିଁ । ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡିକର ବ୍ୟାପକ ଢାଞ୍ଚାଗତ ପରିବର୍ତ୍ତନ କରାଯିବ । ବିଶେଷ କରି ଉଚ୍ଚ ମୁଲ୍ୟବୋଧଯୁକ୍ତ ଶିକ୍ଷା, ଗବେଷଣା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଉଚ୍ଚ ଶିକ୍ଷାର ବିକାଶ ଲକ୍ଷ୍ୟରେ ଉପଯୁକ୍ତ ପ୍ରଶିକ୍ଷିତ ଶିକ୍ଷକ ନିଯୁକ୍ତି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସେହିପରି ଭାରତର ଯେକୈାଣସି ଅଞ୍ଚଳର ପିଲା ଯେପରି କୈାଣସି କାରଣରୁ ବି ଶିକ୍ଷାରୁ ବଞ୍ଚିତ ନହୁଏ, ସେଥିପ୍ରତି ଜାତୀୟ ଶିକ୍ଷାନୀତି ୨୦୨୦ରେ ଉଲ୍ଲେଖ କରାଯାଇଛି । ଏଥିସହିତ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦେବା ପାଇଁ ନିଦେ୍ର୍ଦଶ ଦିଆଯାଇଛି ।
ମୋଟାମୋଟି ଭାବେ ଜାତୀୟ ଶିକ୍ଷା ନୀତି ୨୦୨୦ରେ ଯେଉଁ ସବୁ ବୈପ୍ଳବିକ ପରିବର୍ତ୍ତନର ବ୍ୟବସ୍ଥା କରାଯାଇଛି ତାହା ସ୍ୱାଗତଯୋଗ୍ୟ । କିନ୍ତୁ କୈାଣସି ନିତ ବା ଯୋଜନାର ସଫଳତା ତାର ସଠିକ୍ ରୂପାୟନ ଉପରେ ନିର୍ଭର କରେ । ବିଗତ ଦିନରେ ପ୍ରଚଳିତ ହୋଇଥିବା ସର୍ବ ଶିକ୍ଷା ଅଭିଯାନ, ୨୦୦୯ ମସିହା ଶିକ୍ଷା ଅଧିକାର ଆଇନ୍ କେତେ ଦୁର ସଫଳତାର ସହ କାର୍ଯ୍ୟ କରିଛି ତାହା ସମସ୍ତଙ୍କୁ ଜଣା । ସ୍ୱଧୀନତାର ୭୩ ବର୍ଷ ପରେବି ଏ ଦେଶର ସବୁ ଶିଶୁ ସ୍କୁଲ ଦୁଆର ମୁହଁ ଦେଖିପାରିଲେ ନାହିଁ ।ଏହାଠାରୁ ଭଳି କ୍ଷୋଭରକଥା ଆଉ କିଛି ନାହିଁ । ବରଂ ଶିକ୍ଷା ବଜେଟ୍ ବର୍ଷକୁ ବର୍ଷ ହ୍ରାସ ପାଇବାରେ ଲାଗିଛି । ବିଶେଷଜ୍ଞ ମାନଙ୍କ ମତରେ ନୂତନ ଶିକ୍ଷା ନୀତି ଅନୁସରେ ଜିଡିପିର ଛଅ ପ୍ରତିଶତ ବ୍ୟୟ ବର୍ତ୍ତମାନ ପରିସ୍ଥିତିରେ ଶିକ୍ଷାର ଉନ୍ନତି ପାଇଁ ଯଥେଷ୍ଟ ହୋଇନପାରେ ।
ଏଥିପାଇଁ କେବଳ କେନ୍ଦ୍ର ସରକାର ନୁହଁ ରାଜ୍ୟ ସରକାର ମଧ୍ୟ ଗୁରୁ ଦାୟିତ୍ୱ ରହିଛି । ଆମ ଦେଶର ଶିକ୍ଷା ବ୍ୟବସ୍ଥା କଥା ଅନୁଧ୍ୟାନ କଲେ ଜଣା ଯାଏ ଯେ, ଶିକ୍ଷା ବ୍ୟବସ୍ଥାର ମୂଳୁଦୁଆ ପ୍ରାଥମିକ ଶିକ୍ଷା କ୍ରମଶଃ ଭୁଷୁଡିବାରେ ଲାଗିଛି । ଏହାର ପ୍ରମୁଖ କାରଣ ହେଉଛି ଆବଶ୍ୟକ ଶିକ୍ଷକ ଓ ଭିତ୍ତିଭୂମିର ଅଭାବ । କେବଳ ପ୍ରାଥମିକ ସ୍ତରରେ ନୁହେଁ, ହାଇସ୍କୁଲ ସ୍ତରରେ ମଧ୍ୟ ଶିକ୍ଷକଙ୍କର ଅଭାବ ରହିଛି । ସେହିପରି କଲେଜ ମାନଙ୍କରେ ଅବସ୍ଥା ମଧ୍ୟ ତଦ୍ରୁପ । ଖାଲି ସେତିକି ନୁହେଁ ଗୋଟିଏ ବୃତ୍ତିରେ ଥାଇ ମଧ୍ୟ ଶିକ୍ଷକ ଓ ଅଧ୍ୟାପକ ମାନଙ୍କ ବେତନରେ ଅସମାନତା ରହିଛି । ସର୍ବୋପରି ଦାରିଦ୍ର୍ୟ ହିଁ ଶିକ୍ଷା କ୍ଷେତ୍ରରେ ପ୍ରଧାନ ପ୍ରତିବନ୍ଧକ ରୂପେ ଉଭା ହୋଇଛି । ଏଥିପାଇଁ ଗରିବ ଶ୍ରେଣୀର ପିଲାମାନେ ପ୍ରାଥମିକ ଶିକ୍ଷା ସମାପ୍ତ ହେବା ମାତ୍ରେ ସ୍କୁଲ ଯିବା ବନ୍ଦ କରିଦିଅନ୍ତି ।
ଏହି ପିଲା ମାନଙ୍କ ଅଭିଭାବକ ମାନେ ମୁଖ୍ୟତଃ ନିରକ୍ଷର ଓ ଆର୍ଥôକ ସ୍ତରରେ ସ୍ୱଚ୍ଛଳ ହୋଇନଥାନ୍ତି । ବାପା ମାଆଙ୍କ ବୋଝ ହାଲୁକା କରିବାପାଇଁ କାମ କରୁଥିବାରୁ ଏମାନେ ନିୟମିତ ସ୍କୁଲ ଯାଇପାରନ୍ତି ନାହିଁ । ସେହିପରି ଝିଅଙ୍କ ପ୍ରତି ଅପରାଧ ମାମଲା ବଢୁଥିବାରୁ ଅନେକ ଅଭିଭାବକ ସେମାନଙ୍କ ଝିଅଙ୍କୁ ସ୍କୁଲ ପାଠ ପଢିବାପାଇଁ ଛାଡୁନାହାନ୍ତି ।
ଏକ ସଭ୍ୟ ସମାଜ ଗଠନରେ ଶିକ୍ଷାର ବଡ ଯୋଗଦାନ ରହିଛି । କାରଣ ଶିକ୍ଷା ହେଉଛି ମାନବ ସମ୍ବଳ ବିକାଶର ପ୍ରମୁଖ ଆୟୁଧ । ଶିକ୍ଷା ପୂର୍ବରୁ ସାମ୍ବିଧାନିକ ଅଧିକାର ଥିଲା । ପରେ ଏହାକୁ ମୈାଳିକ ଅଧିକାର କରି ଦିଆଗଲା ।ଏବେ ପୁଣି ନୂତନ ଶିକ୍ଷା ନୀତି -୨୦୨୦ କାର୍ଯ୍ୟକାରୀ ହେବାକୁ ଯାଉଛି । ତେବେ ଏହା ଆମ ଦେଶର ଅସଜଡା ଶିକ୍ଷା ବ୍ୟବସ୍ଥାକୁ ସଜାଡିବା ସହ ଗୁଣାତ୍ମକ ଶିକ୍ଷା ପ୍ରଦାନରେ କେତେ ସଫଳ ହେବ ତାହା ସମୟ କହିବ!