ଇଂ. ବିଦ୍ୟାଧର ପଣ୍ଡା, ବି.ଟେକ୍. ସିଭିଲ୍, ଏମ୍.ଟେକ୍.(ପରିବେଶ), ଏଲ୍ଏଲ୍ବି : ଝଲସୁଥିବା ସବୁଧାତୁ କ’ଣ ସୁନା! ଆଦୌ ନୁହେଁ । ସେମିତି ମୁଣ୍ଡରେ ଜଟ୍ଟାରଖି ଗେରୁଆ କୌପିନି ମାରି ମଥାରେ ଚିତାଚୈତନ କାଟି କମଣ୍ଡଳୁ ଧରିଥିଲେ ଯେ ସିଏ ମହର୍ଷି ବିଶ୍ୱାମିତ୍ର କି କପଟି ରାବଣ ଜାଣିବା କଷ୍ଟକର କଥା । ଆଜିକାଲିର ପୂଜାବଜାରରେ ବହୁତ ନକଲି ବାବାଙ୍କର ଜନ୍ମହେବା ସ୍ୱଭାବିକ୍ କଥା । ଦୂର୍ଗାପୂଜା ପରେ ଲକ୍ଷ୍ମୀପୂଜା ଏବଂ ଶେଷରେ କାଳୀପୂଜା । ଏହି ମାସକ ଭିତରେ ବାବାମାନେ ବିଭିନ୍ନ ବହୁରୂପୀ ବେଶରେ ଆବିର୍ଭାବ ହୋଇ ସରଳ ଜନସାଧାରଣଙ୍କୁ ଭଲଭାବରେ ଚୁନା ଲଗାଇବାର ଉଦାହରଣ ଦେଖିବାକୁ ମିଳିଥାଏ । ତେଣୁ ବେଶଭୂଷାରୁ ଦେଖି ଜଣଙ୍କୁ ସିଦ୍ଧପୁରୁଷ ଭାବିବା କଦାପି ଠିକ୍ ନୁହେଁ । ରୋଲଗୋଲ୍ କି ସୁନାପାଣିଦିଆ ସିଲଭର୍ରେ ତିଆରି ଗହଣାଗୁଡା ମଧ୍ୟ ସୁନାପରି ଚିକିମିକି କରେ ବୋଲି ସେଗୁଡାକୁ ସୁନା ଦାମରେ କିଣିବା! ବଣିଆ ପାଖକୁ ନେଲେ କଷଟିପଥରରେ ଦୁଇତିନିଟା ଗାରଟାଣି ସେଗୁଡାକୁ ନାଳକୁ ଫୋପାଡି ଦେବ । ବାବାମାନଙ୍କର ଚେହେରା ଦେଖି ସେମିତି ତାଙ୍କର ଶରଣ ଯିବା ବୋକାମିର ପରିଚୟ ଦେବା ସହ ସମାନ ।
ଏସବୁ ବାବାମାନେ ସରଳିଆ ଗାଉଁଲି ଗରିବ ଲୋକମାନଙ୍କୁ ସହଜରେ ନିଜ କପଟଜାଲରେ ଛନ୍ଦି ପାରନ୍ତି । କାହାର ନ୍ୟାୟାଳୟରେ ମାଲିମକଦ୍ଦମାରେ ଜୟଯୁକ୍ତ କରିବା, ବୟସ୍କ ଝିଅଟିର ବାହାଘର ପକ୍କା କରିଦେବା ଏବଂ ସନ୍ତାନ ସନ୍ତତି ହେଉ ନଥିଲେ ସେସବୁ ପୂଜା ମାଧ୍ୟମରେ କରେଇଦେବାର ଠିକା ନିଅନ୍ତି । ଚିକ୍କଣ ଭାଷାରେ କୁହନ୍ତି ପୂଜାଟିରେ ମାତ୍ର ପଚିଶ ତିରିଶ ହଜାର ଟଙ୍କା ଖର୍ଚ୍ଚ । ମୋ ପାଇଁ କିଛି ଦରକାର ନାହିଁ, କାମ ହେଲେ ତୁମ ମନ ଶାନ୍ତିରେ ଯାହା ଦେଲେ ମୋର ଚଳିବ । ଏମିତି ସବୁ ବାଇଗଣ ବିକି ଶେଷରେ ପୂଜାଦ୍ରବ୍ୟ ଭିତରେ କିଛି ଏମିତି ଦ୍ରବ୍ୟ ଲେଖେଇବେ ଯାହା କି କେବଳ ସେହିମାନଙ୍କ ପାଖରେ ହିଁ ମିଳିବ । ତେଣୁ ବେପାର ହେଲା । ସେହି ଦ୍ରବ୍ୟ ପଇସାରେ ନିଜର ନବେ ପ୍ରତିଶତ ମୁନାଫା ଥିବାବେଳେ ଆଉ ପୂଜା ଦକ୍ଷିଣା କ’ଣ ପାଇଁ ମାଗିବେ! ସେଥିପାଇଁ କେବଳ ସତର୍କ ରହିଲେ ହିଁ ଏମାନଙ୍କ କବଳରୁ ରକ୍ଷା ପାଇପାରିବେ । ଲୋକମାନଙ୍କର ଭୁଲିଯିବା ସ୍ୱଭାବ । ଯଦି କିଛି ଲୋକ ଭୁଲି ଯାଇଛନ୍ତି, ଆସନ୍ତୁ କିଛି ବାବାଙ୍କର କଳା କାରନାମାର ପୋଥିଖୋଲି ଏହି ଠିକ୍ ସମୟରେ ଜନ ସଚେତନତା ଜାଗ୍ରତ ହେବାରେ ଟିକେ ସାହାଯ୍ୟ କରିବା ।
ପ୍ରଥମେ ଆମ ଦେଶ ଭିତରେ ପ୍ରସିଦ୍ଧବାବାଙ୍କର ପୋଥି ଖୋଲିବା । ସର୍ବ ପ୍ରଥମେ ସବୁଠାରୁ ଭାରି ପୋଥିବାଲା ଆଶାରାମ ବାପୁ । ଯାହାର ନାଁ ଥିଲା ଆଶୁମଲ୍ଲ ସିରୁମାଲାନି । ଯୁବାବସ୍ଥାରେ ମଥୁରାରୁ ବୃନ୍ଦାବନ ଘୋଡାଗାଡିରେ ଯାତ୍ରୀ ନେବାଆଣିବା କରି ପେଟ ପୋଷୁଥିଲା । ସେଇଠି ଜଣେ ବାବାଙ୍କର ଶିଷତ୍ୱ ନେଇ ହରିଦ୍ୱାର ଚାଲିଗଲା । ସେଠାରୁ ଆସି ଅହମଦାବାଦ୍ରେ ସାବରମତି ଆଶ୍ରମ ନାଁରେ ନିଜର ବେପାର କେନ୍ଦ୍ର ଖୋଲିଲା । ଏ ଲେଖକ ଅଧମ ମଧ୍ୟ ୧୯୯୯ରେ ସେହି ଆଶ୍ରମକୁ ବାବାଙ୍କ ଦର୍ଶନ ପାଇଁ ଯାଇ ତାଙ୍କର ଏବଂ ତାଙ୍କ ଝିଅର ସାକ୍ଷାତ ଦର୍ଶନ ପୂର୍ବକ ଅମୃତ ବଚନମାନ ଶୁଣିବାର ସୌଭାଗ୍ୟ ପାଇଛି । ଏବେ ଭାବିଲାବେଳକୁ ଲଜ୍ଜା ଲାଗୁଛି ଏବଂ ନିଜକୁ ଧିକ୍କାର କରିବାକୁ ଇଚ୍ଛା ହେଉଛି । ମୁଁ ତ ମୁଁ, ମୋର ସର୍ବୋଚ୍ଚ ଅଧିକାରୀ ଜଣେ ପ୍ରକଳ୍ପ ନିଦେ୍ର୍ଦଶକ ବାବାଙ୍କର ଫଟୋ ନିଜ ଅଫିସଗୃହର ସାମ୍ନାକାନ୍ଥରେ ରଖି ନିୟମିତ ଅଗରବତୀ ସହ ପୂଜାଅର୍ଚ୍ଚନା କରୁଥିଲେ । ଯାହାହେଉ ବାବାଙ୍କର ଚୋରି ଧରାପଡିଲା ୨୦୧୩ମସିହାରେ । ସେତେବେଳେ ବାବାଙ୍କର ବୟସ ୭୬ । ଛସ୍ତରି ବୟସ୍କ ଜଣେ ବୃଦ୍ଧ ପାଚିଲା ଦାଢିରେ ଯଦି ଜଣେ ନାବାଳିକାକୁ ଧର୍ଷଣ କରିବାକୁ ଉଦ୍ୟମ କରିପାରେ, ତା’କୁ ମଣିଷ କହିବ! ଛି ।
ମୁଖ୍ୟମନ୍ତ୍ରୀ କେଇଟା ଯେତେବେଳେ ବାବାଙ୍କର କଠଉ ଉଠାଉଥିଲେ ସେତେବେଳେ ତାଙ୍କ ବରୁଦ୍ଧରେ ଏପରି ଅଭିଯୋଗ କରିବାକୁ ସାହସ କରିବା ସାଧାରଣ ଲୋକ ପକ୍ଷରେ କାଠିକର ପାଠ । ଯାହାହେଉ ସେ ନାବାଳିକାଟି ସାହସ କଲା ଏବଂ ପରେପରେ ବାବାଙ୍କର ମୁଖା ପରସ୍ତପରସ୍ତ କରି ଚୋପାଛାଡି ବାହାରିଲା ପରେ ଅସଂଖ୍ୟ ମହିଳା ଧିରେ ଧିରେ ମି ଠୁ ପରି ଅଭିଯୋଗ କଲେ । ବାବା ସେବେଠାରୁ ଭିତରେ ଅଛନ୍ତି । ତା’ଙ୍କ ପରେ ଜଣେ ସୁନ୍ଦରୀ ମାତା ହେଲେ ରାଧେ ମା । ପ୍ରକୃତ ନାଁ ହେଲା ସୁଖବିନ୍ଦର କୌର । ଘର ପଞ୍ଜାବ । ପଞ୍ଜାବରୁ ମୂମ୍ବେଇର ବୋରିୱାଲି ପହଁଚି ରାଧେ ମା ଆଶ୍ରମ ଗଢି ନିୟମିତ ପୂଜାଖଟି କଲେ । ମୂମ୍ବେଇ ଭକ୍ତମାନଙ୍କ ଭକ୍ତି ବି ନିଆରା ।
ମାଆଙ୍କୁ ହାତରେ ଉଠେଇ ନାଚିବାକୁ ହୁଏ । ଜଣେ ଭଦ୍ରଲୋକ ପ୍ରଥମେ ଏସବୁ ବିଷୟକୁ ଉଲ୍ଲେଖ କରି ୨୦୧୫ରେ ନ୍ୟୟାଳୟରେ ଆମ ଚିରାଚରିତ ପୂଜାର ବ୍ୟତିକ୍ରମ ହେଉଛି ବୋଲି କେସ୍ଟିଏ ଦାଖଲ କଲେ । ପରେପରେ ମୂମ୍ବେଇ ନିବାସୀ ନିକି ଗୁପ୍ତା ରାଧେ ମା’ଙ୍କ ବଳପାଇ ତା’ଙ୍କ ଶଶୁରଘର ଯୌତୁକ ମାଗୁଛନ୍ତି ବୋଲି କେସ୍ ଦାୟର କଲାପରେ ପୋଲିସ୍ ରାଧେମା’ ଆଶ୍ରମ ଯାଇ ସବୁ ଭିତିରି କଥା ଜାଣିଗଲେ । ଏହିପରି ଆଉଜଣେ ବାବାହେଲେ ସଚ୍ଚିଦାନନ୍ଦ ଗିରି ଓରଫ୍ ସଚ୍ଚିନ୍ ଦତ୍ତା । କେହିକେହି ୟାଙ୍କୁ ବିଲଡର୍ ବାବା ବୋଲି ମଧ୍ୟ କହୁଥିଲେ । ସବୁ ବିଲଡର୍ ମାନଙ୍କ ସାଙ୍ଗରେ ୟାଙ୍କର ବସାଉଠା କମିଶନି ବ୍ୟବସାୟ ଥିଲା । ୟାକୁ ଦିଲ୍ଲୀର ନୟଡା ଆର୍ଥୀକ ଅପରାଧ ଶାଖା ପୋଲିସ ବାନ୍ଧିଲେ । ଏ ବାବା ଗୋଟିଏ ଫ୍ଲାଟ୍କୁ ଦୁଇ ତିନିଜଣଙ୍କୁ ବିକି ଟଙ୍କା ଆଣିଥିଲେ ଏବଂ କୋର୍ଟପେପରରେ ମାଲିକାନା ମଧ୍ୟ ହସ୍ତାନ୍ତର କରି ଦେଉଥିଲେ ।
ଆଉଜଣେ ସୁପ୍ରସିଦ୍ଧ ରଙ୍ଗିଲା ବାବା ହେଲେ ରାମ ରହିମ୍ । ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ୍ ସିଂ । ପଞ୍ଜାବୀମାନଙ୍କର ଧର୍ମଗୁରୁ ପରି ନିଜକୁ ଆପେଆପେ ଜଣେ ଧର୍ମଗୁରୁ ଘୋଷଣା କରି ସେହିଭଳି ରଙ୍ଗିନ୍ ବେଶପୋଷାକରେ ପ୍ରବଚନ ଦେଇ ଚାଲିଲେ । ବହୁତ ଦାନ ଧର୍ମ ଟଙ୍କା ଆସିବାରୁ ଆଶ୍ରମର କଲେବର ବଢିଲା । ପୁଅମାନଙ୍କ ଅପେକ୍ଷା ଝିଅ ଭକ୍ତ ବେଶୀ ଆସି ଆଶ୍ରମ ଭିତରେ ରହିଲେ । ତାଙ୍କପାଇଁ ଛାତ୍ରୀନିବାସ ପରି ମହିଳା ଭକ୍ତ ନିବାସ ଓ କନ୍ୟା ଭକ୍ତନିବାସ ମାନ ଗଢାହେଲା । ସବୁ କନ୍ୟାଶ୍ରମ ଏବଂ ମହିଳା ନିବାସର ସଭାକକ୍ଷରୁ ବାବାଙ୍କର କୋଠରୀକୁ ସୁଢଙ୍ଗ କରାଗଲା । ଭଗବାନ ଭକ୍ତଙ୍କ ମିଳନ ଇଚ୍ଛାକଲେ ସେହି ସୁଢଙ୍ଗ ଦେଇ ଯିବାଆସିବା କରି ପାରନ୍ତି । ଅନ୍ୟମାନେ ଦେଖିଲେ କଥା ଖରାପ ହେବ, ସେଥିପାଇଁ ବହୁଅର୍ଥ ଶ୍ରାଦ୍ଧ କରାଯାଇ ଏପରି ସୁଢଙ୍ଗ ତିଆରି କରାଯାଇଥିଲା ।
ବାବା ସିନେମା ବି କଲେ, ହୀରୋ ହେଲେ । ଦୁଇଜଣ ମହିଲା ବଳକôାର ଅଭିଯୋଗ କଲାପରେ ପୋଲିସ ପହଁଚି ବାବାଙ୍କର ପାପପେଡି ଗୋଟିଗୋଟି କରି ଖୋଲିଦେଲା । ଏବେ କୋଡିଏ ବର୍ଷ ବନ୍ଦୀଗୃହରେ ରହିବା କଥା ହୋଇଛି, ଆଗକୁ ବଢିପାରେ । ରାମରହିମକୁ ଗିରଫ କରି ତାଙ୍କର ଆଶ୍ରମକୁ ଯାଂଚ୍ କଲାଦିନ ତାଙ୍କର ଭକ୍ତମାନେ ବସ୍ ଓ ରେଳ ସ୍ଥାନକ ମାନଙ୍କରେ ଭଙ୍ଗାରୁଜା ଜଳାପୋଡା ଆଦି କଲେ । ଆଶ୍ରମ ଭିତରେ ଦୁଇଟି ଅବୈଧ ବାଣ କାରଖାନା ସହିତ ଏକେ -୪୭ ବନ୍ଧୁକ ବି ମିଳିଲା । ଅନ୍ୟଏକ ବହୁରୂପୀ ବାବା ହେଲେ ସ୍ୱାମୀ ଓଁ । ପ୍ରକୃତ ନାଁ ବିନୋଦାନନ୍ଦ ଝା । ତାଙ୍କର ସାନଭାଇ ପ୍ରମୋଦ ଝା ତାଙ୍କ ନାଁରେ ଅଭିଯୋଗ କରି ତାଙ୍କୁ ଧରେଇଦେଲେ ବୋଲି ଅନେକ ଭକ୍ତ ଠକାମିରୁ ବଂଚିଗଲେ । ତାଙ୍କର କଳାକାରନାମା ଭିତରେ ସନ୍ତ୍ରାସବାଦ ଭଳି ସମ୍ବେଦନଶୀଳ ଅଭିଯୋଗ ବି ପ୍ରମାଣିତ ହେଲା । ଅନ୍ୟ ଏକ ଅଦ୍ଭୁତ ବାବା ହେଲେ ତୃତୀୟନୟନର ଅଧିକାରୀ ନିର୍ମଳ ବାବା । ସମାରୋହକୁ ହଜାରହଜାର ଲୋକଡାକି ଦୁଇଦୁଇ ହଜାରଟଙ୍କା ଆଦାୟ କରି ପ୍ରତ୍ୟେକ ସମସ୍ୟାର ସମାଧାନ ଦେଉଥିଲେ । ତ୍ରୀଛକିରେ କାଳିଆଷଣ୍ଢକୁ ଭିଜାବିରି ଖୋଇଲେ ତୁମ ପୁଅର ପାଠ ଭଲହେବ ।
ସାଇବାବାଙ୍କ ଦର୍ଶନ କରି ସେଠି ଜଣେ ଭିକାରିକୁ ବସ୍ତ୍ରଦାନ କଲେ ତୁମ ସ୍ତ୍ରୀର ରିଷ୍ଟ ଖଣ୍ଡନ ହେବ ଏବଂ ପକ୍ଷଘାତ ରୋଗରୁ ମଧ୍ୟ ମୁକ୍ତି ମିଳିବ । ଶନିବାର ଦିନ ଅଟାଗୁଳା ନେଇ ମାଛମାନଙ୍କୁ ଖୁଆଅ, ଶନିଦଶା କଟିଯିବ । ଏମିତି କପୋଳ କଳ୍ପିତ ମିଛ ବାହାନା କଥାକହି କିଛି ତୃତୀୟ ନୟନ ଦ୍ୱାରା ଲୋକଙ୍କୁ ଠକୁଥିଲେ । ପ୍ରାୟୋଜିତ କିଛିଭକ୍ତଙ୍କୁ ମିଛ ଅନୁଭୂତି କହିବା ପାଇଁ ଯୋଗାଡ କରି ନୂଆଭକ୍ତଙ୍କୁ ବୋକା ବନେଇ ବେଶୀ ଆକର୍ଷଣ କରୁଥିଲେ । ସେ ଝାଡଖଣ୍ଡ ନିବାସୀ ଥିଲେ ଏବଂ ଜଣେ ମହିଳା ଭକ୍ତଙ୍କର ଅଭିଯୋଗ ପରେ ବାବାଙ୍କର ବେପାରରେ ବହୁତ ଘାଟା ହେଲା । ପୋଲିସ ବି ବାନ୍ଧିଲେ । ଫେଶବୁକ୍ରେ ବାବା ଲାଇଭ୍ ଦର୍ଶନ ଦେଇ ବି ପିଡା ହରଣ କରିନେଉଥିଲେ ବୋଲି ବହୂଳ ପ୍ରଚାର ହୋଇଥିଲା । କିନ୍ତୁ ସବୁ ଏବେ ଫସର ଫାଟିଗଲା, ଶେଷରେ ସମସ୍ତଙ୍କ ସମସ୍ୟା ସମାଧାନ କରୁଥିବା ବାବାଙ୍କର ନିଜି ସମସ୍ୟା ବାବାଙ୍କୁ ବହୁତ ପିଡା ଦେଉଛି । ଆଉଜଣେ ହେଲେ ଇଚ୍ଛାଧାରୀ ଭିମାନନ୍ଦ । ୟା’ଙ୍କର ପ୍ରକୃତ ନାଁ ଶିବମୁକ୍ତି ଦ୍ୱିବେଦୀ ।
୨୦୧୦ରେ ଯୈ÷ାନ ବ୍ୟବାସାୟ କାର୍ଯ୍ୟକଳାପରେ ଅଭିଯୁକ୍ତ ହୋଇ ଗିରଫ ହେଲେ । ଭବିଷ୍ୟତରେ ବଡ ରାଜନେତା ହେବାକୁ ଅଭିଳାସ ରଖିଥିବା ମଣିଷ ଏବେ ବନ୍ଦୀ ଗୃହର ଚାରିକାନ୍ଥ ଭିତରେ ନିଜର ଦିନ ଗଣୁଛି ।
ସେମିତି ଆଉ ଜଣେ ସ୍ୱାମୀ ଅସୀମାନନ୍ଦ । ସେ ଦକ୍ଷିଣପନ୍ଥି ଧାର୍ମୀକ ବ୍ୟକ୍ତି ଜଣେ । ୨୦୦୭ମସିହାର ଆଜମେର ବିଷ୍ଫୋରଣରେ ସ୍ୱତନ୍ତ୍ର କଚେରୀ ଦୋଷୀ ସାବ୍ୟସ୍ତ କଲାପରେ ଗିରଫ ହୋଇଥିଲେ । କିନ୍ତୁ ତା’ଙ୍କ ବିରୁଦ୍ଧରେ ଯଥେଷ୍ଠ ପ୍ରମାଣ ଅଭାବରୁ ସେ ଯଦିଓ ନିଦେ୍ର୍ଦାଷରେ ଖଲାସ ହୋଇଛନ୍ତି ତଥାପି ଦାଗ ଛାଡିନି । ଆଶାରାମ ବାପୁର ପୁଅ ନାରାୟଣ ସାଇ ବି କିଛି କମ କଳାକାର ନୁହଁନ୍ତି । ତାଙ୍କ ବାପାଙ୍କ ପଛେପଛେ ଦୁଇଜଣ ମହିଳା ତା’ଙ୍କ ବିରୁଦ୍ଧରେ ବଳକôାର ଅଭିଯୋଗ ଆଣିବା ପରେପରେ କନ୍ୟା ଏବଂ ମହିଳାମାନଙ୍କ ଅଭିଯୋଗ ଫର୍ଦ୍ଦ ଦିନକୁ ଦିନ ବଢିବାରେ ଲାଗିଲା । ଆଶ୍ରମରେ ରହୁଥିବା ଅନେକ ମହିଳାଭକ୍ତଙ୍କୁ ନାରାୟଣ ସାଇ ବଲକôାର କରିଥିବା ସ୍ୱୀକାର କଲାପରେ ସିଏ ବି ମାମୁଁଘରକୁ ଚାଲିଗଲେ ।
ହରିୟାଣା ହିସାରରେ ୨୦୧୪ମସିହାରେ ଅନ୍ୟ ଏକ ବାବା ରାମପାଲ ଆଶ୍ରମରୁ ପାଂଚଟି ଶବ ଗଳିତ ଅବସ୍ଥାରେ ଠାବ କରାଗଲା । କୋର୍ଟ କଚେରୀକୁ ଅବମାନନା କରି ବାବା ଗାୟେବ ହୋଇଗଲେ । ଆଶ୍ରମର ଅନ୍ତେବାସୀ ଓ ପୋଲିସ ଦଳଙ୍କ ଭିତରେ ଖଣ୍ଡଯୁଦ୍ଧ ହେଲା । ଜଣେ ଭକ୍ତ ଏହି ଲଢେଇରେ ପ୍ରାଣତ୍ୟାଗ କଲେ । ରାମପାଲ ନିଜକୁ ପଂଚଦଶ ଶତାଦ୍ଦୀର ବିଶ୍ୱ ପ୍ରସିଦ୍ଧ କବି କବିରଙ୍କର ପୂର୍ନଜନ୍ମ ବୋଲି କହୁଥିଲା । ଏହିପରି ବାବାଙ୍କ ସଂଖ୍ୟା ଆମ ଦେଶରେ ବହୁତ । କିନ୍ତୁ ଦୁଃଖର ବିଷୟ ଏ ସମସ୍ତ ଦାଗି ବାବାଙ୍କର ଏବେ ବି ହଜାରହଜାର ଭକ୍ତ ତା’ଙ୍କ ନାଁରେ ମାଳା ଜପ କରୁଛନ୍ତି । ସେପରି ଆଉ କେତେକ ବାବାଙ୍କ ଭିତରେ ପ୍ରମୁଖ ହେଲେ ବୃହଷ୍ପତି ଗିରି ଓରଫ ଓଁ ନମ ଶିବାୟ ବାବା, ଆଚାର୍ଯ୍ୟ କୁଶମୁନି ସ୍ୱରୂପ, ମାଲଖନ୍ ସିଂ ଇତ୍ୟାଦି ।
ଆମଦେଶ ଭାରତ ପରି ଓଡିଶାରେ ମଧ୍ୟ ଏହାର ନମୁନା କିଛି କମ ନାହିଁ । ସର୍ବ ପ୍ରଥମେ ଆମ କୃଷ୍ଣାବତାରୀ ଆଣ୍ଠୁଆ ଗୋପାଳ ପ୍ରିୟ ସାରଥୀ ବାବା ଓରଫ ସନ୍ତୋଷ ରାଉଳ । ମାନ୍ୟବର! ମାନ୍ୟବର! ମାନ୍ୟବର! ମାନ୍ୟବର! ଈଶ୍ୱର ଦେଖ୍, ସଂସାର ଦେଖ୍, ଶରୀର ଦେଖ୍ । ତା’ଙ୍କ ବାବା ଗଞ୍ଜାମ ଜିଲ୍ଲାରୁ କେନ୍ଦ୍ରାପଡା ମିହିପାଳରେ ଆସି ମିଟରରିଡିଂ କାମ କରୁଥିବାରୁ ସେହିଠାରେ ସ୍ଥାୟୀ ଭାବରେ ସେମାନେ ରହିଗଲେ । ଗୁଲନଗର ହାଇସ୍କୁଲ୍ ଏବଂ କେନ୍ଦ୍ରାପଡା ମହାବିଦ୍ୟାଳୟର ଛାତ୍ରଜୀବନ କାଳରେ ସେମିତି କିଛି ଚମକôାର କେହି ତା’ଙ୍କଠାରେ କେବେ ଦେଖି ନଥିଲେ । ୧୯୮୫ମସିହାରୁ ୧୯୯୨ମସିହା ଯାଏ ଅଦୃଶ୍ୟ ରହି ହଠାତ୍ ଦିନେ ବାରିମୂଳା ଉପକଣ୍ଠରେ ପଦାର୍ପଣ କରି ପ୍ରବଚନ ଆରମ୍ଭ କଲେ । ପରେ ଭକ୍ତଙ୍କ ସହାୟତାରେ ଚାଳ ନଡାଛପର ଛୋଟ କୁଡିଆ ଆଶ୍ରମଟିଏ ନିର୍ମାଣ କଲେ ।
ତାପରେ ଭବ୍ୟ ମନ୍ଦିର । ସାରଥୀ ପାଦରୁ ମହୂ ଏବଂ ହାତରୁ ବିଭୁତି ବାହାରିବା କଥା ଅଗଣିତ ଭକ୍ତ ନିଜ ଆଖିରେ ଦେଖିଛନ୍ତି ବୋଲି ନିୟମ କରି ଗାଁ ଗଣ୍ଡା ବୁଲି କହିଲେ । ତୁଣ୍ଡ ବାଇଦ ସହସ୍ର କୋଷ । ବାବାଙ୍କର ଆଶୀର୍ବାଦ ପାଇଁ ବଡବଡ ରାଜନେତା ଓ ଅଭିନେତାଙ୍କର ସୁଅ ଛୁଟିବା ଦେଖି ଓଡିଶାର କୋଟିଏ ପାଖାପାଖି ସରଳ ବିଶ୍ୱାସୀ ଲୋକ ବାବାଙ୍କ ପାଦୁକା ବେକରେ ବାନ୍ଧିକି ବୁଲିଲେ । ଏତେ ମହିମା ବଢିଗଲା ପରେ ବାବା ତୁଳସୀପତ୍ର ପାଦରେ ଚଢେଇଲେ ଓ ପୁରୀ ବଡଦାଣ୍ଡରେ ରଥଯାତ୍ରା କଲେ । ଶଙ୍କରାଚାର୍ଯ୍ୟଙ୍କର କଥା ମାନିଲେନି । ଗର୍ବ ଅହଂକାର ସୀମା ଟପିଲାବେଳକୁ ବଜ୍ରକୀଳା ପଛରେ ଲାଗିଗଲା । ଶତପଥୀ ପୁଅ ପ୍ରମେୟକୁ ଧରି ବାବାଙ୍କୁ ଖିଅର କରିଦେଲା ଯେ ସେ ହାଇଦ୍ରାବାଦ୍ ଗୋଲ୍କୁଣ୍ଡା ହୋଟେଲ ଭିତରେ ନାରୀସୁରା ପ୍ରିୟ କାଣ୍ଡକାରଖାନା ଯୋଗୁଁ ସନ୍ତୋଷ ରାଉଳ ସିଧା ଚୌଦ୍ୱାର ଜେଲ୍ ଯାଇ ରହିଲେ । ଏବେ ଅବଶ୍ୟ କଲିକତା ସହରରେ ଏକାନ୍ତ ବାସରେ ଦିନ କାଟୁଛନ୍ତି, ହେଲେ ସେ ଅବତାର ରୂପ ଓ ଆଣ୍ଠୁଆଗୋପାଳ ସେବାରୁ ବଂଚିତ ହେବାକୁ ବାଧ୍ୟ ହେଉଛନ୍ତି । ତାପରେ ନେମାଳ ପୋଥି ହାତେଇ ପ୍ରସିଦ୍ଧି ଲାଭ କରିଥିବା ବାଳକାଟି ଝିଂଇଟି ଶାସନ ମୁଖ୍ୟ ସୁର ବାବା ।
ଓଡିଶା ସାରା ଶାଖା ଓ ଏଜେଂଟ ନିଯୁକ୍ତି ସାରି ରାଜ୍ୟ ବାହାରକୁ ଯିବାକୁ ଯୋଜନା କଲାବେଳକୁ ପୋଲିସ ବାନ୍ଧି ଭିତରେ ପୁରେଇ ବଦନାମ କରିଦେଲା । ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବାପ ସୁର ଏବଂ ଦୁଇପୁଅ ସମସ୍ତେ ବନ୍ଧା ହେଲେ । ତାପରେ କୋଣାର୍କର ଦର୍ଶନିବନ୍ତ କଟକର ଭଗବାନ ବାନାବାବା ବନ୍ୟ ଜୀବଜଗତ ପାଇଁ ସୁରକ୍ଷିତ ଥିବା ଅଭୟାରଣ୍ୟର ୧୯.୬ମାଣ ଜମିକୁ ଜବର ଦଖଲ କରି ଆଶ୍ରମ କରିଥିବା କଥା ଲୋକଲୋଚନକୁ ଆସିବା ପରେ ସିଏ ବି ଭଙ୍ଗା ହେଲା । ସେହି ସମୟରେ ଶହେ ଉପରେ ଏପରି ଅନୈତିକ ଉପାୟରେ ଅବୈଧ କବଜା କରି ଅନେକ ଭଣ୍ଡବାବାଙ୍କୁ ପୋଲିସ ଧରି ତା’ଙ୍କର ବେପାର ବନ୍ଦ କରିଦେଲା । ହେଲେ ଏମାନଙ୍କର ସମ୍ପୂର୍ଣ୍ଣ ବିନାଶ ଅସମ୍ଭବ । ୟା’ଙ୍କର ଏହି ପୂଜାପର୍ବଣ ଦିନଗୁଡାରେ ବେଶୀ ଭଲ ସଂଖ୍ୟାରେ ଗରାଖ ମିଳନ୍ତି । ସରଳିଆ ଲୋକଗୁଡାଙ୍କୁ ଏମାନଙ୍କୁ ବିଭିନ୍ନ ପୂଜାପୂଜି ନାଁରେ ଠକିବାକୁ ସୁବିଧା ହୁଏ । ତେଣୁ ଏସବୁ ପାଖଣ୍ଡି ବାବାଙ୍କୁ ଭଲରେ ଚିହ୍ନିନେଲେ ନିଜର ମଙ୍ଗଳ ହେବା ସଙ୍ଗେସଙ୍ଗେ ସମାଜର ବି ମଙ୍ଗଳ ହେବ ।