ଯଦୁମଣି ପାଣିଗ୍ରାହୀ : ଆଜିକାଲି ଦୁନିଆରେ ସମସ୍ତେ ନିଜ ନିଜ ନିଜର ବ୍ୟକ୍ତିଗତ ଜୀବନ ପ୍ରତି ବେଶ ସଚେତନ ରହୁଥିବା ବେଳେ ସାମାଜିକ ଜୀବନ ପ୍ରତି ଉଦାସୀନ ଭାବ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ଯାହା ଫଳରେ ସାମାଜିକ ଜୀବନ ଧୀରେ ଧୀରେ ବିପର୍ଯ୍ୟୟ ଆଡକୁ ଗତି କରୁଛି । ଓଡିଆ ମଧୁ ବର୍ଣ୍ଣବୋଧରେ ଭକ୍ତ କବି ମଧୁସୂଦନ ରାଓ ଯଥାର୍ଥରେ ଲେଖିଥିଲେ ପର ଦୁଃଖ ଦେଖି କାନେ୍ଦ ଯା’ ପରାଣ ମହତ ମଣିଷ ସେହି’, ପର ହିତ ଲାଗି ଦିଏ ଯେ ଜୀବନ ତା’ଠାରୁ ବଡକେ ନାହିଁ’ । ମଣିଷକୁ ଭଲ କି ମନ୍ଦ ପରଖିବା ଲାଗି ମଧୁସୂଦନଙ୍କ ଏହି ଦୁଇ ପଦ ଉକ୍ତି ହିଁ ଯଥେଷ୍ଟ ପ୍ରାସଙ୍ଗିକ ବୋଲି କହିଲେ ଭୁଲ ହେବନି । ଆମେ ସମସ୍ତେ ଆଜି ଏକ ସଭ୍ୟ ସମାଜରେ ବାସ କରୁଛନ୍ତି ସତ ହେଲେ ସାମାଜିକ ଜୀବନର ଦାୟିତ୍ୱ ଓ କର୍ତ୍ତବ୍ୟକୁ ଭୁଲି ଯାଉଛନ୍ତି ।
ଆଜିକାଲି ପ୍ରତ୍ୟେକ ମଣିଷ ନିଜର ବ୍ୟକ୍ତିଗତ ଓ ପାରିବାରିକ ଜୀବନକୁ ନେଇ ବେଶ ସଚେତନ ରହୁଥିବା ବେଳେ ସାମାଜିକ ଜୀବନ ପ୍ରତି ତା’ ମନରେ ଉଦାସୀନ ଭାବ ସୃଷ୍ଟି ହେବାର କାରଣ କ’ଣ ବୁଝା ପଡୁନି । ସମାଜରେ ବସବାସ କରୁଥିବା ପ୍ରତ୍ୟେକଙ୍କ ପ୍ରତି ସର୍ବୋପରି ସମାଜ ପ୍ରତି ତା’ର କିଛି ଦାୟିତ୍ୱ ଓ କର୍ତ୍ତବ୍ୟ ରହୁଥିବା ବେଳେ ଏହା ନିର୍ବାହ କରିବାକୁ ସେ କୁଣ୍ଠାବୋଧ କରୁଛି କାହିଁକି? ସମାଜର ଦୁଃସ୍ଥ, ନିଷ୍ପେସିତ ଓ ଅବହେଳିତ ମଣିଷଙ୍କ କଥା ଭାବିବା ଓ ସେମାନଙ୍କ ଦୁଃଖ ଓ ଦୈନତାକୁ ନିଜ ହୃଦୟରେ ଦ୍ରବୀଭୂତ କରାଇବା ଆମର କର୍ତ୍ତବ୍ୟ ନୁହେଁ କି? ସେବା, ତ୍ୟାଗ ଓ ପରୋପକାର ଭଳି ଗୁଣ ଜଣେ ମଣିଷକୁ ଶ୍ରେଷ୍ଠ କରି ଗଢି ତୋଳିଥାଏ । ତା’ ଜୀବନକୁ ସାର୍ଥକ କରିଥାଏ ।
ଆମ ସମାଜରେ ଏମିତି ବହୁ ଧନୀ ଓ ପ୍ରତିପତ୍ତିଶାଳୀ ମଣିଷ ଅଛନ୍ତି ଯେଉଁମାନେ କେବଳ ନିଜ ଓ ନିଜ ପରିବାରକୁ ନେଇ ସଦା ବ୍ୟସ୍ତ ଥାଆନ୍ତି । ଧନୀରୁ ଅଧିକ ଧନୀ ହେବାର ସ୍ୱପ୍ନରେ ଏମାନେ ସଦା ସର୍ବଦା ବିଭୋର । ନିଜେ, ନିଜ ପରିବାର, ପ୍ରିୟ ପରିଜନ ଓ ବନ୍ଧୁବାନ୍ଧବଙ୍କ ଭିତରେ ଏମାନେ ନିଜକୁ ସୀମିତ ରଖିଥାନ୍ତି । ଏମାନଙ୍କୁ ଆତ୍ମସ୍ୱାର୍ଥୀ ବୋଲି କହିବାଟା ଠିକ୍ ହେବ । ତେବେ ଏଠି ଏମିତି କିଛି ମଣିଷ ବି ଅଛନ୍ତି ଯେଉଁମାନେ ନିରନ୍ତର ଅନ୍ୟର ସେବାରେ ନିଜକୁ ନିୟୋଜିତ ରଖିଛନ୍ତି । ଅନ୍ୟ ଆଖିର ଲୁହକୁ ପୋଛି ଦେବାକୁ ନିରବଚ୍ଛିନ୍ନ ପ୍ରୟାସ କରିଥାନ୍ତି । ନିଜ ପେଟରୁ କାଟି ଅପରକୁ ଖୁଆଇବାରେ ଚରମ ତୃପ୍ତି ଲାଭ କରିଥାନ୍ତି । ଆଉ ବେଳେବେଳେ କିଛି କରି ନପାରିବାର ଆତ୍ମଗ୍ଲାନିରେ ଆଖିରୁ ଲୁହ ଦି’ଟୋପା ନିଗାଡି ଦିଅନ୍ତି । ଅନ୍ୟ ଜଣଙ୍କ ଲାଗି ଆଖିରୁ ନିଗିଡି ପଡୁଥିବା ଲୁହ ଦି’ଟୋପା ବି କ’ଣ ଯଥେଷ୍ଟ ନୁହେଁ କି?
ଆଜି ଆମେ ସମସ୍ତେ ଏମିତି ଏକ ସମୟରେ ଉପନୀତ ହୋଇଛନ୍ତି, ଯେଉଁଠି କେହି କାହାର ଦୁଃଖ କି ବିପଦରେ ପାଖରେ ଛିଡା ହେବା ତ ପଛ କଥା ଆହା ପଦ ଟିଏ କହିବାକୁ ବି କୁଣ୍ଠାବୋଧ କରୁଛନ୍ତି । ଆଜିର ସ୍ୱାର୍ଥନ୍ୱେଷୀ ମଣିଷ ପାଖରେ ଦେଖାଯାଉଥିବା ଏତାଦୃଶ ବିଲକ୍ଷଣ ଆମ ସାମାଜିକ ଜୀବନକୁ ଏକପ୍ରକାର ବିପର୍ଯ୍ୟସ୍ତ କରିଦେବାକୁ ବସିଛି । ସୃଷ୍ଟିର ଶ୍ରେଷ୍ଠ ଜୀବ କୁହାଯାଉଥିବା ମଣିଷ ଅନ୍ୟ ଜୀବଜନ୍ତୁ ତ ଦୂରର କଥା ମଣିଷର ଦୁଃଖ କି ବିପତ୍ତି ବେଳେ ଟିକେ ସାନ୍ତ୍ୱନା କି ସମବେଦନା ଜଣାଇବାକୁ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିବା ଦେଖିବାକୁ ମିଳୁନି । ଆଗେ ଗାଁ ଗହଳିରେ କେହି ଯଦି ମରି ଯାଉଥିଲା ତେବେ ଗୋଟେ ଶୋକାକୁଳ ବାତାବରଣ ଗାଁଟା ସାରା ଛାଇ ଯାଉଥିଲା । ପାଞ୍ଚ ପଚିଶ ଲୋକ ଦୌଡି ଆସି ରୁଣ୍ଡ ହେଉଥିଲେ । ଲୁହ ଛଳ ଛଳ ଆଖିରେ ଶୋକ ସନ୍ତପ୍ତ ପରିବାରକୁ ଆଶ୍ୱାସନା ଓ ସମବେଦନା ଜଣାଉଥିଲେ । ବିପଦ ଆପଦରେ କାନ୍ଧକୁ କାନ୍ଧ ମିଳାଇ ଛିଡା ହେଉଥିଲେ । ଅକୁଣ୍ଠିତ ହୃଦୟରେ ସହାୟତାର ହାତ ବଢାଇ ଦେଉଥିଲେ ।
ଆଗକୁ ବଞ୍ଚିବାର ରାହା ଦେଖାଉଥିଲେ ଆଉ ପ୍ରେରଣା ବି ଦେଉଥିଲେ । ଘରପୋଡିରେ ସର୍ବସ୍ୱାନ୍ତ ହୋଇ ପଡିଥିବା ମଣିଷଟିଏ ହେଉ କି ରାତିଅଧରେ ଗୁରୁତର ହୋଇ ପଡିଥିବା ରୋଗୀଟିଏ ହେଉ ନିଜ ପାଖରେ ଏତେ ଗୁଡାଏ ଲୋକଙ୍କୁ ଦେଖି ହତାଶ ହୋଇ ପଡୁନଥିଲା କି ନିଜକୁ ଏକୁଟିଆ ଭାବୁ ନଥିଲା । ଆଜି ସତରେ ସେ ସମୟ ଆଉ ନାହିଁ । ବ୍ୟସ୍ତତାର ବାହାନା କରି ଆଜି ମଣିଷ ସବୁ କଥାକୁ ଏଡେଇ ଦେଇ ଯାଉଛି । ପର ଆପଣା ନିର୍ବିଶେଷରେ ସେ କେବଳ ନିଜ କଥା ହିଁ ଭାବୁଛି । ସେ ଏତେ ନିଷ୍ଠୁର, ଅବିବେକୀ ଓ ସ୍ୱାର୍ଥପର ହୋଇଯାଇଛି ଯେ, କାହା ଦୁଃଖରେ କି ବିପଦରେ ସାହାଯ୍ୟ କି ସହଯୋଗ କରିବା ତ ଦୂରର କଥା ପାଖରେ ଟିକେ ଛିଡା ହେବାକୁ ବି କୁଣ୍ଠାବୋଧ କରୁଛି । ସାହିପଡିଶା କି ଗାଁ ଗଣ୍ଡାରେ କେହି ଯେବେ କିଛି ଅସୁବିଧା କି ସମସ୍ୟାରେ ପଡୁଛି ତେବେ ତା’ର କିଛି ଫରକ ପଡୁନି ।
ଘଟଣା ଦୁର୍ଘଟଣା ସବୁକିଛିକୁ ଅତି ହାଲୁକା ଓ ସ୍ୱାଭାବିକ ଢଙ୍ଗରେ ସେ ଗ୍ରହଣ କରୁଛି । କୌଣସି କଥା ପାଇଁ ତା’ ମନରେ କୌଣସି ପ୍ରତିକ୍ରିୟା ନାହିଁ କି ସେ ବିଚଳିତ ହେବାର କୌଣସି ଲକ୍ଷଣ ତା’ଠାରେ ପରିଲକ୍ଷିତ ହେଉନାହିଁ । ତେଣୁ ଆଉ ଡେରି କାହିଁକି । ଆସନ୍ତୁ ନିଜକୁ ନିଜେ ସଚେତନ ହେବା । ଆପଣା ଶକ୍ତି ଓ ସାମର୍ଥ୍ୟ ଅନୁସାରେ ଅନ୍ୟ ପାଇଁ କିଛି କରିବାର ମନୋବୃତ୍ତିକୁ ନିଜ ନିଜ ଭିତରେ ଜାଗ୍ରତ କରାଇବା । ନିଜ ନିଜର ବ୍ୟକ୍ତିଗତ ଜୀବନ ସହିତ ସାମାଜିକ ଜୀବନକୁ ଶୃଙ୍ଖଳିତ ଓ ସୁସଙ୍ଗଠିତ କରିବାକୁ ହେଲେ ଆମକୁ ଏଥିପ୍ରତି ଯତ୍ନବାନ ହେବାକୁ ପଡିବ । ଆଉ ଏଥିପାଇଁ ଆମ ମାନସିକତାକୁ ବଦଳାଇକୁ ବି ପଡିବ ।