Odisha news

ଯା ଦେବୀ ସର୍ବଭୂତେଷୁ……

0

ଦୀପ୍ତି ମିଶ୍ର : ଶାରଦୀୟ ମହାପାର୍ବଣ କରୋନା ମହାମାରୀ ଭିତରେ ଆରମ୍ଭ ହୋଇଯାଇଛି । ମାଆ ଦଶଭୂଜା ଓହ୍ଲାଇଛନ୍ତି ଧରାପୃଷ୍ଠକୁ ଆମ୍ଭମାନଙ୍କୁ ଆଶୀର୍ବାଦ ଓ କୃପା ପ୍ରଦାନ ପାଇଁ । ଏହି ଦଶହରା ମହାପାର୍ବଣ ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ଶକ୍ତିପୀଠର ଆଧ୍ୟାତ୍ମିକ ଜାଗରଣ ଓ ମାଆଙ୍କ ସମ୍ବନ୍ଧରେ ଆଲେଖ୍ୟ ।

ମାଆ ବିରଜା
ପୁଣ୍ୟତୋୟା ବୈତରଣୀ ନଦୀ କୂଳ ଯାଜପୁର ଟାଉନଠାରେ ମାଆ ବିରଜାଙ୍କ ବିଜେସ୍ଥଳୀ । ପୁରାଣ କହେ, ସତୀଙ୍କ ବିଖଣ୍ଡିତ ଶରୀରର ନାଭି ଅଂଶ ଏଠାରେ ପଡ଼ିଥିଲା । ତେଣୁ ବିରଜା କ୍ଷେତ୍ର ପ୍ରଧାନ ଶକ୍ତିପୀଠ ଭାବେ ବିଦିତ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ମୂଳାଷ୍ଟମୀ ଠାରୁ କୁମାର ପୂର୍ଣ୍ଣିମା ପୂର୍ଯ୍ୟନ୍ତ ବିସ୍ତୃତ ପୂଜା, ସ୍ନାନ, ବେଶ, ନୀତି ଆଦି ସ୍ୱତନ୍ତ୍ର ଭାବେ ଅନୁଷ୍ଠିତ ହୋଇଥାଏ । ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଯେଉଁ ପୂଜା ଅନୁଷ୍ଠିତ ହୁଏ ତହିଁରେ ଦୁଇ ବେଳା ଷୋଡ଼ଶ ଉପଚାର ପୂଜା କରାଯାଇଥାଏ । ଦେବୀଙ୍କୁ ଦଶହରା ଦିନ ଅପରାଜିତା ମନ୍ତ୍ରରେ ପୂଜା କରାଯାଇଥାଏ । ଶାରଦୀୟ ଦୁର୍ଗା ପୂଜା ବେଳେ ମାଆଙ୍କ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥାଏ । ପ୍ରତିପଦା ଠାରୁ ମହାନବମୀ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନରେ ମାଆଙ୍କ ବିଜେ ପ୍ରତିମା ରଥରେ ବସି ମନ୍ଦିର ଚାରିକଡ଼ ପ୍ରଦକ୍ଷିଣ କରିଥାନ୍ତି ।

ମାଆ ସମଲେଇ
ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ଆସ୍ଥାନ ସମ୍ବଲପୁର ସହରରେ । କିମ୍ବଦନ୍ତୀ କହେ, ପାଟଣାର ରାଜା ନରସିଂହ ଦେବଙ୍କ ସାନଭାଇ ବଳରାମ ଦେବଙ୍କୁ ଦେବୀ ନିଜେ ସ୍ୱପ୍ନାଦେଶ କରିଥିଲେ । ଦେବୀଙ୍କ ନିଦେ୍ର୍ଦଶ ଅନୁସାରେ, ମହାନଦୀର ପୂର୍ବତଟରେ ଥିବା ଶିମୂଳି ବୃକ୍ଷ ମୂଳରେ ମାଆଙ୍କୁ ପ୍ରତିଷ୍ଠା କରିଥିଲେ ରାଜା ବଳରାମ ଦେବ । ଶିମୁଳିକୁ ସମ୍ବଲପୁର ଅଞ୍ଚଳରେ “ସେମେଲ’ କୁହାଯାଉଥିବା ହେତୁ ଦେବୀଙ୍କୁ ସମଲେଇ ବା ସମଲାଇ କୁହାଯାଉଥିବା ଅନୁମାନ କରାଯାଉଛି । ମାଆଙ୍କ ଗମ୍ଭୀରା ମଧ୍ୟରେ ଚଣ୍ଡୀ, ଚାମୁଣ୍ଡି, ଭୁବନେଶ୍ୱରୀ, ଛତ୍ରବାଉତି, ବେଢ଼ା କାନ୍ଥରେ ଦଶ ମହାବିଦ୍ୟା-ଉଗ୍ରତାରା, ଦୁର୍ଗା, ମଙ୍ଗଳା, ଜ୍ୱାଳାମୁଖୀ, ବନଦୁର୍ଗା, ବାରାହୀ, ଛିନ୍ନମସ୍ତା, ମାତଙ୍ଗୀ, ରାମଚଣ୍ଡୀ ଓ ମାଆ କାଳୀ ପ୍ରମୁଖ ପୂଜିତ । ବାସନ୍ତିକ ଦଶହରା ଅବସରରେ ନବରାତ୍ର ପୂଜା ବେଳେ ସମଲେଶ୍ୱରୀ ବଡ଼ସିଂହାର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ।

ମାଆ ବିମଳା
ପୁରୀ ଶ୍ରୀମନ୍ଦିର ବେଢ଼ାରେ ମାଆ ବିମଳା ପୂଜିତା । ମାଦଳାପାଞ୍ଜି ତଥ୍ୟ ଅନୁସାରେ ଯଯାତି କେଶରୀ ୭୭୩ ମସିହାରେ ମାଆଙ୍କ ମନ୍ଦିର ନିର୍ମାଣ କରିଥିଲେ । ବର୍ଷର ଶାରଦୀୟ ଷୋଳ ଦିନକୁ ବାଦ୍ ଦେଲେ ମାଆ ବିମଳା କୈବଲ୍ୟ ଭୋଜିନୀ, ପରମ ବୈଷ୍ଣବୀ । ଶ୍ରୀଜଗନ୍ନାଥଙ୍କ ପ୍ରସାଦ ମାଆଙ୍କ ପାଖରେ ପୁନଃ ସମର୍ପିତ ହେବା ପରେ ମହାପ୍ରସାଦ ବୋଲାଇଥାଏ । ବର୍ଷାସାରା ବିଭିନ୍ନ ପର୍ବ ପାଳିତ ହେଉଥିଲେ ହେଁ, ଶାରଦୀୟ ପୂଜା ମାଆଙ୍କ ସବୁଠାରୁ ବଡ଼ ପର୍ବ ମାନ୍ୟତା ପାଏ । ସହସ୍ର କୁମ୍ଭାଭିଷେକ ଠାରୁ ଏହି ପୂଜା ଆରମ୍ଭ ହୋଇଥାଏ । ନବମୀ ଦିନରୁ ଦୁର୍ଗାମାଧବ ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚାରେ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ ମନ୍ଦିରକୁ ଯାଇଥାନ୍ତି । ଏହା ଦଶହରା ପର୍ଯ୍ୟନ୍ତ ଚାଲେ । ସପ୍ତମୀ, ଅଷ୍ଟମୀ ଓ ନବମୀ ତିଥିରେ ମାଆ ବିମଳାଙ୍କୁ ମାଛ ବେସର, ଶାଗ, ଖେଚୁଡ଼ି, ଭଜା ଆଦି ସଙ୍ଖୁଡ଼ି ଭୋଗ ଅର୍ପଣ କରାଯାଇଥାଏ ।

ମାଆ ଶାରଳା
ଜଗତ୍ସିଂହପୁର ଜିଲ୍ଲାର ଝଙ୍କଡ଼ବାସିନୀ ମାଆ ଶାରଳାଙ୍କୁ ବାଗ୍ଦେବୀ ସରସ୍ୱତୀ ଭାବେ ଆଖ୍ୟାୟିତ କରାଯାଇଛି । ସତୀଙ୍କର ଜିହ୍ୱା ଏହି କ୍ଷେତ୍ରରେ ପଡ଼ିଥିବାରୁ ଶାରଳାଙ୍କୁ ବାଗ୍ଦେବୀ ବୋଲି କୁହାଯାଇଥାଏ । ମାଆ ଶାରଳାଙ୍କ ପୀଠରେ ଆଶ୍ୱିନ କୃଷ୍ଣପକ୍ଷ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ସାର୍ବଜନୀନ ଶାରଦୀୟ ପୂଜା ଅନୁଷ୍ଠିତ ହୁଏ । ଏହି ସମୟରେ ପ୍ରତ୍ୟେକ ଦିନ ଭୋର ପାଞ୍ଚଟାରୁ ମଙ୍ଗଳ ଆଳତୀରୁ ପୂଜା ଆରମ୍ଭ ହେବା ସହିତ ମାର୍ଜନା ଓ ବେଶ ପରେ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ସମର୍ପଣ କରାଯାଏ । ନବରାତ୍ର ଉପଲକ୍ଷେ ମହାଷ୍ଟମୀ ପର୍ଯ୍ୟନ୍ତ ମାଆଙ୍କ ଚଳନ୍ତି ପ୍ରତିମାଙ୍କୁ ସୁସଜ୍ଜିତ ବିମାନରେ ଏକ ବର୍ଣ୍ଣାଢ଼୍ୟ ପଟୁଆରରେ ନେଇ ନଗର ପରିକ୍ରମା କରାଯାଏ ।

ମାଆ ଚର୍ଚିକା
ପ୍ରସିଦ୍ଧ ତନ୍ତ୍ର ପୀଠ ମଧ୍ୟରେ କଟକ ଜିଲ୍ଲା ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚିକାଙ୍କ ପୀଠ ଅନ୍ୟତମ । କଟକ ଠାରୁ ୫୦ କିଲୋମିଟର ଓ ଭୁବନେଶ୍ୱର ଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ମହାନଦୀ କୂଳସ୍ଥ ରୁଚିକା ପାହାଡ଼ ଉପରେ ମାଆଙ୍କ ପୀଠ ଅବସ୍ଥିତ । ପୌରାଣିକ ତଥ୍ୟ ଅନୁଯାୟୀ ମାଆ ଚର୍ଚିକା ଦେବୀ ହେଉଛନ୍ତି ଦୁର୍ଗାଙ୍କର ମାନସ କନ୍ୟା । ମାଆ ଚର୍ଚିକାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ମୂଳାଷ୍ଟମୀ ଠାରୁ ଷୋଡ଼ଶ ଉପଚାରରେ ପୂଜାର ଶୁଭାରମ୍ଭ ହୁଏ । ଷୋଳ ପୂଜାର ପ୍ରଥମ ପର୍ବରେ ଦେବୀଙ୍କ ଗମ୍ଭୀର ସମ୍ମୁଖ ମଣ୍ଡପରେ ନବଶକ୍ତି କଳସ ସ୍ଥାପନ ସହ ସଂକଳ୍ପ ଏବଂ ନେତ ବନ୍ଧା ଉତ୍ସବ ଅନୁଷ୍ଠିତ ହୁଏ ।

ମାଆ ମଙ୍ଗଳା
ପୁରୀ ଜିଲ୍ଲାର କାକଟପୁର ପ୍ରାଚୀ ନଦୀ ତଟରେ ବିଜେ ମାଆ ମଙ୍ଗଳା । ମାଆଙ୍କ ପରିଚୟ ସହ ଯୋଡ଼ି ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତି ସେବା । ମହାପ୍ରଭୁଙ୍କ ନବକଳେବର ମହୋତ୍ସବର ଦାରୁ ସନ୍ଧାନ ମାଆ ମଙ୍ଗଳାଙ୍କ ନିଦେ୍ର୍ଦଶରେ ହୋଇଥାଏ । ମାଆଙ୍କ ପୀଠରେ ଷୋଡ଼ଶ ଉପଚାରରେ ଯୁଗ ଯୁଗ ଧରି ଶାରଦୀୟ ଉତ୍ସବ ପାଳିତ ହୋଇ ଆସୁଛି । ମୂଳାଷ୍ଟମୀ ଠାରୁ ମହାଳୟା ମଧ୍ୟରେ ଧ୍ୟାନମଗ୍ନ ମାଆଙ୍କୁ ପୂଜା ଉପଚାରରେ ଜାଗ୍ରତ କରାଯାଇଥାଏ । ଶୁକ୍ଳ ପଞ୍ଚମୀ ତିଥିରେ ତାରକମାଣ ବୋ, ମହାଷଷ୍ଠୀରେ ମହାକାତ୍ୟାୟନୀ ବେଶ, ମହାଷ୍ଟମୀରେ ମହିଷା ମର୍ଦ୍ଦିନୀ ବେଶ, ମହାନବମୀରେ ମହାଲକ୍ଷ୍ମୀ ବେଶ ଓ ଦଶହରାରେ ବିଜୟା ଦଶମୀ ବେଶରେ ମାଆ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।

ମାଆ ତାରାତାରିଣୀ
ଭୁବନେଶ୍ୱର ଠାରୁ ୧୭୪ କିଲୋମିଟର ଏବଂ ବ୍ରହ୍ମପୁର ମହାନଗର ଠାରୁ ୩୨ କିଲୋମିଟର ଦୂର ପୁରୁଷୋତ୍ତମପୁର ସନ୍ନିକଟ ଋଷିକୁଲ୍ୟା ନଦୀ ତଟ ରତ୍ନଗିରି ପାହାଡ଼ ଉପରେ ବିରାଜିତା ମାଆ ତାରାତାରିଣୀ । ପ୍ରଥମ ଶତାବ୍ଦୀ ବେଳକୁ ମହାଯାନ ବୌଦ୍ଧଧର୍ମାବଲମ୍ବୀମାନେ ଏହାକୁ ଏକ ପ୍ରଖ୍ୟାତ ତନ୍ତ୍ରପୀଠ ଭାବେ ଗଢ଼ି ତୋଳିଥିଲେ । ଶରତକାଳୀନ ଦୁର୍ଗାପୂଜା ସମୟରେ ଆଶ୍ୱିନ ମୂଳାଷ୍ଟମୀରୁ ଦଶହରା ଯାଏ ବିଶେଷ ପୂଜାର୍ଚ୍ଚନା କରାଯାଏ । ସକାଳ ପାଞ୍ଚରୁ ମଧ୍ୟରାତ୍ରି ଯାଏ ମନ୍ଦିର ଖୋଲା ରହେ । ଷୋଡ଼ଶ ଉପଚାରରେ ପୂଜାବିଧି ନୀତିକାନ୍ତି ସମ୍ପନ୍ନ ହେବା ସହ ଯଜ୍ଞ, ହୋମାଦି କରାଯାଏ । ଋଷିକୁଲ୍ୟା ନଦୀରୁ ଜଳ ଆଣି ବିଶେଷ ମାଜଣା କରାଯାଇଥାଏ ।

ମାଆ ବୁଢ଼ୀ ଠାକୁରାଣୀ
ଗଞ୍ଜାମ ଜିଲ୍ଲାର ପୁରୁଣା ବ୍ରହ୍ମପୁରରେ ମାଆ ବୁଢ଼ୀ ସାଆନ୍ତାଣୀ ଠାକୁରାଣୀଙ୍କ ମନ୍ଦିରର ଅବସ୍ଥିତି । ବ୍ରହ୍ମପୁର ରେଳ ଷ୍ଟେସନଠାରୁ ଚାରି କିମି ସିଟି ବସଷ୍ଟାଣ୍ଡ ଠାରୁ ତିନି କିମି ଦୂରରେ ପଡ଼େ ମାଆଙ୍କ ମନ୍ଦିର । ଦୀର୍ଘ ପାଞ୍ଚ ଶହ ବର୍ଷରୁ ଉଦ୍ଧ୍ୱର୍ କାଳ ହେଲା ପୂଜା ପାଇ ଆସୁଛନ୍ତି ମାଆ ବୁଢ଼ୀ ଠାକୁରାଣୀ । ଶାରଦୀୟ ପାର୍ବଣ ଅବସରରେ ମାଆଙ୍କ ଷୋଡ଼ଶ ପୂଜାବିଧି ସ୍ୱତନ୍ତ୍ର । ଏହି ଷୋଳ ଦିନ ଧରି ଠାକୁରାଣୀଙ୍କୁ ଷୋଡ଼ଶ ଉପଚାରରେ ପୂଜା କରାଯାଇଥାଏ । ପ୍ରତ୍ୟେହ ଦେବୀଙ୍କ ନିକଟରେ ଦୁଇଥର ଚଣ୍ଡୀପାଠ ହୋଇଥାଏ ।

ମାଆ ରାମଚଣ୍ଡୀ
ପୁରୀ-କୋଣାର୍କ ବେଳାଭୂମି ରାସ୍ତାର କୁଶଭଦ୍ରା ନଦୀ ରାମଚଣ୍ଡୀ ମୁହାଣ ତଟରେ ବିଜେ ହୋଇଛନ୍ତି ମାଆ ରାମଚଣ୍ଡୀ । ଭଲା ରାମଚଣ୍ଡୀ ଭଲାରେ, କଳାପାହାଡ଼କୁ ଦୁଆରେ ବସାଇ, ଗଲା ପାଣି ଆଣି ଗଲାରେ’ ଲୋକ ଗୀତରୁ ମାଆ ରାମଚଣ୍ଡୀଙ୍କ ମହିମା ନେଇ କିଛି ଆଭାସ ମିଳୁଛି । ଶାରଦୀୟ ପର୍ବ ଅବସରରେ ମାଆଙ୍କ ପୀଠରେ ସହସ୍ରାକୁମ୍ଭାଭିଷେକ ଦିନରୁ ଷୋଳ ଦିନ ବ୍ୟାପୀ ପ୍ରତିଦିନ ଚଣ୍ଡୀ ପାଠ କରାଯାଇଥାଏ । ପ୍ରତିଦିନ ମଙ୍ଗଳ ଆଳତି, ସୂର୍ଯ୍ୟପୂଜା ଏବଂ ଚଣ୍ଡୀ ପାଠ ଶାରଦୀୟ ପାର୍ବଣର ମୁଖ୍ୟ ଆକର୍ଷଣ । ଷୋଳଦିବସୀୟ ପୂଜାରେ ମାଆଙ୍କୁ ତିନି ଧୂପରେ ଖେଚୁଡ଼ି ସହ ୧୬ପ୍ରକାର ଭୋଗ ସମର୍ପଣ ହୋଇଥାଏ । ମହାଭାରତରେ ମାଆ ରାମଚଣ୍ଡୀଙ୍କ ମହାତ୍ମ ସଂପର୍କରେ ବି ଉଲ୍ଲେଖ ଅଛି ।

ମାଆ ଭଗବତୀ
ଭୁବନେଶ୍ୱର ଠାରୁ ବ୍ରହ୍ମପୁର ଆଡ଼କୁ ପାଞ୍ଚ ନମ୍ବର ଜାତୀୟ ରାଜପଥରେ ପ୍ରାୟ ଶହେ କିଲୋମିଟର ଦୂର ଗଲେ ପଡ଼େ ନୀଳାମ୍ବୁ ଚିଲିକା । ଦେବୀଙ୍କର ପ୍ରାୟ ୫ ଫୁଟ ଉଚ୍ଚର ପଥର ମୂର୍ତ୍ତି ମନ୍ଦିରରେ ପୂଜା ପାଉଛନ୍ତି । ଦଶହରା ହେଉଛି ଦେବୀଙ୍କର ପ୍ରଧାନ ପର୍ବ । ଆଶ୍ୱିନ ମାସରେ ଭଗବତୀଙ୍କ ମନ୍ଦିରକୁ ଆସନ୍ତି ବାଣପୁର ରାଜବାଟୀର ଅଧିଷ୍ଠାତ୍ରୀ ଦେବୀ କନକ ଦୁର୍ଗା ଓ କାଠି ଭଗବତୀ । ବସ୍ତ୍ରାବୃତ୍ତ ସ୍ତମ୍ଭକାରର କାଠି ଭଗବତୀ ଅଷ୍ଟଭୂଜା ଭଗବତୀଙ୍କ ଚଳନ୍ତି ପ୍ରତିମା । ଆଶ୍ୱିନ ମାସ ଶୁକ୍ଳ ପ୍ରତିପଦା ଠାରୁ ମହାଷ୍ଟମୀ ଯାଏ ସେ ଦକ୍ଷ ପ୍ରଜାପତି ମନ୍ଦିରରୁ ଭଗବତୀ ମନ୍ଦିର ଯାଆନ୍ତି ।

ମାଆ ପାଟଣେଶ୍ୱରୀ
ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ରେ ରହିଛି ଦେବୀ ପାଟଣେଶ୍ୱରୀଙ୍କ ମନ୍ଦିର । କିମ୍ବଦନ୍ତୀ କହେ, ପାଟଣାଗଡ଼ରେ ପ୍ରଥମେ କାମଚଣ୍ଡୀଙ୍କୁ ସ୍ଥାପନା କରାଯାଇଥିଲା । କଳିଙ୍ଗ ବିଜୟ କରି ମାଧବ ଚନ୍ଦ୍ର ଦେବ ପତ୍ତନ ରାଜ୍ୟ ସ୍ଥାପନ କରିଥିଲେ ଓ ଦେବୀଙ୍କୁ ପତ୍ତନେଶ୍ୱରୀ ଭାବେ ପୂଜା କରିଥିଲେ । ବର୍ଷସାରା ମାଆ ପାଟଣେଶ୍ୱରୀଙ୍କ ବିଭିନ୍ନ ପୂଜା ହୋଇଥିଲେ ହେଁ ଆଶ୍ୱିନରେ ମୁଖ୍ୟ ପୂଜା ହୋଇଥାଏ । କୃଷ୍ଣପକ୍ଷ ଅଷ୍ଟମୀର ଶୁକ୍ଳପକ୍ଷ ଅଷ୍ଟମୀ ପର୍ଯ୍ୟନ୍ତ ଷୋହଳ ପୂଜା ହୋଇଥାଏ ।

ମାଆ ହିଙ୍ଗୁଳା
ତାଳଚେର ସହରଠାରୁ ପଶ୍ଚିମ ଦିଗକୁ ପ୍ରାୟ ୨୫ କିଲୋମିଟର ଦୂର ସିଙ୍ଗଡ଼ା ନଦୀ ନିକଟସ୍ଥ ଗୋପାଳପ୍ରସାଦ ଗ୍ରାମଠାରେ ଅଗ୍ନିସ୍ୱରୂପା ମାଆ ହିଙ୍ଗୁଳାଙ୍କ ପୀଠ ଅବସ୍ଥିତ । ଏହା ପଦ୍ମ କ୍ଷେତ୍ର ବା ହିଙ୍ଗୁଳା କ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଛି । ଗୋପାଳପ୍ରସାଦ ଗ୍ରାମର ପ୍ରବେଶ ଦ୍ୱାରରେ ୬୦ ଫୁଟ ଲମ୍ବ, ୨୫ ଫୁଟ ଓସାରର ଏକ ଖୋଲା ମଣ୍ଡପରେ ମାଆ ହିଙ୍ଗୁଳା ପୂଜା ପାଉଛନ୍ତି । ଆଜିକୁ ପ୍ରାୟ ଏକଶହ ବର୍ଷ ତଳେ ତାଳଚେର ରାଜା କିଶୋର ଚନ୍ଦ୍ର ବୀରବର ହରିଚନ୍ଦନ ମଣ୍ଡପ ଉପରେ ଏକ କୋଠା ଘର, ମୁଖଶାଳା, ଯଜ୍ଞମଣ୍ଡପ, ବଳି ମଣ୍ଡପ ଓ ରୋଷ ଘର ନିର୍ମାଣ କରିଥିଲେ । ଏଠାରେ ପାଳନ ହେଉଥିବା ପର୍ବମାନଙ୍କ ମଧ୍ୟରେ ଚୈତ୍ରମାସ ଶୁକ୍ଳପକ୍ଷ ବିଷ୍ଣୁ ଦମନକ ଚତୁର୍ଦ୍ଦଶୀ ଠାରୁ ନବଦିନ ବ୍ୟାପୀ ପାଳନ ହେଉଥିବା ପର୍ବ ହିଙ୍ଗୁଳା ଯାତ୍ରା ଭାବେ ଖ୍ୟାତ । ଦେବୀଙ୍କ ନିକଟରେ ଦଶହରା ପର୍ବ ମଧ୍ୟ ପାଳିତ ହୋଇଥାଏ ।

ମାଆ ତାରିଣୀ
କେନ୍ଦୁଝର ଜିଲ୍ଲା ମହକୁମାଠାରୁ ୪୫ କିଲୋମିଟର ଦୂରରେ ପ୍ରସିଦ୍ଧ ଘଟଗାଁ ତାରିଣୀ ପୀଠ ଅବସ୍ଥିତ । ୧୪୮୦ ଖ୍ରୀଷ୍ଟାବ୍ଦରୁ ମାଆ ତାରିଣୀ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଇ ଆସୁଥିବା କିମ୍ବଦନ୍ତୀ ରହିଛି । ଓଡ଼ିଶାର ପ୍ରମୁଖ ଶକ୍ତିପୀଠମାନଙ୍କ ମଧ୍ୟରୁ ତାରିଣୀ ପୀଠର ମାହାତ୍ମ୍ୟ ସ୍ୱତନ୍ତ୍ର । ମାଆ ଭକ୍ତଙ୍କ ଦୁଃଖକୁ ତାରଣ କରନ୍ତି ବୋଲି ତାଙ୍କ ନାମ ତାରିଣୀ । ଭକ୍ତଙ୍କ ସଂଖ୍ୟା ବଢ଼ିବାରୁ ୧୯୭୧ ମସିହାରେ ମାଆଙ୍କ ପୀଠରେ ଏକ ଖୋଲା ମନ୍ଦିର ନିର୍ମାଣ କରାଗଲା । ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ମାଆଙ୍କ ଚଇତି ପର୍ବ, ଆଷାଢ଼ୀ ପର୍ବ, ତାରିଣୀ ବ୍ରତ, ମକର ସଂକ୍ରାନ୍ତି, ରଜ ସଂକ୍ରାନ୍ତି ଓ ଦୁର୍ଗାପୂଜା ଅନ୍ୟତମ । ଦୀର୍ଘ ୫୦ ବର୍ଷ ପୂର୍ବରୁ ଉଦ୍ଧ୍ୱର୍ ସମୟ ଧରି ମାଆଙ୍କ ପୀଠରେ ଦେବୀ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୋଇଆସୁଛି । ମୃଣ୍ମୟୀ ଦୁର୍ଗାଦେବୀଙ୍କ ସମ୍ମୁଖରେ ମହାଷ୍ଟମୀ ପୂଜା, ମହାନବମୀ ପୂଜା ଓ ଦଶହରା ପୂଜା ଆଡ଼ମ୍ବର ସହକାରେ ପାଳିତ ହୋଇଥାଏ ।

ମାଆ ମାଣିକେଶ୍ୱରୀ
କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ରାଜ ଉଆସ ପରିସରରେ ମାଆ ମାଣିକେଶ୍ୱରୀ ବିରାଜିତା । କିମ୍ବଦନ୍ତୀ କହେ, ନାଗବଂଶୀ ରାଜା ଫତେ ନାରାୟଣ ଦେଓ ବିପତ୍ତିରୁ ରକ୍ଷା ପାଇବା ପାଇଁ ଭଣ୍ଡେସର ବା ବୁନେ୍ଦସର ଠାରେ ଆଦିବାସୀ ପୂଜିତା ଦେବୀ ମାଆ ମାଣିକେଶ୍ୱରୀଙ୍କ ଶରଣାପନ୍ନ ହୋଇଥିଲେ । ଆଉ ମାଣିକେଶ୍ୱରୀଙ୍କୁ ନିଜର ଇଷ୍ଟଦେବୀ ରୂପେ ପୂଜା କରୁଥିଲେ । ବିଜୟା ଦଶମୀ ତିଥିରେ ଭବାନୀପାଟଣା ସହରର ନିକଟିଗୁଡ଼ାର ଲାଖମରା ପଡ଼ିଆକୁ ମାଆ ମାଣିକେଶ୍ୱରୀଙ୍କ ଛତର୍କୁ ନିଆଯାଇଥାଏ । ଲୋକବିଶ୍ୱାସ ରହିଛି କି ମାଆ ମାଣିକେଶ୍ୱରୀ ବର୍ଷକେ ଥରେ ଛତର ଭାବେ ବାହାରକୁ ଆସି ଭକ୍ତମାନଙ୍କ ଦୁଃଖ ଶୁଣିଥାନ୍ତି ।

ମାଆ କୀଚକେଶ୍ୱରୀ
ମୟୂରଭଞ୍ଜର ଶୁକୁଳି ବ୍ଲକ ଖିଚିଂ ଠାରେ ପୂଜିତା ମାଆ କୀଚକେଶ୍ୱରୀ । କୀଚକେଶ୍ୱରୀଙ୍କୁ ଭଞ୍ଜମାଟିର ଅଧିଷ୍ଠାତ୍ରୀ ଦେବୀ ବୋଲି କୁହାଯାଏ । ଭଞ୍ଜ ରାଜବଂଶର ପ୍ରଥମ ରାଜା ଆଦି ଭଞ୍ଜ କୀଚକେଶ୍ୱରୀଙ୍କୁ ପ୍ରତିଷ୍ଠା କରାଇଥିଲେ । ପଦ୍ମଫୁଲ ଉପରେ ଚକା ଆସନରେ ଦେବୀ ଉପବିଷ୍ଟ । ଶାରଦୀୟ ପୂଜାକୁ ନେଇ ଉତ୍ସବମୁଖର ହୋଇଥାଏ ଦେବୀ ପୀଠ । ଦେବୀ ପୂଜା ପାଆନ୍ତି ଷୋଡ଼ଶ ଉପଚାରରେ । ବିଜୟା ଦଶମୀ ଅବସରରେ ପୂର୍ଣ୍ଣାହୁତି ଦିଆଯାଏ । ଶାରଦୀୟ ପୂଜା ଅବସରରେ ମାଆଙ୍କ ଦର୍ଶନ ଦ୍ୱାରା ମହାପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ଭକ୍ତଙ୍କର ଅତୁଟ ବିଶ୍ୱାସ । ମାଆଙ୍କ ପାଖରେ ଲାଗୁଥିବା ସିନ୍ଦୂର ଭକ୍ତଙ୍କୁ ସର୍ବସିଦ୍ଧି ପ୍ରଦାନ କରିଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି । ଦେବୀ ରାଜବଂଶର ଆରାଧ୍ୟା ଠାକୁରାଣୀ ହୋଇଥିବାରୁ ଶାରଦୀୟ ପୂଜା ରାଜପୂଜା ଭାବେ ଖ୍ୟାତ । ବିଜୟା ଦଶମୀ ଦିନ ମନ୍ଦିର ନିକଟରେ ରାବଣ ପୋଡ଼ି ଅନୁଷ୍ଠିତ ହୋଇଥାଏ ।

ମାଆ ମଝିଘରିଆଣୀ
ଅବିଭକ୍ତ କୋରାପୁଟ ଜିଲ୍ଲାର ରାୟଗଡ଼ାରେ ଅଧିଷ୍ଠିତ ପ୍ରସିଦ୍ଧ ଦେବୀ ମାଆ ମଝି ଘରିଆଣୀ । ଜୟପୁର ରାଜା ବିଶ୍ୱନାଥ ଦେବଙ୍କ ଇଷ୍ଟଦେବୀ ନାରାୟଣୀ ରାଜାଙ୍କ ପରିବର୍ତ୍ତିତ ନଗର ରାୟଗଡ଼କୁ ଆସି ଗଡ଼ର ମଧ୍ୟ ଭାଗରେ ସ୍ଥାପିତ ହୋଇଥିଲେ । ଗଡ଼ର ମଝି ଭାଗରେ ଦେବୀ ଅବସ୍ଥାନ କରୁଥିବାରୁ ପ୍ରତ୍ୟକ୍ଷ ଦେବୀ ମଝି ଘରିଆଣୀ ରୂପେ ବିଦିତ ହୋଇଥିଲେ । ଆନ୍ଧ୍ର ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝି ଘରିଆଣୀଙ୍କର ଚୈତ୍ର ପର୍ବ ଏକ ବଡ଼ ପର୍ବ । ମନ୍ଦିରରେ ମାଆଙ୍କ ନିକଟରେ ତାଙ୍କର ଚଳନ୍ତି ପ୍ରତିମା ରୂପେ ପାଞ୍ଚଟି ଖଣ୍ଡା ପୂଜା ପାଉଛନ୍ତି । କିମ୍ବଦନ୍ତୀ ଅନୁଯାୟୀ ମାଆ ମଝି ଘରିଆଣୀଙ୍କର ଆଉ ଆଠ ଜଣ ଭଉଣୀ ଥିବା ଜଣାଯାଏ । ସର୍ବମୋଟ ନଅ ଜଣ ଭଉଣୀଙ୍କ ମଧ୍ୟରୁ ସବୁଠାରୁ ବଡ଼ ମଝିଘରିଆଣୀ ଓ ସାନ ଭଉଣୀ ଦୁର୍ଗା ଅଟନ୍ତି । ମଝି ଘରିଆଣୀ ରାଜାଙ୍କ ଗଡ଼ ମଧ୍ୟରେ ପୂଜା ପାଉଛନ୍ତି ଓ ମାଆ ଦୁର୍ଗା ପାଇକ ସାହିରେ ପୂଜା ପାଉଛନ୍ତି ।

ମାଆ ସୁରେଶ୍ୱରୀ
ପଶ୍ଚିମ ଓଡ଼ିଶାର ସୋନପୁର ସହରରେ ବିରାଜିତା ମାଆ ସୁରେଶ୍ୱରୀ । ପଞ୍ଚଦଶ ଶତାବ୍ଦୀରେ ଆଦିକବି ସାରଳା ଦାସଙ୍କ ରଚିତ ଚଣ୍ଡୀ ପୁରାଣରେ ଦେବୀ ସୁରେଶ୍ୱରୀଙ୍କୁ ୬୪ ଯୋଗିନୀ ମଧ୍ୟରୁ ଅନ୍ୟତମ ଯୋଗିନୀ ଭାବେ ବର୍ଣ୍ଣନା କରାଯାଇଛି । ସୋମବଂଶୀ ଶାସନ କାଳରେ ମାଆ ସୁରେଶ୍ୱରୀ ଦୁର୍ଗର ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଉଥିଲେ । ଦଶହରା ଦିନ ଏହି ମନ୍ଦିରରେ “ମହାବଳୀ’ର ଚୁଳ ବନ୍ଧନ କରାଯାଏ । ଚୈତ୍ରମାସ ରାମନବମୀରେ ବାସନ୍ତୀ ପୂଜା ଅନୁଷ୍ଠିତ ହୋଇଥାଏ । ପ୍ରତି ମଙ୍ଗଳବାର, ଅମାବାସ୍ୟା ଓ ସଂକ୍ରାନ୍ତି ଦିନ ୧୦୮ ବତିରେ ଦେବୀଙ୍କୁ ସଂଜ ଆଳତୀ ଦିଆଯାଏ ।

ମାଆ କଟକଚଣ୍ଡୀ
କଟକ ଜିଲ୍ଲାର ଶେଖ୍ ବଜାର ଅଞ୍ଚଳରେ ରହିଛି ଚର୍ତୁଭୂଜା ମାତା ତଥା କଟକ ସହରର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କ ମନ୍ଦିର । କିମ୍ବଦନ୍ତୀ କହେ, ମରହଟ୍ଟା ଶାସନ ପୂର୍ବରୁ କଟକ ଚଣ୍ଡୀଙ୍କ ବିଗ୍ରହ ବାରବାଟୀ ଦୁର୍ଗ ପରିସରରେ ପୂଜା ପାଉଥିଲେ । କଳାପାହାଡ଼ ଆକ୍ରମଣ କାଳରେ ଦେବୀ ସେ ସ୍ଥାନରୁ ଅପସାରିତ ହୋଇ ଦୁର୍ଗର ଦକ୍ଷିଣ ପାଶ୍ୱର୍ରେ କିଛି ଦୂରରେ ରହିଲେ । ସେଠାରୁ ଏବର ପୀଠକୁ ଦେବୀଙ୍କୁ ଅଣାଯାଇଛି । ମୂଳାଷ୍ଟମୀ ଦିନ ସହସ୍ର କୁମ୍ଭାଭିଷେକ ଓ ଘଟ ସ୍ଥାପନ କରି ମାଆଙ୍କୁ ଜାଗ୍ରତ କରାଯିବା ସହିତ ଆରମ୍ଭ ହୁଏ ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜା । ପ୍ରତ୍ୟେକ ଦିନ ମାଆଙ୍କୁ ସ୍ୱତନ୍ତ୍ର ବେଶ କରାଯାଏ । ଦଶମୀ ଯାଏ ଏହି ସ୍ୱତନ୍ତ୍ର ପୂଜା ଚାଲେ । ଅଷ୍ଟମୀ ଦିନ ମାଆଙ୍କର ମହାସ୍ନାନ ସହିତ ମହାକାଳୀ ବେଶ କରାଯାଏ । ସେହିଦିନ ମାଆଙ୍କ ଦେହରେ ବସ୍ତ୍ର ନଥାଏ, କେବଳ ଆଭୂଷଣରେ ସଜ୍ଜିତ ହୁଅନ୍ତି । ରାତ୍ରିବିହିତ ପୂଜାରେ ସନ୍ଧି ପୂଜା ସହିତ ସେଦିନ ମାଆଙ୍କ ନିକଟରେ ମାଛ ବଳି ଦିଆଯାଏ ।

Leave A Reply