ଭୁବନେଶ୍ୱର, ୦୧ ଅକ୍ଟୋବର – ଏଣିକି ଆବେଦନକାରୀ ଇ-ପେମେଂଟ ମାଧ୍ୟମରେ କୋର୍ଟ ଫି’ ପ୍ରଦାନ କରିପାରିବେ । ଏଥିପାଇଁ ସୁପ୍ରିମ୍ କୋର୍ଟଙ୍କ ଇ- କମିଟି ଏକ ଇପ୍ରଦାନ ୱେବ୍ ପୋର୍ଟାଲ ବିକଶିତ କରିଛନ୍ତି । କୋର୍ଟଫି ଷ୍ଟାମ୍ପ ଜରିଆରେ କୋର୍ଟ ଫି’ ପ୍ରଦାନ କରିପାରିବେ । ‘କୋର୍ଟ ଫି(ଓଡ଼ିଶା ସଂଶୋଧନ) ବିଲ-୨୦୨୦ ଗୁରୁବାର ଦିନ ବିଧାନସଭାରେ ପାରିତ ହେବା ପରେ ଇଲେକ୍ଟ୍ରୋନିକ୍ ପଦ୍ଧତିରେ ଇ-ଫାଇଲିଂ ମାମଲା ଦାଏର କରାଯିବାବେଳେ କୋର୍ଟି ଫି’ ଷ୍ଟାମ୍ପ ଜରିଆରେ କୋର୍ଟ ଫିସ୍ ପ୍ରଦାନ କରାଯିବା ସହ ଇଲେକ୍ଟ୍ରୋନିକ୍ ପଦ୍ଧତିରେ ଇ-ପେମେଟ ପ୍ରଦାନ ଓ ଫେରସ୍ତର ବ୍ୟବସ୍ଥା ରହିଛି । ରାଜ୍ୟପାଳଙ୍କ ମଞ୍ଜୁରୀ ପରେ ଏହି ନୂଆ ନିୟମ କାର୍ଯ୍ୟକ୍ଷମ ହେବ । ଗୁରୁବାର ଦିନ ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ‘କୋର୍ଟ ଫି(ଓଡ଼ିଶା ସଂଶୋଧନ) ବିଲ-୨୦୨୦କୁ ପାରିତ ନିମନ୍ତେ ଗୃହର ଅନୁମୋଦନ ଲୋଡ଼ିଥିଲେ । ମନ୍ତ୍ରୀ ଶ୍ରୀ ଜେନା ଏହି ସଂଶୋଧନ ସମ୍ପର୍କରେ ତଥ୍ୟ ରଖି କହିଥିଲେ ଯେ, କୋର୍ଟ ଫି ଅଧିନିୟମ-୧୮୭୦ର ବ୍ୟବସ୍ଥା ଅନୁସାରେ କୋର୍ଟ ଫି ଷ୍ଟାମ୍ପ ଦ୍ୱାରା ହି କେବଳ କୋର୍ଟ ଫି’ ପ୍ରଦାନ କରାଯାଇପାରିବ ।
ଏବେ କୋଭିଡ-୧୯ ମହାମାରୀ ବିପତି ଦୃଷ୍ଟିରୁ ହାଇକୋର୍ଟ ଓ ଅଧସ୍ତନ କୋର୍ଟଗୁଡ଼ିକରେ ବହୁତ କଟକଣା ମଧ୍ୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟ କାର୍ଯ୍ୟ ସମ୍ପାଦନ ହେଉଛି । ତା’ଛଡ଼ା ରାଜ୍ୟ ସରକାରଙ୍କ ସାମାଜିକ ଦୂରତ୍ୱ ଗାଇଡଲାଇନ୍ ଅନୁସାରେ ହାଇକୋର୍ଟ ମଧ୍ୟ ମାମଲାଗୁଡ଼ିକୁ ଇ-ଫାଇଲିଂ ଜରିଆରେ ଦାଏର କରିବାକୁ ଅନୁମତି ଦେଉଛନ୍ତି । ସେ ଦୃଷ୍ଟିରୁ ଇ-ପେମେଂଟ ମାଧ୍ୟମରେ କୋର୍ଟ ଫି’ ପ୍ରଦାନ କରାଯିବାର ଆବଶ୍ୟକତା ଅନୂଭତ ହେଲା । ଏହାଦ୍ୱାରା କୋଭିଡ୍ ମହାମାରୀ ବିପତିବେଳେ ତଥା ଆଗାମୀ ଦିନରେ ମକଦ୍ଦମାକାରୀ ଓ ଅନ୍ୟ ବ୍ୟକ୍ତିମାନେ ନ୍ୟାୟିକ ପ୍ରକ୍ରିୟାର ସୁଲଭ ଉପଯୋଗ କରିପାରିବେ ବୋଲି ଶ୍ରୀ ଜେନା କହିଛନ୍ତି ।