ଡାକ୍ତର ଦିଲ୍ଲୀପ କୁମାର ମହାରଣା : ହଜାର ବର୍ଷର ସହର ଭାବେ କଟକ ସହର ପରିଚିତ । କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ କଟକ ସହରକୁ ନେଇ ଚର୍ଚ୍ଚା । ସେ ବାଲିଯାତ୍ରା ହେଉ ବା ଦଶହରା । ଗତବର୍ଷ କରୋନା ଓଡ଼ିଶାବାସୀଙ୍କୁ ଦୁଃଖ ଦେବା ସହ କଟକିଆଙ୍କକୁ ଦୁଃଖ ମଧ୍ୟ ବଢ଼ାଇ ଦେଇଛି । ତେବେ ଏସବୁ ଭିତରେ କଟକ ସହର ଏକ ପ୍ରକାର ନୂଆ ରୂପ ନେଇଛି । ଓଡ଼ିଶା ସରକାର କଟକର ବିକାଶକୁ ଏକ ବିଶ୍ୱସ୍ତରୀୟ ଯୋଜନା ଭାବେ ହାତକୁ ନେବା ପରେ ପ୍ରଶାସନ ମଧ୍ୟ ତତ୍ପର ହୋଇଯାଇଛି । ଏସ୍ସିବି ନବକଳେବର, ମହାନଦୀର ହାଡ଼ିଆ ପଠାରେ ବର୍ଫି ଯୋଜନାର କାର୍ଯ୍ୟାନ୍ୱୟନ, ଅବରୋଧମୁକ୍ତ କଟକ ପାଇଁ ଛତ୍ରବଜାର ଓ ମାଲ୍ଗୋଦାମର ସଂପ୍ରସାରଣ, ବାଦାମବାଡ଼ି ସମେତ ଅନ୍ୟ ସବୁ ବସ୍ଷ୍ଟାଣ୍ଡର ସଂପ୍ରସାରଣ, ନବୀକରଣ ଓ ସ୍ଥାନାନ୍ତରଣ ଭଳି ଅନେକ ମହତ୍ୱାକାଂକ୍ଷୀ, ଆଖିଝଲସା ପ୍ରକଳ୍ପର ଶୁଭ ପଡ଼ି ସାରିଛି ୨୦୨୦ରେ । କରୋନାର ନାହିଁ ନଥିବା ଦୁର୍ଦ୍ଦଶା ଭିତରେ ବି କିଛି କିଛି କାମ ଆଗେଇ ସାରିଛି । ତାଳଦଣ୍ଡା କେନାଲ ସଂପ୍ରସାରଣ ସହ ନୂଆ ରୂପ ନେଇସାରିଛି ଏସ୍ସିବି ମେଡ଼ିକାଲକୁ ସଂଯୋଗ କରୁଥିବା ମହାନଦୀ ରିଂ-ରୋଡ଼, ଯୋବ୍ରା ଓ ରାଣୀହାଟ ପଟର ସମଗ୍ର ଅଞ୍ଚଳ । ୨୦୨୧ରେ କଟକର ନବକଳେବର ଆହୁରି ସ୍ପଷ୍ଟ ରୂପେ ପ୍ରତିଭାତ ହେବ ବୋଲି ଆଶା ରହିବା ସ୍ୱାଭାବିକ ।
ଏଠାରେ ସ୍ମରଣ କରୁଛୁ କି ଯେ ଗତବର୍ଷ ଜାନୁଆରୀରେ ଏସ୍ସିବି ନବକଳେବର ପାଇଁ ଭିତ୍ତି ପଡ଼ିଲା । ୨୦୧୯ ଶେଷ ଭାଗରେ ଅବଶ୍ୟ ଏ ଯୋଜନାର ନୀଳ ନକ୍ସା ପ୍ରସ୍ତୁତ ହୋଇ ପ୍ରକଳ୍ପର ମୂଳ ରୂପ ଘୋଷଣା ହୋଇଥିଲା । ହଜାରେ କୋଟି ଟଙ୍କା ବ୍ୟୟ ଅଟକଳରେ ଏମ୍ସ୍ ପ୍ଲସ ଏସ୍ସିବିର ନୂଆ ରୂପର ଢ଼ାଞ୍ଚା ତିଆରି ହେଲା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା । ନୂଆ ରୂପର ଏସ୍ସିବିରେ ରହିବ ସବୁକିଛି ଗୋଟିଏ ଛାତ ତଳେ । ଏସ୍ସିବିର ଏଭଳି ନୂଆ କଳେବରରୁ କେବଳ କଟକ ଲାଭବାନ ହେବନାହିଁ, ବରଂ ସାରା ଓଡ଼ିଶା ପାଇବ ଅତ୍ୟାଧୁନିକ ଚିକିତ୍ସାର ସୁବିଧା । ଓଡ଼ିଶାର ସ୍ୱାସ୍ଥ୍ୟ ରାଜଧାନୀ ମାନ୍ୟତା ପ୍ରାପ୍ତ କଟକର ମର୍ଯ୍ୟାଦା ଓ ଗୁରୁତ୍ୱ ଆହୁରି ଅଧିକ ବ୍ୟାପକ ଓ ପ୍ରସାରିତ ହେବ ଏହି ନୂଆ ଯୋଜନାରେ । ଇତିମଧ୍ୟରେ ଏସ୍ସିବି ପାଇଁ ଉଚ୍ଛେଦ, ବିସ୍ଥାପନ ଭଳି କାମ ପ୍ରାୟ ସରିଆସିଲାଣି ।
ମାଲଗୋଦାମ ଓ ଛତ୍ରବଜାରର ରୂପ ବଦଳ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସର୍ଭେ, ଉଚ୍ଛେଦ ପ୍ରକ୍ରିୟା ସରିଲାଣି । ୨୦୨୧ ମସିହାରୁ ବିଧିବଦ୍ଧ ଭାବେ ତ୍ୱରାନ୍ୱିତ ହେବ । ସେମିତି, ବାଦାମବାଡ଼ି ବସ୍ଷ୍ଟାଣ୍ଡ ସଂପ୍ରସାରଣ ପାଇଁ ସର୍ଭେ ଆରମ୍ଭ ହେବା ଉପରେ । ସ୍ୱେରେଜ ଟି୍ରଟମେଣ୍ଟ ପ୍ଲାଣ୍ଟ, ୱାଟର ଟି୍ରଟମେଣ୍ଟ ପ୍ଲାଣ୍ଟର କାମ ସରିବା ଉପରେ । ଏହାବାଦ ଅନ୍ୟ କିଛି ପ୍ରକଳ୍ପ ପାଇଁ ସର୍ଭେ, ଉଚ୍ଛେଦ, ବିସ୍ଥାପନ ଓ ଥଇଥାନ କାମ ପର୍ଯ୍ୟାୟକ୍ରମେ ଚାଲିଛି । ଏଭଳି ଅନେକ ପ୍ରକଳ୍ପର ରୂପ ସ୍ପଷ୍ଟ ଫୁଟି ଉଠି ସାରିଥିବ ବୋଲି ଆଶା କରିବା ସ୍ୱାଭାବିକ ।
କେହି କେହି ଦିନ ଥିଲା ପରିହାସରେ ଯାହା କହୁଥିଲେ ତାହା ଆଜି କଟକିଆଙ୍କ ପାଇଁ ଏକ ନିଷ୍ଠୁର ଦୁଃଖ ହୋଇଯାଇଛି ତାହା ହେଉଛି ସହରର ସବୁଠାରୁ ବଡ଼ ପ୍ରକଳ୍ପ ଓ ଦୁଃଖଦ ଆମାଜନ କୁହାଯାଉଥିବା ଜାଇକା । ଜଳବନ୍ଦୀ ମୁକ୍ତ କଟକ ସହରର ଯେଉଁ ସୁନେଲି ସ୍ୱପ୍ନ ସହରବାସୀ ଦେଖୁ ଆସୁଛନ୍ତି, ତାହା କେତେକାଂଶରେ ସତ ହେବ ବୋଲି ସମ୍ଭାବନା ଅଛି । ଇତିମଧ୍ୟରେ ଅମୃତ ଯୋଜନାର କାମ ଅନେକ ଆଗେଇ ସାରିଛି । ଏହାଛଡ଼ା ତାଳଦଣ୍ଡା କେନାଲ ଜିଓ ସିନ୍ଥେଟିକ୍ କଂକ୍ରିଟରେ ନୂଆ ରୂପ ନେବ, ଆଦର୍ଶ କଲୋନୀ ଯୋଜନାରେ କଟକର ସବୁ ବସ୍ତିର ଚିତ୍ର ବଦଳିଯିବ – ଏଭଳି ସମ୍ଭାବନା ବି ଉଙ୍କି ମାରୁଛି ।
ଚଳିତ ବର୍ଷ ଏକ ନିର୍ବାଚିତ ଓ ଉତ୍ତରଦାୟୀ କାଉନ୍ସିଲ ଆସିବ, ହୁଏତ ସହରର ଆଉ କିଛି ନିତିଦିନିଆ ସମସ୍ୟାର ସମାଧାନ ବି ହେବ । ଅସନା କଟକ ବୋଲି ଯେଉଁ କଳଙ୍କ ହଜାରେ ବର୍ଷର ଏହି ସହର ମଥାରେ ଲାଗିଛି ତାହା କିଛି ପରିମାଣରେ ଦୂର ହେବ । ଏଭଳି ଅନେକ ସ୍ୱପ୍ନ ଓ ସମ୍ଭାବନା ଏବେ କୁଅାଁ ମେଲିବା ଆରମ୍ଭ କରିଛି । ଜଣେ କଟକିଆ ଭାବେ ବିଶ୍ୱର ଯେଉଁ ସ୍ଥାନରେ ରହିଲେ ବି ତାହାର କଟକକୁ ନେଇ ଗୌରବର ମୁଣ୍ଡ ଟେକେ । ଏହି ହଜାର ବର୍ଷର ସହରର ପେଟ ଭିତରେ ରହିଛି ଅନେକ ସ୍ମରଣୀୟ ଇତିହାସର ସୁଖଦ ଓ ଦୁଃଖଦ ଘଟଣାକ୍ରମ । ସହରର ଦୁଇ ପଟରେ ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀ ଓ ଏହାର ଶାଖା ନଦୀ କାଠଯୋଡ଼ି ବୋହିଯାଇଛି । ସହରରେ ପ୍ରଗତି ସେତେ ପଛକୁ ନଥିଲେ ବି କିଛି ଆଗକୁ ରହିଛି ।
