Odisha news

କରୋନା ସଂକ୍ରମଣ ଆଶଙ୍କା : ଗାଲେରୀ ମେରୁଯାତ୍ରା ବନ୍ଦ ଘୋଷଣା କଲା ପ୍ରଶାସନ

0

ଭଞ୍ଜନଗର – କରୋନା ସଂକ୍ରମଣ ଆଶଙ୍କା ଏବେ ଧୀରେ ଧୀରେ ସତ୍ୟରେ ପରିଣତ ହେଉଛି । ସାରା ଦେଶରେ ଏବେ କରୋନାର ଦ୍ୱିତୀୟ ଲହର ଦୃତ ଗତିରେ ବଢିଚାଲିଛି । ଆମ ରାଜ୍ୟର ପଡୋଶୀ ଛତିଶଗଡ ଓଡିଶା ପାଇଁ ଚିନ୍ତା ବଢାଇବାରେ ଲାଗିଛି । ଅପରପକ୍ଷରେ ଓଡିଶା ଭିତରକୁ ପ୍ରବାସୀ ଓଡିଆମାନେ ଏବେ ପୁଣିଥରେ ଲେଉଟିବା ଆରମ୍ଭ କଲେଣି । ଏସବୁକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏବେ ଜିଲ୍ଲାର ଦଣ୍ଡଯାତ୍ରା ଉପରେ ରୋକ ଲଗାଇଛି । ଦଣ୍ଡଯାତ୍ରାରେ ରାତ୍ରକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ଅନେକ ସ୍ଥାନରେ ନିଜ ନିଜ ଗ୍ରାମରେ ହିଁ ଦଣ୍ଡଯାତ୍ରା ଦଳ ରହିବା ବ୍ୟବସ୍ଥା କରାଯାଇଛି । ଘୁମୁସରର ପ୍ରସିଦ୍ଧ ଗାଲେରୀ ଦଣ୍ଡଯାତ୍ରା ମଧ୍ୟ କରୋନା କଟକଣାରେ ସଂପୂର୍ଣ୍ଣ ପ୍ରଭାବିତ ହୋଇଛି । ଏହି ଦଣ୍ଡଯାତ୍ରାରେ ପାଖାପାଖି ଏକହଜାର ଦଣ୍ଡୁଆ ପ୍ରତିବର୍ଷ ହେଉଥିବାବେଳେ ଚଳିତବର୍ଷ ଏହାକୁ ୫୦ଜଣରେ ସୀମିତ ରଖାଯାଇଛି । ଦଣ୍ଡଦଳ କେବଳ ଗ୍ରାମରେ ହିଁ ରହୁଥିବାବେଳେ ଏବେ ଗାଲେରୀ ମେରୁଯାତ୍ରା ଉପରେ ମଧ୍ୟ ରୋକ ଲଗାଇଛି ପ୍ରଶାସନ । ଗାଲେରୀ ମେରୁ ଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯୋଗ ଦେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଗାଲେରୀ ମେରୁଯାତ୍ରାରେ ରୋକ ଲଗାଇଛନ୍ତି । କେବଳ ବିଧିପୂର୍ବକ ଗାଲେରୀ ମେରୁଯାତ୍ରା କରାଯିବ । ଏଠାରେ ଯେପରି ଅଧିକ ଗହଳି ଚହଳି ନହେବ ତାକୁ ଦୃଷ୍ଟିରେ ରଖି ଆବଶ୍ୟକ ହେଲେ ମେରୁଯାତ୍ରା ଦିନ ଏଠାରେ ୧୪୪ ଧାରା ଜାରୀ କରାଯିବାର ଆଶଙ୍କା ପ୍ରକାଶ ପାଇଛି । ସୁଚନା ଯୋଗ୍ୟଯେ ଆସିକା ଠାରେ ବାରୁଣୀ ସ୍ନାନ ପାଇଁ ଗୁରୁବାର ଲକ୍ଷାଧିକ ଶ୍ରଦ୍ଧାଳୁ ଏକାଠୀ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସେଠାର ସ୍ଥାନୀୟ ପ୍ରଶାସନ ଆସିକା ଆଖପାଖର ୫ଟି ଗ୍ରାମରେ ୧୪୪ ଧାରା ଜାରୀ କରି ଭିଡକୁ ନିୟନ୍ତ୍ରଣ କରିଥିଲେ । ଅବିକଳଭାବେ ଗାଲେରୀ ମେରୁଯାତ୍ରାରେ ଭିଡକୁ ନିୟନ୍ତ୍ରଣ କରିବାକୁ ସ୍ଥାନୀୟ ପ୍ରଶାସନ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବବୋଲି ସ୍ଥାନୀୟ ତହସିଲଦାର ଆଲୋକ କୁମାର ପ୍ରଧାନ ସ୍ପଷ୍ଟ କରିଛନ୍ତି ।

Leave A Reply