ଭୁବନେଶ୍ୱର : କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ ରାଜ୍ୟ ସରକାର କୋଭିଡ କଟକଣାରେ ସାମାନ୍ୟ କୋହଳ କରିଛନ୍ତି। କିନ୍ତୁ ସର୍ବସାଧାରଣ ସ୍ଥାନରେ ପୂଜାର୍ଚ୍ଚନା, ଧାର୍ମିକ ସମାବେଶ ଉପରେ କଟକଣା ବଳବତ୍ତର ରହିଛି। ନାଇଟ୍ କର୍ଫ୍ୟୁକୁ ଘଣ୍ଟାଏ କୋହଳ କରାଯାଇଛି। ଫେବ୍ରୁଆରି ୧ରୁ ୨୮ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ରାତି ୯ଟା ପରିବର୍ତ୍ତେ ୧୦ଟାରୁ ଭୋର୍ ୫ଟା ପର୍ଯ୍ୟନ୍ତ ଲାଗୁ ହେବ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ପ୍ରଚାର, ସମାବେଶ ଉପରେ ଲାଗିଥିବା କଟକଣା ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସ୍ବତନ୍ତ୍ର ରିଲିଫ କମିସନର(ଏସ୍ଆର୍ସି) ଗାଇଡଲାଇନ୍ ଜାରି କରିଛନ୍ତି।
ଏବେ ଶିକ୍ଷାନୁଷ୍ଠାନ ବନ୍ଦ ଥିଲେ ବି କେବଳ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନରେ ସରସ୍ବତୀ ପୂଜା ହୋଇପାରିବ। ସୀମିତ ସଂଖ୍ୟକ ପିଲାଙ୍କୁ ନେଇ ସରସ୍ବତୀ ପୂଜା ଆୟୋଜନ ହେବ। ହେଲେ ସର୍ବସାଧାରଣ ସ୍ଥାନରେ ସରସ୍ବତୀ ପୂଜା ହୋଇପାରିବନି। ଶ୍ରଦ୍ଧାଳୁମାନେ ନିଜ ଘରେ ପୂଜା କରିବାକୁ କୁହାଯାଇଛି।
ସେହିପରି ମାଘ ସପ୍ତମୀରେ ବିଭିନ୍ନ ନଦୀ, ପୁଷ୍କରିଣୀ, ସମୁଦ୍ରରେ ଶହଶହ ଶ୍ରଦ୍ଧାଳୁ ବୁଡ଼ ପକାଉଥିବାରୁ ଚଳିତବର୍ଷ ଏହା ଉପରେ ରୋକ୍ ଲାଗିଛି। ମାଘ ସପ୍ତମୀ, ମାଘ ପୂର୍ଣ୍ଣିମାରେ କେବଳ ମନ୍ଦିର ଭିତରେ ପୂଜାର୍ଚ୍ଚନା ହେବ। ମାଘ ମେଳା ଯଥା ରୀତିନୀତି ଅନୁଯାୟୀ କେବଳ ମନ୍ଦିର ଭିତରେ ହେବ। କୌଣସି ସ୍ଥାନରେ ବି ଧାର୍ମିକ ସମାବେଶ ହୋଇପାରିବନି।
ଅପରପକ୍ଷେ ଏଣିକି ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ବୋଲି ଏସ୍ଆର୍ସିଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି। ଭର୍ଚୁଆଲ/ଅନଲାଇନ୍ ମାଧ୍ୟମରେ ବୈଠକ କରିବାକୁ ଉତ୍ସାହିତ କରାଯିବ। ଏହି ଗାଇଡଲାଇନ୍ ଆସିବା ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରି କୁହାଯାଇଛି ଯେ, ଫେବ୍ରୁଆରି ୧ରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ।
ଜାନୁଆରି ମାସରେ ଯେଉଁ ସବୁ କାର୍ଯ୍ୟ ଉପରେ କଟକଣା ଲାଗିଥିଲା ତାହା ଫେବ୍ରୁଆରିେର ବି ବଳବତ୍ତର ରହିବ।