ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀ ଦଳକୁ ଟାର୍ଗେଟ୍ : ବିଧାନସଭାରେ ବିରୋଧୀଙ୍କ ସମ୍ପୂର୍ଣ୍ଣ ଆଚରଣକୁ ଓଡ଼ିଶାବାସୀ ଦେଖିଛନ୍ତି
ବିଧାନସଭାରେ ବ୍ୟୟ ମଞ୍ଜୁରି ବିଲ୍ ପାରିତ
ଭୁବନେଶ୍ବର: ଚଳିତ ବଜେଟ୍ ଅଧିବେଶନରେ ଖର୍ଚ୍ଚଦାବି ଆଲୋଚନା ବେଳେ ବିରୋଧୀ ଦଳର ସଦସ୍ୟମାନେ ଅନୁପସ୍ଥିତ ରହିଲେ। କେବଳ ହଟ୍ଟଗୋଳ, ନାରାବାଜି କରି ଗୃହ ଅଚଳ କରିଦେଲେ। ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା ବିରୋଧୀ ଦଳର ନୈତିକ ଦାୟିତ୍ୱ। ହେଲେ ଗୋଟିଏ ପ୍ରସଙ୍ଗକୁ ନେଇ ସମ୍ପୂର୍ଣ୍ଣ ବଜେଟ୍ ଅଧିବେଶନ ଅଚଳ କରିବା ଦୁର୍ଭାଗ୍ୟଜନକ। ବିରୋଧୀ ମାସେ କାଳ ଅସହଯୋଗ କଲେ। ବିରୋଧୀଙ୍କ ପାଇଁ ଆତ୍ମସମୀକ୍ଷାର ବେଳ। ବିଧାନସଭାରେ ବିରୋଧୀଙ୍କ ସମ୍ପୂର୍ଣ୍ଣ ଆଚରଣକୁ ଓଡ଼ିଶାବାସୀ ଦେଖିଛନ୍ତି। ସମୟ ଆସିଲେ ଉତ୍ତର ଦେବେ। ଆଜି ବ୍ୟୟମଞ୍ଜୁରି ବିଲ୍ ଆଲୋଚନାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀ ଦଳକୁ ଏମିତି ଟାର୍ଗେଟ୍ କରିଛନ୍ତି।
ଦୁର୍ବଳ ମୁଖ୍ୟମନ୍ତ୍ରୀ ବୋଲି ତାଙ୍କୁ ବିରୋଧୀ ଆକ୍ଷେପ କରିବା ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ, ଗତ ସରକାରରେ ତାଙ୍କ ମୁଖ୍ୟମନ୍ତ୍ରୀ ନା ଜଣେ ବିଶେଷ ବାବୁ ସବଳ ଥିଲେ ସମସ୍ତେ ଜାଣିଛନ୍ତି। ବିଶେଷ ବାବୁ ସେତେବେଳେ ଅଧିକ ସବଳ ଥିଲେ ବୋଲି ଲୋକେ ଜାଣିପାରି ତାର ଜବାବ ଦେଲେ। ସେତେବେଳେ ସେହି ବିଶେଷ ବାବୁ ମୁଖ୍ୟମନ୍ତ୍ରୀଙ୍କୁ ଚଳାଉଥିଲେ। ଏବେ ମଧ୍ୟ ସେହି ବିଶେଷ ସବଳ ବାବୁଙ୍କ ଦ୍ୱାରା ସେମାନେ ପରିଚାଳିତ ହେଉଛନ୍ତି ବୋଲି ମୁଁ ଶୁଣିବାକୁ ପାଇଛି। ସେ ପୁଣି ଦିଲ୍ଲୀ, ବମ୍ବେ ଓ ଟୋକିଓରୁ ପରିଚାଳନା କରୁଛନ୍ତି ବୋଲି ଜଣାପଡ଼ିଛି। ସେତେବେଳେ କିଛି ଘଟଣା ଘଟିଲେ ମନ୍ତ୍ରୀମାନଙ୍କୁ ବଳି ପକାଉଥିଲେ। ହେଲେ ପରୀ, ମମିତା, ମହଙ୍ଗା ଡବଲ୍ ମର୍ଡର ଘଟଣାରେ ତାଙ୍କ ନୈତିକତା ଚୁଲିକୁ ଯାଇଥିଲା।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ, ଦୁର୍ବଳ ମୁଖ୍ୟମନ୍ତ୍ରୀ କହି ଅଟ୍ଟହାସ୍ୟ କରିବା କେତେଦୂର ଯୁକ୍ତିଯୁକ୍ତ? ରାଜ୍ୟରେ ୪୦ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକ ଅଛନ୍ତି। ପଛୁଆବର୍ଗଙ୍କ ସଂଖ୍ୟା ୫୪ ପ୍ରତିଶତ। ରାଜ୍ୟରେ ସେହି ଆଦିବାସୀ ବର୍ଗରୁ ପ୍ରତିନିଧିତ୍ୱ କରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ବଳ କହିବା ଦ୍ୱାରା ବିରୋଧୀ ସେହି ବର୍ଗର ସବୁ ଲୋକଙ୍କୁ ଅଟ୍ଟହାସ୍ୟ କରିବା ସହ ସମାନ। ଏସ୍ସିବି ଦୁର୍ଘଟଣାରେ ସରକାର ତ୍ୱରିତ୍ ପଦକ୍ଷେପ ଗ୍ରହଣ କରିଛନ୍ତି। ତଦନ୍ତ ଜାରି ରହିଛି। ଆଗାମୀ ଦିନରେ ମଧ୍ୟ କଠୋର କାର୍ଯ୍ୟନୁଷ୍ଠାନ ହେବ। ବିଜେଡି ଓ କଂଗ୍ରେସକୁ କଟାକ୍ଷ କରି ମୁଖ୍ୟମନ୍ତ୍ରୀ କହିଲେ, ଉଭୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ଦୁଇ ଭାଇ ପରି ଏବେ ସରକାରକୁ ବିରୋଧ କରୁଛନ୍ତି। ବିଜେଡି ଓ କଂଗ୍ରେସ ଦୁଇ ଭାଇ ଲୋୟର ପିଏମ୍ଜିରେ ବି ଏକାଠି ଶକ୍ତି ପ୍ରଦର୍ଶନ କରିଛନ୍ତି। ଦୁଇ ଭାଇ ଏକାଠି ହେବା ଗଣତନ୍ତ୍ର ପାଇଁ ଶୁଭ ସୂଚନା। ଏକାଠି ହେବା ପୂର୍ବରୁ ନିଜ ବିଧାୟକ, ବିଧାୟିକାଙ୍କୁ ବିଶ୍ୱାସକୁ ନେଇଥିଲେ ସେମାନେ ଦଳଠାରୁ ଦୁରେଇ ନ ଥାନ୍ତେ। ଦୁଇ ଦଳ ମିଶିଗଲେ, ହେଲେ ୧୧ ବିଧାୟକଙ୍କ ବିଶ୍ୱାସ ଜିତି ପାରିଲେ ନାହିଁ।
ଶ୍ରୀ ମାଝୀ କହିଲେ, ଆମ ସରକାରଙ୍କ ଦ୍ୱାରା ଆଗତ ୨୦୨୬-୨୭ ବାର୍ଷିକ ବଜେଟ୍ ଗରିବ, ଯୁବଶକ୍ତି, ଅନ୍ନଦାତା ଏବଂ ନାରୀଶକ୍ତିଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ସହିତ ରାଜ୍ୟର ସାଢେ ଚାରି କୋଟି ଜନସାଧାରଣଙ୍କ ସାମାଜିକ, ଅର୍ଥନୈତିକ ତଥା ସାମଗ୍ରିକ ଉନ୍ନତି ନିମନ୍ତେ ଏକ ଦୃଢ଼ ପଦକ୍ଷେପ ଅଟେ। ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଓଡ଼ିଶାକୁ ଆଗାମୀ ଦିନରେ ସମୃଦ୍ଧ, ସଶକ୍ତ ଏବଂ ସମାବେଶୀ କରିବା ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ଭିତ୍ତିଭୂମି ବିକାଶ, ନଗର ଉନ୍ନୟନ, କୃଷି ଓ ଜଳସେଚନ, ପୁଞ୍ଜି ନିବେଶ, ବନ୍ଦରଭିତ୍ତିକ ଉନ୍ନୟନ, ଶିଳ୍ପାୟନ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ କ୍ରୀଡ଼ା ଭଳି କ୍ଷେତ୍ରଗୁଡ଼ିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଶିକ୍ଷା, ସ୍ୱାସ୍ଥ୍ୟସେବା, ସାମାଜିକ ସୁରକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ସର୍ବାଙ୍ଗୀନ ବିକାଶ ଏବଂ ମହିଳା ଓ ଶିଶୁ କଲ୍ୟାଣ ମାଧ୍ୟମରେ ଓଡ଼ିଶାବାସୀଙ୍କ ପାଇଁ ଏକ ସୁଖପ୍ରଦ ବର୍ତ୍ତମାନ ଓ ସମୃଦ୍ଧ ଭବିଷ୍ୟତ ଗଢ଼ିବା ନିମନ୍ତେ ଅନେକ ପ୍ରଭାବଶାଳୀ ପଦକ୍ଷେପ ନିଆଯାଇଛି।
୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ୍ ଆମେରିକୀୟ ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ୍ ଡଲାରର ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ରଖାଯାଇଛି। ଦେଶର ଜିଡିପିରେ ରାଜ୍ୟର ଅବଦାନକୁ ୩ ପ୍ରତିଶତରୁ ୫ ପ୍ରତିଶତକୁ ବୃଦ୍ଧି କରିବା ସହ ହାରାହାରି ବାର୍ଷିକ ଅଭିବୃଦ୍ଧି ହାରକୁ ୭ ପ୍ରତିଶତରୁ ୯.୫ ପ୍ରତିଶତକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ମୋଟ୍ ୩ ଲକ୍ଷ ୧୦ ହଜାର କୋଟି ଟଙ୍କା ବଜେଟ୍ ଅଟକଳ ହୋଇଛି, ଯାହାକି ବିଗତ ବର୍ଷର ବଜେଟ୍ ଅଟକଳଠାରୁ ପ୍ରାୟ ୭ ପ୍ରତିଶତ ଅଧିକ। ଓଡ଼ିଶାର ବିତ୍ତୀୟ ପରିଚାଳନା ଦେଶବିଦେଶରେ ପ୍ରଶଂସିତ ହୋଇଛି। ନିତି ଆୟୋଗଙ୍କ ଆର୍ଥିକ ସୂଚକାଙ୍କ ରିପୋର୍ଟ ଅନୁଯାୟୀ ଓଡ଼ିଶା ଆର୍ଥିକ ଦୃଷ୍ଟିରୁ ଶ୍ରେଷ୍ଠ ଶୃଙ୍ଖଳିତ ରାଜ୍ୟ ଭାବେ ପରିଗଣିତ ହୋଇଛି। ଯେଉଁ କିଛି ସଦସ୍ୟ ରାଜ୍ୟର ଋଣଭାର ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି, ତାହା ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ।
ବଜେଟ୍ ଅର୍ଥର ବିନିଯୋଗକୁ ନେଇ ଗୃହର କିଛି ସଦସ୍ୟ ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ଯେଉଁ ସନ୍ଦେହ ପ୍ରକଟ କରିଛନ୍ତି, ତାହା ବାସ୍ତବରେ ତଥ୍ୟ ଆଧାରିତ ନୁହେଁ। ଆଜି ସେହି କିଛି ସଦସ୍ୟ-ସଦସ୍ୟାମାନଙ୍କ ଭ୍ରମ ଦୂର କରିବା ପାଇଁ ମୁଁ ବାସ୍ତବ ପରିସଂଖ୍ୟାନ ଓ ସତ୍ୟନିଷ୍ଠ ତଥ୍ୟ ଉପସ୍ଥାପନ କରିବାକୁ ଚାହୁଛି। ପୂର୍ବ ବର୍ଷଗୁଡ଼ିକରେ ପ୍ରକୃତ ଖର୍ଚ୍ଚ ହେବା ପୂର୍ବରୁ ରାଜ୍ୟ କୋଷାଗାରରୁ ବିଭିନ୍ନ ବିଭାଗ କିମ୍ବା ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଦିଆଯାଉଥିଲା। ଏହି ପ୍ରକ୍ରିୟା ଯୋଗୁଁ ବଜେଟ୍ ବ୍ୟବହାରର ପ୍ରତିଶତ ବାସ୍ତବତାଠାରୁ ଅଧିକ ଜଣାପଡ଼ୁଥିଲା। କିନ୍ତୁ ବାସ୍ତବ କ୍ଷେତ୍ରରେ ସେହି ଟଙ୍କା ଖର୍ଚ୍ଚ ହେଉ ନଥିଲା। ବର୍ତ୍ତମାନ ଆମ ସରକାର ଅତ୍ୟାଧୁନିକ ଆର୍ଥିକ ପରିଚାଳନା ପଦ୍ଧତି ଆପଣେଇବା ଫଳରେ ଅର୍ଥ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଠିକ ସମୟରେ ପହଞ୍ଚୁଛି। ଅର୍ଥାତ୍ ପୂର୍ବ ସରକାରଙ୍କ ସମୟରେ ପ୍ରଦର୍ଶିତ ବଜେଟ୍ ଖର୍ଚ୍ଚର ପରିସଂଖ୍ୟାନ ଅତ୍ୟଧିକ ବଢ଼େଇ ଚଢ଼େଇ ଦର୍ଶାଯାଉଥିଲା। ଆମର ବର୍ତ୍ତମାନର ତଥ୍ୟ ଅଧିକ ସ୍ୱଚ୍ଛ, ଠିକ୍ ଓ ବାସ୍ତବ ବଜେଟ୍ ଖର୍ଚ୍ଚର ଏକ ପ୍ରକୃତ ପ୍ରତିଫଳନ ବୋଲି ସେ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଜେଟରେ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଉଲ୍ଲେଖ କରିଥିଲେ।