Odisha news

ଟ୍ରକ୍ ଓ ଅଟୋ ମଧ୍ୟରେ ଚାପି ହୋଇ ଟ୍ରକ୍ ଡ୍ରାଇଭର ମୃତ

0

ଛତ୍ରପୁର  : ଚମାଖଣ୍ଡି ଥାନା ଅଧୀନ ନରେନ୍ଦ୍ରପୁର ଗ୍ୟାସ୍ ଡିପୋ ତଥା ଚକ୍ରପାଣି ସାହୁଙ୍କ ହତା ପରିସରରେ ଏକ ଟ୍ରକ୍ ଓ ଅଟୋ ମଧ୍ୟରେ ଚାପି ହୋଇ ଟ୍ରକ୍ ଡ୍ରାଇଭରଙ୍କ ମୃତୁ୍ୟ ଘଟିଛି । ମୃତ ଟ୍ରକ୍ ଡ୍ରାଇଭର ଜଣକ ଭାବନ୍ଧ ଗ୍ରାମର ସୂର୍ଯ୍ୟ କୁମାର ସାହୁ(୬୫) ବୋଲି ଜଣାପଡିଛି । ମିଳିଥିବା ସୂଚନାନୁସାରେ, ଆଜି ସକାଳ ସମୟରେ ଓଆର୍ୟୁ-୯୧୬୨ ନମ୍ବର ସିମେଣ୍ଟ ବୋଝେଇ ଟ୍ରକ୍କୁ ଡ୍ରାଇଭର ସୂର୍ଯ୍ୟ ପୂଜାପୂଜି କରି ଷ୍ଟ୍ରାଟ୍ କରିଥିଲେ । ଟ୍ରକ୍ଟି ଷ୍ଟ୍ରାଟ୍ ଅବସ୍ଥାରେ ଡ୍ରାଇଭର ଜଣକ ରେଡିଲିଟରରେ ପାଣି ପକାଉଥିଲେ । ହଠାତ୍ ଟ୍ରକ୍ଟି ଗଡି ଯିବାରୁ ମାଲ ବୋଝେଇ ଟ୍ରକ୍ ପାଶ୍ୱର୍ରେ ଥିବା ଗ୍ୟାସ୍ ଡିପୋରେ ଲୋଡିଂ ପାଇଁ ଛିଡା ହୋଇଥିବା ଓଡି୦୭ଡି-୧୯୬୨ ଡାଲା ଅଟୋକୁ ଧକ୍କା ଦେଇଥିଲା ।

ଟ୍ରକ୍ ଡ୍ରାଇଭର ଦୌଡି ଦୌଡି ଟ୍ରକ୍କୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ଟ୍ରକ୍ ଏବଂ ଅଟୋ ମଧ୍ୟରେ ଡ୍ରାଇଭର ସୂର୍ଯ୍ୟ ରହି ଚାପି ହୋଇଥିଲେ । ସେହି ସମୟରେ ଜନଗହଳି ନଥିବାରୁ ଦୁର୍ଘଟଣାରୁ ଡ୍ରାଇଭରକୁ ଉଦ୍ଧାର କରିବା କଷ୍ଟସାଧ୍ୟ ହୋଇଥିଲା । ସୂଚନା ପାଇ କିଛି ସମୟ ପରେ ସ୍ଥାନୀୟ ଲୋକେ ଏବଂ ପୁଲିସ ପହଞ୍ଚି ଆହତ ଡ୍ରାଇଭର ସୂର୍ଯ୍ୟକୁ ଉଦ୍ଧାର କରି ବ୍ରହ୍ମପୁର ମେଡିକାଲକୁ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୧୨୪/୨୦ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯିବ ସହ ଶବକୁ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର ହୋଇଥିଲା ବୋଲି ଚମାଖଣ୍ଡି ଥାନା ଅଧିକାରୀ ସିତାଂଶୁ ଶେଖର ମାନ୍ଧତା ସୂଚନା ଦେଇଛନ୍ତି ।

Leave A Reply