ଚଣ୍ଡିଖୋଲ : ଗୁରୁବାର ଦିନ ଚଣ୍ଡିଖୋଲ ସ୍ଥିତ ବିଜୁ କଲ୍ୟାଣମଣ୍ଡପ ରେ ବଡ଼ଚଣା ପଂଚାୟତ ସମିତିର ୯ମ ବୈଠକ ଅଧ୍ୟକ୍ଷ ଭାଗ୍ୟଧର ମଳିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯାଜପୁର ଲୋକସଭା ସଦସ୍ୟା ଶ୍ରମିଷ୍ଠା ସେଠୀ ଯୋଗଦେଇ ବଡ଼ଚଣାର ପ୍ରଗତି ପାଇଁ ସମସ୍ତ ଜନପ୍ରତିନିଧି ସହାର୍ଯ୍ୟ ସହଯୋଗର ହାତ ବଢାଇବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ଯେଉଁ ବିକାଶଧାରା ଚାଲିଛି ସେହି ବିକାଶ ଧାରାରେ ବଡ଼ଚଣାକୁ ସାମିଲ କରିବା ପାଇଁ ସମସ୍ତ ଜନପ୍ରତିନିଧିମାନଙ୍କର ସାହାର୍ଯ୍ୟ ଓ ସହଯୋଗ କାମନା କରିଥିଲେ ।
ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜନପ୍ରତିନିଧି, ଡ଼ାକ୍ତର, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ପୋଲିସ, ଗଣମାଧ୍ୟମ ପ୍ରତିନିଧି ସମେତ କରୋନା ଯୋଦ୍ଧାମାନଙ୍କର ଯେଉଁ ପରିଶ୍ରମ କରୁଛନ୍ତି ସେଥିପାଇଁ ଶ୍ରୀ ଶତପଥୀ ନିଜର କୃତଜ୍ଞତା ଜଣାଇବା ସହିତ କରୋନାରେ ମୃତୁ୍ୟ ବରଣ କରିଥିବା ଲୋକମାନଙ୍କ ପ୍ରତି ନିଜର ଶୋକ ବ୍ୟକ୍ତ କରିଥିଲେ ।
ସଭା ଆରମ୍ଭରେ ସ୍ୱର୍ଗତ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟର୍ପଣ କରିଥିଲେ । ଆଲୋଚନାରେ ଅଂଶ ଗ୍ରହଣ କରି ବିଭିନ୍ନ ଗ୍ରାମ ପଂଚାୟର ସରପଂଚମାନେ କୋଭିଡ଼-୧୯ର ବ୍ୟାପକ ଅନିୟମିତତା, ରିଲିଫ୍ ବଂଟନରେ ହେରାଫେରି, ପଂଚାୟତରେ ହେଉଥିବା ବିକାଶ ମୁଳକ ଯୋଜନାରେ ବ୍ୟାପକ ଆର୍ଥିକ ଅନିୟମିତତା ବିରୋଧରେ ମତ ପ୍ରକାଶ କରିଥିଲେ । ଚାରିନଙ୍ଗଳ ସମିତି ସଭ୍ୟ ପ୍ରଫୁଲ କୁମାର ଦାସ ନିଜ ପଂଚାୟତରେ ହୋଇଥିବା ଅସ୍ଥାୟୀ ମେଡ଼ିକାଲ କେନ୍ଦ୍ରରେ ବ୍ୟାପକ ଅନିୟମିତତା, ପଂଚାୟତର କୌଣସି ବୈଠକରେ ତାକୁ ନଡ଼ାକିବା ଓ ପଂଚାୟତରେ ହେଉଥିବା ବ୍ୟାପକ ଦୁର୍ନୀତିର ଅଭିଯୋଗ କରିଥିଲେ ।
ସେହିପରି ବିଭିନ୍ନ ପଂଚାୟତର ସରପଂଚ, ସମିତିସଭ୍ୟ ନିଜ ପଂଚାୟତରେ ହେଉଥିବା ଯୋଜନାଗୁଡ଼ିକରେ ବ୍ଲକ୍ ପ୍ରଶାସନ ସହଯୋଗ ନକରିବା ଫଳରେ କାର୍ଯ୍ୟଗୁଡ଼ିକ ସଫଳ ହୋଇପାରୁ ନାହିଁ ବୋଲି ଅଭିଯୋଗ କରିଥିଲେ । ଜନପ୍ରତି ନିଧିମାନଙ୍କୁ ସାମନା କରିନପାରିବାର ସମ୍ବାବନା ଥିବାରୁ ବିଡ଼ିଓ ଜାଣିଶୁଣି ପଂଚାୟତ ସମିତି କାର୍ଯ୍ୟାଳୟ ପରିବର୍ତ୍ତେ ଅନ୍ୟ ସ୍ଥାନରେ ଏହି ବୈଠକ କରାଇଥିବା ବିରୋଧି ସଭ୍ୟମାନେ ଅଭିଯୋଗ କରିଥିଲେ । ସରକାରଙ୍କ ନୀତି ଅନୁସାରେ ପଂଚାୟତ ସମିତି ବୈଠକ ବର୍ଷକୁ ୩ଥର ବସିବାର ବ୍ୟବସ୍ଥା ଥିଲେ ମଧ୍ୟ ବିଡ଼ିଓ ଦୀର୍ଘ ଚାରିବର୍ଷ ମଧ୍ୟରେ ମାତ୍ର ୯ଥର ବୈଠକ ଡ଼ାକି ଦୁର୍ନିତିକୁ ଘଂଟ ଘଉଡ଼ାଉଛନ୍ତି ବୋଲି ଅଭିଯୋଗ ହୋଇଥିଲା ।
ଏହି ବୈଠକକୁ କୌଣସି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ ନକରିବା ଯୋଗୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହିତ ବହୁ ଗଣମାଧ୍ୟମ ପ୍ରତିନିଧିମାନେ ବୈଠକୁ ବର୍ଜନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ଅଜିତ ପ୍ରସାଦ ନାରାୟଣ ଗିରି, ଜିଲାପରିଷଦ ସଭ୍ୟ ଅରବିନ୍ଦ ସାମଲ, ଜିଲାପରିଷଦ ସଭ୍ୟା ବିନୋଦିନୀ ସାହୁ, ସୁମତୀ ବାସ୍କେ, ବିପିନ ବିହାରୀ ଜେନା, ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ାକ୍ତର ରଶ୍ମିରଂଜନ ପଶାୟତ, ଜି.ପି.ଓ ଅମୀୟ ରଂଜନ ନାଥ, ନିରଞ୍ଜନ ସେନାପତି, ବିଦୁ୍ୟତ ବିଭାଗ ଅଧିକାରୀ ଶୈଳେନ୍ଦ୍ର ପଟେଲ, ବନଖଣ୍ଡ ଅଧିକାରୀ ଶଶିଭୁଷଣ ବେହେରା, ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଶୁଶିଲ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ସମେତ ବିଭିନ୍ନ ବିଭାଗର ପ୍ରଶାସନୀକ ଅଧିକାରୀମାନେ ଅନୁପସ୍ଥିତ ଥିବା ଦେଖାଯାଇଥିଲା । ଉପସ୍ଥିତ ଜନପ୍ରତିନିଧିମାନଙ୍କର ଭିତରେ ଆରୋପ ପ୍ରତ୍ୟାରୋପ ମଧ୍ୟରେ ବୈଠକ ଶେଷ ହୋଇଥିଲା ।