ଧର୍ମଶାଳା ଭବନରେ ବେଆଇନ ବେଲେବେଲେ ଢାବା : ଅନୈତିକ କାର୍ଯ୍ୟର ଗୁମର ଖୋଲୁଛି ! ଜିତୁଙ୍କ ସପୃକ୍ତି ନେଇ ଚର୍ଚ୍ଚା, ବିନା ଚୁକ୍ତିପତ୍ରରେ ଢାବା ଚାଲିଥିଲେ ବି କାହିଁକି ଚୁପଥିଲା ବ୍ଳକ ପ୍ରଶାସନ
ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ନିକଟ ନେଉଳପୁର ମୌଜାର ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ରହିଛି ଧର୍ମଶାଳା ଭବନ! କୋଟି କୋଟି ସରକାରୀ ଅନୁଦାନରେ ଏହି ଭବନ ନିର୍ମାଣ ହୋଇଛି! ବିଶେଷକରି ସାଂସଦ ଓ ବିଧାୟକଙ୍କ ଉନ୍ନୟନ ପାଣ୍ଠି ସହିତ ମୋ ଗାଁ ମୋ ବିକାଶ ଯୋଜନାର ଅନୁଦାନ ଅର୍ଥ ବିନିଯୋଗ ହୋଇଛି ଏହି ଭବନର ନିର୍ମାଣରେ! ଧର୍ମଶାଳା ବ୍ଳକ ପ୍ରଶାସନ ଏହାକୁ ନିଜର ସମ୍ପତ୍ତି ବୋଲି କହିଛି! ତେବେ ନିଶିଦ୍ଧ ଗୋଚର ଜମି ଉପରେ ସରକାରୀ ଅର୍ଥ ବିନିଯଗ କରାଯାଇ ଏହାର ନିର୍ମାଣ ହୋଇଥିଲେ ବି ପ୍ରଶାସନ ତାହାକୁ କିପରି ସ୍ୱାକୃତୀ ଦେଇଥିଲା ତାହା ଏବେ ପ୍ରଶ୍ନ ହୋଇଛି! ଏହାକୁ ଛାଡିଲେ ସରକାରୀ ଅର୍ଥରେ ଏହି ଭବନ ପରିସରରେ ସମ୍ପୂର୍ଣ୍ଣ ବେଆଇନ ଭାବେ ବେଲେବେଲେ ନାମରେ ଏକ ଢାବା ଓ ଶୀତତାପ ନିୟନ୍ତ୍ରିତ ହୋଟେଲ ମଧ୍ୟ ନିର୍ମାଣ ହୋଇଛି! ସବୁଠାରୁ ଗହିର୍ତ କଥା କି ବିନା କୌଣସି ସରକାରୀ କାଗଜପତ୍ର ବା ବିନା ଚୁକ୍ତିନାମାରେ ଭବନ ପରିସରରେ ନିର୍ମାଣ ହୋଇଥିବା ଏହି ଢାବାକୁ ଧର୍ମଶାଳାର ପ୍ରାକ୍ତନ ବିଧାୟକ ଜିତୁଙ୍କର ଜଣେ ଅତି ନିଜର ଅଭିନେତ୍ରୀ ତଥା ବିଜେଡି ନେତ୍ରୀଙ୍କୁ ବ୍ୟବସାୟ କରିବାକୁ ଦିଆଯାଇଥିଲା ବେଳେ ତାହାକୁ ମଧ୍ୟ ବ୍ଳକ ପ୍ରଶାସନ ଆଖିବୁଜି ଦେଇଥିବା ଜଣାପଡିଛି! ସ୍ଥାନୀୟ ଅଞ୍ଚଳ ଅଧିବାସୀ ତଥା ଗରିବ ଲୋକମାନଙ୍କ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସରକାରୀ ଅର୍ଥରେ ନିର୍ମାଣ ହୋଇଥିବା ଏହି ଭବନ ଦୀର୍ଘ ଦିନହେବ କେତେକ ମାଫିଆ ଓ ବଡବଡିଆଙ୍କ ଆରାମ ଅଏସ ପାଇଁ ବ୍ୟବହାର ହେଉଥିବା ବେଳେ ସେଠାରେ ବହୁ ପ୍ରକାର କେଳେଙ୍କାରି ଚାଲି ଆସୁଥିବାର ଗୁମର ଏବେ ଖୋଲିଛି! ଏଥିନେଇ ବହୁବାର ସ୍ଥାନୀୟ ଲୋକେ ପୂର୍ବତନ ବିଧାୟକ ଜିତୁ ଓ ବ୍ଳକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେଥିନେଇ କେହି କର୍ଣ୍ଣପାତ କରିନଥିବା ଅଭିଯୋଗ ହୋଇଛି! ଏ ସମ୍ପର୍କରେ ଗତ ୨୮ ତାରିଖ ଦିନ ଧର୍ମଶାଳାର ନବ ନିର୍ବାଚିତ ବିଧାୟକ ହିମାଂଶୁ ଶେଖର ସାହୁ ବ୍ଳକରେ ପହଞ୍ଚି ବିଭିନ୍ନ କାର୍ଯ୍ୟର ସମିକ୍ଷା କରିବା ସମୟରେ ଏହି ଭବନର ନିର୍ମାଣ ଓ ତାହାର ଆୟବ୍ୟୟ ସମ୍ପର୍କରେ ବିଡିଓଙ୍କୁ ତଥ୍ୟ ମାଗିଥିଲେ! ତେବେ ଏଥିନେଇ ବିଡିଓ ବିଧାୟକଙ୍କୁ କୌଣସି ତଥ୍ୟ ଦେଇପାରି ନଥିବେଳେ ବିନା ସରକାରୀ ଚୁକ୍ତିନାମାରେ ଧର୍ମଶାଳା ଭବନ ପରିସରରେ ସମ୍ପୂର୍ଣ୍ଣ ବେଆଇନ ଭାବେ ବେଲେବେଲେ ଢାବା ଓ ହୋଟେଲ ଚାଲିଥିବା ଜଣାପଡିଥିଲା! ଏହି କଥା ପଦାକୁ ଆସିବାପରେ ତିନିଦିନ ମଧ୍ୟରେ ସେହି ବେଆଇନ ଢାବା ଓ ହୋଟେଲକୁ ବନ୍ଦ କରି ସରକାରୀ ସମ୍ପତିକୁ ସୁରକ୍ଷିତ ରଖିବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ! ଫଳରେ ୨୮ ତାରିଖ ଦିନ ବ୍ଳକ ପ୍ରଶାସନ ଏହି ଢାବାକୁ ସିଲ କରିବାକୁ ନିର୍ଦ୍ଦେଶ ଦେଇ ଲଟକାଯାରୀ କରିବା ସହ ଢାବା ଓ ହୋଟେଲକୁ ଖାଲିକରି ଦେବାକୁ ନିର୍ଦ୍ଦେଶ ଦେଇଥିଲେ! ବ୍ଳକ ପ୍ରଶାସନର ନିର୍ଦ୍ଦେଶ ପରେ ୨୯ ତାରିଖ ସକାଳୁ ହୋଟେଲ ମାଲିକ ତାଙ୍କର ଆସବାବ ପତ୍ର ବାହାରକୁ ବୋହିନେଉଥିବା ଦେଖାଯାଇଥିଲା! ହେଲେ ସେ ଏଠାରେ ଦୀର୍ଘ ଦିନ ବ୍ୟବସାୟକରି ଲକ୍ଷଲକ୍ଷ ଟଙ୍କା ହାତେଇଥିଲେ ମଧ୍ୟ ଭଡା ବାବଦରେ କେତେଟଙ୍କା କାହାକୁ ଦେଇଛନ୍ତି ବା ବିନା ଭଡାରେ ବ୍ୟବସାୟକରି ଏବେ ଜାଗା ଛାଡି ପଳାଇ ଯିବାକୁ ବସିଛନ୍ତି ସେ ସମ୍ପର୍କରେ ଧର୍ମଶାଳା ବିଡିଓ ବା ହୋଟେଲ ମାଲିକଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ! ତେବେ ଦୀର୍ଘ ଦିନହେବ ଏହି ଢାବା ଓ ହୋଟେଲରେ ରଙ୍ଗଶାଳା ହସ ବହୁ ଅନୈତିକ କାର୍ଯ୍ୟ ଚାଲି ଆସୁଥିବା ସାଙ୍ଗକୁ ହୋଟେଲ ମାଲିକ ଏ ବାବଦରେ ଲକ୍ଷ ଲକ୍ଷ ଟଙ୍କା କମାଉଥିବା ଲୋକେ ଅଭିଯୋଗ କରି ଏହା କାହା ଇଙ୍ଗିତରେ ଚାଲିଗଲା ଓ ଏହାକୁ କିଏ ସୁରକ୍ଷା ଦେଉଥିଲା ବୋଲି ପ୍ରଶ୍ନ କରିଛନ୍ତି! ଏହି ଭବନ ନିର୍ମାଣରେ କୋଟିକୋଟି ଟଙ୍କାର ସରକାରୀ ଅର୍ଥ ବିନିଯୋଗ ହେବା ଠାରୁ ଆରମ୍ଭ କରି ନିଜ ଲୋକଙ୍କୁ ଭବନ ଓ ଢାବାରେ ବ୍ୟବସାୟ ପାଇଁ ସୁଯୋଗ ଦେବା ପର୍ଯ୍ୟନ୍ତ ସବୁକିଛି ପ୍ରାକ୍ତନ ବିଧାୟକ ଜିତୁ ଓରଫ ପ୍ରଣବକୁମାର ବଳବନ୍ତରାୟଙ୍କ ଇଙ୍ଗିତରେ ଚାଲିଥିଲା ଓ ସେ ହିଁ ଏହି ବେଆଇନ କାରବାରର ମୁଖ୍ୟ କାର୍ପଟଦାର ବୋଲି ଏବେ ବିଧାୟକ ହିମାଂଶୁ ଶେଖର ସାହୁ ଓ ସ୍ଥାନୀୟ ବହୁ ଜନ ପ୍ରତିନିଧି ସିଧାସଳଖ ଅଭିଯୋଗ କରିଛନ୍ତି! ତେବେ ନିଜ ଅକ୍ତିଆରରେ ଥିବା ସରକାରୀ ସମ୍ପତ୍ତିର ଦୁରୁପଯୋଗ ହେବା ଓ ସେଠାରେ ଏତେସବୁ କେଳେଙ୍କାରି ତଥା ବେଆଇନ କାର୍ଯ୍ୟ ଚାଲିଥିଲେ ବି ତାହା କିପରି ଧର୍ମଶାଳା ବିଡିଓଙ୍କ ନଜରକୁ ଆସୁନଥିଲା ନା ସେ ସବୁକିଛି ଅଜଣା ସାଜିଥିଲେ ବୋଲି ଅଭିଯୋଗ ହୋଇଛି! ଏହି ଘଟଣାର ଉପଯୁକ୍ତ ତଦନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି! ଯାହାକୁ ନେଇ ଏବେ ସମଗ୍ର ଯାଜପୁର ଜିଲ୍ଲାର ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି ହୋଇଛି!