ଜଳ ବିଭାଜିକା ବିଭାଗରେ ବଡ଼ ଘୋଟାଲା: ଫାର୍ମପଣ୍ଡ୍ ନାମରେ ସରକାରୀ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ହଡପ ! ନିରାପତ୍ତା ରକ୍ଷୀ ଓ ଏମବିକେ ସାଜିଛନ୍ତି ଶ୍ରମିକ
ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଜଳ ବିଭାଜିକା ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦ୍ଵାରା ସଂଖ୍ୟାଧିକ ଫାର୍ମ୍ ପଣ୍ଡ୍(ବଗିଚା ପୋଖରୀ) ଖନନ ନାମରେ ବଡ ଘୋଟାଲା ହୋଇଥିବା ଆରଟିଆଇ ତଥ୍ୟରୁ ଜଣାପଡିବା ପରେ ଘଟଣାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି! ସରକାରୀ ରାଜକୋଷରୁ ଏହି ପୋଖରୀ ଖନନ ପାଇଁ ବ୍ୟୟ ହୋଇଛି ଲକ୍ଷ ଲକ୍ଷ ଟଙ୍କା କିନ୍ତୁ ପୋଖରୀର ଚିହ୍ନବର୍ଣ ନଥିବା ଦେଖାଯାଉଛି! କେଉଁଠି ମେସିନ୍ ଦ୍ବାରା ନାମକୁ ମାତ୍ର ଖନନ କରାଯାଇ ସେହି ବାବଦ ଅର୍ଥକୁ ହିତାଧିକାରୀ ଏବଂ ବିଭାଗୀୟ ଅଧିକାରୀ ମାନେ ମିଳିମିଶି ଚଳୁ କରି ଦେଇଛନ୍ତି ତ କେଉଁଠି ଜମାରୁ କାମ ହୋଇନଥିବା ଅଭିଯୋଗ ହୋଇଛି ! ହାତରେ କେବେ କୋଦାଳ କି ଝୁଡ଼ି ଧରି ନ ଥିବା ବଡ଼ବଡ଼ିଆ ଲୋକଙ୍କୁ ଏଥିରେ ହିତାଧିକାରୀ ଆଉ ସେମାନେ ଓ ସେମାନଙ୍କ ପରିବାର ସଦସ୍ୟ ମାନେ ବି ପୋଖରୀ ଖୋଳିଥିବା ଦର୍ଶାଇ ମନରେଗା ଜବକାର୍ଡ଼ ମାଧ୍ୟମରେ ନେଇଛନ୍ତି ହଜାର ହଜାର ଟଙ୍କାର ମଜୁରୀ ! ଏପରିକି ବେସରକାରୀ ସସ୍ଥାରେ ନିରପତ୍ତା ରଖୀଥିବା ଓ ମିଶନଶକ୍ତିରେ ଏମବିକେ ଥିବା ବ୍ୟକ୍ତି ବିଶେସଙ୍କୁ ଏଥିରେ ଶ୍ରମିକ ସଜାଯାଇଛି!
ଜଳ ବିଭାଜିକା ବିଭାଗର କ୍ଷେତ୍ର କର୍ମଚାରୀଙ୍କ ଠାରୁ ନେଇ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ହିତାଧିକାରୀ ମିଳିମିଶି ସରକାରୀ ଅର୍ଥ ଚଳୁ କରିଥିବା ଜଣାପଡିଛି! ଏଭଳି କିଛି ବାସ୍ତବ ଘଟଣା ୨୦୨୦ରୁ ୨୦୨୨ମସିହା ମଧ୍ୟରେ ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିତଳ ପଞ୍ଚାୟତର ବାଘୁଆ ଓ ତେଲିଗଡ଼ ଗ୍ରାମରେ ହୋଇଥିବା ଜଣାପଡିଛି! ଅଭିଯୋଗ ଅନୁସାରେ ବାଘୁଆ ଗ୍ରାମର ଧୀରେନ୍ଦ୍ର ସାମଲ, ବିଜୟ ସାମଲ, ସଂଗ୍ରାମ ସାମଲ ଓ ପ୍ରଶାନ୍ତ ରାଉତଙ୍କ ସମେତ ତେଲିଗଡ଼ ଗ୍ରାମର ସୁରେଶ ଶୁକ୍ଳ ଓ ଇନ୍ଦୁମତି ଶତପଥୀଙ୍କ ନାମରେ ଫାର୍ମ୍ ପଣ୍ଡ୍(ବଗିଚା ପୋଖରୀ) ଖନନ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା ! ଧୀରେନ୍ଦ୍ର ଓ ବିଜୟ ଦୁଇ ଭାଇ ହୋଇଥିବା ବେଳେ ସଂଗ୍ରାମ ହେଉଛନ୍ତି ଉଭୟଙ୍କ ଅନ୍ୟତମ ଭାଇ ସ୍ବର୍ଗତ କ୍ଷିରୋଦ ସାମଲଙ୍କ ପୁଅ ! ସେମାନଙ୍କ ପରିବାରର ୫୦ ବର୍ଷ ତଳୁ ଏକ ବଡ଼ ଗଡ଼ିଆ ରହିଛି ଏବଂ ପ୍ରାୟ ୨୦ବର୍ଷ ତଳେ ଧୀରେନ୍ଦ୍ର ଓ ବିଜୟ ଅଲଗା ହେବା ପରେ ସେହି ଗଡ଼ିଆ ମଝିରେ ଏକ ଛୋଟ ବନ୍ଧ ବାନ୍ଧି ତାହାକୁ ଦୁଇ ଭାଗରେ ବିଭକ୍ତ କରି ଦେଇଛନ୍ତି ! କିନ୍ତୁ ପୁଣି ଫାର୍ମ୍ ପଣ୍ଡ୍ ଯୋଜନାରେ ନୂତନ ପୋଖରୀ ଖନନ ପାଇଁ କାର୍ଯ୍ୟାଦେଶ ନେଇ ସେମାନେ ନିଜେ ଓ ନିଜ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ ପଡୋଶୀ ଗ୍ରାମର କିଛି ବ୍ୟକ୍ତିଙ୍କ ଜବକାର୍ଡ଼ ମାଧ୍ୟମରେ ମନରେଗା ଶ୍ରମିକ ଭାବେ ପୋଖରୀ ଖନନ କାର୍ଯ୍ୟ କରିଥିବା ଦର୍ଶାଇ ମଜୁରୀ ବାବଦ ଅର୍ଥ ଗ୍ରହଣ କରିଛନ୍ତି !
ଏମିତିକି ଧିରେନ୍ଦ୍ରଙ୍କ ପୁଅ ଭୁବନେଶ୍ବରରେ ରହି କୋଚିଂ ନେଉଥିଲେ ବି ବିଜୟ ସାମଲଙ୍କ ପୋଖରୀ ଖନନରେ ସେ ଶ୍ରମିକ ସାଜି ଜବକାର୍ଡ଼ ମାଧ୍ୟମରେ ଦୈନିକ ୨୨୨ ଟଙ୍କା ଲେଖାଏଁ ମଜୁରୀ ବାବଦରେ ହଜାର ହଜାର ଟଙ୍କା ନେଇଥିବା ମନରେଗା ପୋର୍ଟାଲରୁ ପ୍ରମାଣ ମିଳିଛି ! କେବଳ ସେତିକି ନୁହେଁ ଧୀରେନ୍ଦ୍ର ଏକ ଘରୋଇ ସଂସ୍ଥାରେ ଜଣେ ନିରାପତ୍ତା ରକ୍ଷୀ ଭାବେ ନିୟମିତ କାର୍ଯ୍ୟ କରି ଆସୁଥିବା ବେଳେ ତାଙ୍କ ପତ୍ନୀ ସୁଜାତା ସାମଲ ପୁଣି ଚଣ୍ଡିତକ ପଞ୍ଚାୟତର ଏମବିକେ ଚାକିରୀରେ ଥାଇ ଉଭୟ ବି ୨୦୨୧ ଏବଂ ୨୦୨୨ ମସିହାରେ ଅନେକ ଦିନ ଧରି ତାଙ୍କ ପୋଖରୀ ସମେତ ଭାଇ ବିଜୟ ସାମଲଙ୍କ ପୋଖରୀରେ କାମ କରି ହଜାର ହଜାର ଟଙ୍କା ମଜୁରୀ ନେଇଥିବା ଧରାପଡିଛି! କିନ୍ତୁ ବାସ୍ତବ କ୍ଷେତ୍ରରେ କୌଣସି ପୋଖରୀ ଖନନ କରାଯାଇ ନ ଥିବା ବେଳେ ସେମାନଙ୍କ ପରିବାରର ସେହି ପୁରୁଣା ପୋଖରୀକୁ ନୂତନ ଭାବେ ଖନନ ହୋଇଥିବା ଦର୍ଶାଇ ଫାର୍ମ୍ ପଣ୍ଡ୍ ପୋଖରୀ ବାବଦରେ ମୋଟ ୧,୬୬,୨୮୬ ଟଙ୍କା ଏବଂ ଧୀରେନ୍ଦ୍ର ସାମଲଙ୍କ ପୋଖରୀ ବାବଦରେ ମୋଟ ୫୦,୬୧୬ ଟଙ୍କା ସରକାରୀ ତହବିଲରୁ ପ୍ରଦାନ।କରାଯାଇଥିବା ଜଣାପଡିଛି!
ସେହିଭଳି ସଂଗ୍ରାମ ସାମଲଙ୍କ ନାମରେ ଦିଆ ଯାଇଥିବା କାର୍ଯ୍ୟାଦେଶ ଉପରେ ସେ ତିନି ବର୍ଷ ତଳେ ନିଜ ପରିବାରର ଚାଷଜମି ସମେତ ସଂଲଗ୍ନ ସରକାରୀ ଜମିରୁ ବେଆଇନ୍ ଭାବେ ମୋରମ ଏବଂ ମାଙ୍କଡ଼ା ପଥର ଖନନ କରି ତାହାକୁ ପୋଖରୀ ସଦୃଶ ଏକ ବଡ଼ ଗାଡ଼ ଖୋଳି ଦେଇଥିବା ସ୍ଥାନକୁ ମଧ୍ୟ ଫାର୍ମ୍ ପଣ୍ଡ୍ ପୋଖରୀ ବୋଲି ଦର୍ଶାଇ ତାଙ୍କ ନାମରେ ବି ମୋଟ ୬୪,୬୦୨ ଟଙ୍କା ପୈଠ ହୋଇଛି ! ଯେଉଁ ବେଆଇନ୍ ମୋରମ ଏବଂ ମାଙ୍କଡ଼ା ପଥର ଖନନ ନେଇ ପୁଣି ବଡ଼ଚଣା ଥାନାରେ ତାଙ୍କ ନାମରେ ସେତେବେଳେ ଏତଲା ହୋଇଥିଲା ଏବଂ ସେ ବି ଜାମିନରେ ଥିବା ଜଣାଯାଇଛି! ସେହି ବେଆଇନ୍ ଖନନ ସ୍ଥଳକୁ ସରକାରୀ ସ୍ଵୀକୃତି ଦେବାକୁ ଯାଇ ତାହାକୁ ପୋଖରୀ ରୂପ ଦେଇ ତାହା ଉପରେ ସରକାରୀ ତହବିଲରୁ ଅର୍ଥ ଆତ୍ମସାତ କରାଯିବା ଘଟଣା ଏବେ ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ! ସେହିଭଳି ସେହି ଗ୍ରାମର ପ୍ରଶାନ୍ତ ରାଉତଙ୍କ ନାମରେ ଗୋଟିଏ ପୋଖରୀ ଖନନ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା ! କିନ୍ତୁ ସେ ନିଜ ଦଖଲରେ ରଖିଥିବା ଏକ ସରକାରୀ ଜମିରେ ମେସିନ୍ ସାହାଯ୍ୟରେ ମୋଟ ପ୍ରାୟ ୨୦ହଜାର ଟଙ୍କା ବ୍ୟୟ କରି ଏକ ଛୋଟ ଗଡ଼ିଆ ସଦୃଶ ଖୋଳି ତାହାକୁ ପୋଖରୀ ବୋଲି ଦେଖାଇ ସେ ନିଜେ ଓ ନିଜ ପରିବାର ସଦସ୍ୟ ଏବଂ ଅନ୍ୟକିଛି ବ୍ୟକ୍ତି କାମ କରିଥିବା ଦର୍ଶାଇ ମୋଟ ୧,୨୮,୩୮୨ ଟଙ୍କାର ଅର୍ଥରାଶି ଉଠାଇଥିବା ଜଣାପଡିଛି! ସେହିପରି ତେଲିଗଡ଼ ଗ୍ରାମର ସୁରେଶ ଶୁକ୍ଳ ଏବଂ ତାଙ୍କ ବୋହୂ ଇନ୍ଦୁମତି ଶତପଥୀଙ୍କ ନାମରେ ମଧ୍ୟ ଦୁଇଗୋଟି ପୋଖରୀ ଖନନ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା ଏବଂ ସୁରେଶଙ୍କ ପୋଖରୀ ବାବଦରେ ମୋଟ ୧,୫୪,୫୧୨ ଟଙ୍କା ଓ ଇନ୍ଦୁମତି ପୋଖରୀ ବାବଦରେ ମୋଟ ୨,୦୮, ୯୮୦ ଟଙ୍କା ପୈଠ ହୋଇଥିବାର ପ୍ରମାଣ ମିଳିଛି !
କିନ୍ତୁ ମନରେଗା ଯୋଜନାରେ କାମ କରିଥିବା ଦର୍ଶାଇ ଜବକାର୍ଡ଼ ମାଧ୍ୟମରେ ଉଭୟ ସୁରେଶ ଓ ଇନ୍ଦୁମତିଙ୍କ ସମେତ ଅନ୍ୟ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ଦ୍ଵାରା ଦୁଇଟି ପୋଖରୀ ବାବଦରେ ଏହି ଅର୍ଥ ଉଠିଛି!ତେବେ ଏଠାରେ।ଗୋଟିଏ ପୋଖରୀ ଖନନ ହୋଇଥିଲା ବେଳେ ଆଉ ଗୋଟିଏ ପୋଖରୀର ଚିହ୍ନବର୍ଣ ନାହିଁ! କେବଳ ଏଇ କେତେ ଜଣ ନୁହେଁ ଚଣ୍ଡିତଳ ପଞ୍ଚାୟତ ସମେତ ବଡ଼ଚଣା ବ୍ଳକର ବିଭିନ୍ନ ପଞ୍ଚାୟତରେ ବହୁ ବ୍ୟକ୍ତି ଫାର୍ମ୍ ପଣ୍ଡ୍ ଯୋଜନାର ହିତାଧିକାରୀ ସାଜିଛନ୍ତି ଏବଂ ମେସିନ୍ ଦ୍ବାରା କେଉଁଠି ନାମକୁ ମାତ୍ର ପୋଖରୀ ଖନନ ହୋଇଛି ତ ଅଧିକାଂଶ କ୍ଷେତ୍ରରେ ଆଦୌ ଖନନ କରା ନ ଯାଇ ବିଭିନ୍ନ ବ୍ୟକ୍ତି ମନରେଗା ଜବକାର୍ଡ଼ ମାଧ୍ୟମରେ କାମ କରିଥିବା ଦର୍ଶାଇ ସରକାରୀ ଅର୍ଥ ହଡପ କରିନେଇଥିବା ଅଭିଯୋଗ ହୋଇଛି! ଏନେଇ ଉଦୟନାଥ ସାହୁ ଯାଜପୁର ଜିଲ୍ଲାପାଳ ଙ୍କ ନିକଟରେ ତଥ୍ୟଭିତିକ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାଵି କରିବା ପରେ ବଡଚଣାରେ ତନାଘନା ଆରମ୍ଭ ହୋଇଛି!