ଆମ ଭାରତୀୟ ଦେଶୀ ଚିକିତ୍ସାର ଆଦର ଏବେ ବିଦେଶରେ ମଧ୍ୟ ବଢ଼ିବାରେ ଲାଗିଛି। କେବଳ ମନୁଷ୍ୟଙ୍କ ଠାରେ ନୁହେଁ, ବରଂ ବିଦେଶୀ ସେମାନଙ୍କ ପୋଷାଜନ୍ତୁଙ୍କ ଉପରେ ମଧ୍ୟ ଏସବୁର ପ୍ରୟୋଗ କରୁଥିବାର ଦେଖାଯାଉଛି। ଘଟଣାଟି କିଛି ଏଇପରି। ଥାଇଲାଣ୍ଡନିବାସୀ ଥାମ୍ପା ସୁପାମାସ୍ଙ୍କର ବିଲେଇ ରଖିବାରେ ବେଶ୍ ରୁଚି। ଏକାକୀ ରହୁଥିବା ଥାମ୍ପା ୫ ବର୍ଷ ତଳେ ହିଁ ବିଲେଇ ପାଳିବା ଆରମ୍ଭ କରିଥିଲେ। ପୋଷାଜନ୍ତୁ ରଖିବା କିଛି ନୂଆ ଅବା ବିଚିତ୍ର କଥା ନୁହେଁ, ହେଲେ ସେ ନେଇଥିବା ପଦକ୍ଷେପ ପାଇଁ ଏବେ ସୋସିଆଲ୍ ସାଇଟ୍ ଓ ଗଣମାଧ୍ୟମରେ ଜୋର୍ ଚର୍ଚ୍ଚା ଚାଲିଛି। କରୋନା ମହାମାରୀ ପାଇଁ ବର୍ତ୍ତମାନ ସମସ୍ତେ ଭାରତୀୟ ଦେଶୀ ଚିକିତ୍ସାକୁ ଆପଣେଇଛନ୍ତି।
ଇଉରୋପ, ଆମେରିକାରେ ମଧ୍ୟ ଲୋକେ ଏବେ ହଳଦୀ ଖିର ପିଇବାକୁ ପ୍ରାଧାନ୍ୟ ଦେଉଥିବାର ପ୍ରକାଶ। ଥାଇଲାଣ୍ଡ ଗଣମାଧ୍ୟମ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ହଳଦୀ ସମ୍ପର୍କିତ ଅନେକ ଖବର ପ୍ରଚାର କଲା। କିଛିଦିନ ତଳେ ଥାମ୍ପାଙ୍କ ଏଇ ପୋଷା ବିଲେଇର ଲାଞ୍ଜ କ୍ଷତାକ୍ତ ହୋଇଗଲା। ହଳଦୀର ବିଭିନ୍ନ ଗୁଣ ସହ ଏହା କ୍ଷତ ସ୍ଥାନରେ ଔଷଧ ପରି କାମ କରୁଥିବାର ତଥ୍ୟଟି ମଧ୍ୟ ଥାମ୍ପା ଜାଣିଥିଲେ। ମହାମାରୀ କାରଣରୁ ସେ ବିଲେଇକୁ ପଶୁ ଡାକ୍ତରଙ୍କ ପାଖକୁ ନେବାକୁ ଉଚିତ୍ ମଣିନଥିଲେ। ବରଂ ବିଲେଇର କ୍ଷତ ସ୍ଥାନରେ ହଳଦୀର ଲେପ ଲଗାଇଲେ। ହଳଦୀ ଲାଞ୍ଜ ସହ ବିଲେଇର ସମ୍ପୂର୍ଣ୍ଣ ଶରୀରରେ ଲାଗିଲା। ଅଳ୍ପ ଦିନରେ କ୍ଷତ ସ୍ଥାନ ଭଲ ହୋଇଯାଇଥିଲା କିନ୍ତୁ ବିଲେଇର ଶରୀର ରଙ୍ଗ ପୂରା ହଳଦିଆ ବର୍ଣ୍ଣ ହୋଇଯାଇଛି। ସୋସିଆଲ ସାଇଟ୍ରେ ଏଇ ନୂଆ ରଙ୍ଗର ବିଲେଇକୁ ନେଇ ଏବେ ଜୋର୍ ଚର୍ଚ୍ଚା ଧରିଛି।