ତିହିଡି, ୦୮.୦୩(ଯଦୁମଣି ପାଣିଗ୍ରାହୀ): ଅଗ୍ନିକାଣ୍ଡରେ ଜଳିଗଲା ଭେରାଇଟ୍ ଷ୍ଟୋର । ଅଗ୍ନିକାଣ୍ଡ ସ୍ଥଳକୁ ଆସୁଥିବା ମହିଳା ସର୍ପାଘାତରେ ଶିକାର ହୋଇ ମୃତୁ୍ୟବରଣ କଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅନ୍ତର୍ଗତ କୁବେରା ପଞ୍ଚାୟତ ଇଟାଗଡି ଗାଁରେ । ସୂଚନା ମୁତାବକ, ସୋମବାର ରାତି ପ୍ରାୟ ୧୧.୩୦ ଘଟିକାରେ ଏହି ଗାଁର ସୁକାନ୍ତ ବେହେରାଙ୍କ ରାସ୍ତା ପାଖରେ ଏକ କେବିନ୍ ସହ ·ଳଘରେ ନିଆଁ ଲାଗିଥିଲା । ନିଆଁରେ ଭସ୍ମୀଭୁତ ହୋଇଥିଲା ଦୋକାନ ଘରେ ଥିବା ଲକ୍ଷାଧିକ ସାମଗ୍ରୀ । ନିଆଁ ଲାଗିଥିବାର ଦେଖି ସେହି ଗାଁର ସ୍ୱପ୍ନାନନ୍ଦ ବେହେରାଙ୍କ ସ୍ତ୍ରୀ କମଳା ବେହେରା(୩୮) ଡାକହୁରି ପକାଇବା ସହିତ ବାଡି ଭିତରେ ପଶି ଘଟଣାସ୍ଥଳକୁ ଆସୁଥିଲେ । କିଛି ସମୟ ପରେ ତାଙ୍କ ମୁହଁରୁ ଫେଣ ବାହାରିବା ସହିତ ସେ ଗୁରୁତର ହୋଇଯାଇଥିଲେ । ତେବେ ତାଙ୍କ ଗୋଡକୁ ବିଷାକ୍ତ ସାପ କାମୁଥିବା ନେଇ ମହିଳା ଜଣକ ଉପସ୍ଥିତ ଲୋକଙ୍କୁ ସୂଚନା ଦେଇଥିଲେ । ସଂଗେସଂଗେ ତାଙ୍କୁ ସ୍ଥାନୀୟ ଲୋକେ ଚିକିତ୍ସା ଲାଗି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନେଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ସୁକାନ୍ତ ଦୋକାନ ପୋଡି ଯୋଗୁଁ ସର୍ବସ୍ୱାନ୍ତ ହୋଇଥିବା ବେଳେ ସଂପୃକ୍ତ ମହିଳାଙ୍କ ମୃତୁ୍ୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।