ବୁଗୁଡ଼ା : ତା ୨୫/୦୪/୨୨ : ବଢୁଛି ତାତି, ପ୍ରବଳ ଖରା ସାଙ୍ଗକୁ ଝାଞ୍ଜି ପବନରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି l ଏମିତି କଠିନ ପରିସ୍ଥିତିରେ ପିଇବା ପାଣି ସମସ୍ୟା ଯେମିତି କଟା ଘାଆରେ ଚୂନ ସଦୃଶ୍ୟ ପାଲଟିଛି l ଗ୍ରୀଷ୍ମ ପୂର୍ବରୁ ସମସ୍ତ ଗ୍ରାମାଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥାର ସୁବନ୍ଦୋବସ୍ତ କରିବା ପାଇଁ ସରକାରୀ ନିୟମ ରହିଛି l ଘର ମୁହଁରେ ଲୋକଙ୍କୁ ପାନୀୟ ଜଳ ଯୋଗାଇଦେବା ପାଇଁ “ବସୁଧା “ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ପ୍ରଶାସନିକ ସ୍ତରରେ ଆନ୍ତରିକତାର ଅଭାବ ଯୋଗୁଁ ଏ ସବୁ ଯୋଜନା ଏବେ ପ୍ରହସନ ପାଲଟିଛି l ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଚିଲିଖମା ଗ୍ରାମରେ l ବସୁଧା ଯୋଜନାରେ ଦୀର୍ଘ ଦଶ ବର୍ଷ ହେଲା ଓଭର ହ୍ଯାଡ୍ ଟ୍ୟାଙ୍କ୍ ନିର୍ମାଣ ହୋଇଥିଲେ ସୁଦ୍ଧା ଦଶ ବର୍ଷ ଭିତରେ ଲୋକେ ଦଶ ମାସ ବି ପାଣି ପାଇ ନଥିବା ଅଭିଯୋଗ କରିଛନ୍ତି l ଲୋକେ ଅଭିଯୋଗ କଲେ କେବେ ୭ ଦିନ ତ ଆଉ କେବେ ୧୭ ଦିନ ପାଇଁ ପାଣି ଦିଆ ହେଉଥିଲା ବେଳେ ଏବେ ବର୍ଷେ ହେଲା ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଛି l
ପମ୍ପ ହାଉସ ପାଇଁ ବସିଥିବା ଟ୍ରାନ୍ସଫରମର ଉପର ଦେଇ ୭୬୫ କେଭି ବିଦ୍ୟୁତ କ୍ଷମତା ବିଶିଷ୍ଟ ଟାୱାର ଲାଇନ ଯାଇଥିବାରୁ ଉକ୍ତ ଅଞ୍ଚଳ ବିଦ୍ୟୁତ ଚାର୍ଜ ହୋଇଯାଉଥିବା ଫଳରେ ସୁରକ୍ଷା ଦୃଷ୍ଟିରୁ ବିଦ୍ୟୁତ ବିଭାଗ ଦ୍ୱାରା ବର୍ଷେ ହେଲା ବିଦ୍ୟୁତ ସଂଯୋଗ କାଟି ଦିଆ ଯାଇଥିବା ଯୋଗୁଁ ଲୋକେ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି l ପ୍ରାୟ ୪ ଶହ ଜନ ସଂଖ୍ୟା ବିଶିଷ୍ଟ ଚିଲିଖମା ଗ୍ରାମବାସୀଙ୍କ ପାଇଁ ଏବେ ନଳ କୂପ ହିଁ ଏକମାତ୍ର ଭରସା ପାଲଟିଛି l ଗ୍ରାମର ବଡଦାଣ୍ଡରେ ଥିବା ୩ଟି ନଳକୂପ ମଧ୍ୟରୁ ଅଛି ଗୋଟିଏ ଖରାପ ହୋଇ ପଡିଛି l ଗ୍ରାମର ଭାଳୁଆ ସାହି , ବାରି ସାହି, ଧୋବା ସାହିର ପ୍ରାୟ ୨ ଶହ ଲୋକ ମାତ୍ର ୨ଟି ପଥର କୂଅ ଉପରେ ନିର୍ଭର କରୁଛନ୍ତି l
ତେବେ କୂଅରୁ ମଧ୍ୟ ପର୍ଯ୍ୟାପ୍ତ ପାଣି ବାହାରୁ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏ ନେଇ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଜେ. ରାମା ରାଓଙ୍କୁ ପଚାରିବାରେ ସେ ବିଦ୍ୟୁତ୍ ବିଭାଗ ଉପରେ ଦୋଷ ଲଦିଛନ୍ତି l ବିଦ୍ୟୁତ୍ ଟ୍ରାନ୍ସଫରମର ଅନ୍ୟତ୍ର ଘୁଞ୍ଚାଇବା ପାଇଁ ୬ ମାସ ତଳୁ ଆବେଦନ କରାଯାଇଥିଲେ ହେଁ ବିଦ୍ୟୁତ ବିଭାଗ ଆଜି ପର୍ଯ୍ୟନ୍ତ ଏଷ୍ଟିମେଟ ଦେଉ ନଥିବା କହିଛନ୍ତି l ଅନ୍ୟ ପକ୍ଷରେ ବିଦ୍ୟୁତ ବିଭାଗ ଏସଡିଓ ମିତେଶ କୁମାର ପଣ୍ଡା କହିଛନ୍ତି ସେମାନେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ନଦେଇ ଡିଭିଜନ ଅଫିସରେ ଆବେଦନ କରିଛନ୍ତି । ଏଣୁ, ଡିଭିଜନ ଅଫିସରୁ ନିର୍ଦେଶ ଆସିଲେ ଆମେ ଏଷ୍ଟିମେଟ ଦେବୁ l ତେବେ ଦୁଇ ବିଭାଗ ପରସ୍ପର ଉପରେ ଦୋଷ ଲଦାଲଦି ଭିତରେ ପେଷି ହେଉଛନ୍ତି ସାଧାରଣ ଜନତା l ଏନେଇ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।