କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ପ୍ରାକ-ବଜେଟ୍ ପରାମର୍ଶ ବୈଠକ : ସମ୍ବଲପୁରରେ ଏମ୍ସ-୨ ସହ ସୁଭଦ୍ରା ଯୋଜନା ପାଇଁ ଆର୍ଥିକ ସହାୟତା ମାଗିଲେ
ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ-ବଜେଟ୍ ପରାମର୍ଶ ବୈଠକରେ ଓଡିଶାର ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଯୋଗ ଦେଇଥିଲେ । ଆଗାମୀ କେନ୍ଦ୍ର ବଜେଟ୍, ୨୦୨୪-୨୫ ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କ ପରାମର୍ଶ ନେବାକୁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ ଉପମୁଖ୍ୟମନ୍ତ୍ରୀଙ୍କ ସହ ଏହି ବୈଠକରେ ଯୋଗ ଦେଇଥିଲେ । ଓଡ଼ିଶା ପକ୍ଷରୁ ରାଜ୍ୟର ଅର୍ଥନୀତି, ବିକାଶ ପ୍ରସଙ୍ଗକୁ ନେଇ ଏକ ଲିଖିତ ସ୍ମାରକପତ୍ର କେନ୍ଦ୍ର ବଜେଟ୍, ୨୦୨୪-୨୫ ରେ ଉପଯୁକ୍ତ ପଦକ୍ଷେପ ନିମନ୍ତେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ଦାଖଲ କରାଯାଇଥିଲା । ତେବେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଓଡିଶାର ଉପମୁଖ୍ୟମନ୍ତ୍ରୀ ତାଙ୍କ ସଂକ୍ଷିପ୍ତ ବକ୍ତବ୍ୟ ମାଧ୍ୟମରେ ଉପସ୍ଥାପନ କରିଥିଲେ । ଓଡିଶାରେ ଆନ୍ତର୍ଜାତୀୟ ନିବେଶ, ସେମିକଣ୍ଡକ୍ଟର ଶିଳ୍ପକୁ ଆକର୍ଷିତ କରିବା ସହ ଓଡିଶାକୁ ଏକ ନିବେଶ କେନ୍ଦ୍ର ଭାବରେ ଉପଯୁକ୍ତ ପ୍ରୋତ୍ସାହନ ଏବଂ ପାରାଦୀପ ବନ୍ଦରର ସମ୍ପ୍ରସାରଣ ନିମନ୍ତେ କେନ୍ଦ୍ର ସରକାରଙ୍କ ବିଶେଷ ସହାୟତା । ଭିତ୍ତିଭୂମି ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ପୁଞ୍ଜି ନିବେଶ ନିମନ୍ତେ ସ୍ୱତନ୍ତ୍ର ସହାୟତା ଯୋଜନା ୨୦୨୪-୨୫ (ଏସଏସିଆଇ) ଅଧୀନରେ ରାଜ୍ୟକୁ ଅଧିକ ଆବଣ୍ଟନ ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି ।