Odisha news

ବଜେଟ୍‌ ୨୦୨୨-୨୩ : ଭାରତରେ ଯାତ୍ରୀବାହୀ ଟ୍ରେନ୍‌ର ରୂପରେଖ ପରିବର୍ତ୍ତନ କରିବା ଲାଗି ବଜେଟ୍‌ରେ ସ୍ବତନ୍ତ୍ର ଘୋଷଣା

ପରିବହନର ଶକ୍ତି; ରେଳପଥ, ସଡ଼କ, ବନ୍ଦର, ଜଳପଥ ଗୁରୁତ୍ୱ

0

ଭାରତରେ ଯାତ୍ରୀବାହୀ ଟ୍ରେନ୍‌ର ରୂପରେଖ ପରିବର୍ତ୍ତନ କରିବା ଲାଗି ବଜେଟ୍‌ରେ ସ୍ବତନ୍ତ୍ର ଘୋଷଣା କରାଯାଇଛି। ଆସନ୍ତା ତିନି ବର୍ଷରେ ଦେଶରେ ୪୦୦ ଶକ୍ତି ମିତବ୍ୟୟୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ଆରମ୍ଭ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପୂର୍ବରୁ ୧୦୨ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଚଲାଇବା ଯୋଜନା ଥିଲା। ଏହା ବାଦ ଆଉ ୪୦୦ଟି ଟ୍ରେନ୍ ସେଥିରେ ଯୋଡ଼ାଯିବ। ଏହି ଟ୍ରେନ୍‌ଗୁଡ଼ିକୁ ହାଲୁକା ଆଲୁମିନିୟମ୍‌ରେ ପ୍ରସ୍ତୁତ କରାଯିବ। ଆସନ୍ତା ତିନି ବର୍ଷରେ ୧୦୦ ପିଏମ୍ ଗତି ଶକ୍ତି କାର୍ଗୋ ଟର୍ମିନାଲ୍ ବିକଶିତ କରାଯିବ। ଏହା ବ୍ୟତୀତ ଅଭିନବ ଉପାୟରେ ମେଟ୍ରୋ ବ୍ୟବସ୍ଥା ବିକଶିତ କରିବାର ମଧ୍ୟ ଯୋଜନା ରହିଛି। ଚାଷୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ ବିକଶିତ କରାଯାଇଛି। ମାଲ ପରିବହନରୁ ଆୟ ବଢ଼ାଇବା ଲାଗି ରେଳବାଇ ନୂଆ ବ୍ୟବସାୟ ସୁଯୋଗ ହାସଲ କରିବାକୁ ଯାଉଛି। ପାର୍ସଲ ପରିବହନ କରିବା ଲାଗି ଏହା ପୋଷ୍ଟାଲ୍ ରେଲ୍‌ୱେ ଆରମ୍ଭ କରିବ ବୋଲି ବଜେଟ୍‌ରେ ଘୋଷଣା କରାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷା ଲାଗି କାର୍ଯ୍ୟକାରୀ ହୋଇଥିବା ‘କବଚ’ ଏବେ ୨୦୦୦ କିମିରୁ ଅଧିକ ନେଟ୍‌ୱର୍କରେ କାର୍ଯ୍ୟକାରୀ ହୋଇପାରିଛି। ଏହା ହେଉଛି ଏକ ଦୁର୍ଘଟଣା ପ୍ରତିରୋଧୀ ବ୍ୟବସ୍ଥା। ୨୦୨୩ ସୁଦ୍ଧା ୪୪ଟି ବନ୍ଦେ ଭାରତ ଟ୍ରେନ୍ ଚଲାଇବାକୁ ରେଳବାଇ ଯୋଜନା ରଖିଛି। ଆସନ୍ତା ଆର୍ଥିକ ବର୍ଷରେ ରେଳବାଇ ପାଇଁ ୨.୩୮ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଧାର୍ଯ୍ୟ କରାଯାଇଛି।

ସେଥିରୁ ୧ ଲକ୍ଷ କୋଟି ଟଙ୍କା ଅତିରିକ୍ତ ବଜେଟ୍ ସମ୍ବଳ ଜରିଆରେ ଯୋଗାଡ଼ କରାଯିବ। ଗତବର୍ଷ ରେଳବାଇର ପୁଞ୍ଜି ବ୍ୟୟ ଲକ୍ଷ୍ୟ ୨.୧୫ ଲକ୍ଷ କୋଟି ଟଙ୍କା ଥିଲା। ଚଳିତ ଆର୍ଥିକ ବର୍ଷରେ ପରିଚାଳନା ଅନୁପାତକୁ ୯୮.୯୩ ପ୍ରତିଶତରେ ରଖିବାକୁ ରେଳବାଇ ଲକ୍ଷ୍ୟ ଧାର୍ଯ୍ୟ କରିଛି। ରୋଲିଂ ବ୍ୟାକ୍ ଷ୍ଟକ୍ ପ୍ରୋଗ୍ରାମ୍‌ରେ ଆସନ୍ତା ୫ ବର୍ଷରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟ ହେବ। ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ନିର୍ମାଣ କରିବା, ନୂଆ ହାଇ-ପରଫରମାନ୍ସ ‌ମାଲ୍ ପରିବହନକାରୀ ଲୋକୋମୋଟିଭ୍ ଓ ଅନ୍ୟାନ୍ୟ ଉତ୍ପାଦ ବିକଶିତ କରିବାରେ ଏହି ପାଣ୍ଠି ବ୍ୟବହାର କରାଯିବ। ଚଳିତ ଆର୍ଥିକ ବର୍ଷରେ ରେଳବାଇ ୨.୪ ଲକ୍ଷ କୋଟି ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖିଛି ଯାହା ଗତବର୍ଷ ତୁଳନାରେ ୩୮ ହଜାର କୋଟି ଟଙ୍କା ଅଧିକ। ୨୦୨୦ରେ ମହାମାରୀ ବ୍ୟା‌ପିବା ପରଠାରୁ ଯାତ୍ରୀ ପରିବହନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ତେଣୁ ଯାତ୍ରୀବାହୀ ଟ୍ରେନ୍‌ରୁ ରେଳବାଇ ୫୮,୫୦୦ କୋଟି ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖିଛି। ଗତ ଆର୍ଥିକ ବର୍ଷର ଲକ୍ଷ୍ୟ ତୁଳନାରେ ଏହା ୧୪ ହଜାର କୋଟି ଟଙ୍କା ଅଧିକ। ମାଲ ପରିବହନରୁ ରେଳବାଇ ୧.୬୫ ଲକ୍ଷ କୋଟି ଟଙ୍କା ଆୟ କରିବା ଲକ୍ଷ୍ୟ ରଖିଛି। ଚଳିତ ଆର୍ଥିକ ବର୍ଷରେ ଏହା ମାଲ ପରିବହନରୁ ୧.୪୫ ଲକ୍ଷ କୋଟି ଟଙ୍କା ଆୟ କରିବ ବୋଲି ସଂଶୋଧିତ ଆକଳନରେ ପ୍ରକାଶ କରାଯାଇଛି।

ସେନ୍‌ସେକ୍ସରେ ୮୪୮ ପଏଣ୍ଟ୍‌ ବୃଦ୍ଧି
ବଜେଟ୍‌ରେ ହୋଇଥିବା ବିଭିନ୍ନ ଘୋଷଣା‌ରେ ଉତ୍ସାହିତ ହୋଇ ନିବେଶକମାନେ ବିଭିନ୍ନ କଂପାନିର ସେୟାର କିଣିବାରୁ ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ଆଜି ୮୪୮ ପଏଣ୍ଟ୍‌ ବୃଦ୍ଧି ପାଇ ୫୮,୮୬୩ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେହିପରି, ନ୍ୟାସନାଲ୍‌ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ୨୩୮ ପଏଣ୍ଟ୍‌ ବୃଦ୍ଧି ପାଇ ୧୭,୩୪୦ ପଏଣ୍ଟ୍‌ରେ ବନ୍ଦ ହୋଇଛି।

 ୩ ବର୍ଷରେ ଆସିବ ୪୦୦ ବନ୍ଦେ ଭାରତ ଏକ୍ସପ୍ରେସ୍
 ଚାଷୀଙ୍କ ପାଇଁ ‘ୱାନ୍ ‌ଷ୍ଟେସନ୍, ୱାନ୍ ପ୍ରଡକ୍ଟ’
 ପୋଷ୍ଟାଲ୍‌ ଟ୍ରେନ୍ ଚଳାଚଳ କରିବ
 ପିଏମ୍‌ ଗତି ଶକ୍ତିର ସାତଟି ଇଞ୍ଜିନ ହେଉଛି ସଡ଼କ, ରେଳପଥ, ବିମାନବନ୍ଦର, ବନ୍ଦର, ସାର୍ବଜନୀନ ପରିବହନ, ଜଳପଥ ଓ ଲଜିଷ୍ଟିକ୍ସ ଭିତ୍ତିଭୂମି।
 ଏକ ଜାତୀୟ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି ଯାହାର ଲକ୍ଷ୍ୟ ହେଉଛି ବିଶ୍ବସ୍ତରୀୟ ଆଧୁନିକ ଭିତ୍ତିଭୂମି ଓ ଲଜିଷ୍ଟିକ୍ସ ବ୍ୟବସ୍ଥା ବିକଶିତ କରିବା
 ଏକ୍ସପ୍ରେସ୍‌ୱେ ପାଇଁ ମାଷ୍ଟର୍‌ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ୨୦୨୨-୨୩ ସୁଦ୍ଧା ୨୫,୦୦୦ କିମି ଜାତୀୟ ରାଜପଥ କାର୍ଯ୍ୟ ଶେଷ କରାଯିବ
 ଲଜିଷ୍ଟିକ୍ସ ବ୍ୟବସ୍ଥା ସହ ଯୋଡ଼ି ହୋଇଥିବା ସମସ୍ତ ପକ୍ଷଙ୍କ ମଧ୍ୟରେ ତଥ୍ୟର ଆଦାନପ୍ରଦାନ ଲାଗି ଏକ ୟୁନିଫାଏଡ୍‌ ଲଜିଷ୍ଟିକ୍ସ ଇଣ୍ଟରଫେସ୍ ପ୍ଲାଟଫର୍ମ ପ୍ରସ୍ତୁତ କରାଯିବ
 ଯାତ୍ରୀଙ୍କ ନିରବଚ୍ଛିନ୍ନ ଗମନାଗମନ ପାଇଁ ଓପୋନ୍ ସୋର୍ସ ମୋବିଲିଟି ଷ୍ଟାକ୍ ବ୍ୟବସ୍ଥା କରାଯିବ
 ୨୦୨୨-୨୩ରେ ପିପିପି ମୋଡ୍‌ରେ କାର୍ଯ୍ୟକାରୀ ହେବା ଲାଗି ୪ଟି ମଲ୍‌ଟିମୋଡାଲ୍ ଲଜିଷ୍ଟିକ୍ସ ପାର୍କର କାର୍ଯ୍ୟବରାଦ ଦିଆଯିବ
 ପାର୍ସଲ୍ ପରିବହନ ପାଇଁ ଡାକ ଓ ରେଳ ନେଟ୍‌ୱର୍କ ମଧ୍ୟରେ ସମନ୍ବୟ ସ୍ଥାପନ କରାଯିବ
 ରେଳ ଷ୍ଟେସନ ଓ ସାର୍ବଜନୀନ ଗମନାଗମନ ମଧ୍ୟରେ ସମନ୍ବୟ ସ୍ଥାପନ କରାଯିବ
 ପାରମ୍ପରିକ ସଡ଼କର ବିକଳ୍ପ ଭାବେ ଜାତୀୟ ରୋପ୍‌ୱେ ‌ବିକାଶ ଯୋଜନା ପ୍ରସ୍ତୁତ କରାଯିବ
 ଭିତ୍ତିଭୂମି ପ୍ରକଳ୍ପର ଦକ୍ଷତା ଗଠନ କରାଯିବ।

Leave A Reply