ଆଜିଠୁ ଆରମ୍ଭ ହେଉଛି ବଜେଟ ଅଧିବେଶନ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ସାଧାରଣ ବଜେଟ୍ ଉପସ୍ଥାପନ କରିବେ
ନୂଆଦିଲ୍ଲୀ : କରୋନା ମହାମାରୀର ଦ୍ବିତୀୟ ଲହର ପ୍ରଭାବ ଜାରି ରହିଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ସାଧାରଣ ବଜେଟ୍ ଉପସ୍ଥାପନ କରିବେ। ବେକାରୀ ସମସ୍ୟା, ଅର୍ଥନୀତିରେ ମାନ୍ଦାବସ୍ଥା, ଗାଡ଼ି ଶିଳ୍ପରେ ଚିପ୍ ଅଭାବ, ଲୋକମାନଙ୍କ ଆୟରେ ହ୍ରାସ ଓ ବହୁ ସାମଗ୍ରୀର ଦରଦାମ୍ ବୃଦ୍ଧି ଭଳି ଅର୍ଥନୀତିରେ ଅନେକ ଆହ୍ବାନ ରହିଛି। ଏଭଳି ଏକ ଗମ୍ଭୀର ସମୟରେ ବଜେଟ୍ରୁ ଲୋକମାନେ ବହୁତ କିଛି ଆଶା କରୁଛନ୍ତି। ବେତନଭୋଗୀମାନେ ଆୟକର ଛାଡ଼ ସୀମା କୋହଳ ହେବା କିମ୍ବା କିଛି ଅତିରିକ୍ତ ସୁବିଧା ମିଳିବ ବୋଲି ଚାହିରହିଛନ୍ତି। ଅର୍ଥନୀତିରେ ସୁଧାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ଭିତ୍ତିଭୂମି, ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଗ୍ରାମୀଣ ବିକାଶ, ରୋଜଗାର, ପାନୀୟ ଜଳ ଆଦି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ସରକାର ବ୍ୟୟବରାଦ ବଢ଼ାଇବେ ବୋଲି ଆଶା କରାଯାଉଛି।
ତେବେ ମିଳିଥିବା ସୂଚନା ଅନୁଯାୟୀ ବଜେଟରେ ଖର୍ଚ ଉପରେ ଅଧିକ ଦିଆଯାଇପାରେ। ବିଭିନ୍ନ ରାଜ୍ୟରେ ହେଉଥିବା ନିର୍ବାଚନ ପରିପ୍ରେକ୍ଷୀରେ ସରକାର ଏଭଳି ଲୋକାଭିମୁଖୀ ପଦକ୍ଷେପ ନେଇପାରନ୍ତି। ଏଥର ବଜେଟ୍ ବ୍ୟୟବରାଦ ୧୪% ବୃଦ୍ଧି ପାଇ ୩୯.୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି କୁହାଯାଉଛି। ଅର୍ଥମନ୍ତ୍ରୀ ଏଥର ବଜେଟ୍ରେ ଟିକସ ହାରଗୁଡ଼ିକରେ ବିଶେଷ ପରିବର୍ତ୍ତନ କରିବେ ନାହିଁ। ସରକାରୀ ସମ୍ପତ୍ତି ବିକ୍ରି, ପୁଞ୍ଜିପ୍ରତ୍ୟାହାର ଏବଂ ଋଣ ଜରିଆରେ ପାଣ୍ଠି ଯୋଗାଡ଼ କରିବା ଉପରେ ବଜେଟ୍ରେ ଅଧିକ ଗୁରୁତ୍ବ ଦିଆଯିବାର ସମ୍ଭାବନା ରହିଛି।
ପୂର୍ବବର୍ଷ ଭଳି ଆସନ୍ତା ଆର୍ଥିକ ବର୍ଷରେ ମଧ୍ୟ ବ୍ୟୟ ବଢ଼ାଇବାକୁ ସରକାର ଭୟ କରିବେ ନାହିଁ। ବିତ୍ତୀୟ ନିଅଣ୍ଟକୁ ଜିଡିପିର ୬% ମଧ୍ୟରେ ସୀମିତ ରଖିବାକୁ ପ୍ରୟାସ କରାଯିବ। ନିଯୁକ୍ତି ସୃଷ୍ଟି କରିବା ଲାଗି ଯେଉଁ ସବୁ କ୍ଷେତ୍ରରେ ସମ୍ଭବ ସେଥିରେ ବ୍ୟୟବରାଦ ବଢ଼ାଇବା ଉପରେ ସରକାର ଗୁରୁତ୍ବ ଦେବେ। କ୍ରିପ୍ଟୋକରେନ୍ସିକୁ ନେଇ ମଧ୍ୟ ବଜେଟ୍ରେ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି।
ଦେଶର କିଛି ଗୁରୁତ୍ବପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ବଜେଟ୍ ଜରିଆରେ ସରକାର କିଛି ଜନହିତକର ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି। ବିଶେଷ କରି ଚାଷୀ ବର୍ଗଙ୍କୁ ଖୁସି କରିବା ଲାଗି ଏଥର ବଜେଟ୍ରେ ସ୍ବତନ୍ତ୍ର ଘୋଷଣା ହେବାର ସମ୍ଭାବନା ରହିଛି। କାରଣ କୃଷକ ଆନ୍ଦୋଳନ ପରିପ୍ରେକ୍ଷୀରେ ସରକାର କୃଷି ଆଇନଗୁଡ଼ିକୁ ପ୍ରତ୍ୟାହାର କରି ବ୍ୟାକ୍ଫୁଟ୍ରେ ଅଛନ୍ତି। ବିରୋଧୀ ଦଳଗୁଡ଼ିକ ତାହାକୁ ବିଜେପି ସରକାରଙ୍କ ବିରୋଧରେ ବ୍ୟବହାର କରିବାକୁ ପଛାଉ ନାହାନ୍ତି। ଅନ୍ୟପକ୍ଷରେ, ଦେଶରେ ଘରୋଇ ନିବେଶ ବଢ଼ାଇବା ଲାଗି କର୍ପୋରେଟ୍ ଜଗତ ପାଇଁ କିଛି ସ୍ବତନ୍ତ୍ର ଘୋଷଣା କରାଯାଇପାରେ। ଷ୍ଟକ ବଜାର ନିବେଶକମାନଙ୍କ ଲାଗି କିଛି ଟିକସ ଉଚ୍ଛେଦ କରାଯାଇପାରେ। ଭାରତକୁ ଆତ୍ମନିର୍ଭର କରିବା ଲାଗି ସରକାର ମାନୁଫାକ୍ଚରିଂ କ୍ଷେତ୍ରକୁ ବିଶେଷ ଗୁରୁତ୍ବ ଦେବେ। ଏହା ସହିତ ସେବା ଓ କୃଷି କ୍ଷେତ୍ର ମଧ୍ୟ ସମାନ ଗୁରୁତ୍ବ ପାଇବ। ଗ୍ରାମାଞ୍ଚଳର ଲୋକମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଲାଗି ମନରେଗା ଭଳି ସ୍କିମ୍ ପାଇଁ ଅଧିକ ବ୍ୟୟବରାଦ କରାଯାଇପାରେ। ଚୀନ୍ ସହିତ ସୀମାରେ ବିବାଦ ରହିଥିବାରୁ ପ୍ରତିରକ୍ଷା କ୍ଷେତ୍ରର ବ୍ୟୟବରାଦକୁ ମଧ୍ୟ ସରକାର ବଢ଼ାଇପାରନ୍ତି। ସ୍କୁଲ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ର ଲାଗି ନୂତନ ଘୋଷଣା ହେବ ବୋଲି ଆଶା କରାଯାଉଛି।