Odisha news

ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଜିଲ୍ଲା ଗସ୍ତ ପ୍ରସଙ୍ଗରେ ‘ସିନ୍ଦୁର ଫରୁଆ ଭିତରେ ମୁଖ୍ୟମନ୍ତ୍ରୀ’ : ଜୟନାରାୟଣ ମିଶ୍ର

 ଲୋକସେବା ଭବନ ବା ବିଧାନସଭାକୁ ଆସୁନାହାନ୍ତି, କେନ୍ଦ୍ରମନ୍ତ୍ରୀମାନଙ୍କୁ ନିଜ ଘରକୁ ଡାକୁଛନ୍ତି; କିନ୍ତୁ ରାଜନୀତି କରିବା ପାଇଁ ବହୁତ ସମୟ ରହିଛି ଏବଂ ପଦାକୁ ଆସୁଛନ୍ତି
 ଗସ୍ତ ପୂର୍ବରୁ ୨୨ ଟି ପ୍ରଶ୍ନର ଜବାବ୍ ଦିଅନ୍ତୁ ମୁଖ୍ୟମନ୍ତ୍ରୀ
 ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ମୂଖ୍ୟମନ୍ତ୍ରୀଙ୍କ ନୀରବତା, ‘ମୈାନେ ସମ୍ମତି ଲକ୍ଷଣ’ କୁ ଦର୍ଶାଉଛି
 ମୁଖ୍ୟମନ୍ତ୍ରୀ ମୃତ ମମିତାଙ୍କ ଘରକୁ ଯାଇ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିବା ନିହାତି ଆବଶ୍ୟକ
 ମମିତା ହତ୍ୟାକାଣ୍ଡରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ମୋବାଇଲ କଲ୍ ରେକର୍ଡ ଯାଂଚ କରାଯାଉ
 ନିରପେକ୍ଷ ତଦନ୍ତ ପାଇଁ ମମିତା ହତ୍ୟାକାଣ୍ଡ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଯାଉ

ଭୂବନେଶ୍ୱର, ତା.୦୧/୧୧: ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିନ୍ଦୁର ଫରୁଆ ଭିତରେ ରହୁଛନ୍ତି । ପଦାକୁ ଆସୁନାହାନ୍ତି । ଏପରିକି ଲୋକସେବା ଭବନ ବା ବିଧାନସଭାକୁ ମଧ୍ୟ ଆସୁନାହାନ୍ତି । ଓଡିଶାକୁ ଆସୁଥିବା କେନ୍ଦ୍ରମନ୍ତ୍ରୀମାନଙ୍କୁ ନିଜ ଘରକୁ ଡାକି କଥାବାର୍ତା ହେଉଛନ୍ତି । ଅନ୍ୟ ପଟେ ରାଜନୀତି କରିବା ପାଇଁ ତାଙ୍କ ପାଖରେ ବହୁତ ସମୟ ରହିଛି ଏବଂ ପଦାକୁ ଆସୁଛନ୍ତି ବୋଲି ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଛନ୍ତି ଯେ, ନିର୍ବାଚନ ପ୍ରଚାର ଆଳରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଂଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି । ଏହି ଅବସରରେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ସିନ୍ଦୁର ଫରୁଆରୁ ବାହାରି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଯାଉଛନ୍ତି । ଅତୀତରେ କୁଚିଣ୍ଡା ସମେତ ସମଗ୍ର ପଶ୍ଚିମ ଓଡିଶାବାସୀଙ୍କୁ ମିଥ୍ୟା ପ୍ରତିଶୃତି ଦେଇଥିବା ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଗସ୍ତ ପୂର୍ବରୁ ୨୨ ଟି ପ୍ରଶ୍ନ କରାଯାଇଛି । କୁଚିଣ୍ଡା ସମେତ ପଶ୍ଚିମ ଓଡିଶାର ଗରୀବ ଲୋକମାନଙ୍କୁ କାହିଁକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦେବାରୁ ବଂଚିତ କରାଯାଇଛି ? କୁଚିଣ୍ଡା ଉପଖଣ୍ଡକୁ ସ୍ୱତନ୍ତ୍ର ଆଦିବାସୀ ଓନ୍ନୟନ ପରିଷଦ ଗଠନ ଓ ସ୍ୱତନ୍ତ୍ର ଆଦିବାସୀ ଜିଲ୍ଲା ମାନ୍ୟତା କେବେ ମିଳିବ ? ଗତ ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ କୁଚିଣ୍ଡାର ଉଭୟ ପାଶ୍ୱର୍ ପାଇଁ ଭିତିପ୍ରସ୍ତର ଦିଆଯାଇଥିବା ଖର୍ଲା ଓ ଭେଡେନ ନଦୀରେ ବ୍ୟାରେଜ ପ୍ରକଳ୍ପ କାର୍ଯ୍ୟ ବର୍ତମାନ ସୁଦ୍ଧା କାହିଁକି ଆରମ୍ଭ ହୋଇନାହିଁ ? ଜମନକିରା ବ୍ଲକର ସଙ୍ଖାଲାଙ୍ଗୁଡି ନାଳରେ ଗୁହୁରିନାଳା ଓ ବାମରା ବ୍ଲକର ଲହରଙ୍ଗା ନାଳରେ ବ୍ୟାରେଜ ନିର୍ମାଣ କେବେ ହେବ ? କୁଚିଣ୍ଡା ଉପଖଣ୍ଡରେ ଶୀତଳଭଣ୍ଡାର ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ଆଦିବାସୀ ଏବଂ ବନବାସୀଙ୍କ ସ୍ୱରୋଜଗାର ବୃଦ୍ଧି ପାଇଁ ଜଙ୍ଗଲ ଓ କୃଷିଭିତିକ କାରଖାନା ପ୍ରତିଷ୍ଠା, ଉନ୍ନତମାନର ଚିକିତ୍ସା ପାଇଁ ଉନ୍ନତମାନର ଡାକ୍ତରଖାନା ପ୍ରତିଷ୍ଠା, ବହୁ ପୁରାତନ କୁଚିଣ୍ଡା କଲେଜକୁ ସଂପୂର୍ଣ୍ଣ ସରକାରୀ ମାନ୍ୟତା କେବେ ପ୍ରଦାନ କରାଯିବ ? ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ରତି କ୍ୱିଂଟାଲ ଧାନ ପିଛା ୧୦୦ ଟଙ୍କା ବୋନସ କେବେ ପ୍ରଦାନ କରିବେ ? ୨୦୧୮ ମସିହାରେ କୁଚିଣ୍ଡା ଉପଖଣ୍ଡ ଅଂଚଳବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମାରେ ୧୬୦ କୋଟି ଟଙ୍କା କେବେ ମିଳିବ ? କୁଚିଣ୍ଡା ଉପଖଣ୍ଡରେ ୩୫ ପ୍ରତିଶତ ଚାଷ ଜମିକୁ କେବେ ଜଳସେଚିତ କରାଯିବାର ପ୍ରଶ୍ନ କରାଯାଇଛି ବୋଲି ଶ୍ରୀ ମିଶ୍ର ସୁଚନା ଦେଇଛନ୍ତି ।
ନୂଆ ରୂପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ପୁରୁଣା ବିଜୁ ସ୍ୱସ୍ଥ୍ୟକଲ୍ୟାଣ କାର୍ଡ ଜରିଆରେ କେତେ ଜଣଙ୍କୁ ସୁବିଧା ଯୋଗା ଦିଆଯାଇଛି, ଝାରସୁଗୁଡା ଜିଲ୍ଲାର ଲଇକେରା ଓ କିର୍ମିରା ତଥା ସମ୍ବଲପୁର ଜିଲ୍ଲାର ଯୁଜୋମୁରା ବ୍ଲକ ଅଂଚଳକୁ ଆଦିବାସୀ ଅଦୁ୍ୟଷିତ ଅଂଚଳର ମାନ୍ୟତା କେବେ ଦେବେ, ଗତ ବର୍ଷ ଖରିପ ଋତୁରେ ମଣ୍ଡିରେ ମାସ ମାସ ଧରି ଧାନ ପଡି ରହିବା ଓ ବିଭିନ୍ନ ଆଳ ଦେଖାଇ ପଡି ରହିଥିବା ଧାନକୁ କାହିଁକି ଏବଂ କାହା ସ୍ୱାର୍ଥରେ ଉଠାଗଲା ନାହିଁ, ତାର ମଧ୍ୟ ଜବାବ୍ ଦେବାକୁ ମୁଖ୍ୟ୍ୟମନ୍ତ୍ରୀଙ୍କଠାରେ ଦାବୀ କରାଯାଇଛି ।
ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ବର୍ତମାନ ସୁଦ୍ଧା ପଶ୍ଚିମ ଓଡିଶାର କୈାଣସି ମନ୍ତ୍ରୀ ବା ଶାସକ ବିଜେଡିର ବିଧାୟକ ତଥା ନେତାମାନେ ମୁହଁ ଖୋଲିନାହାନ୍ତି । ମୂଖ୍ୟମନ୍ତ୍ରୀ ମଧ୍ୟ ନୀରବତା ଅବଲମ୍ବନ କରିଛନ୍ତି । ‘ମୈାନେ ସମ୍ମତି ଲକ୍ଷଣ’ ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ମୁହଁ ଖୋଲିବା ସହ ମୃତ ମମିତାଙ୍କ ଘରକୁ ଯାଇ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିବା ନିହାତି ଆବଶ୍ୟକ । ଏଥି ସହ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ମୋବାଇଲ କଲ୍ ରେକର୍ଡ ଯାଂଚ କରାଯିବା ଆବଶ୍ୟକ । ଏଭଳି ସମ୍ବେଦନଶୀଳ ଘଟଣାର ନିରପେକ୍ଷ ତଦନ୍ତ ସିବିଆଇ ଦ୍ୱାରା କରାଇବା ପାଇଁ ଶ୍ରୀ ମିଶ୍ର ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ ଓ ଠାକୁର ରଣଜିତ୍ ଦାସ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଏବଂ ରାଜ୍ୟ ଗଣମାଧ୍ୟମ ବିଭାଗ ସହ ପ୍ରମୁଖ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Nalco

Comments are closed.