ବିଶ୍ୱ ମାତୃତ୍ୱ ଦିବସରେ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଭିଡିଓ ବାର୍ତା ମୋଦି ମା’ମାନଙ୍କର ଉପଯୂୁକ୍ତ ଯତ୍ନ ନେଉଛନ୍ତି : ବିଜେପି
କରୋନା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ସଞ୍ଜିବନୀର କାମ କରୁଛି
ମୋଦିଜୀଙ୍କର ଅଭାବ-ଅନାଟନ ଓ ଗରିବର ପୃଷ୍ଠଭୂମି ହିଁ ଗରିବ ମାଆ ପ୍ରତି ତାଙ୍କ ମନରେ ତିଆରି କରିଛି ସବୁଠାରୁ ବଡ ସମ୍ବେଦନା
ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ଏସସଜି, ବିଧବା ଭତା, ଜନଧନ ଦ୍ୱାରା ମହିଳା ହୋଇଛନ୍ତି ସଶକ୍ତ
ମା’ ମାନଙ୍କ ଦୁଃଖ ଦୂର କରିବା ପାଇଁ ମୋଦିଙ୍କୁ ଧନ୍ୟବାଦ
ଭୁବନେଶ୍ୱର, ତା.୧୦/୦୫: କରୋନା ଭଳି ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ତଥା ରାଜ୍ୟର ଉପଯୁକ୍ତ ଯତ୍ନ ନେଉଛନ୍ତି ବୋଲି ମାତୃତ୍ୱ ଦିବସ ଅବସରରେ ଏକ ଭିଡିଓ ବାର୍ତାରେ କହିଛନ୍ତି ବିଜେପି ରାଜ୍ୟ ସଂପାଦିକା ଡ଼ା.ଲେଖାଶ୍ରୀ ସାମନ୍ତସିଂହାର । ଦେଶର ଏହି ସଂକଟର ଘଡିରେ ରାଜ୍ୟର ମା ମାନଙ୍କୁ ସହଯୋଗର ହାତ ବଢେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାତୃତ୍ୱ ଦିବସ ଅବସରରେ ରାଜ୍ୟର ମହିଳାମାନଙ୍କ ତରଫରୁ ଡ଼ା.ସାମନ୍ତସିଂହାର ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ।
ଡ଼ା.ସାମନ୍ତସିଂହାର କହିଛନ୍ତି ଯେ, ସାରା ଦେଶ ସମେତ ଆମ ରାଜ୍ୟ ଓଡିଶା ବିଶ୍ୱ ମହାମାରୀର ସାମ୍ନା କରୁଛି । କରୋନା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ହିଁ ସଞ୍ଜିବନୀର କାମ କରୁଛି । ଯାର ମା ପର ଘରେ ବାସନ ମାଜି ପିଲାଙ୍କୁ ବଡ କରିଥିଲା ସେହି ମାଆର ପୁଅ ଠାରୁ ଦେଶର ଗରିବ ମାର ଦୁଃଖ କିଏ ବୁଝିପାରିବ । ମୋଦିଙ୍କର ଅଭାବ-ଅନାଟନ ଓ ଗରିବର ପୃଷ୍ଠଭୂମି ହିଁ ଗରିବ ମାଆ ପ୍ରତି ତାଙ୍କ ମନରେ ତିଆରି କରିଛି ସବୁଠାରୁ ବଡ ସମ୍ବେଦନା ।
ରାଜ୍ୟର ୩ କୋଟି ୨୪ ଲକ୍ଷ ୭୦ ହଜାର ୪୯୯ ଲୋକଙ୍କୁ ତିନି ମାସ ପାଇଁ ଚାଉଳର ବ୍ୟବସ୍ଥା କରିଛନ୍ତି ମୋଦି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମୁଣ୍ଡ ପିଛା ୫ କିଲୋ ଏହାସହ ମାଗଣାରେ ୫ କିଲୋ ଚାଉଳ ତିନି ମାସ ପାଇଁ ବ୍ୟବସ୍ଥା ହୋଇଛି । ଏଥିପାଇଁ ୧୪୬୧.୧୮ କୋଟି ଟଙ୍କା ଖର୍ଚ୍ଚ ହେଉଛି । ସେହିପରି ରାଜ୍ୟର ୯୨, ୮୫,୫୫୬ ପରିବାରକୁ ତିନିମାସରେ ତିନି କିଲୋ ଡାଲି ଯୋଗାଇ ଦିଆଯିବ ଏବଂ ଏଥିପାଇଁ ୨୭୮.୫୭ କୋଟି ଖର୍ଚ୍ଚ ହୋଇଛି ।
ବାର୍ଧକ୍ୟ ଭତା ବାବଦରେ ୧୪,୬୬,୯୯୯ ବ୍ୟକ୍ତିଙ୍କୁ ଏକ ହଜାର ଟଙ୍କା ହିସାବରେ ୧୪୬.୦୭ କୋଟି ଟଙ୍କା ବ୍ୟୟ ହୋଇଛି । ରାଜ୍ୟରେ ୫,୨୫,୬୫୨ ବିଧବା ମାନଙ୍କୁ ଏକ ହଜାର ଟଙ୍କା ହିସାବରେ ୫୨.୫୭ କୋଟି ଟଙ୍କା ଖର୍ଚ୍ଚର ବ୍ୟବସ୍ଥା ମୋଦି କରିଛନ୍ତି ବୋଲି ଡ଼ା.ସାମନ୍ତସିଂହାର କହିଛନ୍ତି ।
ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ୮୬,୭୬୧ ଜଣଙ୍କ ପାଇଁ ଏକ ହଜାର ଟଙ୍କା ହିସାବରେ ୮.୬୮ କୋଟି ମୋଦି ଯୋଗାଇ ଦେଇଛନ୍ତି । ପିଏମ କୃଷକ ସମ୍ମାନ ନିଧିରେ ୩୬.୨୮ ଲକ୍ଷ ହିତାଧିକାରୀଙ୍କ ପାଇଁ ଦୁଇ ହଜାର ଟଙ୍କା ହିସାବରେ ୭୨୫.୬ କୋଟି ଟଙ୍କା ମୋଦି ଯୋଗାଇ ଦେଇଛନ୍ତି । ମହିଳା ମାନଙ୍କୁ ୩୯.୫୧ ଲକ୍ଷ ଜନଧନ ଖାତାରେ ତିନିମାସରେ ୧୫୦୦ ଟଙ୍କା ଏପରି ମୋଟ ୫୯୨.୬୫ କୋଟି ଟଙ୍କା ଓଡିଶାର ମା ମାନଙ୍କୁ ସିଧାସିଧା ମିଳିଛି ।
ଡ଼ା.ସାମନ୍ତସିଂହାର କହିଛନ୍ତି ଯେ, ଉଜ୍ଜଳା ଯୋଜନାରେ ୩ଟି ଗ୍ୟାସ ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯିବା ପାଇଁ ମୋଦି ବ୍ୟବସ୍ଥା କରିଛନ୍ତି । କେବଳ ଏପ୍ରିଲ ମାସରେ ୪୪.୬ ଲକ୍ଷ ମହିଳାଙ୍କୁ ୩୧୪ କୋଟି ଟଙ୍କାର ଅର୍ଥ ମାଧ୍ୟମରେ ଗ୍ୟାସ ସିଲିଣ୍ଡର ସେମାନଙ୍କ ଘରେ ପହଂଚିଛି । ମେ ମାସରେ ଆଜି ପର୍ଯ୍ୟନ୍ତ ୨୫.୪୧ ଲକ୍ଷ ମହିଳାଙ୍କୁ ଗୋଟିଏ ଲେଖାଁ ସିଲିଣ୍ଡର ବାବଦରେ ୧୫୮ କୋଟି ଖର୍ଚ୍ଚ ହୋଇ ସାରିଛି । ଆଗାମୀ ମାସରେ ମଧ୍ୟ ଏହି ମାଗଣା ଗ୍ୟାସ ଯୋଗାଣ ଚାଲୁ ରହିବ ।
ରାଜ୍ୟର ଏସଏସଜି ମାନଙ୍କର ଆର୍ଥିକ ଗତିବିଧିକୁ ତ୍ୱରାନ୍ୱିତ କରିବା ପାଇଁ ୨୦ ଲକ୍ଷ ଟଙ୍କା ଲେଖା ବନ୍ଧକ ବିହୀନ ଋଣର ବ୍ୟବସ୍ଥା କରିଛନ୍ତି ମୋଦିଜୀ । ରାଜ୍ୟର ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମହିଳା ଏହା ଦ୍ୱାରା ଲାଭବାନ ହେବେ ।
ଡ଼ା.ସାମନ୍ତସିଂହାର କହିଛନ୍ତି ଯେ ନିର୍ମାଣ ଶ୍ରମିକଙ୍କ ପାଇଁ ୨୭,୮୪,୯୭୨ ଜଣଙ୍କୁ ୧ ହଜାର ୫୦୦ ଟଙ୍କା ହିସାବରେ ୪୧୭.୭୫ କୋଟି ଟଙ୍କା ଦେବାର ମୋଦି ବ୍ୟବସ୍ଥା କରିଛନ୍ତି । ମୋଦି କରୋନା ମହାମାରୀ ସମୟରେ ଯାହା କରିଛନ୍ତି ଯେତେ ପ୍ରଶଂସା କଲେ ବି କମ ହେବ । ୩ ମାସରେ ଓଡିଶାର ଗରିବ ମାନଙ୍କ ପାଇଁ ୧୦,୩୩୭.୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏତେ ହାତ ଖୋଲା ସାହାଯ୍ୟ ବୋଧେ କେହି କେବେ କରିନଥିଲା । ରାଜ୍ୟର ୯୨,୮୫,୫୫୬ ପରିବାର ଓ ୩ କୋଟି ୨୫ ଲକ୍ଷ ଲୋକଙ୍କ ପାଖରେ ପହଁଚୁଛି ସୁବିଧା ।
ମୋଦି ମା ମାନଙ୍କ ଦୁଃଖ ଦୂର କରିଛନ୍ତି । ତେଣୁ ଓଡିଶାର ମାଆ ମାନଙ୍କ ପକ୍ଷରୁ ମୋଦିଜୀଙ୍କୁ ଡ଼ା.ସାମନ୍ତସିଂହାର ଧନ୍ୟବାଦ ଓ ସାଧୁବାଦ ଜଣାଇଛନ୍ତି ।