Odisha news

ଭାରତର ଶିକ୍ଷା ବ୍ୟବସ୍ଥାକୁ କଂଗ୍ରେସ ଧ୍ୱଂସ ଭିତରକୁ ଠେଲି ଦେଇଥିଲା, ମୋଦୀ ଏହାର ପୁନରୁଦ୍ଧାର କରିଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

0

ମୋଦୀ ସରକାରରେ ଭାରତର ଗ୍ରାମୀଣ ସାକ୍ଷରତା ହାର ୭୭.୫ %କୁ ବୃଦ୍ଧି ପାଇଛି
ମହିଳା ସାକ୍ଷରତା ୫୭.୯୩% ରୁ ୭୪.୬%କୁ ବୃଦ୍ଧି ପାଇଛି
ପ୍ରଧାନମନ୍ତ୍ରୀ ପ୍ରୟାସ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିଛି
୭୦ ବର୍ଷ ମଧ୍ୟରେ କଂଗ୍ରେସ ଦ୍ୱାରା କେବଳ ୭ଟି ଏମ୍ସ ପ୍ରତିଷ୍ଠା ହୋଇଥିଲା,
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତରେ ୨୩ଟି ଏମ୍ସ ସ୍ଥାପିତ ହୋଇଥିବା ବେଳେ ୭୦୦ରୁ ଅଧିକ ମେଡିକାଲ କଲେଜ, ୫୦ ହଜାରରୁ ଅଧିକ କଲେଜ ରହିଛି
ଡିଜିଟାଲ ଇଣ୍ଡିଆ ମିଶନ, ନୂତନ ଶିକ୍ଷା ନୀତି, ବେଟି ବଚାଓ ବେଟି ପଢ଼ାଓ ଯୋଜନା, ପିଏମ ଶ୍ରୀ ଯୋଜନା, ବିଦ୍ୟାଲକ୍ଷ୍ମୀ ଯୋଜନା ଏବଂ ଉଲ୍ଲାସ ଯୋଜନା ଭଳି ପଦକ୍ଷେପ ଶିକ୍ଷା ଓ ଦକ୍ଷତା ବିକାଶକୁ ଏକ ନୂଆ ଉଚ୍ଚତାକୁ ନେଇଛି

ନୂଆଦିଲ୍ଲୀ/ଭୁବନେଶ୍ୱର, ଡିସେମ୍ବର ୧୦ – ବିଗତ ଏକ ଦଶନ୍ଧି ମଧ୍ୟରେ ଭାରତର ସାକ୍ଷରତା ହାରରେ ଉଲ୍ଲେଖନୀୟ ଅଗ୍ରଗତି ତଥା ମହିଳା ସାକ୍ଷରତା ବୃଦ୍ଧି ହେତୁ ୨୦୨୩-୨୪ ବର୍ଷରେ ଭାରତର ଗ୍ରାମୀଣ ସାକ୍ଷରତା ହାର ଯଥେଷ୍ଟ ବୃଦ୍ଧି ପାଇ ୭୭.୫ ପ୍ରତିଶତରେ ପହଞ୍ଚିଛି । ଏଥିପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସ୍କାରମୂଳକ ପଦକ୍ଷେପ ଓ ଉଦ୍ୟମକୁ ଶ୍ରେୟ ଦେଇଛନ୍ତି ।  

କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ଶାସନରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଛାତ୍ରଛାତ୍ରୀମାନଙ୍କୁ ସବୁବେଳେ ଗୁଣାତ୍ମକ ଶିକ୍ଷାର ସନ୍ଧାନରେ ରହିବାକୁ ପଡୁଥିଲା । ଶିକ୍ଷା ବିଭାଗରେ ବ୍ୟାପକ ଦୁର୍ନୀତି ହେଉଥିଲା । ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକ କିଛି ପ୍ରମୁଖ ଲୋକଙ୍କ ନିୟନ୍ତ୍ରଣରେ ରହୁଥିଲା। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏହି କ୍ଷେତ୍ରରେ ଅନେକ ସୁଧାର ଆସିଛି । ଗ୍ରାମୀଣ ସାକ୍ଷରତା ୨୦୧୧ରେ ୬୭.୭୭% ଥିବାବେଳେ ୨୦୨୩-୨୪ରେ ଏହା ୭୭.୫% କୁ ବୃଦ୍ଧି ପାଇଛି । ସେହିପରି ମହିଳା ସାକ୍ଷରତା ୫୭.୯୩% ରୁ ୭୪.୬%କୁ ବୃଦ୍ଧି ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂସ୍କାର କାରଣରୁ ଏହି କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରୟାସ କେବଳ ସହରାଞ୍ଚଳରେ ନୁହେଁ ବରଂ ଦେଶର କୋଣ ଅନୁକୋଣରେ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିଛି । ଏକବିଂଶ ଶତାବ୍ଦୀରେ ଶିକ୍ଷା ବିନା ଭାରତର ଉନ୍ନତି ଅସମ୍ପୂର୍ଣ୍ଣ । କେହି ଯେପରି ପଛରେ ନ ରହିଯିବେ, ସେଥିପ୍ରତି ପ୍ରଧାନମନ୍ତ୍ରୀ ବିଶେଷ ଦୃଷ୍ଟି ଦେଉଛନ୍ତି। ତାଙ୍କର ସଂସ୍କାର ଭାରତକୁ ଏପରି ଏକ ଭବିଷ୍ୟତ ଆଡ଼କୁ ନେଉଛି, ଯେଉଁଠାରେ ଶିକ୍ଷାର କୌଣସି ସୀମା ନାହିଁ।

୭୦ ବର୍ଷ ମଧ୍ୟରେ କଂଗ୍ରେସ ଦ୍ୱାରା କେବଳ ୭ଟି ଏମ୍ସ ପ୍ରତିଷ୍ଠା ହୋଇଥିଲା ।  ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତରେ ୨୩ଟି ଏମ୍ସ ସ୍ଥାପିତ ହୋଇଛି । ୭୦୦ରୁ ଅଧିକ ମେଡିକାଲ କଲେଜ, ୫୦ ହଜାରରୁ ଅଧିକ କଲେଜ ରହିଛି । ଏମବିବିଏସ ଓ ଆଇଆଇଟି ସିଟ୍ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି । ଏହି ସଂଖ୍ୟାଗୁଡ଼ିକ ଭାରତର ଶିକ୍ଷା କ୍ଷେତ୍ରକୁ ନୂଆ ରୂପ ଦେଇଥିବା ପରିବର୍ତନମୂଳକ ସଂସ୍କାରକୁ ପ୍ରତିଫଳିତ କରୁଛି ।  ଶିକ୍ଷା ସଂସ୍କାରରେ ବୈଷୟିକ ଜ୍ଞାନକୌଶଳ ଓ ଉଦ୍ଭାବନର ଭୂମିକାକୁ ପ୍ରଶଂସା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବରୁ ଦୁର୍ଗମ ଅଂଚଳରେ ଶିକ୍ଷା ସ୍ଥିତି ବହୁତ ଗମ୍ଭୀର ଥିଲା । କଂଗ୍ରେସ ସରକାର ସେହି ଅଞ୍ଚଳରେ ଶିକ୍ଷାର ସ୍ଥିତିକୁ ସୁଧାରିବା ପାଇଁ କୌଣସି ପ୍ରକାର ବିହିତ ପଦକ୍ଷେପ ନେଇନଥିଲେ । ମାତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଡିଜିଟାଲ ଇଣ୍ଡିଆ ମିଶନ, ନୂତନ ଶିକ୍ଷା ନୀତି, ବେଟି ବଚାଓ ବେଟି ପଢ଼ାଓ ଯୋଜନା, ପିଏମ ଶ୍ରୀ ଯୋଜନା, ବିଦ୍ୟାଲକ୍ଷ୍ମୀ ଯୋଜନା ଏବଂ ଉଲ୍ଲାସ ଯୋଜନା ଭଳି ପଦକ୍ଷେପ ଶିକ୍ଷା ଓ ଦକ୍ଷତା ବିକାଶକୁ ଏକ ନୂଆ ଉଚ୍ଚତାକୁ ନେଇଛି ।

୨୦୧୫ରେ ଆରମ୍ଭ ହୋଇଥିବା ‘ଡିଜିଟାଲ ଇଣ୍ଡିଆ ମିଶନ’ ସ୍କୁଲଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଡିଜିଟାଲ ଶିକ୍ଷାକୁ ପ୍ରୋତ୍ସାହିତ କରିଛି । ସାରା ଦେଶରେ ଡିଜିଟାଲ ଭିତ୍ତିଭୂମି, ଇଣ୍ଟରନେଟ୍ ସଂଯୋଗ ଏବଂ ଇ-ଲର୍ଣ୍ଣିଂ ପ୍ଲାଟଫର୍ମ ବୃଦ୍ଧି ପାଇଁ ଅନେକ ପଦକ୍ଷେପ କାର୍ଯ୍ୟକାରୀ କରାଯାଇଛି । ଇତିମଧ୍ୟରେ ‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନା କେବଳ ଶିକ୍ଷାରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରୁନାହିଁ ବରଂ ଜନ୍ମ ସମୟରେ ଜାତୀୟ ଲିଙ୍ଗ ଅନୁପାତରେ ମଧ୍ୟ ଯଥେଷ୍ଟ ଉନ୍ନତି ଆଣିଛି । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନରେ ‘ନୂତନ ଶିକ୍ଷାନୀତି’ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଉଲ୍ଲାସ କାର୍ଯ୍ୟକ୍ରମ ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହା ଏକ ନିଆରା ପଦକ୍ଷେପ । ଏହି କାର୍ଯ୍ୟକ୍ରମ  ଆନୁଷ୍ଠାନିକ ଶିକ୍ଷାରୁ ବଞ୍ଚିତ ୧୫ ବର୍ଷ ରୁ ଅଧିକ ଯୁବକ ଯୁବତୀଙ୍କୁ ସେମାନଙ୍କ ପାଠପଢା ଶେଷ କରିବା ପାଇଁ ଏକ ଭଲ ସୁଯୋଗ ପ୍ରଦାନ କରୁଛି । ଏହି କାର୍ଯ୍ୟକ୍ରମ ପାଇଁ ୧୦୩୭ କୋଟି ଟଙ୍କାରୁ ଅଧିକ ଆର୍ଥିକ ଆବଣ୍ଟନ ହୋଇଥିବା ବେଳେ ୨ କୋଟିରୁ ଅଧିକ ଶିକ୍ଷାର୍ଥୀ ଏଥିରେ ସାମିଲ ହୋଇସାରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ପଦକ୍ଷେପ କିଶୋର କିଶୋରୀଙ୍କ ଶିକ୍ଷାର ପରିଭାଷାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି ।

“ଚଳିତବର୍ଷ ବଜେଟରେ ଶିଶୁମାନଙ୍କ ପାଇଁ ପିଏମ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମର ମଧ୍ୟ ଘୋଷଣା କରାଯାଇଛି । ତେଣୁ ପ୍ରଧାନମନ୍ତ୍ରୀ ମୋଦୀ କେବଳ ଶିକ୍ଷା କିମ୍ବା ଦକ୍ଷତା ବିଷୟରେ ଚିନ୍ତା କରୁନାହାଁନ୍ତି ବରଂ ରୋଜଗାର ଉପରେ ମଧ୍ୟ ଚିନ୍ତା କରୁଛନ୍ତି । ଶିକ୍ଷା କ୍ଷେତ୍ରରେ ତାଙ୍କର ଅନେକ ସଂସ୍କାରମୂଳକ ପ୍ରୟାସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସମୃଦ୍ଧ ଏବଂ ଜ୍ଞାନଭିତ୍ତିକ ଭବିଷ୍ୟତ ପାଇଁ ଏକ ମଜଭୂତ୍ ଭିତ୍ତିଭୂମି ତିଆରି କରିଛନ୍ତି । ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ସଂକଳ୍ପ ନେଇ ଆମେ ଆଗକୁ ବଢ଼ୁଥିବା ବେଳେ ଏହି ଶିକ୍ଷା ସଂସ୍କାର ଆମକୁ ନୂଆ ଉର୍ଜା ପ୍ରଦାନ କରୁଛି । ଗର୍ବର ସହ ଏହି ଢାଞ୍ଚାରେ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply