ଓଡ଼ିଶାର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଜେପି ନେତାମାନେ ନିୟମିତ ଭାବେ ଅପମାନଜନକ ଭାଷା ବ୍ୟବହାର କରୁଛନ୍ତି : ବିଜେଡି
ମୁଖ୍ୟମନ୍ତ୍ରୀଙ୍କ ବୟସ, ଅଭିଜ୍ଞତା ଏବଂ ତାଙ୍କ ଉପରେ ଥିବା ଲୋକଙ୍କ ବିଶ୍ୱାସକୁ ଅସମ୍ମାନ କରୁଛନ୍ତି
ମାନ୍ୟବର ପ୍ରଧାନମନ୍ତ୍ରୀ କିମ୍ବା ବିଜେପି ନେତାଙ୍କ ବିରୋଧରେ ବିଜେଡି କେବେ ବି ଅପମାନଜନକ ଭାଷା ବ୍ୟବହାର କରେ ନାହିଁ, ଏହା ଓଡ଼ିଶାର ସଂସ୍କୃତି ନୁହେଁ ଯାହାକୁ ବିଜେଡି ସମ୍ପୂର୍ଣ୍ଣ ଭାବେ ଅନୁସରଣ କରିଥାଏ
ଭୁୁବନେଶ୍ୱର, ୧୯/୦୫/୨୦୨୪: ଚଳିତ ନିର୍ବାଚନରେ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ନିଶ୍ଚିତ ପରାଜୟର ସମ୍ମୁଖୀନ ହେଉଛନ୍ତି ଏବଂ ସେଥିପାଇଁ ନିରାଶ ଓ କ୍ରୋଧିତ ହୋଇପଡିଛନ୍ତି ଆଉ ନିଜ କ୍ରୋଧ ପାଇଁ ସେ ଗତ କିଛି ଦିନ ହେବ ଅପମାନଜନକ ଭାଷା ଓ ମିଥ୍ୟା ଅଭିଯୋଗ କରି ଆସୁଛନ୍ତି ବୋଲି କହିଛନ୍ତି ସାଂସଦ ତଥା ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ ପାତ୍ର ।
ଡ. ପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଆମେ ଶ୍ରୀମତୀ ଷଡଙ୍ଗୀଙ୍କୁ କ୍ରୋଧିତ ନହେବାକୁ ଅନୁରୋଧ କରୁଛୁ । ସେ ଏଭଳି ଅପମାନଜନକ ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ। ଓଡ଼ିଶାର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ବୟସ, ଅଭିଜ୍ଞତା ଓ ତାଙ୍କ ଉପରେ ଥିବା ଲୋକଙ୍କ ବିଶ୍ୱାସକୁ ଅସମ୍ମାନ କରି ବିଜେପି ନେତାମାନେ ନିୟମିତ ଭାବେ କେଉଁ ପ୍ରକାର ଅପମାନଜନକ ଭାଷା ବ୍ୟବହାର କରୁଛନ୍ତି ତାହା ଓଡ଼ିଶାବାସୀ ଜାଣନ୍ତି। ଏହା ଓଡ଼ିଶାବାସୀଙ୍କୁ ଦୁଃଖ ଦେଇଛି ଏବଂ ଲୋକେ ଏହାକୁ ଭଲ ଭାବେ ଗ୍ରହଣ କରୁନାହାନ୍ତି। ସମସ୍ତେ ଜାଣନ୍ତି ଯେ ବିଜେଡି ସର୍ବସାଧାରଣରେ ଶାଳୀନତା ବଜାୟ ରଖିଛି। ମାନ୍ୟବର ପ୍ରଧାନମନ୍ତ୍ରୀ ହୁଅନ୍ତୁ କିମ୍ବା ଅନ୍ୟ କୌଣସି ବିଜେପି ନେତାଙ୍କ ବିରୋଧରେ କେହି ବି ଅପମାନଜନକ ଭାଷା ବ୍ୟବହାର କରନ୍ତି ନାହିଁ । ଏହା ଓଡ଼ିଶା ସଂସ୍କୃତି ନୁହେଁ, ଯାହାକୁ ବିଜେଡି ଅନୁସରଣ କରୁଛି।
ଡ. ପାତ୍ର କହିଛନ୍ତି ଆପଣ ଏବଂ ଆପଣଙ୍କ ନେତାମାନେ ଯେପରି ଆମ ଦଳର ବରିଷ୍ଠ ନେତା ତଥା ଷ୍ଟାର ପ୍ରଚାରକ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କୁ ସମାଲୋଚନା କରୁଛନ୍ତି ତାହା ସୁସ୍ଥ ରାଜନୈତିକ ଆଲୋଚନା ନୁହେଁ । ଓଡ଼ିଶାର ରାଜଧାନୀ ର ସାଂସଦ ଭାବରେ ଆପଣଙ୍କ ଅବଦାନକୁ ନେଇ ସେ ନମ୍ରତାର ସହ ପ୍ରଶ୍ନ ପଚାରିଛନ୍ତି । ଭୁବନେଶ୍ୱର ପାଇଁ କ’ଣ କରିଛନ୍ତି ତାହା କହିବା ପରିବର୍ତ୍ତେ ରାଗିଯାଉଛନ୍ତି କାହିଁକି? କର୍ଣ୍ଣାଟକ କିମ୍ବା ରାଜସ୍ଥାନ କିମ୍ବା ମହାରାଷ୍ଟ୍ର ଭଳି ମେଗା ପ୍ରକଳ୍ପ ଆସିଛି କି? ଏହା ଏକ ଯଥାର୍ଥ ପ୍ରଶ୍ନ। ଆପଣ ଗୋଟିଏ ନୀତି ସହିତ କାମ କରୁଛନ୍ତି – “କାମ କରିବୁନି, କି କାମ କରାଇଦେବୁନାହିଁ”। ଆପଣ ଓ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକାଠି ହୋଇ ବର୍ଷ ବର୍ଷ ଧରି ରାଜ୍ୟର ଅନେକ ଉନ୍ନୟନମୂଳକ କାର୍ୟ୍ୟକୁ ରୋକିବାକୁ ଚେଷ୍ଟା କରିଛନ୍ତି। ଆପଣ ଦୁହେଁ କେନ୍ଦ୍ରରେ ଶାସନ କରୁଥିବା ଦଳରେ ଥିଲେ। ଓଡ଼ିଶାକୁ ସାହାଯ୍ୟ କରିବା ପରିବର୍ତ୍ତେ ଆପଣ ଓ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ସ୍ୱାର୍ଥ ବିରୁଦ୍ଧରେ ଯାଇଥିଲେ। ଯାହା କି ସମଗ୍ର ଓଡ଼ିଶା ଜାଣିଛି।
ଶ୍ରୀ. ପାଣ୍ଡିଆନ ଅତ୍ୟନ୍ତ ବିନମ୍ରତାର ସହ ଅତି ସରଳ ପ୍ରଶ୍ନ ପଚାରିଛନ୍ତି ଯାହା ଆପଣ କିମ୍ବା ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କେହି ଏହାର ଜବାବ ରଖୁନାହାନ୍ତି । ବରଂ ଆପଣ ଦୁହେଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ବିରୋଧରେ ଅତ୍ୟନ୍ତ ଅପମାନଜନକ ଭାଷା ବ୍ୟବହାର କରିଛନ୍ତି, ଯାହା ସମସ୍ତେ ଟିଭିରେ ଦେଖିଛନ୍ତି । ବିଜେଡି ସର୍ବଦା ସମ୍ମାନଜନକ ଭାଷାରେ ପ୍ରତିବାଦ କରିବ ଏବଂ ଧମକ, ଗାଳିଗୁଲଜ କିମ୍ବା ଅପମାନଜନକ ଭାଷା ବ୍ୟବହାର କଲେ ମଧ୍ୟ ପ୍ରଶ୍ନ ପଚାରିବା ବନ୍ଦ କରିବ ନାହିଁ। ଶ୍ରୀ. ପାଣ୍ଡିଆନ ମହାନଦୀ ବିଷୟରେ ତଥ୍ୟ ରଖିଥିଲେ ଏବଂ ଏହି ପ୍ରସଙ୍ଗରେ ଛତିଶଗଡ଼କୁ ସମର୍ଥନ କରିବାରେ ଶ୍ରୀ ପ୍ରଧାନଙ୍କ ଭୂମିକାକୁ ନେଇ ପ୍ରଶ୍ନ କରିଥିଲେ । ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାର ଛତିଶଗଡ଼କୁ କାହିଁକି ସମର୍ଥନ କଲେ ତାହା ମଧ୍ୟ ଓଡ଼ିଶାବାସୀ ଜାଣିବାକୁ ଚାହିଁବେ। ଏହାର ଉତ୍ତର ଦେବା ପରିବର୍ତ୍ତେ ଉଭୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଶ୍ରୀ ପାଣ୍ଡିଆନଙ୍କ ବିରୋଧରେ ଖରାପ ଭାଷା ବ୍ୟବହାର କରୁଛନ୍ତି କାହିଁକି?
ଆପଣ ଏବଂ ଶ୍ରୀ ପ୍ରଧାନ ୫୫ ନମ୍ବର ଜାତୀୟ ରାଜପଥର ବିକାଶ ପାଇଁ କ’ଣ କରିଛନ୍ତି ? ଭୁବନେଶ୍ବରର ଚାରିପଟେ ରିଂ ରୋଡ୍ ପାଇଁ ? ଉପକୂଳ ରାଜପଥ ପାଇଁ? ଭୁବନେଶ୍ଵର ଇସ୍କନ ମନ୍ଦିର ସମ୍ମୁଖରେ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ? ଓଡ଼ିଆ ଭାଷା କିମ୍ବା ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଆପଣ କ’ଣ କରିଛନ୍ତି?
ବିଜୁବାବୁ କିମ୍ବା ଓଡ଼ିଶାର କାହାକୁ ଏହି ସରକାରର ଗତ ୧୦ ବର୍ଷ ଏବଂ ଆପଣ ସାଂସଦ ଥିବା ୫ ବର୍ଷ ମଧ୍ୟରେ କାହିଁକି ଭାରତ ରତ୍ନ ପ୍ରଦାନ କରାଗଲା ନାହିଁ? ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ଓଡ଼ିଶା ବିଜେପି ସାଂସଦମାନେ ଦିଲ୍ଲୀ ଯାଇ ଓଡ଼ିଶାବାସୀଙ୍କୁ ମିଳିବାକୁ ଥିବା ୧୪ ଲକ୍ଷ ପିଏମ୍ଏୱାଇ ଘର କୁ କାହିଁକି ଅଟକାଇଥିଲେ ତାହାର ଉତ୍ତର ଆପଣ ଦେଉ ନାହାନ୍ତି। ଏହା ପବ୍ଲିକ ଡୋମେନରେ ରହିଛି । ଯଦି ଶ୍ରୀ ପାଣ୍ଡିଆନ ପଚାରନ୍ତି ତେବେ ଆପଣ ତାଙ୍କୁ ଅପମାନଜନକ ଭାଷାରେ କାହିଁକି ଗାଳି ଗୁଲଜ କରୁଛନ୍ତି? କୃଷକଙ୍କ ଆୟ ଦ୍ୱିଗୁଣିତ ହେବ, ସ୍ୱାମୀନାଥନ କମିଶନ ରିପୋର୍ଟ କାର୍ୟ୍ୟକାରୀ ହେବ, କୃଷକମାନଙ୍କୁ ଫସଲବୀମା ପ୍ରଦାନ କରାଯିବ, ଏମଏସପି ଦୁଇଗୁଣ କରାଯିବ, ସମସ୍ତଙ୍କ ପାଇଁ ଘର ଆଦି ପ୍ରତିଶ୍ରୁତି ଦିଆଯାଇଥିଲା ଏବଂ ଆପଣ ଏବଂ ଆପଣଙ୍କ ଦଳର ସାଂସଦ ମାନେ ସଂସଦରେ ଚୁପ୍ ରହିଥିଲେ । କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ଭୁବନେଶ୍ୱର କିମ୍ବା ଓଡ଼ିଶାବାସୀଙ୍କ ପାଇଁ ଥରେ ବି ସ୍ୱର ଉତ୍ତୋଳନ କରିନାହାନ୍ତି। ଯଦି ଶ୍ରୀ ପାଣ୍ଡିଆନ୍ ଆପଣଙ୍କୁ ଏହି ସବୁ ପ୍ରଶ୍ନ ପଚାରୁଛନ୍ତି, ତେବେ ଆପଣ କାହିଁକି ଏତେ କ୍ରୋଧିତ ହୋଇ ତାଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରୁଛନ୍ତି? ଏସବୁ କ’ଣ ଓଡ଼ିଶା ଓ ଭୁବନେଶ୍ୱରବାସୀଙ୍କ ସମସ୍ୟା ନୁହେଁ?
ଆପଣଙ୍କ ପୁରା କାର୍ୟ୍ୟକାଳ କେବଳ ସୋସିଆଲ ଥିଲା ଏବଂ ଆଉ କିଛି ନୁହେଁ । ଆପଣ ଭୁବନେଶ୍ୱରବାସୀଙ୍କ ପାଇଁ ସେଭଳି କୌଣସି କାମ କରିନାହାଁନ୍ତି । ଉତ୍ତର ଦେବା ପରିବର୍ତ୍ତେ ଆପଣ ଏହାକୁ ନେଇ ଶ୍ରୀ ପାଣ୍ଡିଆନଙ୍କୁ କାହିଁକି ଗାଳି ଗୁଲଜ କରୁଛନ୍ତି? ଦୟାକରି ମିଛ କହିବା ଏବଂ ଅପମାନଜନକ ମନ୍ତବ୍ୟ ଦେବାରୁ ଦୂରେଇ ରୁହନ୍ତୁ । ଆପଣ କିପରି ଆଚରଣ କରୁଛନ୍ତି ଏବଂ ଆଲୋଚନାରେ କିଭଳି ଶାଳୀନତା ବଜାୟ ରଖୁଛନ୍ତି ତାହା ଭୁବନେଶ୍ୱରବାସୀ ଦେଖୁଛନ୍ତି, ଯାହା କି ଓଡ଼ିଶାର ସଂସ୍କୃତି ନୁହେଁ ବୋଲି ଡ. ପାତ୍ର କହିଛନ୍ତି।