Odisha news

ତୁ ସାନ ହୋଇ ଆଗ ଚାଲିଗଲୁ : ନଭେମ୍ବର ୨୬ ତାରିଖ ଜନଗଣର ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ରଙ୍କ ୧୦୩ ତମ ଜୟନ୍ତୀ ଉପଲକ୍ଷେ …….

0

ହିମାଂଶୁ ଶେଖର ଆ·ର୍ଯ୍ୟ : ନିଆରା ଥିଲା ସେ ଦରବାର । ସେ ଦରବାର ରାଜା କିମ୍ବା ଜମିଦାରଙ୍କ ଠାରୁ ଭିନ୍ନ ଥିଲା । ସେଠି ପାତ୍ର, ମନ୍ତ୍ରୀ, ସଭାସଦ୍ କେହି ରହୁନଥିଲେ । ଏହା ଥିଲା ନିତି ଦିନିଆ କଥା । କ୍ଷମତାର ମୋହ ତାଙ୍କୁ ଗ୍ରାସ କରିନଥିଲା । ଦେହରେ ଦାମୀ ପୋଷାକ ନଥିଲା କି ଆଚରଣରେ ଅହଂକାର ନଥିଲା । ପୋଷାକ କହିଲେ ଲୁଙ୍ଗି ଖଣ୍ଡେ,ଖାଲି ଦେହ । ଗୋଟିଏ ପଟେ ସେ ଓ ଅନ୍ୟପଟେ ଶହଶହ ଲୋକ ଓ ସେମାନଙ୍କ ସମସ୍ୟା । ଦରବାର ସକାଳ ଆଠଟାରୁ ଆରମ୍ଭ ହୋଇ ଦିନ ଦି’ଟା ଓ ପୁଣି ପାଞ୍ଚଟାରୁ ରାତି ବାରଟା ।

ସେ ହେଉଛନ୍ତି ଜନଗଣର ନେତା,ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବାହାରେ ବୀରେନ ଦା’ ଭାବେ ଜଣାଶୁଣା ଥିବା ବୀରେନ୍ ମିତ୍ର । ଜୀବନର ଶେଷ ଭାଗରେ ସେ ହୃଦ୍ରୋଗରେ ଆକ୍ରାନ୍ତ ହୋଇ ୧୯୭୮ ମସିହା ସେ ମାସ ୨୫ ତାରିଖରେ ସେ ଇହଧାମ ପରିତ୍ୟାଗ କରିଥିଲେ । ତାଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବାପରେ ସାରା କଟକ ସହର ସ୍ତବ୍ଧ ହୋଇଯାଇଥିଲା । ସମସ୍ତେ ତାଙ୍କର ଜଣେ ଆତ୍ମୀୟଙ୍କୁ ହରାଇଥିବା ଭଳି ବେଦନା ଅନୁଭବ କରିଥିଲେ । ତାଙ୍କ ମୃତୁ୍ୟରେ ଶୋକ ପ୍ରକାଶ କରି ମହାନ୍ ଜନନାୟକ ବିଜୁ ପଟ୍ଟନାୟକ ଭାବବିହ୍ୱଳ ହୋଇପଡିଥିଲେ ଓ କହିଥିଲେ – “ତୁ ସାନ ହୋଇ ଆଗ ଚାଲିଗଲୁ! ଏଠି ଲୋକଙ୍କ କଥା କିଏ ବୁଝିବ?”

ଏହି ଯୋଗଜନ୍ମା ବରପୁତ୍ର ଜନ୍ମ ନେଇଥିଲେ ୧୯୧୭ ମସିହା ନଭେମ୍ବର ୨୬ ତାରିଖରେ କଟକ ସହରର କାଠଗଡା ସାହିରେ । ମାତ୍ର ତାଙ୍କ ପୈତୃକ ଜନ୍ମସ୍ଥାନ ହେଉଛି ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ଅଞ୍ଚଳରେ । ବାଲ୍ୟକାଳରୁ ତାଙ୍କ ଭିତରେ ସାନବଡ ଭେଦଭାବ ନଥିଲା । ସେ ଜନସାଧାରଣଙ୍କୁ ଜନତା-ଜନାର୍ଦ୍ଦନ ବୋଲି ବିଚାରୁଥିଲେ । ଏକ ପ୍ରତିଷ୍ଠିତ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ତାଙ୍କ ମନରେ ଅହଙ୍କାର ନଥିଲା କିମ୍ବା ବ୍ୟକ୍ତିଗତ ଜୀବନରେ ତାଙ୍କର କେହି ଶତ୍ରୁ ନଥିଲେ ।

ସାଧାରଣ ଜୀବନରେ ସେଥିଲେ ‘ଅଜାତଶତ୍ରୁ’ । ବାପା ବିପିନ ବିହାରୀଙ୍କ ଇଚ୍ଛା ଥିଲା ପୁଅ ଭଲ ପଢିବ, ତାଙ୍କ ପରେ ଓକିଲାତି କରି ନାଁ କମେଇବ ନଚେତ୍ ସରକାରୀ ଚାକିରି କରି ଡେପୁଟି ମାଜିଷ୍ଟ୍ରେଟ୍ ହେବ । ସେଥିପାଇଁ ସେ ପ୍ରାଥମିକ ଶିକ୍ଷାପରେ ପ୍ୟାରୀମୋହନ ଏକାଡେମୀ ଓ ତାପରେ ରେଭେନ୍ସା କଲେଜରେ ବୀରେନ୍ଙ୍କ ନାଁ ଲେଖାଇଥିଲେ । ସେତେବେଳେ ଗୋଟିଏ ଦୁଇଟି ଘଟଣା ତାଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା । କଟକ ମେଡିକାଲ୍ ସ୍କୁଲ୍ର ଧର୍ମଘଟରେ ସେ ଛାତ୍ରମାନଙ୍କ ଭିତରେ ବେଶ୍ ଜଣାଶୁଣା ହୋଇଗଲେ । ଛାତ୍ରମାନଙ୍କ ଭିତରେ ସେ ଖୁବ୍ ଆଗୁଆ ହୋଇଗଲେ । ୧୯୪୨ ମସିହା ଅଗଷ୍ଟ ୯ ସ୍ୱାଧୀନତା ଆନେ୍ଦାଳନର ଶେଷ ଅଧ୍ୟାୟ । ବାପାଙ୍କ ଅନିଚ୍ଛା ସତ୍ତ୍ୱେ ଗାନ୍ଧିଜୀଙ୍କ “କର ବା ମର” ଡାକରା ଶୁଣି ଆନେ୍ଦାଳନରେ ସାମିଲ ହେବା ସହ ପ୍ରଥମେ କଟକ ଓ ପରେ ବ୍ରହ୍ମପୁର ଜେଲରେ ଅଟକବନ୍ଦୀ ହୋଇ ରହିଥିଲେ ।

୧୯୩୫ ମସିହା ଭାରତ ଶାସନ ଆଇନ ଅନୁଯାୟୀ ଓଡିଶାରେ ୧୯୪୬ ମସିହାରେ ଦ୍ୱିତୀୟଥର ପାଇଁ ନିର୍ବାଚନ ହେଲା । ଡଃ. ମହତାବ କଂଗ୍ରେସ ବିଧାୟକ ଦଳର ନେତା ଭାବେ ଓଡିଶାର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ସେତେବେଳେ ବୀରେନ୍ ଦା’ କଟକ ସହରକୁ ନିଜ କର୍ମକ୍ଷେତ୍ର କରିସାରିଥିଲେ । ଦିନେ ବାଖରାବାଦରେ ଡଃ. ମହତାବଙ୍କ ସହିତ ବୀରେନ୍ ଦାଙ୍କର ସାକ୍ଷାତ୍ ହୋଇଥିଲା । ସେଦିନ ସେହି ସାକ୍ଷାତ ଉଭୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଗୁରୁଶିଷ୍ୟ ଭଳି ଡକ୍ଟର ମହତାବ ଓ ବୀରେନ୍ ମିତ୍ର ଦୀର୍ଘ ୧୫ ବର୍ଷ କାଳ ଏକତ୍ର କାମ କରିଥିଲେ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନ ହେଲା ବେଳକୁ ବୀରେନ୍ ମିତ୍ର କର୍ମୀରୁ ନେତା ହୋଇସାରିଥିଲେ । ସହରର ଲୋକଙ୍କ ସୁଖଦୁଃଖ ହାନିଲାଭ ବୁଝିବା ପାଇଁ ତାଙ୍କରି ଚେଷ୍ଟାରେ ‘ଟାଉନ୍ କମିଟି’ ଗଢା ହୋଇଥିଲା । ଏହି ଟାଉନ୍ କମିଟି ଜରିଆରେ କଟକ ସହରରେ ବହୁଦିନ ପର୍ଯ୍ୟନ୍ତ ସାହି ବିବାଦ ଠାରୁ ଆରମ୍ଭ କରି ବହୁ ସମସ୍ୟାର ସମାଧାନ କରାଯାଉଥିଲା । ଏହି କମିଟି କଟକିଆଙ୍କର ସୁଖଦୁଃଖର ସାଥୀ ଥିଲା । ବୀରେନ ଦାଙ୍କ ଗୋଟିଏ ବଡ ଗୁଣ ଥିଲା କଟକ ସହର ଥିଲା ତାଙ୍କ ପ୍ରାଣ । ଲୋକଙ୍କ ସେବାରେ ତାଙ୍କର ଛଳନା ନଥିଲା ।

୧୯୫୨ ମସିହାରେ ଆମ ଦେଶର ସମ୍ବିଧାନ ଅନୁଯାୟୀ ପ୍ରଥମ ଥର ପାଇଁ ସାବାଳକ ଭୋଟଦାନ ପ୍ରଥାରେ ନିର୍ବାଚନ ହେଲା । ସେତେବେଳକୁ ବୀରେନବାବୁ କଂଗ୍ରେସ ଦଳର ନେତା ଭାବେ କଟକ ସହରରେ ବେଶ୍ ଜଣାଶୁଣା ହୋଇପାରିଥିଲେ । ସେ ପ୍ରଥମ ଥର ପାଇଁ କଟକ ସହରରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଲେ ଓ ଜିତିଲେ । କଟକ ସହରରେ ଲୋକେ ତାଙ୍କୁ ଏତେ ଭଲପାଉଥିଲେ ଯେ ୧୯୫୨ ମସିହାରୁ ୧୯୬୭ ପର୍ଯ୍ୟନ୍ତ ଚାରିଥର ସେ କଟକ ସହରରୁ ବିଧାନସଭାକୁ ନିର୍ବାଚନ ହୋଇଥିଲେ । ୧୯୬୧ ମସିହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ପଦ ମଣ୍ଡନ କରିଥିଲେ ।

୧୯୬୩ ମସିହାରେ କାମରାଜ ଯୋଜନାରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ତାଙ୍କ ସ୍ଥାନରେ ଉପମୁଖ୍ୟମନ୍ତ୍ରୀ ଥିବା ବୀରେନ୍ ମିତ୍ର ୧୯୬୩ ମସିହା ଅକ୍ଟୋବର ୨ ତାରିଖରେ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ମୁଖ୍ୟମନ୍ତ୍ରୀ ହେବାପରେ ରାଜ୍ୟର ସାଧାରଣ ଲୋକ ବିଶେଷ କରି ଗରିବ, ଖଟିଖିଆ, ମେହେନତକାରୀ ଲୋକେ ଖୁବ୍ ଖୁସି ହୋଇଥିଲେ । ସେମାନଙ୍କର ଜଣେ ନିତିଦିନିଆ ସାଥୀ ହାତରେ ରାଜ୍ୟର ଶାସନଭାର ଥିବାରୁ ସେମାନଙ୍କ ମନରେ ନୂତନ ଆଶା ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀ ହେବାପରେ ବି ନିଜର ଜୀବନଧାରାକୁ ବଦଳାଇ ନଥିଲେ ସେ ।

ବୀରେନ୍ ମିତ୍ର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସବୁଠାରୁ ଉଲ୍ଲେଖନୀୟ ଘଟଣା ଥିଲା ୧୯୬୪ ମସିହାର ଛାତ୍ର ଆନେ୍ଦାଳନ । ସେଇବର୍ଷ ସେପ୍ଟେମ୍ବର ୨ ତାରିଖ ଦିନ ଏକ ସାମାନ୍ୟ ଘଟଣାକୁ କେନ୍ଦ୍ରକରି ଛାତ୍ରମାନେ ବିଧାନସଭାରେ ତୁମୁଳକାଣ୍ଡ କରିଥିଲେ । ଏ ଘଟଣାର କିଛିଦିନ ପରେ କଟକରେ ରେଡିଓ ମରାମତିକୁ କେନ୍ଦ୍ର କରି ପୁଣି ଏକ ଛାତ୍ର ଆନେ୍ଦାଳନ ମୁଣ୍ଡ ଟେକିଥିଲା । ଆନେ୍ଦାଳନ କେବଳ କଟକ ସହରରେ ସୀମିତ ନରହି ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିଥିଲା । ବୀରେନ୍ ଦା ନିଜେ ଜଣେ ଛାତ୍ରନେତା ଥିଲେ ।

ସବୁ ଶୁଣି ଦାଦା ପୁଲିସ୍କୁ କହିଥିଲେ “ଯାହା କରୁଛ କର, କଟକରେ ଗୁଳି ଫୁଟିବ ନାହିଁ କି କଟକ ରାସ୍ତାରେ ବୁନ୍ଦାଏ ରକ୍ତ ପଡିବ ନାହିଁ”ା ଫଳରେ ଅନେକ ଜୀବନ ରକ୍ଷା ପାଇଗଲା । ଘଟଣାଚକ୍ରରେ ବୀରେନ୍ ମିତ୍ର ଶାସ୍ତ୍ରୀଜୀଙ୍କ ପରାମର୍ଶ କ୍ରମ୍ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । କ୍ଷମତାରୁ ଗଲାପରେ ତାଙ୍କ ଦରବାର ବି ପୂର୍ବଭଳି ଚାଲୁଥିଲା ଏମିତି ନେତା ଆଜିର ଦୁନିଆରେ ବିରଳ । ୧୯୭୮ ମସିହା ମଇ ୨୫ ତାରିଖରେ ତାଙ୍କର ଦେହାବସାନ ହେଲା । ହେଲେ ବିସ୍ମୃତିରେ ହଜିଯାଉଥିବା ଏହି ବରପୁତ୍ରଙ୍କ ଜୀବନାଦର୍ଶ ଆଜି ବି ପ୍ରାସଙ୍ଗିକ ମନେହୁଏ ।

Leave A Reply