ବିପିନ ବିହାରୀ ରାଉତ : ସଂଗ୍ରାମ ଓ ସାଧନାର ଶିଳ୍ପୀ ପଦ୍ମଶ୍ରୀ ବିନୋଦ କାନୁନଗୋ ଏକାଧାରାରେ ଥିଲେ ସ୍ୱାଧୀନତା ସଂଗ୍ରାମୀ, ଭାଷା ଓ ସାହିତ୍ୟର ଖ୍ୟାତନାମା ଗବେଷକ, ଶିଶୁ ସାହିତି୍ୟକ, ସାମ୍ବାଦିକ, ଜନପ୍ରିୟ ବିଜ୍ଞାନ ଲେଖକ ତଥା ଓଡ଼ିଆ ବିଶ୍ୱ ଶବ୍ଦକୋଷ ଜ୍ଞାନମଣ୍ଡଳର ଅନନ୍ୟ ସ୍ରଷ୍ଠା ।
ଜ୍ଞାନକୋଷ ବା ଏନ୍ସାଇକ୍ଲୋପିଡ଼ିଆ ବିନା କୌଣସି ଭାଷା ଶତ ପ୍ରତିଶତ ସମୃଦ୍ଧ ବୋଲି କୁହାଯାଇପାରିବ ନାହିଁ । ଜ୍ଞାନକୋଷ ରଚନା ଏତେ ସହଜ କଥା ନୁହେଁ । ଏଥିପାଇଁ ଲୋଡ଼ା ମିଳିତ ଉଦ୍ୟମ ସାଙ୍ଗକୁ ଆର୍ଥିକ ସହାୟତା ଓ ମାନସିକ ପ୍ରୋତ୍ସାହନ ।
ଆଉ ଏସବୁର ଅଭାବ ସତ୍ତ୍ୱେ ଏଭଳି ଜଣେ ଓଡ଼ିଆ ଥିଲେ, ଯିଏ ସଂପୂର୍ଣ୍ଣ ଭାବେ ବ୍ୟକ୍ତିଗତ ପ୍ରଚେଷ୍ଟାରେ ସୃଷ୍ଟି କରିପାରିଥିଲେ, ଆମ ଭାଷାର ଅଦ୍ୟାବଧି ସବୁଠାରୁ ଉନ୍ନତ ଜ୍ଞାନକୋଷ । ସେ ହେଉଛନ୍ତି ଜ୍ଞାନପ୍ରଦୀପ ବିନୋଦ କାନୁନ୍ଗୋ । ସେ ବିଧିବଦ୍ଧ ଭାବେ କୌଣସି ପ୍ରକାରର ଉଚ୍ଚ ଶିକ୍ଷା ପାଇ ନଥିବା ମଣିଷ । ତଥାପି ନିଜର ଅସୀମ ଜ୍ଞାନ, ପ୍ରଗାଢ଼ ନିଷ୍ଠା ବଳରେ ଗଢ଼ିପାରିଥିଲେ ଜ୍ଞାନକୋଷ ।
ସେ ଥିଲେ ପରମ ଗାନ୍ଧୀବାଦୀ । ଗାନ୍ଧୀଙ୍କ ଆଦର୍ଶକୁ ଗ୍ରହଣ କରି ଜ୍ଞାନର ପ୍ରସାର ପାଇଁ ଆଜୀବନ ଉଦ୍ୟମ କରିଥିଲେ । ଏକଦା ବିନୋଦ କାନୁନ୍ଗୋ ଥିଲେ ଜଣେ ମେଧାବୀ ଛାତ୍ର । ତାଙ୍କ ମାମୁଁ ଥିଲେ ପ୍ରସିଦ୍ଧ ପୋଥି ଓ ସାହିତ୍ୟ ଗବେଷକ ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତି । ମାମୁଁଙ୍କ କଟକସ୍ଥିତ ବସାରେ ରହି ସେ କଲିଜିଏଟ୍ ସ୍କୁଲରେ ପଢ଼ୁଥିଲେ । ସେହି ସମୟରେ ଜାତୀୟକବି ବୀରକିଶୋରଙ୍କ ଏକ ଗୀତ, ତାଙ୍କୁ ଗଭୀର ଭାବେ ଅନୁପ୍ରାଣିତ କରିଥିଲା “ରଣ ସମୟରେ ବହି ଘୋଷିବାକୁ ମୋତେ ଆଉତୁମେ ବଳାନା; ଛାତିର ରକତ ତାତିଉଠେ ମୋର, ବାଜିବାରୁ ଯୁଦ୍ଧ ବାଜଣା । ଯୁଦ୍ଧ ଇତିହାସ ହୋଇଲେ ପଠିତ, ଶୁଣି ବଂଶଧର ହୋଇବେ ପଣ୍ଡିତ; ନରହନ୍ତାର କଂସେଇଶାଳେ ମୁଁ ଲେଖୁଥିବି ବସି ରଚନା ।’ ବିନୋଦ କାନୁନ୍ଗୋ ଲେଖିଛନ୍ତି ୧୯୩୦ ଏପ୍ରିଲ ୯ ତାରିଖ ସନ୍ଧ୍ୟାରେ ଏହି ଗୀତ ମୋ ମନର ସମସ୍ତ ସନେ୍ଦହ ଦୂରକରିଦେଲା । ଏବଂ ମୋର କର୍ତ୍ତବ୍ୟ କ’ଣ, ତାହା ସୂଚେଇ ଦେଲା । ପର ଦିନ ହିଁ ସେ କେତେକ ସହପାଠୀଙ୍କ ସହ ବିଦ୍ୟାଳୟ ଛାଡ଼ି, ଧର୍ମଘଟରେ ଯୋଗଦେଇଥିଲେ ।
ପ୍ରଧାନ ଶିକ୍ଷକ ସଚ୍ଚିରାୟ, ମାମୁଁ ଆର୍ତ୍ତବଲ୍ଲଭ ଓ ଡ.ପ୍ରାଣକୃଷ୍ଣ ପରିଜା ବହୁତ ବୁଝାଇବା ସତ୍ତ୍ୱେ ତାଙ୍କୁ ରୋକିପାରି ନଥିଲେ । ତାହାଥିଲା ବିଦ୍ୟାଳୟରେ ଶେଷ ଦିନ । ବିଦ୍ୟାଳୟରୁ ବହିଷ୍କୃତଙ୍କ ତାଲିକାରେ ସର୍ବାଗ୍ରେ ଥିଲା ବିନୋଦ କାନୁନ୍ଗୋଙ୍କ ନାମ । ତାହାପରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ, ବାରମ୍ବାର କାରାବରଣ । ଅନୁଷ୍ଠାନଭିତ୍ତିକ ଶିକ୍ଷା ପାଇଁ ଆଉ ସୁଯୋଗ ମିଳି ନଥିଲା । ତେବେ କୌଣସି ସମୟରେ ସେ ପଠନରୁ ବିରତ ହୋଇନଥିଲେ । ସବୁବେଳେ ପାଖରେ ରହୁଥିଲା ବିଭିନ୍ନ ପୁସ୍ତକ, ପତ୍ରପତ୍ରିକା ।
କାରାଗାର ଥିଲା ପଠନର ମୁଖ୍ୟ କ୍ଷେତ୍ର । ସ୍ୱାଧୀନତା ପରେ ସେ ରାଜନୀତିରେ ନ ମାତି ଜ୍ଞାନର ପ୍ରସାରକ ସାଜିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ମାତ୍ର ଏକ ଟଙ୍କା ଖଣ୍ଡିଏ ଖଦଡ଼ ଶତରଞ୍ଜି, ଖଦଡ଼ ପୋଷାକ ଓ କିଛି ବହିପତ୍ର ଧରି ଆସିଥିଲେ କଟକ । ଉଦେ୍ଦଶ୍ୟ ଜ୍ଞାନକୋଷ ରଚନା । ଦିନଟି ଥିଲା ୧ ଜାନୁଆରୀ ୧୯୫୪ । ପରବର୍ତ୍ତୀ ଜୀବନ ଥିଲା ବେଶ ସଂଘର୍ଷମୟ । ୨ ଡିସେମ୍ବର ୧୯୬୦ରେ ପ୍ରକାଶ ପାଇଥିଲା ତାଙ୍କ ଜ୍ଞାନମଣ୍ଡଳର ପ୍ରଥମ ଖଣ୍ଡ । ତାହାର ଉନ୍ମୋଚନ ଉତ୍ସବରେ ଭାଷଣ ଦେବା ବେଳେ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ ମାମୁଁ ଆର୍ତ୍ତବଲ୍ଲଭ । ୧୯୧୨ ଜୁନ୍ ଆଜିର ଦିନରେ କିଶୋରନଗର ଅନ୍ତର୍ଗତ ମଲ୍ଲିପୁରରେ ଜନ୍ମ ହୋଇଥିଲେ ଏହି ମହାନ ଜ୍ଞାନକୋଷ ପ୍ରଣେତା ।
ବିନୋଦ କାନୁନ୍ଗୋଙ୍କ ବ୍ୟକ୍ତିତ୍ୱ ଯେତେ ଲେଖିଲେ ବି କମ ପଡ଼ିଯିବ । ସେ ସମୟରେ ଯେତେବେଳେ ଇଣ୍ଟରନେଟ୍, ମୋବାଇଲ, ଗୁଗୁଲ ପରି ଅତ୍ୟାଧୁନିକ ସୂଚନା ପ୍ରଯୁକ୍ତିର ଜ୍ଞାନବିଜ୍ଞାନ କମ ରହିଥିଲା ସେତିକିବେଳେ ହିଁ ସେ ନିଜ ଗବେଷଣା ଓ ସଂଗ୍ରହ ଜାରି ରଖିଥିଲେ । ତାଙ୍କ ଗବେଷଣାତ୍ମକ ଜ୍ଞାନମଣ୍ଡଳନ ନିମିତ୍ତ ଆବଶ୍ୟକ ପଡ଼ୁଥିବା ଓଡ଼ିଆ ଶବ୍ଦ ସଂଗ୍ରହ ସମୟରେ ଏହାର ଅର୍ଥ ଓ ଶବ୍ଦାବଳୀକୁ ସେ ଟିକିନିଖି ଭାବେ ଏକ ଟିପା ଖାତାରେ ଲେଖି ପକାଉଥିଲେ । ଜ୍ଞାନମଣ୍ଡଳ ଓଡ଼ିଶା ଭାଷା ସାହିତ୍ୟ କ୍ଷେତ୍ରରେ ଏକ ଅମୂଲ୍ୟ ଓ ମହତ୍ୱପୂର୍ଣ୍ଣ ପୁସ୍ତକାବଳୀ । ଯୁଗ ଯୁଗ ଧରି ଏହି ପୁସ୍ତକାବଳୀ ଓଡ଼ିଆ ଜାତି ପାଇଁ ଅମୂଲ୍ୟ ସମ୍ପଦ ହୋଇ ରହିବ । ଜଣେ ସାଧାରଣ ସରଳ ମଣିଷଙ୍କ ଅସାଧାରଣ ସଂଗ୍ରାହବଳୀ ତାଙ୍କୁ ଇତିହାସର ସ୍ୱର୍ଣ୍ଣାକ୍ଷରରେ ଚିରକାଳ ଲିପିବଦ୍ଧ ହୋଇ ତାଙ୍କୁ ଅମର କରିରଖିବ ନିଶ୍ଚୟ ।
Comments are closed.