ଅଲେଖ ଚନ୍ଦ୍ର ସାମଲ, ଓଏଫ୍ଏସ୍-୧ (ଏସ୍ବି) : କେବଳ ବିଜେଡ଼ି ଦଳର ପ୍ରତିଷ୍ଠାତା ସଭ୍ୟ, ଉପସଭାପତି ଭାବେ ନୁହଁନ୍ତି ସବୁଦଳରେ ନିଜ ଅମାୟିକ ବ୍ୟକ୍ତିତ୍ୱକୁ ନେଇ ସମସ୍ତଙ୍କର ପ୍ରିୟ ହୋଇଥିବା ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ଅନ୍ୟତମ ମାର୍ଗଦର୍ଶକ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ ହୋଇଛି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁତ୍ର ବିଜୟଶ୍ରୀ ବାବୁ ଜଣେ ମେଧାବୀ ଛାତ୍ର ଭାବେ ୧୯୭୩ ମସିହାରେ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ଭୂଗୋଳରେ ସ୍ୱର୍ଣ୍ଣପଦକ ସହ ସ୍ନାତକୋତ୍ତର ଡିଗ୍ରୀ ପାଇଥିଲେ । ୧୯୮୦ରେ ନିର୍ବାଚନ ରାଜନୀତିକୁ ଓହ୍ଲାଇ ଅଧ୍ୟାପନା ଛାଡ଼ି ଦେଇଥିଲେ । ଓଡ଼ିଶା ରାଜନୀତିରେ ତାଙ୍କର ଓ ତାଙ୍କ ବାପାଙ୍କର ଦୁଇ ଦୁଇଟି ବିରଳ ରେକର୍ଡ଼ ରହିଛି । ତାଙ୍କ ବାପା ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ଛଅଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
ସେହିପରି ବିଜୟଶ୍ରୀ ବାବୁ ମଧ୍ୟ ବାସୁଦେବପୁର ଆସନରୁ ନିର୍ବାଚନ ଲଢ଼ି ଛଅଥର ବିଧାୟକ ଭାବେ ବିଜୟ ଲାଭ କରିଥିଲେ । ବିଜୟଶ୍ରୀ ବାବୁଙ୍କୁ ଯେଉଁମାନେ ପାଖରୁ ଜାଣିଛନ୍ତି ସେମାନେ ତାଙ୍କର ଅନେକ ସ୍ମରଣୀୟ ଗୁଣକୁ ସବୁଦିନ ପାଇଁ ମନେରଖନ୍ତି । ବିଜୟଶ୍ରୀ ବାବୁ ଗଛକୁ ଭାରି ଭଲ ପାଉଥିଲେ । ଗଛ ଲଗାଇବାକୁ ଓ ଗଛର ସୁରକ୍ଷା ପାଇଁ ସବୁବେଳେ ବ୍ୟସ୍ତ ଥିଲେ । ତାଙ୍କ ସମସାମୟିକ ରାଜନେତାମାନେ ସ୍ୱୀକାର କରନ୍ତି ଯେ ସେ ପରିବେଶକୁ ସବୁବେଳେ ଭଲ ପାଉଥିଲେ । ପରିବେଶର ସୁରକ୍ଷା ପାଇଁ ଉଦବେଗ ପ୍ରକାଶ କରୁଥିଲେ । ନୀଳମଣି ରାଉତରାୟଙ୍କ ପରି ବିଜୟଶ୍ରୀ ରାଉତରାୟ ମଧ୍ୟ ବହୁତ ପଢ଼ୁଥିଲେ । ଅନେକ ବହି ପଢ଼ୁଥିଲେ ଓ ପିଲାବେଳୁ ଏହି ଅଭ୍ୟାସ ରଖିଥିଲେ । ସାଧାରଣତଃ ରାଜନେତାଙ୍କ ପିଲାମାନେ ଭଲ ପଢ଼ନ୍ତି ନାହିଁ । କିନ୍ତୁ ବିଜୟଶ୍ରୀ ଏଥିରେ ବ୍ୟତିକ୍ରମ ଥିଲେ । ଉକ୍ରଳ ବିଶ୍ୱବିଦ୍ୟାଳୟରେ ଭୂଗୋଳରେ ତାଙ୍କର ସ୍ୱର୍ଣ୍ଣପଦକ ରେକର୍ଡ଼ ଆଜିଯାଏଁ କେହି ଭାଙ୍ଗି ନାହାନ୍ତି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନୀଳମଣି ରାଉତରାୟଙ୍କ ଏକମାତ୍ର ପୁଅ ଥିଲେ ବିଜୟଶ୍ରୀ । ଛାତ୍ରାବସ୍ଥାରେ ବେଶ ମେଧାବୀ ଥିଲେ ସେ । ରେଭେନ୍ସା କଲେଜରୁ ଭୂଗୋଳ ଅନର୍ସରେ ବିଏ ପାସ କରିବା ପରେ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ୧୯୭୩ ମସିହାରେ ସେହି ବିଷୟରେ ସ୍ୱର୍ଣ୍ଣପଦକ ସହ ଏମ୍ଏ ପାସ କରିଥିଲେ । ୧୯୭୪ ମସିହରେ ରେଭେନ୍ସା କଲେଜରେ ଅଧ୍ୟାପକ ଭାବେ ଯୋଗ ଦେଇ ୧୯୮୦ ପର୍ଯ୍ୟନ୍ତ ଅଧ୍ୟାପନା କରିଥିଲେ । ପରେ ସେ ଅଧ୍ୟାପକ ଚାକିରି ଛାଡ଼ି ବାପାଙ୍କ ପଦାଙ୍କ ଅନୁସରଣ କରି ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ ଏବଂ ୧୯୮୦ ମସିହାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ପ୍ରଥମଥର ଜନତା ଦଳରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ୧୯୮୫ ମସିହାରେ ବି ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।
ହେଲେ ତା ପରଠୁ ଦୀର୍ଘ ୩୦ ବର୍ଷ ଧରି ସେ ସକ୍ରିୟ ରାଜନୀତିରେ ନିଜର ପ୍ରଭାବ ବିସ୍ତାର କରିବା ସହ ନିଜକୁ ଅପ୍ରତିଦ୍ୱନ୍ଦ୍ୱୀ ପ୍ରମାଣିତ କରିଥିଲେ । ଅନେକ ହୁଏତ ଜାଣିନଥିବେ ଜଙ୍ଗଲ ଓ ପରିବେଶ ବିଭାଗକୁ ସେ ଯେପରି ଅତି ଆପଣାର ଭାବୁଥିଲେ । ନବୀନ ବାବୁଙ୍କ ଚତୁର୍ଥ ପାଳିର ମୁଖ୍ୟମନ୍ତ୍ରୀତ୍ୱ ବେଳେ ସେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ପରି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ଦାୟିତ୍ୱରେ ଥିଲେ । ୨୦୧୭ରେ ମନ୍ତ୍ରୀମଣ୍ଡଳର ଅଦଳ ବଦଳ ଖବର ପାଇ ବିଜୟଶ୍ରୀ ବାବୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଜଙ୍ଗଲ ଓ ପରିବେଶ ବିଭାଗଟି ମାଗିନେଇଥିଲେ । ପୂର୍ବରୁ ୨୦୧୨ରୁ ୨୦୧୪ ଓ ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ଯେ ଏହି ବିଭାଗର ମନ୍ତ୍ରୀତ୍ୱ ଦାୟିତ୍ୱରେ ଥିଲେ ।
ପୈତୃକ ଗାଁ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ଓ ବାସୁଦେବପୁର ଅଞ୍ଚଳର ଲୋକଙ୍କ ପାଇଁ ବିଜୟଶ୍ରୀ ଥିଲେ ଏକ ଶ୍ରଦ୍ଧାଶୀଳ ବ୍ୟକ୍ତିତ୍ୱ । ନିଜ ନିର୍ବାଚନ ମଣ୍ଡଳୀରେ ବାବୁଲ ବାବୁ ନାମରେ ତାଙ୍କୁ ସଭିଏଁ ଜାଣନ୍ତି । ଧର୍ମପତ୍ନୀ ଡାକ୍ତର ଜ୍ୟୋତି ରାଉତରାୟ, ବଡ଼ପୁଅ ଦୁର୍ଗାଦତ୍ତ, ସାନପୁଅ ବର୍ତ୍ତମାନ ବାସୁଦେବପୁର ବିଧାୟକ ଥିବା ବିଷ୍ଣୁବ୍ରତଙ୍କୁ ନେଇ ତାଙ୍କ ପରିବାର । ନିର୍ବାଚନ ମଣ୍ଡଳୀ ଲୋକଙ୍କ ସହ ରହିଥିଲା ତାଙ୍କର ବେଶ ଆବେଗପୂର୍ଣ୍ଣ ସଂପର୍କ । ପରୋପକାରୀ, ମେଳାପୀ ଓ ବନ୍ଧୁବତ୍ସଳ ଗୁଣ ପାଇଁ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଲୋକ ତାଙ୍କୁ ଭଲ ପାଉଥିଲେ । ଏହାର ବଡ଼ ପ୍ରମାଣ ହେଉଛି ଲଗାତାର ଛଅଥର ବିଧାୟକ ଭାବେ ସେ ନିର୍ବାଚିତ ହେବା । ୧୯୯୦ ଓ ୧୯୯୫ରେ ଜନତା ଦଳ, ୨୦୦୦, ୨୦୦୪, ୨୦୦୯, ୨୦୧୪ରେ ବିଜେଡ଼ିରୁ ପ୍ରାର୍ଥୀ ହୋଇ ବିଧାନସଭାକୁ ପ୍ରତିନିଧିତ୍ୱ କରିଥିଲେ ।
୨୦୧୯ ପର୍ଯ୍ୟନ୍ତ ବିଧାନସଭାକୁ ନିର୍ବାଚିତ ହୋଇଥିବା ଏହି ବରିଷ୍ଠ ରାଜନୀତିଜ୍ଞ ବିଭିନ୍ନ ସମୟରେ ସଂସ୍କୃତି ଓ ପର୍ଯ୍ୟଟନ, ଜଙ୍ଗଲ ଓ ପରିବେଶ, ସ୍ୱାସ୍ଥ୍ୟ ଓ ରାଜସ୍ୱ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଥିଲେ । ୨୦୧୯ରେ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଜ ଆଡ଼ୁ ଘୋଷଣା କରି ସାନପୁଅ ବିଷ୍ଣୁବ୍ରତ ରାଉତରାୟଙ୍କ ପାଇଁ ବାଟ ଛାଡ଼ି ଦେଇଥିଲେ ।
ବାରମ୍ବାର ନିର୍ବାଚନ ଜିତିବା ଭିତରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି ବିଜୟଶ୍ରୀ ବାବୁ । ନିଜ ଅଞ୍ଚଳର ସବୁ ଗାଁକୁ ରାସ୍ତାଘାଟ ନିର୍ମାଣ, ପାନୀୟ ଜଳଯୋଗାଣ, ବିଦୁ୍ୟତକରଣ, ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା, ସ୍ୱାସ୍ଥ୍ୟସେବା, ନଦୀବନ୍ଧ ଯୋଜନା, ଚାଷଜମିକୁ ଜଳସେଚନ, ଉପକୂଳ ଅଞ୍ଚଳରେ ବନ ଜଙ୍ଗଲ ସୃଷ୍ଟି, ବାସୁଦେବପୁରକୁ ଏନ୍ଏସି ଓ ଏନ୍ଏସରୁ ପୌରପାଳିକା ଗଠନ କରିବାରେ ତାଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ । ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳା ଓ ଶିଶୁ ୱାର୍ଡ଼ ପ୍ରତିଷ୍ଠା ମଧ୍ୟ ତାଙ୍କର ଅନ୍ୟ ଏକ ସଫଳତା । ଗୋଟିଏ ବାକ୍ୟରେ କହିବାକୁ ଗଲେ ବାସୁଦେବପୁରର ନବନିର୍ମାତା ଥିଲେ ବିଜୟଶ୍ରୀ । ଓଡ଼ିଶାରେ ସେ ହିଁ ଦେଶର ପ୍ରଥମ ବାଘ ହସ୍ତାନ୍ତର ପ୍ରକଳ୍ପ ଆରମ୍ଭ କରିଥିଲେ । ବ୍ୟକ୍ତିଗତ ଭାବେ କେନ୍ଦ୍ରସ୍ତରରେ ନିଜ ପ୍ରଭାବ ପକାଇ ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ବାଘୁଣୀ ସୁନ୍ଦରୀକୁ ଆଣିବାର ବ୍ୟବସ୍ଥା କରିଥିଲେ । ପରେ ଏହି ପ୍ରକଳ୍ପକୁ ନେଇ ସେ ଆଗଭର ହୋଇ ଅନେକ ଯୋଜନା ହାତକୁ ନେଇଥିଲେ ।
ବ୍ୟକ୍ତିଗତ ଭାବେ ଜଣେ ପଶୁପ୍ରେମୀ ହୋଇଥିବାରୁ ସେ ଏହି ପ୍ରକଳ୍ପକୁ ନେଇ ବ୍ୟକ୍ତିନିଷ୍ଠ ଯୋଜନା ହାତକୁ ନେଇଥିଲେ । ସେ ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ଦାୟିତ୍ୱରେ ଥିବାବେଳେ ସବୁବେଳେ ଅଭିଜ୍ଞ, ଶିକ୍ଷିତ ଓ ପ୍ରଶାସନିକ ମହଲରେ ବ୍ୟକ୍ତିନିଷ୍ଠ ବ୍ୟକ୍ତିତ୍ୱ ଥିବା ଅଫିସର ମାନଙ୍କୁ ଡକାଇ ସେମାନଙ୍କ ଠାରୁ ମତାମତ ନେଉଥିଲେ । ଜଣେ ମନ୍ତ୍ରୀ ଭାବେ ନୁହେଁ ବରଂ ଗୋଟିଏ ବିଭାଗର ମୁରବୀ ଭାବେ ସେ ସବୁବେଳେ ନିଜ ବିଭାଗର ଭଲମନ୍ଦ ବୁଝିବା ସହ ଅଫିସରଙ୍କ ଠାରୁ ତଳିଆ କର୍ମଚାରୀ ସମସ୍ତଙ୍କର ଭଲମନ୍ଦ ବୁଝୁଥିଲେ । ଓଡ଼ିଶା ରାଜନୀତିରେ ଜଣେ ବଡ଼ ରାଜନେତା ଭାବେ ଯେତେ ନୁହଁନ୍ତି ବରଂ ଜଙ୍ଗଲ ଓ ପରିବେଶ ବିଭାଗର ଜଣେ ବଡ଼ ମୁଖିଆ ଓ ଏହି ଅନୁଷ୍ଠାନର ଜଣେ ବଡ଼ ମୁରବୀଙ୍କର ଆଜି ଦେହାନ୍ତ ହୋଇଯାଇଛି । କିନ୍ତୁ ଚିରଦିନ ପାଇଁ ସେ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଜାଜ୍ଜୁଲ୍ୟମାନ ହୋଇରହିବେ । ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ।

Comments are closed.