ଭୋଗରାଇ -୧୭/୦୯ : ମହାମାରୀ କରୋନା ମାଡ଼ରେ ମ୍ଳାନ ପଡ଼ିଛି ଧର୍ମୀୟ ଉତ୍ସବ । ଏଥିରୁ ବାଦ୍ ପଡ଼ିନାହିଁ ସ୍ୱର୍ଗପୁରୀରେ ଅମରାବତୀ ଗଢିଥିବା ବିଶ୍ୱାକର୍ମାଙ୍କ ପୂଜା । ବିଶ୍ୱନିର୍ମାଣର ଜନକ ତଥା ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଆରାଧନା ଏକ ପ୍ରକାର ଫିକା ପଡ଼ିଯାଇଛି । ପୂଜାମଣ୍ଡପ ଝଲସୁ ନାହିଁ କିମ୍ବା ସେଠାରେ ଲୋକଙ୍କ ଗହଳି ନାହିଁ । ବାଲେଶ୍ୱର ଜିଲ୍ଲାର ଭୋଗରାଇ ଓ ଆଖପାଖ ଅଞ୍ଚଳରେ କେବଳ ବିଧି ରକ୍ଷା ପାଇଁ ଘରୋଇ ଭାବେ ଓ ଏହାର ଦୋକାନଗୁଡ଼ିକରେ ପୂଜା କରାଯାଉଛି । ଭୋଗରାଇର ଥାନା ଛକସ୍ଥିତ ବିଦୁ୍ୟତ୍ ବିଭାଗ,ଚନ୍ଦନେଶ୍ୱର ଭୋଗରାଇ ହାଟ, କମର୍ଦ୍ଦା ପ୍ରଭୃତି ସ୍ଥାନ ମାନଙ୍କରେ ନିରାଡ଼ମ୍ବର ଭାବେ ବିଶ୍ୱକର୍ମାଙ୍କର ପୂଜାଅର୍ଚ୍ଚନା କରାଯାଇଛି ।
ଅପରପକ୍ଷରେ ଆଜି ମହାଳୟା ଉପଲକ୍ଷେ ଅମାବାସ୍ୟା ତିଥିରେ ବିଭିନ୍ନ ନଦନଦୀରେ ପିତୃ ପୁରୁଷ ମାନଙ୍କ ଉଦେ୍ଦଶ୍ୟରେ ତିଳତର୍ପଣ, ସ୍ନାନାଦି, ଶ୍ରାଦ୍ଧାଦି କାର୍ଯ୍ୟ କରାଯାଇଥିବା ଦେଖିବାକୁ ମିଳିଛି । ଶରତଋତୁର ପ୍ରାକ୍ କାଳରେ କୋଲକତା ଆକାଶବାଣୀ ପକ୍ଷରୁ ଗୁରୁବାର ଭୋର ୪ଟାରୁ ମା ଆସୁଛନ୍ତି ଦେବୀଦୁର୍ଗାଙ୍କ ଶୁଭ ଆଗମନୀ ବାର୍ତ୍ତା ମହିଁଷାମର୍ଦ୍ଦିନୀ ଚଣ୍ଡିପାଠ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାର ସୀମାନ୍ତ ଅଧିବାସୀମାନେ ରେଡ଼ିଓ ଓ ଟେଲିଭିଜନ ମାଧ୍ୟମରେ ଉକ୍ରଣ୍ଠାର ସହ ଶ୍ରବଣ କରିଥିଲେ । ଭାଦ୍ର ସଂକ୍ରାନ୍ତୀ ଠାରୁ ମଳମାସ ପଡ଼ିଥିବାରୁ ଦେବୀ ଦୁର୍ଗାଙ୍କ ପୂଜା ଆଗାମୀ ମାସରେ ହେଉଥିବା ଜଣାଯାଏ ।