Odisha news

କଳିଙ୍ଗା ଘାଟିର “ବାଘ” ଗୁଜବର ସତ୍ୟତା ନାହିଁ : ଡିଏଫ୍ଓ

0

ଭଂଜନଗର – ପୁଣି ବାଘ । ଅଛି କି’ ନାହିଁ, ତାହାର ଠୋସ୍ ପ୍ରମାଣ ନାହିଁ । କିନ୍ତୁ ଏ ବାବଦରେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଚାର ହେଉଛି । ଏହାକୁ ନେଇ ବନବିଭାଗର ଅଧିକାରୀ ସ୍ପଷ୍ଟ କଲେ, ଏହାର କୌଣସି ସତ୍ୟତା ନାହିଁ । କେବଳ ବିଭାଗୀୟ କର୍ମଚାରୀଙ୍କ ମନୋବଳ ଦୁର୍ବଳ କରିବା ପାଇଁ, ଏକ ମିଛ ପ୍ରଚାର । ଏମିତି କିଛି ଖବର କୁ  ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଚର୍ଚ୍ଚା ଯୋର ଧରିଛି । ଗତ କିଛି ବର୍ଷ ହେଲା ହାତୀ ଏବଂ ବାଘକୁ ନେଇ, ଉଠିଲା-ପଡ଼ିଲା ଉତ୍ତର ଘୁମୁସର ବନଖଣ୍ଡ । ଚିନ୍ତାରେ ଉଭୟ ବନବିଭାଗ ଓ ସ୍ଥାନୀୟ ଅଞ୍ଚଳବାସୀ । ଏବେ ପୁଣି ବନ୍ୟପ୍ରାଣୀଙ୍କ ଗତିବିଧି, ସୁରକ୍ଷା ଓ ସମସ୍ୟାକୁ ନେଇ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରିବାରେ ବ୍ୟସ୍ତ, କିଛି ମନ୍ଦ ଓ ଖଳ ଚିନ୍ତାଧାରାର ଲୋକ । ଫଳ ସ୍ବରୂପ ଭୁଲ୍ ତଥ୍ୟକୁ ନେଇ ଉଭୟ ବନବିଭାଗ ଏବଂ ଜନସଧାରଣ ପ୍ରଭାବିତ ହେଉଥିବା କୁହାଯାଉଛି ।‌ ଏମିତି କିଛି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି, ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଞ୍ଚଳରେ । କଳିଙ୍ଗା ଘଟିରେ ଦିନ ଦ୍ବିପହରରେ ବାଘ ବୁଲୁଥିବା ନେଇ କଥା, ପ୍ରଘଟ ହେଲା ।‌ ଏ କଥାକୁ କିଛି ଯୋଗାଡିଆ ପ୍ରଚାରକ, ମନଧ୍ୟାନ ଦେଇ ପ୍ରଚାର କରିଦେଲ । ସାଧାରଣ ଲୋକ କଳିଙ୍ଗା ଘାଟିରେ ଯିବାଆସିବା କରିବାକୁ ଭୟଭୀତ ହୋଇପଡିଲେ । ବାଘ ଉପସ୍ଥିତି କୁ ନେଇ,  ଗମନାଗମନ ପ୍ରଭାବିତ ହେଲା ବିଭାଗୀୟ କର୍ମଚାରୀଙ୍କ ଚିନ୍ତା ବଢ଼ିଗଲା । ଘଟଣାର ଅନୁଧ୍ୟାନ କରିବା ପରେ ବନବିଭାଗ ସ୍ପଷ୍ଟ ହେଲା, ଦୁଇଦିନ ପୂର୍ବରୁ କଳିଙ୍ଗା ଘାଟିରେ ବାଘ ବୁଲୁଥିବା ଖବରର, କୌଣସି ସତ୍ୟତା ନାହିଁ । ଏହା ଏକ ମିଛ ପ୍ରଚାର  ଏବଂ ଗୁଜବ ବୋଲି ସୂଚନା ଦେଲେ, ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି । ଗତ କିଛି ମାସ ଧରି ଉତ୍ତର ଘୁମୁସର ବନଖଣ୍ଡରେ ବାଘ ବୁଲୁଥିବା ଖବର ଗଣମାଧ୍ୟମର ଶିରୋନାମା ପାଲଟିଥିଲା । ଯଦିଓ ବନ ବିଭାଗ ଏହା ବାଘର ଉପସ୍ଥିତିକୁ ସରକାରୀ ଭାବେ ସ୍ବୀକାର କରିନଥିଲା ତଥାପି, ବାହାର ରାଜ୍ୟରୁ ଆସିଥିବା ମହାବଳ ବାଘ ବୋଲି ପାରିପାର୍ଶ୍ବିକ ଅବସ୍ଥାରୁ ସ୍ପଷ୍ଟ ହୋଇଥିଲା । କିଛି ମାସ ଧରି ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡ ଏବଂ ନୟାଗଡ଼ ବନଖଣ୍ଡରେ ବାଘଟି ଘୁରିବୁଲିବା ପରେ, ଏବେ ଗଜପତି ଜିଲ୍ଲାରେ ବୁଲୁଥିବା ସ୍ପଷ୍ଟ ହୋଇଛି । ସେହି ସମୟରେ, ଘୁମୁସର ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ ବୁଲି ବୁଲି ଏକାଧିକ ସ୍ଥାନରେ ଗାଈ, ବାଛୁରୀ ଓ ମଇଁଷିକୁ ମାରି ଖାଇବା ଘଟଣା ନଜରକୁ ଆସିଥିଲା । ହେଲେ  ସେତେବେଳେ ବନବିଭାଗ ଉକ୍ତ ବାଘକୁ ଧରିବାପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲା । କିନ୍ତୁ କିଛିଦିନ ପରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଡିଭିଜନକୁ ଚାଲିଯାଇଥିବା ସ୍ପଷ୍ଟ ହୋଇଛି । ଏବେ ଘୁମୁସର ବନଖଣ୍ଡରେ ଆଉ ବାଘ ଭୟ ନାହିଁ । ତେବେ ଗତ ମଙ୍ଗଳବାର ଦିନବେଳା କଳିଙ୍ଗା ଘାଟିରେ ବାଘ ବୁଲୁଥିବା ଖବରକୁ, କିଛି ଖଳ ପ୍ରକୃତିର ଲୋକ ଯୋରଦାର୍ ପ୍ରଚାର କଲେ । ଲୋକେ ଏହାଶୁଣି ଆତଙ୍କିତ ହୋଇ ପଡିଲେ । ଶେଷରେ ଏହା ଏକ ଗୁଜବ ବୋଲି ବନଖଣ୍ଡ ଅଧିକାରୀ  ଶ୍ରୀ ମହାନ୍ତି ସ୍ପଷ୍ଟ କଲେ  ।  ବାଘ କେବେହେଲେ ଦିନ ସମୟରେ, ସର୍ବସାଧାରଣ ଯାତାୟାତ କରୁଥିବା ରାସ୍ତାରେ ଦେଖାଦିଏନି  । ବରଂଏହା ଏକ ମିଥ୍ୟା ଏବଂ ଗୁଜବ ବୋଲି କହିଛନ୍ତି ଶ୍ରୀ ମହାନ୍ତି । ପୁଣି ସେ କହିଛନ୍ତି କୌଣସି ଗୁଜବ କଥାରେ ଲୋକେ ଭୟଭୀତ ହେବା ଦରକାର ନାହିଁ । ଆମେ ସୁଚନା ପାଇଲେ ତୁରନ୍ତ ଜନସାଧାରଣଙ୍କୁ ସଚେତନତା କରାଇବୁ  । ଏଣୁ ବାଘକୁ ନେଇ, କୌଣସି ପ୍ରକାରେ ଭୟଭୀତ ହେବା ଆବଶ୍ୟକ ନାହିଁ ବୋଲି, କହିଛନ୍ତି ବନଖଣ୍ଡ ଅଧିକାରୀ ।

Leave A Reply