ଭଂଜନଗର – ଭଂଜନଗର ବ୍ଳକ୍ ଅନ୍ତର୍ଗତ ଲାଲସିଙ୍ଗି ପଞ୍ଚାୟତର ଛେଦାଭୁମି ଗାଁରେ ଜଣ୍ଡିସ୍ ବ୍ୟାପିବା ଘଟଣାର ସ୍ଥିତି ଅନୁଧ୍ୟାନ କରିବାକୁ, ଗାଁ ରେ ପହଞ୍ଚିଲେ ଡାକ୍ତରୀ ଦଳ । ଘଟଣାର ସ୍ଥିତ ଅନୁଧ୍ୟାନ କଲେ । ରୋଗ ନିରାକରଣ ନେଇ ଲୋକଙ୍କୁ ପରାମର୍ଶ ଦେଲେ । ଆଗକୁ ଯେଭଳି, ଏହି ରୋଗ ନବଢିବ ସେଥିପାଇଁ ପ୍ରତିକାର ବ୍ୟବସ୍ଥା ହାତକୁ ନେବାକୁ କହିଲେ । ସୂଚନା ଥାଉକି, ଗତ ପ୍ରାୟ ୧୫ ଦିନ ହେଲା ଛେଦାଭୁମି ଗାଁ ରେ ଜଣ୍ଡିସ୍ ରୋଗ ଆରମ୍ଭ ହୋଇଥଲା । ଏଥିରେ ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଆକ୍ରାନ୍ତ ଙ୍କ ମଧ୍ୟରେ ଅଧିକାଂଶ ଛୋଟପିଲା ରହିଛନ୍ତି । ତେବେ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ଖବର ପାଇ ପ୍ରଥମେ ଗାଁ ରେ ବିଭିନ୍ନ ସ୍ଥାନରେ ବ୍ଳିଚିଂ ପାଉଡର ପକାଇଥିଲେ । ଏବଂ ଆକ୍ରାନ୍ତଙ୍କ ତାଲିକା ପ୍ରସ୍ତୁତ କରିଥିଲେ । ତେବେ ଏ ସଂକ୍ରାନ୍ତରେ ସ୍ଥାନୀୟ ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗ ନଜରକୁ ଆସିନଥିଲା । ଖବର ପ୍ରସାରଣ ପରେ, ସ୍ଥାନୀୟ ପ୍ରଶାସନ ତଥା ଭଂଜନଗର ଉପଜିଲ୍ଲାପାଳ ଏଦିଗରେ ପଦକ୍ଷେପ ନେବାପାଇଁ ସ୍ବାସ୍ଥ୍ୟ ବିଭାଗ ଓ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦେଇଥିଲେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ, ପିଇବା ପାଣି ଯୋଗୁଁ ଏଭଳି ଘଟଣା ସୃଷ୍ଟି ହୋଇଛି । ତେବେ ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ଏଦିଗରେ ଏବେ ଅଧିକ ଗୁରୁତ୍ବ ଦେବା ଏବେ ଜରୁରୀ ହୋଇଛି ।