ଭଂଜନଗର – ଭଂଜନଗର ବ୍ଳକ ଅନ୍ତର୍ଗତ ଲାଲସିଙ୍ଗି ପଞ୍ଚାୟତର ଛେଦାଭୁମି ଗାଁରେ କାୟା ବିସ୍ତାର କରିଛି ଜଣ୍ଡିସ ରୋଗ । ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ୧୧ ଜଣ ଆକ୍ରାନ୍ତ ହୋଇଥିବା କୁହାଯାଉଥିବା ବେଳେ, ପ୍ରକୃତପକ୍ଷେ ୨୫ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଛନ୍ତି । ଆଉ କିଛି ଯୁବକ ଏବଂ ଯୁବତୀ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ଅଧିକାଂଶ ଆକ୍ରାନ୍ତ ବାହାର ମେଡିକାଲ୍ କୁ ଯାଇ ଚିକିତ୍ସିତ ହୋଇଛନ୍ତି । ଆହୁରି ଅନେକ ଆକ୍ରାନ୍ତ ମଧ୍ୟ ଚିକିତ୍ସା ଅପେକ୍ଷରେ ରହିଛନ୍ତି । ଗାଁ ରେ ଜଳ ଜନିତ କାରଣରୁ ଏଭଳି ରୋଗ ବ୍ୟାପିବା ଆରମ୍ଭ ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରୁଥିବା ବେଳେ, ଶନିବାର ସୁଧା କୌଣସି ଡ଼ାକ୍ତରୀ ଟିମ୍ ଗାଁ ରେ ପହଞ୍ଚି ନାହାଁନ୍ତି । ତେବେ ପ୍ରାୟ ୧୫ ଦିନ ପୂର୍ବରୁ ଏହା ଆରମ୍ଭ ହୋଇଥିବା କୁହାଯାଉଛି । ଏନେଇ ଗାଁ ରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି । ତେବେ ଏ ସଂକ୍ରାନ୍ତରେ ଖବର ପାଇବା ପରେ, ରବିବାର ଦିନ ଗାଁ ରେ ଡାକ୍ତରୀ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବେ ବୋଲି, ଭଂଜନଗର ଉପଜିଲ୍ଲାପାଳ କହିଛନ୍ତି ।