ବେତନଟୀ : ମୟୂରଭଞ୍ଜ ଜିଲ୍ଲା ଛାଡକଟା ଆଶ୍ରମ ବିଦ୍ୟାଳୟର ଛାତ୍ର ତାଇକୋଣ୍ଡୋ ପ୍ରତିଯୋଗୀତାରେ ପ୍ରଥମ ହୋଇ ଜିଲ୍ଲା ପାଇଁ ଗର୍ବ ଆଣି ଦେଇଛନ୍ତି । ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ ଙ୍କ ସମେତ ବାଳକ ଟିମ୍ ମ୍ୟାନେଜର ଜୀତେନ୍ଦ୍ର ଜୟସ୍ୱାଲ,ବାଳିକା ଟିମ୍ ମ୍ୟାନେଜର ଭାବେ ଖେଳ ଶିକ୍ଷକ ଜ୍ୟୋତିର୍ମୟୀ ଦାସମହାପାତ୍ର ଙ୍କ ନେତୃତ୍ବରେ ଖେଳାଳୀ ମାନେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ୨୭ କିଗ୍ରା ରୁ ୨୯ କିଗ୍ରା ଓଜନ ବର୍ଗର ୧୪ ବର୍ଷରୁ କମ୍ ବାଳକ ବିଭାଗର ମୟୂରଭଞ୍ଜ ଛାଡକଟା ଆଶ୍ରମ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଶତୃଘ୍ନ ମଢୁଆଳ ରାଜ୍ୟରେ ପ୍ରଥମ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ ।ସେ ବେତନଟୀ ଥାନା ଅନ୍ତର୍ଗତ ଜାମଶୋଳ ଗ୍ରାମ ର ପିତା ହରଶ୍ଚନ୍ଦ୍ର ମଢ଼ୁଆଳ ଓ ମାତା ବାସନ୍ତୀ ମଢୁଆଳ ଙ୍କର କନିଷ୍ଠ ପୁତ୍ର ଅଟନ୍ତି।ଏହି ସଫଳତା ପାଇଁ ଛାଡକଟା ଆଶ୍ରମ ବିଦ୍ୟାଳୟ ତରଫରୁ ଶତୃଘ୍ନ ର ପିତା, ମାତା ଓ ପ୍ରଶିକ୍ଷକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।ଏହାପରେ ମଧ୍ୟପ୍ରଦେଶର ବିଦିଶା ଠାରେ ହେବାକୁ ଥିବା ଜାତୀୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗୀତରେ ଶତୃଘ୍ନ ଭାଗ ନେଇ ଉତ୍ତମ ପ୍ରଦର୍ଶନ କରିବାକୁ ଆଶୀର୍ବାଦ କରିବା ସହିତ ତଥା ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ ।