ବେତନଟୀ : ବେତନଟୀ ତହସିଲର ପୂର୍ବତନ ତହସିଲଦାର ଅନିଶା ଦାସ ଓ ଲଘୁ ଖଣିଜ ମାଫିଆ ଲିଙ୍କକୁ ନେଇ ବୈଶିଙ୍ଗା ଥାନା ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ପ୍ରମୁଖ ଦଲାଲ ଅଭିଜିତ ମହଲକୁ କ୍ରାଇମବ୍ରାଞ୍ଚ ଦୁଇ ଦିନିଆ ରିମାଣ୍ଡରେ ନେଇ କଟକ ଫେରିଛି । ବେତନଟୀ କୋର୍ଟର ମାନ୍ୟବର ଜେଏମଏଫସି ସୁଧୀ ରଞ୍ଜନ ଦାଶଙ୍କ ସମ୍ମୁଖରେ କ୍ରାଇମବ୍ରାଞ୍ଚ ଡିଏସପି ବିକାଶ ବେଉରିଆ ଅଭିଜିତକୁ ରିମାଣ୍ଡରେ ନେବାକୁ ଆବେଦନ କରି ଥିଲେ ।
ଏହି ରିମାଣ୍ଡ ମଞ୍ଜୁର ହେବା ପରେ ଅଭିଜିତକୁ ବାରିପଦା ବିଚାର ବିଭାଗୀୟ ହାଜତରୁ ଅଣା ଯାଇ ଥିଲା । ତାକୁ କେତେକ କଥା ପଚରା ଉଚରା ପରେ କ୍ରାଇମବ୍ରାଞ୍ଚ ଗତ କାଲି ବିଳମ୍ବିତ ରାତ୍ରୀରେ ତାକୁ ନେଇ କଟକ ଫେରି ଯାଇଛନ୍ତି । ଅଭିଜିତକୁ ଜେଲ ହାଜତରୁ ଆଣିବା ପରେ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଦଳ ବୈଶିଙ୍ଗା ଥାନାରେ ପହଞ୍ଚି ଥିଲେ । ସେଠାରେ ଡିଏସପି ବିକାଶ ବେଉରିଆ, ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକ, ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁଙ୍କ ମଧ୍ୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ଏହି ମାମଲାରେ ଜବତ ହୋଇ ଥିବା ମୋବାଇଲ ଫୋନ, ଅଡିଓ ସିଡି, ସାଇଣ୍ଟଫିକ ରିପୋଟ ଓ ସମସ୍ତ କାଗଜପତ୍ର କ୍ରାଇମବ୍ରାଞ୍ଚ ନେଇ ଯାଇ ଥିବାର ଜଣା ପଡିଛି ।
ଅଭିଜିତ ବହୁ ଦିନ ଧରି ଲଘୁ ଖଣିଜ ମାଫିଆ ଓ ତହସିଲଦାରଙ୍କ ମଧ୍ୟରେ ମଧ୍ୟସ୍ଥି କରି ମୋଟା ଅଙ୍କର ବଟି ଫିକ୍ସ କରୁ ଥିଲା । ଏପରିକି ସେ ନିଜେ ଜେସିବି ଓ ଡମ୍ଫର ସାହାଯ୍ୟରେ ବେଆଇନ ମୋରମ ଉତ୍ତୋଳନ କରି ଚାଲାଣ କରିବା ସହିତ ମୋଟା ଅଙ୍କର ଟଙ୍କା ତହସିଲଦାରଙ୍କୁ ଦେଉ ଥିଲା ବୋଲି କୁହା ଯାଉଛି । କେବଳ ଅଭିଜିତ ମହଲ ନୁହେଁ ବେତନଟୀ ତହସିଲର ଭିନ୍ନ ଭିନ୍ନ କାର୍ଯ୍ୟ ପାଇଁ ଭିନ୍ନ ଦଲାଲ ରହି ଥିଲେ । କ୍ରାଇମବ୍ରାଞ୍ଚ ଏ ସବୁ ଦଲାଲ ଓ ମଧ୍ୟସ୍ଥିଙ୍କ ଗୁମର ଖୋଲିବ କି ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଛି ।
ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ଜମି ଅଧିକରଣର କ୍ଷତିପୂରଣରେ ମଧ୍ୟ ବ୍ୟାପକ ଘୋଟାଲା ହୋଇ ଥିବାର ସାଧାରଣରେ ଚର୍ଚ୍ଚା ହେଉଛି । ବିଭିନ୍ନ ସ୍ଥାନରେ ଏକର ଏକର ସରକାରୀ ଜମିକୁ ଲୋକେ ଜବର ଦଖଲ କରିଛନ୍ତି କିନ୍ତୁ ସେସବୁକୁ ଦଖଲ ମୁକ୍ତ କରିବାରେ ପ୍ରଶାସନ ଅସମର୍ଥ ଥିଲା । ବେତନଟୀ ତହସିଲର ନାଜର ନିକଟରେ କେସ ରେକର୍ଡ ଖୋଲା ଯାଇ ନଥିବା ସ୍ଥାନ ଗୁଡିକରୁ କେତେ କୋଟି ଟଙ୍କାର ବେଆଇନ ମୋରମ ଉତ୍ତୋଳନ ହୋଇଛି ତାହା ଏବେ ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଦାବି ହେଉଛି