ବେତନଟୀ : ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରି ଚାଲିଥିଲେ ଗୃହ ବିଭାଗ ଖୋଦ ମୂଖ୍ୟମନ୍ତ୍ରୀ ଙ୍କ ହାତରେ ଥିଲେ ମଧ୍ୟ ଗ୍ରାମାଞ୍ଚଳ ରେ ଆଇନ ରକ୍ଷାକାରୀ ପୋଲିସ ବିଭାଗ ପ୍ରତି ଉଦାସୀନତା କାହିଁକି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ଏହାର ଉଦାହରଣ ଦୟନୀୟ ସ୍ଥିତିରେ ଚାଲିଛି ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ଫାଣ୍ଡି l ଗତ ୬ ମାସ ହେଲା ଫାଣ୍ଡି ଅଧିକାରୀ ଅନୁପସ୍ଥିତ ଅଛନ୍ତି l ଫାଣ୍ଡିରେ ସାମାନ୍ୟ କେସକୁ ବି କେହି ଶୁଣିବାକୁ ନାହାନ୍ତି l ଅଭିଯୋଗ କରିବାକୁ ହେଲେ ୧୩ କି.ମି ଦୂର ବୈଶିଙ୍ଗା ଥାନାକୁ ଯିବାକୁ ପଡ଼ୁଛି l ଏହା ପୂର୍ବରୁ ଉକ୍ତ ଫାଣ୍ଡିରେ ଜଣେ ଏଏସଆଇ ପ୍ରକାଶ ଚନ୍ଦ୍ର ନାୟକଙ୍କୁ ଫାଣ୍ଡି ଦାୟିତ୍ୱ ଦିଆଯାଇଥିଲା l କିନ୍ତୁ ସେ ଗତ ଏପ୍ରିଲ ମାସ ୭ତାରିଖ ଦିନରୁ ଟ୍ରେନିଂରେ ଯାଇଥିବାରୁ ଉକ୍ତ ଫାଣ୍ଡିରେ ଏଯାବତ କୌଣସି ଅଫିସରଙ୍କୁ ଫାଣ୍ଡିଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି l ଏହା ମଧ୍ୟରେ ୬ମାସ ବିତି ଯାଇଥିଲେ ବି ଫାଣ୍ଡି ପାଇଁ ସ୍ଥାୟୀ ଅଧିକାରୀ ନିଯୁକ୍ତି କରାଯାଉନାହିଁ l ଏହି ଫାଣ୍ଡି ଉପରେ ଆଖପାଖ ୪ଟି ପଞ୍ଚାୟତର ୩୨ଟି ଗାଁର ଲକ୍ଷାଧିକ ଲୋକ ନିର୍ଭର କରୁଥିବାବେଳେ ମାତ୍ର ୩ କନେଷ୍ଟବଳ ନେଇ ଚାଲିଛି ଫାଣ୍ଡି କାମ lତାପରେ ବି ୫୦ବର୍ଷ ପୂର୍ବରୁ ସ୍ଥାପିତ ଉକ୍ତ ଫାଣ୍ଡିକୁ ପୂର୍ଣ୍ଣାଙ୍ଗ ଥାନାର ମାନ୍ୟତା ଦେବା ପାଇଁ ମଧ୍ୟ ବାରମ୍ବାର ଦାବୀ ହୋଇ ଆସୁଛି l ଉକ୍ତ ଫାଣ୍ଡିର ଅପଗ୍ରେଡେସନ ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ନେଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିନାହିଁ l ଏମିତିକି ସରକାରଙ୍କ ନୂତନ ନିୟମାନୁଯାୟୀ ପ୍ରତି ଫାଣ୍ଡିରେ ସବଇନ୍ସପେକ୍ଟର ଙ୍କୁ ନିଯୁକ୍ତି ଦେବାର ନିୟମ ଥିବା ବେଳେ ଆଜି ପର୍ଯ୍ୟନ୍ତ ମାଣତ୍ରୀ ଫାଣ୍ଡିରେ ସରକାରଙ୍କ ଧାର୍ଯ୍ୟ ନିୟମାନୁଯାୟୀ କୌଣସି ସବଇନ୍ସପେକ୍ଟରଙ୍କୁ ନିଯୁକ୍ତି ମିଳି ପାରିନାହିଁ l ସାଧାରଣ ଲୋକେ “ମୋ ପୋଲିସ ” ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।