ବେତନଟୀ/ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ହାତୀଝୁରୀ-ନୂଆସାହି ଗ୍ରାମର ଜନୈକ ମୁସଲମାନ ବ୍ୟକ୍ତି ଚାରି ପାଞ୍ଚଦିନ ପୂର୍ବରୁ ଏକ ଷଣ୍ଢକୁ ହତ୍ୟା କରି ତାର ମାଂସକୁ ଖାଇବା ଏବଂ ଚମଡାକୁ ଘର ଗଡିଆକୁ ଫିଙ୍ଗି ଦେବା ଘଟଣାକୁ ନେଇ ଆଜି ସକାଳେ ପର୍ଦ୍ଦାଫାଶ ହେବା ପରେ ଉତ୍ତେଜନା ବଢିଯାଇଥିଲା। ଘଟଣାରୁ ପ୍ରକାଶ ହାତୀଝୁରୀ ପଞ୍ଚାୟତ ଅଧୀନ ରେଳ ଲାଇନ ଉତ୍ତର ପଟ ଚାନ୍ଦିପୁରା ଗ୍ରାମର ସୁଦର୍ଶନ ମାଝୀଙ୍କର ଏକ ଷଣ୍ଢକୁ ମହା ବିଷୁବ ସଂକ୍ରାନ୍ତିରେ ମହାଦେବଙ୍କ ଠାରେ ସମର୍ପିତ କରିବା ଉଦେଶ୍ୟରେ ମାନସିକ କରିଥିଲେ। ମାତ୍ର ଚାରି ପାଞ୍ଚ ଦିନ ହେଲା ଘରକୁ ନଫେରିବାରୁ ବହୁ ଖୋଜା ଖୋଜି କରି ନିରାଶ ହୋଇଥିଲେ।
ଆଜି ସକାଳ ସମୟରେ ରମଜାନ ଖାନ (୪୫)ଙ୍କ ଘର ଗଡ଼ିଆ ନିକଟରେ ଦୁର୍ଗନ୍ଧ ହେବାରୁ ସନ୍ଦେହ ଜାତ ହୋଇଥିଲା। କିଛି ଗ୍ରାମ ବାସୀଙ୍କୁ ନେଇ ଗଡ଼ିଆରେ ଖୋଜିବା ପରେ ପ୍ଲାଷ୍ଟିକ ଅଖା ମଧ୍ୟରେ ଷଣ୍ଢର ଚମଡା ଏବଂ ମୁଣ୍ଡର କିଛି ଅଂଶ ଓ ଇନସ୍ୟୁରାସ ଲେବଲ୍ ଲାଗିଥିବା ଖଣ୍ଡିଆ କାନ ମିଳିଥିଲା।
ଏହି ଲେବଲ୍ କୁ ନେଇ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଯାଞ୍ଚ କରିବା ପରେ ସୁଦର୍ଶନ ମାଝୀଙ୍କର ବୋଲି ଜଣାପଡ଼ିଥିଲା। ଏହି ଘଟଣାକୁ ନେଇ ଚାନ୍ଦପୁରା ଗ୍ରାମର ମହିଳା ପୁରୁଷ ଏକଜୁଟ ହୋଇ ରମଜାନ ଘରକୁ ଯାଇ ପଚାରିବାରୁ ତାର ସ୍ତ୍ରୀ ଜେଇମୁନ ବିବି (୩୮) ଓ ଚମଡ଼ା କିଣିବାକୁ ଆସିଥିବା ବସ୍ତା ଥାନା ଅଧୀନ ବାହାରଦା ଗ୍ରାମର ସେକ ରକିବ(୧୮) ଏବଂ ସେକ ଜବିର(୧୯) ଓଲଟି ଗ୍ରାମବାସୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାର ଉଗ୍ରତାକୁ ଅନୁଭବ କରି ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଦଳବଳ ସହିତ ପହଞ୍ଚିଥିଲେ। ବେତନଟୀ ପୁଲିସ ଉପଖଣ୍ଡ ଅଧିକାରୀ ସୁଦର୍ଶନ ଦାଶ ମଧ୍ୟ ଶାନ୍ତି ଶୃଙ୍ଖଳା ପାଇଁ ପହଞ୍ଚି ଥିଲେ। ଏଥି ସହିତ ଏକ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଶାନ୍ତି ରକ୍ଷା ପାଇଁ ଥାନାରେ ଗ୍ରାମବାସୀଙ୍କ ସହାୟତାରେ ଏକ ଶାନ୍ତି ଆଲୋଚନା କରାଯାଇଥିଲା।
ଏହି ଶାନ୍ତି ଆଲୋଚନାରେ ହାତୀଝୁରୀ ସରପଞ୍ଚ ସନାତନ ସିଂ , ସନ୍ତରା ସରପଞ୍ଚ ଲକ୍ଷ୍ମୀପ୍ରିୟା ହାଁସଦା, ସ୍ଵରୂପ ପଟ୍ଟନାୟକ, କମଳାକାନ୍ତ ପରିଡା, ମୃତ୍ୟୁଞ୍ଜୟ ମିଶ୍ର, ପିତାମ୍ବର ମହାପାତ୍ର, ଲିଆକତ ଶାହା, ରଘୁନାଥ ସିଂ, ରଘୁନାଥ ନାୟକ, ରଶ୍ମୀମଣି ମାଝୀ , ଜୟନ୍ତୀ ମହାନ୍ତ, ମାମୁନୀ ମାଝୀ ପ୍ରମୁଖ ଶାନ୍ତି ଆଲୋଚନାରେ ଭାଗ ନେଇଥିଲେ। ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଓ ଏସଡିପିଓ ସୁଦର୍ଶନ ଦାଶ ଘଟଣାର ପୁଙ୍ଖନାପୁଙ୍ଖ ତଦନ୍ତ କରି ଦୋଷୀକୁ ଉଚିତ ଦଣ୍ଡ ଦେବାକୁ ପ୍ରତିଶୃତି ଦେଇଥିଲେ।