ଡାହିବାଡି ସାପ୍ତାହିକ ହାଟ ପାଇଁ ପ୍ରଶାସନିକ ନିଘା ନାହିଁ, ଆରଏମସି ଖାଉଛି ସିଂହ ଭାଗ ଅଥଚ ମୌଳିକ ସୁବିଧା ଯୋଗାଉ ନାହିଁ
ବେତନଟୀ/ ବୈଶିଙ୍ଗା : ଭାରତର ସମ୍ବିଧାନରେ ଜଣେ ନାଗରିକ କିପରି ମୌଳିକ ସୁବିଧା ରୁ ବଞ୍ଚିତ ନହେବ ସେଥିପାଇଁ ନିର୍ବାଚିତ ସରକାର ପ୍ରଶାସନ ମାଧ୍ୟମରେ ଜନସାଧାରଣଙ୍କ ସେବା କରିଥାଏ। ମାତ୍ର ବିଭିନ୍ନ କ୍ଷେତ୍ରରେ ପ୍ରଶାସନ ନିଜର କର୍ତ୍ତବ୍ଯକୁ ଭୁଲିଯାଇ ଉତ୍ତମ ସେବା ପରିବର୍ତ୍ତେ ଶୋଷଣ କରିବାରେ ଲାଗିଥାଏ। ଏହାର ଜ୍ବଳନ୍ତ ଉଦାହରଣ ସ୍ବରୂପ ବୈଶିଙ୍ଗା ପଞ୍ଚାୟତ ଅଧିନ ଡାହିବାଡି ସାପ୍ତାହିକୀ ହାଟ ବିଚାରକୁ ନିଆଯାଇପାରେ। କାହିଁ କେଉଁ କାଳରୁ ଏହି ସାପ୍ତାହିକୀ ହାଟଟି ପ୍ରତି ସପ୍ତାହରେ ବୁଧବାର ଓ ଶନିବାର ଅନୁଷ୍ଠିତ ହୋଇ ଆସୁଛି। ପ୍ରାୟ ୫୦ଖଣ୍ଡ ମୌଜାର ଚାଷୀ ଓ ବ୍ୟବସାୟୀ ନିଜ ନିଜର ଉତ୍ପାଦିତ ପନିପରିବା, ଧାନ ଚାଉଳ ଓ ଅନ୍ଯାନ୍ଯ ସାମଗ୍ରୀ କ୍ରୟ ବିକ୍ରୟ କରିଥାନ୍ତି। ବାହାର ଜିଲ୍ଲାରୁ ଏବଂ ବାହାର ରାଜ୍ଯରୁ ମଧ୍ଯ ବ୍ୟବସାୟୀ ମାନେ ଆସି ବ୍ୟବସାୟ କରିଥାନ୍ତି।
ମାତ୍ର ଏହି ହାଟରେ ୫୦ହଜାର ରୁ ଅଧିକ ଲୋକଙ୍କ ସମାଗମ ହେଉଥିଲେ ମଧ୍ଯ ସେମାନଙ୍କ ପାଇଁ କୌଣସି ମୌଳିକ ସୁବିଧା ନାହିଁ। ପିଇବା ପାଣି, ବର୍ଷାରୁ ରକ୍ଷା ପାଇଁ ଛପର, ପିଣ୍ଡି, ଲାଇଟ,ସାଇକେଲ ଓ ବାଇକ୍ ପାର୍କିଂ ର ସୁବିଧା ଆଦିର ଅଭାବ ପାଇଁ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥାଏ। ବାରମ୍ବାର ପ୍ରଶାସନ ର ଦ୍ରୁଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ଯ ସେଥିରୁ କୌଣସି ସୁଫଳ ମିଳୁନାହିଁ। ବୈଶିଙ୍ଗା ପଞ୍ଚାୟତ ଏହି ହାଟରୁ ସର୍ବାଧିକ ରାଜସ୍ବ ପାଉଥିଲେ ମଧ୍ଯ ସରପଞ୍ଚ ସେହି ସୁବିଧା ଯୋଗାଇବାରେ ବିଫଳ ହେଉଥିବା ବିଷୟ କୁ ଲୋକେ ନାପସନ୍ଦ କରିଛନ୍ତି। ଏଥିସହିତ ହାଟକୁ ସଂଯୋଗ କରୁଥିବା ଚତୁଃପାର୍ଶ୍ଵସ୍ଥ ରାସ୍ତାଗୁଡିକ ସମ୍ପୂର୍ଣ୍ଣବିପଦ ସଙ୍କୁଳ ଅବସ୍ଥାରେ ରହିବା ଯୋଗୁଁ ଗାଡ଼ିମଟରରେ ମାଲ ପରିବହନ ସକ୍ଷମ ହୋଇପାରୁ ନାହିଁ । ଏଥିପାଇଁ ମୂଖ୍ୟ ରାସ୍ତା ଉପରେ ଗାଡିଗୁଡ଼ିକ ଛିଡା ହେବା ଦ୍ଵାରା ସାଧାରଣ ଲୋକ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡ଼ୁଛି।
ସରକାରଙ୍କ ତରଫରୁ ନିୟନ୍ତ୍ରିତ ବଜାର କମିଟୀ ଗଠନ ହେବା ଠାରୁ ଏହି ଡାହିବାଡି ହାଟ ଉପରେ ନଜର ପକାଇଛି। ଉତ୍ପାଦିତ ସାମଗ୍ରୀ ଉପରୁ ଏହି କମିଟୀ ମୂଖ୍ଯ ମାହାସୁଲ ଆଦାୟ କରିନେବା ଯୋଗୁଁ ପଞ୍ଚାୟତର ବିପୁଳ କ୍ଷତି ଘଟୁଛି। ୨୦ ବର୍ଷ ତଳେ ତତ୍କାଳୀନ ସରପଞ୍ଚ ମହୋଦୟା ଲକ୍ଷ୍ମୀମଣୀ ସିଂ ପଞ୍ଚାୟତର ଏହି ଡାହିବାଡି ହାଟର ଅଧିକାର ସାବ୍ୟସ୍ତ ପାଇଁ ବେତନଟୀ ନିୟନ୍ତ୍ରିତ ବଜାର କମିଟୀ ବିରୁଦ୍ଧରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ମାନ୍ୟବର କୋର୍ଟ ବୈଶିଙ୍ଗା ପଞ୍ଚାୟତ ସପକ୍ଷରେ ରାୟ ଶୁଣାଇଥିଲେ, ମାତ୍ର ପ୍ରଶାସନ ର ତତ୍କାଳୀନ ଅଧିକାରୀ ନିୟନ୍ତ୍ରିତ ବଜାର କମିଟୀ ପ୍ରତି ଅନୁକମ୍ପା ଦେଖାଇ କାର୍ଯ୍ୟକାରୀ କରାଇ ନଥିଲେ। ଫଳରେ ଆଜି ପର୍ଯ୍ୟନ୍ତ ସେହିଭଳି ଭାଗିଦାରୀ ରେ ମାହାସୁଲ ଆଦାୟ ହୋଇଚାଲିଛି। ଯାହାଦ୍ବାରା ପଞ୍ଚାୟତର ରାଜସ୍ବ କ୍ଷତି ହେବା ସହିତ ପଞ୍ଚାୟତିରାଜର ସଂଜ୍ଞା ପୂରଣ ହୋଇପାରୁ ନାହିଁ। ଏଥି ସହିତ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟରେ ମଧ୍ଯ ବାଧା ସ୍ରୁଷ୍ଟି ହେଉଛି। ମୟୂରଭଞ୍ଜ ଜିଲ୍ଲାପାଳ ଏଥିପ୍ରତି ଦ୍ରୁଷ୍ଟି ଦେବା ସହିତ ନିୟନ୍ତ୍ରିତ ବଜାର କମିଟି ନିକଟରୁ ଭାଗିଦାରୀ ମାହାସୁଲ୍ ଆଦାୟ ଦାୟିତ୍ୱ କାଢିନେଇ ପଞ୍ଚାୟତକୁ ସଂପୂର୍ଣ୍ଣ ଅଧିକାର ଦେଲେ ପଞ୍ଚାୟତ ର ସର୍ବାଙ୍ଗୀନ ଉନ୍ନତ୍ତି ସାଧନ ହୋଇପାରନ୍ତା। ଅଧିକ ରାତି ପର୍ଯ୍ୟନ୍ତ ହାଟ ଅନୁଷ୍ଠିତ ହେଉଥିବାରୁ ଆଲୋକିକରଣ ପାଇଁ ବିଧାୟକ କିମ୍ଵା ସାଂସଦଙ୍କ ହାତ ପାଣ୍ଠି ଉପଯୋଗ ହୋଇପାରିଲେ ବାହାର ରାଜ୍ୟର ଅନେକ ବ୍ୟବସାୟୀଙ୍କ ଆଗମନ ହେବା ସହିତ ବୈଶିଙ୍ଗା ପଞ୍ଚାୟତକୁ ଅଧିକ ରାଜସ୍ଵ ମିଳି ପାରନ୍ତା ।