Odisha news

କାଠ ମାଫିଆଙ୍କ କବ୍ଚାରେ ଚୁଆପଦା ରିଜର୍ଭ ଜଙ୍ଗଲ : ବାଛି ବାଛି କାଟି ନେଉଛନ୍ତି ଦାମି ଶାଳଗଛ , ବନପାଳଙ୍କୁ ଅଭିଯୋଗ କରି ନୟାନ୍ତ ହେଲେଣି ଗ୍ରାମବାସୀ

0

ବେତନଟୀ : ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଡିଏଫଓ ସ୍ୱୟମ ମଲ୍ଲିକ ଯୋଗ ଦେବା ପରେ ନୂତନ ଜଙ୍ଗଲ ସୃଷ୍ଟି କରିବା ଅପେକ୍ଷା ଜଙ୍ଗଲ ସୁରକ୍ଷା ଓ ଚଢ଼ାଉ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି । ଏହାକୁ ନେଇ ପ୍ରତ୍ୟେକ ମାସ ଚୋରା କାଠ ଚାଲାଣ କରୁ ଥିବା ବହୁ ଗାଡି ବନ ବିଭାଗ ଦ୍ୱାରା ଧରା ପଡୁଛି ଓ କାଠ ମଧ୍ୟ ଜବତ ହେଉଛି । ବେତନଟୀ ରେଞ୍ଜରେ ମଧ୍ୟ ବେତନଟୀ, ବଡାମପୁର ଓ କୃଷ୍ଣଚନ୍ଦ୍ରପୁର ବନପାଳ କ୍ଷେତ୍ରରୁ ଗାଡି ସବୁ ଧରା ପଡିବାରେ ଲାଗିଛି । ତେବେ ବେତନଟୀ ରେଞ୍ଜର ବୈଶିଙ୍ଗା ବନପାଳ କ୍ଷେତ୍ରର ଚୁଆପଦା ରିଜର୍ଭ ଜଙ୍ଗଲ ଏବେ କାଠ ମାଫିଆ ମାନଙ୍କ ଭୂସ୍ୱର୍ଗ ପାଲଟିଛି ।

କାଠ ମାଫିଆ ମାନେ କୌଣସି ପ୍ରତିବନ୍ଧକ ନମାନି ସ୍ପଷ୍ଟ ଦିବା ଆଲୋକରେ ଦାମି ଓ ପୁରୁଣା ଶାଳ ଗଛ ଗୁଡିକୁ କାଟି ନେଇ ପଳାଉ ଥିବା ବେଳେ ସଂପୃକ୍ତ ବନପାଳ ଓ ବନ କର୍ମଚାରୀ ମାନଙ୍କ ପାଖରେ ଏବାବଦରେ ଖବର ନାହିଁ । ଗ୍ରାମବାସୀ ମାନେ ବୈଶିଙ୍ଗା ବନପାଳଙ୍କୁ ଘଟଣା ସମ୍ପର୍କରେ ଖବର ଦେଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବାର ଜଣା ପଡିଛି । ବରଂ ଯିଏ ଖବର ଦେଲା ତାକୁ ହିଁ ପରୋକ୍ଷରେ ଏଥି ପାଇଁ ଦାୟୀ କରା ଯାଉଛି ।

କେତେକ କାଠ ମାଫିଆ ବୈଶିଙ୍ଗା ବନପାଳ ଅଫିସରେ ଡେରା ପକାଇ ଥିବାର ମଧ୍ୟ ଦେଖା ଯାଉଛି । ବୈଶିଙ୍ଗା ବନପାଳ କ୍ଷେତ୍ରରୁ ଏପରି ଗଛ ସବୁ ଜଙ୍ଗଲରୁ ଚୋରି ହେଉ ଥିବା ବେଳେ ତାକୁ ଧରିବା କାଠିକର ପାଠ ହୋଇ ପଡିଛି । ଏହାକୁ ନେଇ ଏବେ ପରିବେଶବିତ ମାନେ ଚିନ୍ତା ପ୍ରକଟ କରିଛନ୍ତି । ଘଟଣା ସମ୍ପର୍କରେ ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂଙ୍କୁ ଯୋଗାଯୋଗ କରିବା ପରେ ସେ ଘଟଣାର ତଦନ୍ତ କରିବେ ବୋଲି ମତ ଦେଇଛନ୍ତି ।

Leave A Reply