ବ୍ରହ୍ମପୁର,୨୭ା୮: ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଡ. ଅରୁଣ କୁମାର ସାହୁ ଏକ ସରକାରୀ ଅର୍ଥ ଆତ୍ମସାତ ମାମଲାର ବିଚାରଣା କରି ଭଞ୍ଜନଗର ଆରଏମସି(ରିଜିଓନାଲ ମାର୍କେଟିଂ ସୋସାଇଟି)ର ତତକାଳୀନ ସମ୍ପାଦକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ା ଦୋଷୀ ସାବ୍ୟସ୍ତ ହୋଇଥିବା ସମ୍ପାଦକ ଜଣଙ୍କ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ କେ. ନୂଆଗାଡର ସନ୍ତୋଷ ମହାରଣା(୪୮) ା ତାଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମାନା ଦେବାକୁ ଭିଜିଲାନ୍ସ ଜଜ୍ ନିର୍ଦେଶ ଦେଇଛନ୍ତି ା ଜୋରିମାନା ଅନାଦେୟ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ହେବ ବୋଲି ଜଜ୍ ନିଜ ରାୟରେ ଉଲ୍ଲେଖ କରିଛନ୍ତି ା ଅନ୍ୟପକ୍ଷରେ ପ୍ରମାଣ ଅଭାବରୁ ଏହି ମାମଲାରେ ଅଭିଯୁକ୍ତ ଥିବା ଆରଏମସିର ତତକାଳୀନ ସଭାପତି କେ. ରବିନ୍ଦ୍ର କୁମାର ପାତ୍ର(୪୭) ଓ ଠିକାଦାର ଦେବରାଜ ଚୌଧୁରୀଙ୍କୁ ଜଜ୍ ନିର୍ଦୋଷରେ ଖଲାସ କରିଛନ୍ତି ା ମାମଲାର ବିବରଣୀରୁ ପ୍ରକାଶଯେ, ୨୦୦୭/୨୦୦୮ରେ ସନ୍ତୋଷ ଭଞ୍ଜନଗର ଆରଏମସିର ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ବେଳେ ଗାଙ୍ଗପୁର ଅଞ୍ଚଳ ପାଇଲିପଡାର ରବିନ୍ଦ୍ର ସଭାପତି ଭାବେ କାର୍ଯ୍ୟ କରୁଥିଲେ ା ଏହି ସମୟରେ ଆରଏମସି ନାଁରେ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ ୦.୩୫୩ ଡିସିମିଲର ଏକ ବାସପୋଯୋଗୀ ଜମି ରହିଥିଲା ା ସେହି ଜମି ବିକ୍ରି କରିବାକୁ ଆରଏମସିର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିଲା ା ସେହିକ୍ରମରେ ଜମି ବିକ୍ରି ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା ା ଭୁବନେଶ୍ବର ସ୍ଥିତ କପୋରେଟିଭ ସୋସାଇଟି ମୁଖ୍ୟ କାର୍ଯ୍ୟଳୟର ପକ୍ଷରୁ ସରକାରୀ ନିୟଭ ମୁତାବକ ଜମି ବିକ୍ରି କରିବାକୁ କୁହାଯାଇଥିଲା ା ବ୍ରହ୍ମପୁର ଗୋସାଇଁନୂଆଗାଁର ଠିକାଦାର ଦେବରାଜ ଚୌଧୁରୀ ଏହି ଟେଣ୍ଡର ହାତେଇବା ସହ ୪ ଲକ୍ଷ ୬୦ ହଜାର ଟଙ୍କାରେ ଜମିଟି କିଣିଥିଲେ ା ହେଲେ ସଭାପତି ଓ ସମ୍ପାଦକ ମିଳିତ ଭାବେ ଠିକାଦାରଙ୍କୁ ଅହତୁକ ଅନୁକମ୍ପା ଦେଖାଇ ବେଞ୍ଚାମର୍କ ମୂଲ୍ୟ ଠାରୁ କମ ଟଙ୍କାରେ ସେହି ଜମିଟି ବିକ୍ରି କରିଥିବା ନେଇ ସେତେବେଳେ ଅଭିଯୋଗ ହୋଇଥିଲା ା ଏ ନେଇ ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇଥିଲା ା ସଭାପତି ଓ ସମ୍ପାଦକ ନାଁରେ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ମାମଲା ରୁଜୁ ହେବା ସହ ଠିକାଦାରଙ୍କ ନାଁରେ ଷଡଯନ୍ତ୍ର ଅଭିଯୋଗରେ ମାମଲା ରୁଜୁ ହୋଇଥିଲା ା ଭିଜିଲାନ୍ସର ତତକାଳୀନ ଇନ୍ସପେକ୍ଟର ଏସକେ ସାମନ୍ତରା ତଦନ୍ତ କରିଥିଲେ ା ତଦନ୍ତ ବେଳେ ଏହି ଜମି ବିକ୍ରି ବାବାଦକୁ ୧୯ ଲକ୍ଷ ୪୯ ହଜାର ଟଙ୍କା ୪୬୦ ଟଙ୍କାର ସରକାରୀ ଅର୍ଥ କ୍ଷତି ହୋଇଥିବା ଜଣାପଡିଥିଲା ା ଏହି ମାମଲାର ବିଚାରଣା ବେଳେ ମୋଟ ୧୫ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା ା ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ସମ୍ପାଦକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ା ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ