Odisha news

ବିଜେଡ଼ି ଦଖଲରେ ବେଲଗୁଣ୍ଠା ବ୍ଳକ୍; ଦ୍ୱିତୀୟ ଥର ପାଇଁ ଅଧ୍ୟକ୍ଷ ଆସନରେ ବସିବେ ବ୍ଳକ୍ ସଭାପତି ପ୍ରଶାନ୍ତ ; ଅଜ୍ଞାତ ବାସରେ ପ୍ରଶାନ୍ତ ଶିବିରରେ 11 ସମିତି ସଭ୍ୟ ସଭ୍ୟା

0

ବେଲଗୁଣ୍ଠା,09/03,ସରିଛି ଚଳିତ ବର୍ଷର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଏବଂ ଫଳାଫଳ ଘୋଷଣା I ଫଳାଫଳ ଘୋଷଣା ପରେ ଏବେ ବ୍ଳକ୍ ସ୍ତରରେ ବ୍ଳକ୍ ଅଧ୍ୟକ୍ଷ ଏବଂ ଜିଲ୍ଲାସ୍ତରରେ ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି କସରତ I ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବେଲଗୁଣ୍ଠା ବ୍ଳକ୍ ରେ ବିଜେଡ଼ି 18 ଟି ପଂଚାୟତରୁ 11 ଟି ପଞ୍ଚାୟତରେ ସମିତି ସଭ୍ୟ ଆସନ ଦଖଲ କରି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି I 18 ଟି ପଂଚାୟତରୁ ବ୍ଳକ୍ ଅଧ୍ୟକ୍ଷ ଆସନ ଦଖଲ ପାଇଁ 10 ଟି ଆସନ ଆବଶ୍ୟକ ଥିବ ବେଳେ ବିଜେଡ଼ି 11 ଟି ଆସନ ହାତେଇ ନେବା ସହ ବର୍ତ୍ତମାନ ବିଜେଡିର ସମସ୍ତ 11 ଜଣ ସମିତି ସଭ୍ୟ ସଭ୍ୟା ଅଜ୍ଞାତ ବାସରେ ଅଛନ୍ତି I ସମସ୍ତେ ବ୍ଳକ୍ ବିଜେଡ଼ି ସଭାପତି ପ୍ରଶାନ୍ତ ନାୟକଙ୍କ ଶିବିରରେ ଏକଜୁଟ୍ ହୋଇ ଅଜ୍ଞାତବାସରେ ରହି ଭୁବନେଶ୍ୱର, ସିକାକୋଲମ, ବିଶାଖାପାଟଣାର ବିଭିନ୍ନ ଦର୍ଶନୀୟସ୍ଥାନ ଭ୍ରମଣ କରୁ୍ଥିବା ସୂଚନା ମିଳିଛି I ସୂଚନା ଥାଉକି ପ୍ରଶାନ୍ତ ନାୟକ 2002 ରୁ 2007 ପର୍ଯ୍ୟନ୍ତ ବ୍ଳକ୍ ଅଧ୍ୟକ୍ଷ ଆସନ ଅଳଙ୍କୃତ କରିବା ସହ ବିଜେଡ଼ି ଗଠିତ ହେବା ପରଠାରୁ ସେ ବିଜେଡ଼ି ବ୍ଳକ ସଭାପତି ଭାବେ କାର୍ଯ୍ୟ କରି ଆସୁଛନ୍ତି I ତାଙ୍କର ଗୋଟି ଚାଳନା ବଳରେ ବିଜେପିର ଦବଦବା ଥିବା ବେଲଗୁଣ୍ଠା ବ୍ଲକ୍ ରେ ବିଜେଡ଼ି ବୃହତ୍ ବିଜୟ ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ପ୍ରଶାନ୍ତ ନାୟକ ,ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଆସିକା ସାଂସଦ ପ୍ରମିଳା ବିଷୋୟୀ ଏବଂ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପାଖଲୋକ ଭାବେ ବେଷ୍ଟ୍ ଜଣାଶୁଣା I କିଛି ଦିନ ହେବ ପ୍ରଶାନ୍ତଙ୍କୁ ଛାଡ଼ି ଅନ୍ୟ କେହି ବ୍ଳକ୍ ଅଧ୍ୟକ୍ଷ ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବା ପରେ ଦଳର 11 ଜଣ ସମିତିସଭ୍ୟ ଜଗନ୍ନାଥଙ୍କ ନାମରେ ଶପଥ କରି ଦଳ ବିରୋଧୀ କାର୍ଯ୍ୟ ନକରିବା ସହିତ ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ବ୍ଳକ୍ ବିଜେଡ଼ି ସଭାପତି ପ୍ରଶାନ୍ତଙ୍କୁ ହିଁ ଭୋଟ ଦେବେ ବୋଲି ନିଷ୍ପତି ନେଇଥିବା ଭିଡ଼ିଓ ବାର୍ତ୍ତା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି I ବର୍ତ୍ତମାନ ପ୍ରଶାନ୍ତ ତାଙ୍କର ଏଗାର ଜଣ ସମିତିସଭ୍ୟ ସମିତିସଭ୍ୟାଙ୍କୁ ନେଇ ଅଜ୍ଞାତ ବାସରେ ଅଛନ୍ତି ଏବଂ ଏଠାରୁ ସମସ୍ତେ ଏକତ୍ରିତ ଥିବା କିଛି ଫଟୋ ବି ଭାଇରାଲ୍ ହୋଇଛି I ପ୍ରଶାନ୍ତ ନିଜେ ବେଲଗୁଣ୍ଠା ବ୍ଳକ୍ ର ଧୂମୂଛାଇ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ବହୁ ଭୋଟ୍ ରେ ବିଜୟୀ ହେବା ସହ  ତାଙ୍କ ଶିବିରରେ ବେଲଗୁଣ୍ଠା ବ୍ଳକ୍ ର ଗୋବରା ସମିତି ସଭ୍ୟ ବିଭୂପାଦ ଜେନା,ଜିଲ୍ଳା ବିଜେଡ଼ି ସାଧାରଣ ସମ୍ପାଦକ ତଥା କ୍ଷତ୍ରୀୟବରପୁର ସମିତିସଭ୍ୟ କୁଞ୍ଜବିହାରୀ ନାୟକ, ନାଟଙ୍ଗା ସମିତିସଭ୍ୟ ରାଜୀବଲୋଚନ ନାଇକ, ବଡ଼ବୋର୍ସିଂ ସମିତିସଭ୍ୟା ମମତା ଭୋଳ, ବେଣୀପଲ୍ଲୀ ସମିତିସଭ୍ୟା ମମତା ମହାନ୍ତି, ନୁଆଁଗାଁ ସମିତିସଭ୍ୟା ଭାଗ୍ୟଲତା ସେଠୀ, ଶାସନ ସମିତି ସଭ୍ୟା ପିନାକୀନୀ ବିଷୋୟୀ, ଆମ୍ବପୁଆ ସମିତିସଭ୍ୟା ପ୍ରମିଳା ପ୍ରଧାନ, ମଙ୍ଗଳପୁର ସମିତିସଭ୍ୟା ରୁନିବାଳା ମଳିକ, ତନରଡା ସମିତିସଭ୍ୟ ଅଯୋଧ୍ୟା ନାଥ ବେହେରା ଥିବା ସହ ସମସ୍ତେ ପ୍ରଶାନ୍ତ ନାୟକଙ୍କୁ ସମର୍ଥନ କରୁଛନ୍ତି I ଦଳରେ କୌଣସୀ ଦ୍ୱିମତ ନଥିବା ବେଳେ ସମସ୍ତେ ଦଳୀୟ ନିର୍ଦ୍ଦେଶକୁ ମାନି ପ୍ରଶାନ୍ତଙ୍କୁ ହିଁ ଅଧ୍ୟକ୍ଷ ଭାବେ ନିର୍ବାଚିତ କରିବେ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ I ଗତ 20 ତାରିଖରେ ନିର୍ବାଚନ ସରିବା ପରେ ବିଜେଡ଼ିର ସମସ୍ତ 18 ଜଣ ସମିତିସଭ୍ୟ ସଭ୍ୟା ପ୍ରାର୍ଥୀଙ୍କୁ ନେଇ ପ୍ରଶାନ୍ତ ଅଜ୍ଞାତ ବାସରେ ଚାଲି ଯାଇଥିବା ବେଳେ ଗଣତି ପରେ ପରାଜିତ ସାତ ସମିତିସଭ୍ୟ ପ୍ରାର୍ଥୀ ଫେରି ଆସିଥିଲେ I ସୂଚନା ପ୍ରକାରେ ପ୍ରଶାନ୍ତ ସମସ୍ତ ସମିତି ସଭ୍ୟଙ୍କୁ ନେଇ ଆସନ୍ତା 12 ତାରିଖରେ ବେଲଗୁଣ୍ଠାରେ ପହଞ୍ଚି ଲକ୍ଷ୍ମୀ ନୃସିଂହଙ୍କ ଆଶୀର୍ବାଦ ଭିକ୍ଷା କରି ବ୍ଳକ୍ ଅଧ୍ୟକ୍ଷ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ I ପ୍ରଶାନ୍ତ ଦ୍ୱିତୀୟଥର ପାଇଁ ବ୍ଳକ୍ ଅଧ୍ୟକ୍ଷ ହେବା ନିଶ୍ଚିତ ହୋଇଯାଇଛି I

Leave A Reply