ବେଲଗୁଣ୍ଠା, 04/12,ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗୀ ଗ୍ରାମରେ ଜଣେ ବୋହୂକୁ ତାର ଶାଶୁ ଘର ଲୋକେ ଅଧିକ ଯୌତୁକ ଦାବି କରି ତଣ୍ଟି ଚିପି ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ବୋହୁର ମାଆ ତଥା ପଳାସପଲ୍ଲୀ ଗ୍ରାମର ରାଜୁ ପ୍ରଧାନଙ୍କ ସ୍ତ୍ରୀ ରୀନା ପ୍ରଧାନ I ରୀନାଙ୍କ ଅଭିଯୋଗ ପ୍ରକାରେ ଚାରି ବର୍ଷ ତଳେ ତାଙ୍କ ବଡଝିଅ ମାନସୀ ସ୍ଵାଇଁ (22) ଙ୍କ ସହିତ କୁଲାଙ୍ଗି ଗ୍ରାମର ବିଜୟ ସ୍ଵାଇଁଙ୍କ ସାନ ପୁଅ ପ୍ରେମାନନ୍ଦ ସ୍ଵାଇଁ(30)ଙ୍କ ସହ ବୈଦିକ ରୀତିରେ ବିବାହ ହୋଇଥିଲା I ବିବାହ ସମୟରେ ବାପ ଘର ପକ୍ଷରୁ ଶଶୁର ଘର ଦାବି ମୁତାବକ ଯୌତୁକ ଟଙ୍କା, ସୁନା ଅଳଙ୍କାର ଏବଂ ଅନ୍ୟାନ୍ୟ ଆସବାବ ପତ୍ର ଦିଆଯାଇଥିଲା I ମାନସୀଙ୍କ ବିବାହର 2/3 ମାସ ପର୍ଯ୍ୟନ୍ତ ସବୁ ଠିକ୍ ଠାକ୍ ଚାଲିଥିଲା I କିନ୍ତୁ ତିନି ମାସ ପରେ ମାନସୀ ଉପରେ ଆରମ୍ଭ ହୋଇଥିଲା ଅତ୍ୟାଚାର I ମାନସୀଙ୍କ ସ୍ୱାମୀ ପ୍ରେମାନନ୍ଦ, ଶାଶୁ ସଞ୍ଜୁ ସ୍ୱାଇଁ (54),ଶଶୁର ବିଜୟ ସ୍ୱାଇଁ (58),ବଡ଼ ଯାଆ ରିଙ୍କି ସ୍ଵାଇଁ (35) ସ୍ୱାମୀ ଟୁଟୁ ସ୍ୱାଇଁ ଏବଂ ମଝିଆ ଯାଆ ଚାନ୍ଦିନୀ ସ୍ୱାଇଁ (28) ସ୍ୱାମୀ ସନ୍ନ୍ୟାସୀ ସ୍ୱାଇଁ ମାନସୀକୁ ବାପା ଘରୁ ଅଧିକ ଯୌତୁକ ଏବଂ ଅନ୍ୟାନ୍ୟ ଜିନିଷ ଆଣିବା ପାଇଁ ବାଧ୍ୟ କରିବା ସହ ନିୟମିତ ଅକଥନୀୟ ନିର୍ଯାତନା ଦେଇ ଆସୁଥିଲେ I ମାନସୀଙ୍କ ବାପା ଘର ଗରୀବ ଶ୍ରେଣୀର ହୋଇଥିବାରୁ ମାନସୀ ଅଧିକା ଯୌତୁକ ଆଣିବା ବିଷୟ ବାପା ଘରେ ନଜଣାଇ ଅତ୍ୟାଚାର ସବୁ ସହି ଆସୁଥିଲେ I ଗତ ତିନି ତାରିଖ ସନ୍ଧ୍ୟା 6 ଘଣ୍ଟା ସମୟରେ ମାନସୀଙ୍କ ମୃତ୍ୟୁ ଖବର ମାନସୀଙ୍କ ମାଆ ଶୁଣିବାକୁ ପାଇଥିଲେ I ଏନେଇ ମାନସୀଙ୍କ ମାଆ ରୀନା ତାଙ୍କ ଝିଅକୁ ଶାଶୁ ଘର ଲୋକେ ତଣ୍ଟି ଚିପି ମାରିଦେଇଥିବା ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ I ଘଟଣାକୁ କେନ୍ଦ୍ର କରି ରୀନାଙ୍କ ଅଭିଯୋଗ ପ୍ରକାରେ ଗାଙ୍ଗପୁର ପୋଲିସ୍ ପାଞ୍ଚ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି I