Odisha news

ଅଟୋ ଚାଳକକୁ ଖଣ୍ଡାରେ ଆକ୍ରମଣ ଘଟଣା : ଦୁଇ ଗିରଫ , ଖଣ୍ଡା, ଶାବଳ ଓ ବାଇକ୍ ଜବତ

0

ଭୁବନେଶ୍ୱର,(ନି.ପ୍ର): ଦାଦାବଟି ପାଇଁ ମାମୁ ଭଣଜାକୁ ଖଣ୍ଡାରେ ହାଣି ମଙ୍ଗଳବାର ଦିନ ଗିରଫ ହୋଇଥିବା ପି ରାମା ରାଓ ଓ ତାର ଦୁଇ ଜଣ ସହଯୋଗୀ କଳ୍ପନା ଛକରେ ଜଣେ ଅଟୋ ଚାଳକଙ୍କୁ ଗତ ଜୁନ୍ ମାସରେ ଦାଦାବଟି ନ ଦେବାରୁ ତାକୁ ଖଣ୍ଡାରେ ହାଣି ଫେରାର ହୋଇଯାଇଥିଲେ । ଏ ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଥିଲା ।

ପୋଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଅଭିଯୁକ୍ତଙ୍କୁ ଧରିବାକୁ ଜାଲ ବିଛାଇଥିଲା । ହେଲେ ଏହି ଅଭିଯୁକ୍ତ ମାନେ ଫେରାର ହୋଇ ପୁଣି ଅଞ୍ଚଳରେ ଲୁଚା ଛପାରେ ଆତଙ୍କ ଖେଳାଉଥିଲେ । ଏହା ଭିତରେ ମୁଖ୍ୟ ଅଭିଯୁକ୍ତ ପି ରାମା ରାଓ ମଙ୍ଗଳବାର ଗିରଫ ହୋଇଥିବା ବେଳେ ବୁଧବାର ଦିନ ଅଟୋ ଚାଳକକୁ ଆକ୍ରମଣ ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଗୌତମ ନଗର ବସ୍ତିର ସତ୍ୟ ସାଗର ପ୍ରଧାନ ଓ ସନାତନ ପରିଡ଼ା । ଏମାନଙ୍କଠାରୁ ପୋଲିସ ଏକ ଖଣ୍ଡା, ଏକ
ଶାବଳ, ଏକ ଲୁହା ପାତିଆ ଓ ଏକ ବାଇକ ଜବତ କରିଛି ।

ଗତ ଜୁନ୍ ୧୩ ତାରିଖ ବିଳମ୍ବିତ ରାତିରେ କଳ୍ପନା ଛକରେ ଅଟୋ ଧରି ଛିଡ଼ା ହୋଇଥିଲେ ପ୍ରଦୁ୍ୟମ୍ନ ପ୍ରଧାନ ନାମକ ଅଟୋ ଚାଳକ । ସେହି ସମୟରେ ଦୁଇଟି ବାଇକ୍ରେ କୁଖ୍ୟାତ ଅପରାଧୀ ପି ରାମା ରାଓ ଓ ତାର ଦୁଇ ସହଯୋଗୀ ସେଠାରେ ପହଞ୍ଚି ପ୍ରଦୁ୍ୟମ୍ନଙ୍କୁ ଦାଦାବଟି ମାଗିଥିଲେ । ହେଲେ ସେ ଟଙ୍କା ଦେବାକୁ ମନା କରିଥିଲା । ଟଙ୍କା ନ ଦେବାରୁ ଏହି ତିନି ଜଣ ଏକ ଖଣ୍ଡା, ଲୁହାରଡ ଓ ଶାବଳରେ ତାକୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଏ ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ ପ୍ରଦୁ୍ୟମ୍ନଙ୍କ ପରିବାର । ପୋଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ମଙ୍ଗଳବାର ବିଳମ୍ବିତ ରାତିରେ ବଡ଼ଗଡ଼ ଥାନା ପୋଲିସ ଗୌତମ ନଗର ବସ୍ତିରୁ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ।

Leave A Reply