ଭୁବନେଶ୍ୱର,(ନି.ପ୍ର): ୧୩ ଲକ୍ଷ ଟଙ୍କାର ୧୩୦ ଗ୍ରାମ ବ୍ରାଉନସୁଗାର ଧରି ଦୁଇ ଜଣ ଭୁବନେଶ୍ୱରକୁ ବିକ୍ରି ପାଇଁ ଆସୁଥିବାବେଳେ ଖବରପାଇ ସ୍ପେଶାଲ୍ ସ୍କ୍ୱାର୍ଡ ଓ ଶହୀଦନଗର ଥାନା ପୋଲିସ ତାଙ୍କୁ କାବୁ କରି ନେଇଥିଲେ । ଗିରଫ ଦୁଇ ଜଣ ହେଲେ ପୁରୀ ଜିଲ୍ଲା ବ୍ରହ୍ମଗିରି ଗଡିସାଗୋଦା ଥାନା ଅନ୍ତର୍ଗତ ଖୁଣ୍ଟିଆ ବାଣପୁର ଗ୍ରାମର ନିକୁଞ୍ଜ ଜଗଦେବ(୫୦) ଓ ସେହି ଅଞ୍ଚଳ ଭାତପଡା ଗ୍ରାମର ଧିରେନ୍ଦ୍ର ଜୟସିଂ(୩୮) ।
ସେମାନେ ବ୍ରାଉନସୁଗାର ଖୁଚୁରା ବ୍ୟବସାୟୀଙ୍କୁ ହସ୍ତାନ୍ତର କରୁଥିବାବେଳେ ଗିରଫ ହୋଇଥିବା ଡିସିପି ଡ. ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ସେମାନେ ବ୍ୟବହାର କରୁଥିବା ଆପାଚି ବାଇକ୍ ଓ ଦୁଇଟି ସେଲ୍ ଫୋନ୍ ମଧ୍ୟ ଜବତ ହୋଇଛି । ଦୁହେଁ ବ୍ରାଉନସୁଗାର କେଉଁଠୁ ଆଣି ଭୁବନେଶ୍ୱର ଖୁଚୁରା ବ୍ୟବସାୟୀଙ୍କୁ ଦେବାପାଇଁ ଆସୁଥିଲେ ତାହା ଜାଣିବାପାଇଁ ଅନୁସନ୍ଧାନ ଜାରି ରହିଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଚଳିତବର୍ଷ ଭୁବନେଶ୍ୱରରୁ ଯେଉଁ ପରିମାଣର ବ୍ରାଉନସୁଗାର ଓ ଗଞ୍ଜେଇ ଜବତ ହେଲାଣି ତାହା ପୂର୍ବ ବର୍ଷ ମାନଙ୍କରେ ହୋଇନଥିଲା । ନିଶା ମାଫିଆ ଭୁବନେଶ୍ୱରକୁ ଟାର୍ଗେଟ କରି କାରବାର କରାଉଛନ୍ତି । ଯେଉଁ ଅନୁସାରେ କାରବାର ବଢୁଛି ସେହି ଅନୁପାତରେ ମାଲ୍ ମଧ୍ୟ ଜବତ ହେଉଛି । କେତେବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ତ ଆଉ କେତେବେଳେ ପୋଲିସ ଓ ଅବକାରୀ ସୂଚନା ପାଇ ନିଶା ବାହକଙ୍କୁ ଗିରଫ କରୁଛନ୍ତି । ଗିରଫ ଦାରୀ ଓ ଜବତ ପରିମାଣ ବଢୁଥିଲେ ମଧ୍ୟ କାରବାର ଠମୁ ନାହିଁ ।
ପଡୋଶୀ ରାଜ୍ୟ ଦେଇ ବ୍ରାଉନସୁଗାର ବାଲେଶ୍ୱର, ଜଳେଶ୍ୱର ପରେ କଟକ, ଭୁବନେଶ୍ୱର, ପୁରୀ , ଖୋର୍ଦ୍ଧା ଓ ଗଞ୍ଜାମକୁ ଚାଲାଣ ହେଉଛି । ମାଫିଆମାନେ ଯେଉଁ ଅନୁସାରେ ସତର୍କ ହେଉଛନ୍ତି ପୋଲିସ ଚଢାଉ ମଧ୍ୟ ସେହି ଅନୁପାତରେ ବଢୁଛି । ଦୁଇ ଅଭିଯୁକ୍ତଙ୍କୁ ଏନ୍ଡିପିଏସ୍ ଦଫାରେ କୋର୍ଟ ଚାଲାଣ କରାଯାଇଛି ।