Odisha news

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ

0

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ରାଜ୍ୟ ଯୋଗାଣ ନିଗମ ମିଳିତ ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ବୁଧବାର ଲୋକସେବା ଭବନ କାନଭେନ ସେଣ୍ଟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ।
ଏହି କାର୍ଯ୍ୟକ୍ରମରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ରନ୍ଧନ ଗ୍ୟାସର କଳାବଜାରୀ ଓ ଯୋଗାଣ ଉପରେ ଆଲୋଚନା ହୋଇଥିଲା। ସୂଚନାଯୋଗ୍ୟ, ବିଭିନ୍ନ ସ୍ଥାନରେ ଚଢ଼ଉ କରି ସେମାନେ ପ୍ରାୟ ୮ ହଜାର ଗ୍ୟାସ ସିଲିଣ୍ଡର ଜବତ ହୋଇଛି।
ବୈଠକରୁ ମିଳିଥିବା ସୂଚନାନୁସାରେ, ଚାଷୀମାନଙ୍କଠାରୁ ଠିକଣା ସମୟରେ ସେମାନଙ୍କଠାରୁ ଧାନ ସଂଗ୍ରହ, ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା କାର୍ଯ୍ୟକୁ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ହିତାଧିକାରୀମାନଙ୍କ ଇ-କେୱାସି ୯୬ ପ୍ରତିଶତ ଶେଷ ହୋଇଛି । ଏହାକୁ ଶତପ୍ରତିଶତ କରିବା ପାଇଁ ସମସ୍ତଙ୍କର ପ୍ରଚେଷ୍ଟା ଜାରି ରଖିବାକୁ ସେ କହିଥିଲେ । ସେହିଭଳି ୧୪୪ଟି ସୁଲଭ ମୂଲ୍ୟ ଦୋକାନରେ ଶତପ୍ରତିଶତ ଇ-କେୱାସି ଯାଞ୍ଚ ଶେଷ ହୋଇଛି ଓ ବାକିଥିବା ଅନ୍ୟ ସୁଲଭ ମୂଲ୍ୟ ଦୋକାନରେ ଏହି ପ୍ରକ୍ରିୟା ଶତପ୍ରତିଶତ ଛୁଇଁବ ବୋଲି ସେ ଆଶା ପ୍ରକାଶ କରିଥିଲେ । ସେହିଭଳି ଗତ ଖରିଫ ଋତୁରେ ପ୍ରାୟ ୧୯ ଲକ୍ଷ ଚାଷୀମାନଙ୍କଠାରୁ ୭୮ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇ ସର୍ବନିମ୍ନ ସହାୟକ ମୂଲ୍ୟ ଓ ଇନ୍‌ପୁଟ ସହାୟତା ବାବଦକୁ ପ୍ରାୟ ୨୪ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଏହି ଅବସରରେ, ଧାନକିଣା, ଇ-କେୱାସି ଓ ମଣ୍ଡି ପରିଚାଳନାରେ ପ୍ରଯୁକ୍ତି ବିଦ୍ୟା ଉପଯୋଗ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଜିଲ୍ଲାଗୁଡ଼ିକୁ ମନ୍ତ୍ରୀ ଶ୍ରୀ ପାତ୍ର ସମ୍ବର୍ଦ୍ଧିତ କରିଥିଲେ । ଧାନସଂଗ୍ରହ କ୍ଷେତ୍ରରେ ବରଗଡ଼, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲାକୁ ସମ୍ବର୍ଦ୍ଧିତ କରିଥିବାବେଳେ ଇ-କେୱାସି କରିବାରେ ସଫଳତା ହାସଲ କରିଥିବା ଜିଲ୍ଲା ଭାବେ ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ ଜିଲ୍ଲା, ଜିପିଏସ୍‌ ଆଧାରିତ ଗାଡ଼ି-ଟ୍ରାକିଂ ପାଇଁ ଝାରସୁଗୁଡ଼ା, ଭଦ୍ରକ, ସୁନ୍ଦରଗଡ଼ ଏବଂ ମଣ୍ଡି ପରିଚାଳନା ଆପ୍‌ ବ୍ୟବହାର ଦିଗରେ ଉତ୍କର୍ଷ ଲାଭ କରିଥିବା ସୁବର୍ଣ୍ଣପୁର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାକୁ ମାନପତ୍ର ପ୍ରଦାନ କରାଯାଇଥିଲା
ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ କେ ସୁଦର୍ଶନ ଚକ୍ରବର୍ତ୍ତୀ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ସୁଦାମ ଚରଣ ମଣ୍ଡଳ, ସ୍ୱତନ୍ତ୍ର ଶାସନ ସଚିବ ପୁରନ୍ଦର ଧରୁଆ, ଶ୍ରୀଧର ନାୟକ, ଯୋଗାଣ ନିଗମ ସାଧାରଣ ପରିଚାଳକ ପ୍ରଭାତ ମହାପାତ୍ର, ଏଲୋରା ସାମଲ, ପ୍ରଣତି ପ୍ରିୟଦର୍ଶିନୀ ରାଉତ ପ୍ରମୁଖ ନିଜ ନିଜର ମନ୍ତବ୍ୟ ରଖିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ଯୋଗାଣ ଅଧିକାରୀ, ରାଜ୍ୟ ଯୋଗାଣ ନିଗମ ଏବଂ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଉପ ଶାସନ ସଚିବ ସରୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

 

Govt
Leave A Reply