ଟିଏମସି ସରକାରର ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ସ୍ପଷ୍ଟ ଜନାଦେଶ – ଧର୍ମେନ୍ଦ୍ର ପ୍ରଧାନ
ପଶ୍ଚିମବଙ୍ଗରେ ବିଜେପିର ବିଜୟ ନେଇ ଜନତାଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ
• ପଶ୍ଚିମବଙ୍ଗର ଜନତା ସୁଶାସନ ଏବଂ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଉପରେ ଅତୁଟ ବିଶ୍ୱାସ ପ୍ରକଟ କରିଛନ୍ତି
• ଆସାମ, ତାମିଲନାଡୁ ଓ ପୁଡୁଚେରୀରେ ବିଜେପିକୁ ସମର୍ଥନ ଜଣାଇଥିବାରୁ ମଧ୍ୟ ଧନ୍ୟବାଦ ଦେଲେ
ପଶ୍ଚିମବଙ୍ଗ, ମେ ୦୪,୨୦୨୫ – ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିଜୟ ହେଉଛି ବଙ୍ଗର ଜନସାଧାରଣଙ୍କ ବିଜୟ । ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ସରକାରଙ୍କ ଅନ୍ୟାୟ, ଅତ୍ୟାଚାର ଏବଂ ଅହଂକାର ବିରୋଧରେ ବଙ୍ଗବାସୀ ସ୍ପଷ୍ଟ ଜନାଦେଶ ଦେଇଛନ୍ତି ବୋଲି ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ପଦ୍ମ ଫୁଟାଇ ଏକ ନୂତନ ଇତିହାସ ସୃଷ୍ଟି କରିଥିବାରୁ ସେ ରାଜ୍ୟର ସାଧାରଣ ଜନତା ଓ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ପଶ୍ଚିମବଙ୍ଗରେ ମହିଳାମାନଙ୍କ ଉପରେ କ୍ରମାଗତ ଅତ୍ୟାଚାର ଏବଂ ଶାସକ ଦଳର ନେତାମାନଙ୍କ ଦ୍ୱାରା ଦିଆଯାଉଥିବା ସଂବେଦନହୀନ ମନ୍ତବ୍ୟକୁ ବଙ୍ଗର ନାରୀଶକ୍ତି ପ୍ରତ୍ୟାଖ୍ୟାନ କରିଛନ୍ତି । ମହିଳାଙ୍କ ସମ୍ମାନ ରକ୍ଷା କରିବାରେ ମମତା ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ମମତା ବାନାର୍ଜୀଙ୍କ ସରକାର ସର୍ବଦା ଜନଜାତି ବର୍ଗର ସ୍ୱାର୍ଥକୁ ଅଣଦେଖା କରିଆସିଛି। ସେହିପରି ରାଜ୍ୟର ଚାଷୀକୂଳଙ୍କୁ କେନ୍ଦ୍ରୀୟ ଯୋଜନାର ସୁଫଳରୁ ବଞ୍ଚିତ କରି ସେମାନଙ୍କ ସହ ବିଶ୍ୱାସଘାତକତା କରାଯାଇଛି। ବଙ୍ଗର ଯୁବବର୍ଗ ଆଜି ବେକାରୀ ସମସ୍ୟାରେ ଜର୍ଜରିତ। ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପରିବର୍ତ୍ତେ ଟିଏମସି ସରକାର ଯୁବପିଢ଼ିଙ୍କୁ ଭ୍ରମିତ କରିଆସୁଛି । ପଶ୍ଚିମବଙ୍ଗର ଜନସାଧାରଣ ମମତା ବାନାର୍ଜୀଙ୍କୁ ବିଦାୟ କରିବା ସହ ଭାରତୀୟ ଜନତା ପାର୍ଟିର ସୁଶାସନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଉପରେ ଅତୁଟ ବିଶ୍ୱାସ ପ୍ରକଟ କରିଛନ୍ତି । ଏହି ବିଜୟ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ‘ସୋନାର ବାଂଲା’ର ସ୍ୱପ୍ନ ସାକାର କରିବାରେ ଏକ ଦୃଢ଼ ମୂଳଦୁଆ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଆସାମ ବିଧାନସଭା ନିର୍ବାଚନରେ କ୍ରମାଗତ ତୃତୀୟ ଥର ପାଇଁ ବିଜେପିକୁ ପ୍ରଚଣ୍ଡ ବହୁମତ ଦେଇଥିବାରୁ ଶ୍ରୀ ପ୍ରଧାନ ସେଠାକାର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ, ଆସାମବାସୀ କଂଗ୍ରେସର ବିଭାଜନକାରୀ ରାଜନୀତି ଓ ତୁଷ୍ଟିକରଣକୁ ପ୍ରତ୍ୟାଖ୍ୟାନ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱାଧୀନ ‘ଡବଲ ଇଞ୍ଜିନ’ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ସମର୍ଥନ କରିଛନ୍ତି । ଅପରପକ୍ଷରେ ତାମିଲନାଡୁରେ ବିଜେପି ପ୍ରତି ବିଶ୍ୱାସ ଓ ସମର୍ଥନ ପ୍ରକଟ କରିଥିବାରୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇବା ସହ ଟିଭିକେର ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ପୁଡୁଚେରୀରେ ଏନଡିଏର ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ଏନ. ରଙ୍ଗାସାମୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହା ପ୍ରଧାନମନ୍ତ୍ରୀଙ୍କ ବିକାଶର ଦୂରଦୃଷ୍ଟି ଉପରେ ଜନସାଧାରଣଙ୍କ ଆସ୍ଥା ବୋଲି ସେ କହିଛନ୍ତି ।