Odisha news

ରାଜ୍ୟ କାର୍ଯ୍ୟାଳୟରେ ୭୯ତମ ସ୍ୱାଧୀନତା ଦିବସ ପାଳିତ , ଭାରତର ସ୍ୱାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ପ୍ରତ୍ୟେକ ସଂଗ୍ରାମୀ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ : ମନମୋହନ ସାମଲ

 ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ରାଜ୍ୟ ସଭାପତି  ଜଳସଂପଦ, ଖଣିଜ ସଂପଦ, ପର୍ଯ୍ୟଟନ କ୍ଷେତ୍ର, ସୁଦୀର୍ଘ ବେଳାଭୂମି, ମାନବ ସମ୍ବଳକୁ ଉଚିତ୍ ବ୍ୟବହାର କରି ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ଗଢି ତୋଳିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିବାକୁ ଦେଲେ ଆହ୍ୱାନ

0

ଭୁବନେଶ୍ୱର, ତା.୧୫/୦୮: ଭାରତବର୍ଷର ଅଗଣିତ ସ୍ୱାଧୀନତା ସଂଗ୍ରାମୀଙ୍କ ଆମେ ସ୍ୱାଧୀନତାର ସ୍ୱାଦ ଚାଖି ପାରିଛୁ । ସ୍ୱାଧୀନତା ସଂଗ୍ରାମରେ ଓଡିଶାର ଯୋଗଦାନ ଅତୁଳନୀୟ ଥିଲା । ନେତାଜୀ ସୁବାଷ ବୋଷ, ଉକ୍ରଳମଣି ଗୋପବନ୍ଧୁ ଦାସ, ଉକ୍ରଳଗୌରବ ମଧୁସୂଦନ ଦାସ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ ଓ ବାଜିରାଉତଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀମାନେ ଓଡ଼ିଶାବାସୀଙ୍କ ମନରେ ବିପ୍ଲବର ବହ୍ନି ଜଳାଇଥିଲେ । ଦେଶରେ ଏକତା, ଅଖଣ୍ଡତା, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ସେମାନେ ବହୁ ସଂଘର୍ଷ କରିଥିଲେ । ସେମାନଙ୍କ ନୀତି ଆଦର୍ଶରେ ଯୁବପିଢ଼ୀ ଅନୁପ୍ରାଣିତ ହୋଇ ଦେଶମାତୃକାର ସେବା ପାଇଁ ଆଗେଇ ଆସିବାକୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆହ୍ୱାନ ଦେଇଛନ୍ତି ।
ପରାଧିନତାର ମୁକ୍ତି କରି ଆମକୁ ସ୍ୱାଧୀନତାର ସ୍ୱାଦ ଚଖାଇଥିବା ଓ ଦେଶମାତୃକା ପାଇଁ ପ୍ରାଣବଳି ଦେଇଥିବା ଆମର ସ୍ୱାଧୀନତା ସଂଗ୍ରାମୀଙ୍କୁ କୋଟି କୋଟି ପ୍ରଣାମ ଜଣାଇବା ସହିତ ୭୯ତମ ସ୍ୱାଧିନତା ଦିବସ ପାଳନ ଅବସରରେ ଓଡିଶାବାସୀଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଜାତୀୟ ପତାକା ଉତୋଳନ କରି ଉପସ୍ଥିତ କାର୍ଯ୍ୟକର୍ତାଙ୍କୁ ଉଦବୋଧନ ଦେଇ ଶ୍ରୀ ସାମଲ କହିଛନ୍ତି ଯେ, ସମଗ୍ର ଦେଶ ଆଜି ଆନନ୍ଦ ଉଲ୍ଲାସର ସହ ସ୍ୱାଧୀନତାର ୭୯ତମ ଦିବସ ପାଳନ କରୁଛି । ଏହି ମହୋତ୍ସବ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଭାରତର ମୁକ୍ତି ସଂଗ୍ରାମରେ ବଳିଦାନ ଦେଇଥିବା ପ୍ରତ୍ୟେକ ସଂଗ୍ରାମୀ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ । ଭାରତ ବର୍ଷର ଅନେକ ଲୋକଙ୍କ ତ୍ୟାଗ, ତପସ୍ୟା, ସଂଘର୍ଷ ଓ ଆତ୍ମବିଶ୍ୱାସ କାରଣରୁ ଆମକୁ ଏହି କଷ୍ଟଲବ୍ଧ ସ୍ୱାଧୀନତା ମିଳିପାରିଛି । ବହୁ ବୀର ଓଡ଼ିଆ ଏହି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଦେଶ ମାତୃକା ପାଇଁ ସେବା କରି ପ୍ରାଣବଳୀ ଦେଇଥିଲେ । ଯେଉଁ ମହାପୁରୁଷମାନେ ଓଡ଼ିଶାକୁ ବିକଶିତ କରିବାକୁ ସ୍ୱପ୍ନ ଦେଖିଥିଲେ ସେମାନଙ୍କ ସ୍ୱପ୍ନ ସାକାର କରିବାର ସମୟ ଆସିିଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ଆଜି ସଂକଳ୍ପ ନେବାର ଦିନ । ଓଡିଶାରେ ଅପାର ସମ୍ଭାବନା ରହିଛି । ଜଳସଂପଦ, ଖଣିଜ ସଂପଦ, ପର୍ଯ୍ୟଟନ କ୍ଷେତ୍ର, ସୁଦୀର୍ଘ ବେଳାଭୂମି, ମାନବ ସମ୍ବଳକୁ ଉଚିତ୍ ବ୍ୟବହାର କରି ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ଗଢି ତୋଳିବା ପାଇଁ ଆମ ସମସ୍ତଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିବ । ତେଣୁ ଟିମ ସ୍ପରିଟ ସହ ସାମୁହିକ ନେତୃତ୍ୱ ଏବଂ ସାମୁହିକ ଉତରଦାୟୀତ୍ୱ ନେଇ କାମ କରି ଆଗକୁ ବଢିବାକୁ ପଡିବ । ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଓଡିଶାକୁ ବଡ ପୁଞ୍ଜିନିବେଶ ଆସିଛି । କୃଷକଙ୍କ ରୋଜଗାର ବଢାଇବା ପାଇଁ ସରକାର ଯୋଜନା କରିଯାଉଛି । କୃଷକଙ୍କଠାରୁ ଆରମ୍ଭ କରି ଶ୍ରମିକ, ମହିଳା ଓ ଯୁବଶକ୍ତିଙ୍କ ପର୍ଯ୍ୟନ୍ତ ସଭିଁଏ ରାଜ୍ୟରେ ବିଜେପି ସରକାରକୁ ସମର୍ଥନ ଜାରି ରଖିଛନ୍ତି । ସେମାନଙ୍କ ଆଶା ଓ ଆଙ୍କାକ୍ଷା ପୂରଣ କରିବା ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ଅବସରରେ ବହୁ ସାଂସଦ, ବିଧାୟକ, ବରିଷ୍ଠ ନେତୃବୃନ୍ଦ ଏବଂ ଶତାଧିକ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।

Leave A Reply